ସବୁଜ ବିପ୍ଳବର ଜନକ: ସ୍ବାମୀନାଥନ୍‌

ନଟବର ଖୁଣ୍ଟିଆ

ସ୍ବଧୀନୋତ୍ତର ଭାରତବର୍ଷ ଆଜି ସାରା ବିଶ୍ବରେ ଯେପରି ଭାବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ସମ୍ମାନିତ ସ୍ଥାନ ଅଧିକାର କରି ବିଶ୍ବର ତୃତୀୟ ଅର୍ଥନୈତିକ ଶକ୍ତି ହେବା ପଥରେ ଅଗ୍ରସର ହେଉଛି ତାହା ମୂଳରେ ଅଛି ଆମେ କୃଷି କ୍ଷେତ୍ରରେ ବିପ୍ଳବ ଆଣି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇ ଦେବା ସହିତ ଖାଦ୍ୟଶସ୍ୟ ବିଦେଶକୁ ରପ୍ତାନି କରି ପାରୁଛୁ। ସ୍ବାମୀନାଥନ୍ କହନ୍ତି, ‘ଯଦି କୃଷି କ୍ଷେତ୍ରରେ ବିପର୍ଯ୍ୟୟ ସୃଷ୍ଟି ହେଲା ତେବେ ଅନ୍ୟ କୌଣସି କ୍ଷେତ୍ର ଠିକ୍ ଚାଲିବ ନାହିଁ। ତେଣୁ ଭାରତ ସରକାର ତାଙ୍କର ଯେ କୌଣସି ନୀତି ନିର୍ଦ୍ଧାରଣ କଲାବେଳେ କୃଷକଙ୍କ ମଙ୍ଗଳ କେନ୍ଦ୍ର ବିନ୍ଦୁ ହେବା ଆବଶ୍ୟକ।’

ଆମ ଦେଶ ସ୍ବାଧୀନ ହେବା ବେଳେ ଆମର ଲୋକସଂଖ୍ୟା ଥିଲା ୩୩ କୋଟି; କିନ୍ତୁ ଆମେ ଖାଦ୍ୟରେ ଆତ୍ମନିର୍ଭରଶୀଳ ନ ଥିଲୁ। ବିଦେଶରୁ ଖାଦ୍ୟଶସ୍ୟ ଆମଦାନୀ କରି ଖାଦ୍ୟଶସ୍ୟ ଅଭାବ ପୂରଣ କରୁଥିଲୁ ସ୍ବଧୀନତାର ଦୁଇ ଦଶନ୍ଧି ପର୍ଯ୍ୟନ୍ତ। ବିଶେଷକରି ଆମେ ପିଏଲ୍-୪୮୦ ଚୁକ୍ତି ବଳରେ ଆମେରିକାରୁ ଅସମ୍ମାନଜନକ ସର୍ତ୍ତରେ ଖାଦ୍ୟଶସ୍ୟ ଆମଦାନୀ କରି ଭୋକିଲାଙ୍କୁ ଖାଦ୍ୟଶସ୍ୟ ଯୋଗାଉ ଥିଲୁ। ୧୯୬୦ ଦଶକର ମଧ୍ୟ ଭାଗରେ ଆମେରିକାର କୃଷି ବିଜ୍ଞାନୀ ନରମାନ ବୋରଲଗ ଯେତେବେଳେ ଅଧିକ ଅମଳକ୍ଷମ ଗେଡ଼ା ଗହମ ବିହନ ଉଦ୍ଭାବନ କଲେ ସାରା ବିଶ୍ବରେ ଚହଳ ପଡ଼ିଲା ଆଉ ବୋରଲଗ ସେହି ନୂତନ ବିହନକୁ ଭାରତ ଓ ପାକିସ୍ତାନର କୃଷି କ୍ଷେତରେ ପ୍ରୟୋଗ କରି ଅଭୂତ ସଫଳତା ଲାଭ କଲେ। ବୋରଲଗଙ୍କୁ ସାହାଯ୍ୟ କଲେ ଭାରତୀୟ କୃଷି ବୈଜ୍ଞାନିକ ସ୍ବାମୀନାଥନ୍। ସେହି ଦୁଇ ଜଣ ବିଖ୍ୟାତ କୃଷି ବୈଜ୍ଞାନିକ ପରସ୍ପର ମଧ୍ୟରେ ସହଯୋଗ କଲେ। ବୋରଲଗ ୧୯୭୦ ମସିହାରେ ଶାନ୍ତି ପାଇଁ ନୋବେଲ ପାଇଲେ । ବୋରଲଗ ଏକ ଚିଠିରେ ସ୍ବାମୀନାଥନଙ୍କୁ ଲେଖିଥିଲେ, “ଆପଣ ମୋ ଉଦ୍ଭାବିତ ଗେଡା ଗହମ ବିହନକୁ ସ୍ବୀକାର କରି ତାର ବହୁଳ ସମ୍ପ୍ରସାରଣ ଭାରତୀୟ ଚାଷୀମାନଙ୍କ ମଧ୍ୟରେ କରାଇବା ଦ୍ବାରା ଏସିଆ ମହାଦେଶରେ ସବୁଜ ଵିପ୍ଳବ ସମ୍ଭବ ହେଲା। ଆପଣ ତାହା କରିନଥିଲେ ଭାରତ ସମେତ ଏସିଆ ମହାଦେଶର ଅନ୍ୟ ଦେଶରେ ସମ୍ଭବହୋଇ ପାରି ନ ଥାନ୍ତା।” ପୁନଶ୍ଚ ବୋରଲଗ ନୋବେଲ ପୁରସ୍କାର ପାଇବା ଅବସରରେ କହିଥିଲେ,ଏ ଶ୍ରେୟର ବଡ଼ଭାଗ ସ୍ବାମୀନାଥନ୍‌ଙ୍କୁ ଯିବ,କାରଣ ସେହି ହିଁ ଭାରତରେ ଗେଡା ଅଧିକ ଅମଳକ୍ଷମ ଗହମକୁ ଉପଯୋଗ କରି ଭାରତକୁ କ୍ଷୁଧା ମୁକ୍ତ କରାଇ ପାରିଛନ୍ତି।

ସ୍ବାମୀନାଥନ୍ ଥିଲେ ଜଣେ ଦୂରଦ୍ରଷ୍ଟା କୃଷି ବିଜ୍ଞାନୀ।ନୂଆ ଅଧିକ ଅମଳକ୍ଷମ ଗ଼ହମ ବିହନ ବାହାରିବା ପରେ ପରେ ଅଧିକ ଅମଳକ୍ଷମ ଗେଡା ଧାନ ବିହନ ମଧ୍ୟ ବାହାରିଲା। ସ୍ବାମୀନାଥନ୍ ସେସବୁ ଅନ୍ତର୍ଜାତୀୟ ବିହନକୁ ସ୍ଥାନୀୟ କିସମର ବିହନ ସହ ଯଂଯୋଗ କରି ନୂଆ ନୂଆ ଅଧିକ ଅମଳକ୍ଷମ ଗ଼ହମ ଓ ଧାନ ବିହନ ବାହାର କରି ସରକାରଙ୍କୁ ବୁଝାଇ ଚାଷୀମାନଙ୍କୁ ପ୍ରବର୍ତ୍ତାଇ ପାରିଲେ ଚାଷ କରିବା ପାଇଁ। ୧୯୬୬ରେ ଭାରତ ଆମେରିକାରୁ ୧୦ ନିୟୁତ ଟନ୍ ଗ଼ହମ ଆମଦାନୀ କରୁଥିଲା। ୧୯୬୫ରେ ପାକିସ୍ତାନ ସହିତ ଯୁଦ୍ଧ ହୋଇଥିଲା। ପ୍ରଧାନମନ୍ତ୍ରୀ ଥିଲେ ଲାଲ୍ ବାହାଦୁର ଶାସ୍ତ୍ରୀ। ଶାସ୍ତ୍ରୀଜୀ ଖାଦ୍ୟଶସ୍ୟ ଉତ୍ପାଦନ ବଢାଇବା ପାଇଁ ଖୁବ୍ ଲୋକପ୍ରିୟ ସ୍ଳୋଗାନ ଦେଇଥିଲେ “ଜୟ ଯଵାନ ଜୟ କିଷାନ।” ଶାସ୍ତ୍ରୀଜୀଙ୍କ ପରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ।

କୃଷି ମନ୍ତ୍ରୀ ଥିଲେ ସି.ସୁବ୍ରମଣ୍ୟମ୍ ଆଉ କୃଷି ସଚିଵ ଥିଲେ ବି. ଶିବରମଣ। ଏହି ତିନି ଜଣ ଥିଲେ ନିଜ ନିଜ କ୍ଷେତ୍ରରେ ଅତି ବିଚକ୍ଷଣ ଓ ପ୍ରତିବଦ୍ଧତା ସମ୍ପନ୍ନ ବ୍ୟକ୍ତିତ୍ବ। ଦୂରଦ୍ରଷ୍ଟା ସ୍ବାମୀନାଥନ୍ ଏହି ତିନି ନେତାଙ୍କ ଆନ୍ତରିକ ସହଯୋଗରେ ଭାରତରେ ସବୁଜ ବିପ୍ଳବକୁ ରୂପ ଦେଲେ। ସେ କେବଳ କୃଷି ଗବେଷକ ନଥିଲେ,ସେ ଏକାଧାରରେ ଥିଲେ ଜଣେ କୃଷି ସମ୍ପ୍ରସାରଣ ବିଶେଷଜ୍ଞ, ଜଣେ ଦୂରଦ୍ରଷ୍ଟା ଯୋଜନାକାର, ଦକ୍ଷ ପ୍ରଶାସକ ଏବଂ ସର୍ବୋପରି ଜଣେ ସର୍ବଜନ ଆଦୃତ ନେତା। ସେ ବିଶ୍ବାସ କରୁଥିଲେ କୃଷି ଗବେଷଣା କେନ୍ଦ୍ରରୁ ଯେଉଁ ବିହନ ଆଉ ଯେଉଁ ଉନ୍ନତ ଚାଷ ପ୍ରଣାଳୀ ବାହାରୁଛି ତାହା ଯଦି ଚାଷୀଙ୍କ ନିକଟରେ ନ ପହଞ୍ଚିବ ତାର ମୂଲ୍ୟ କିଛି ରହିଵ ନାହିଁ। ତେଣୁ ସେ “ଗବେଷଣାଗାରରୁ କ୍ଷେତ ଏବଂ କ୍ଷେତରୁ ଗବେଷଣାଗାର” ପ୍ରତି ଗୁରୁତ୍ୱ ଦେଇ ଚାଷୀଙ୍କ ପାଖରେ ଉନ୍ନତ ବିହନ ଓ ଚାଷ ପ୍ରଣାଳୀ ପହଞ୍ଚାଇବାକୁ ସରକାରଙ୍କୁ ପ୍ରଭାବିତ କରିପାରୁଥିଲେ। ସେ ସବୁଜ ବିପ୍ଳବର ଖସଡ଼ା ପ୍ରସ୍ତୁତ କରି ତାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଇବା ପାଇଁ ସରକାରଙ୍କୁ ପ୍ରବର୍ତ୍ତାଇ ପାରୁଥିଲେ। କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ହେଲେ ଜଳସେଚନର ସମ୍ପ୍ରସାରଣ ସହ ବିଭିନ୍ନ ପ୍ରକାର ନିବେଶ ଚାଷୀଙ୍କ ନିକଟରେ ପହଞ୍ଚାଇବାକୁ ସରକାରଙ୍କୁ ପ୍ରବର୍ତ୍ତାଇ ପାରୁଥିଲେ। ଯାହା ଫଳରେ ସଂଗଠିତ ହେଲା ସବୁଜ ବିପ୍ଳବ ଆଉ ଖାଦ୍ୟ ଶସ୍ୟ ନିଅଣ୍ଟ ରାଷ୍ଟ୍ରରୁ ଆମେ ଧୀରେ ଧୀରେ ଆତ୍ମ ନିର୍ଭରଶୀଳ ଆଡ଼କୁ ଗତିକରି ଆଜି ଆମେ ଖାଦ୍ୟ ବଳକା ରାଷ୍ଟ୍ର ହୋଇଛୁ। ସ୍ବାଧୀନତା ସମୟରେ ଆମେ ମାତ୍ର ୫୦ ନିୟୁତ ଟନ୍ ଖାଦ୍ୟ ଶସ୍ୟ ଅମଳ କରୁଥିବା ବେଳେ ଆଜି ୩୩୪ ନିୟୁତ ଟନ୍ ଅମଳ କରି ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ପାରୁଛୁ ଅଥଚ ସ୍ବାଧୀନତାର ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଆଜିକା ତୁଳନାରେ କମ୍ ସଂଖ୍ୟକ ଲୋକଙ୍କୁ ଯୋଗାଇ ପାରୁନଥିଲୁ। ଖାଦ୍ୟଶସ୍ୟ ଆମଦାନୀ କରୁଥିଲୁ ବିଦେଶରୁ ସେତେବେଳେ କୁହାଯାଉଥିଲା ଜାହାଜରୁ ପାଟି।

prayash

ସବୁଜ ବିପ୍ଳବ ପରେ ସ୍ଥିତି ବଦଳି ଗଲା। ଆମେ ଆଜି ଭାରତର ନୁହେଁ; ବିଶ୍ବର ଅନେକ ଦେଶର ଭୋକିଲାଙ୍କ ମୁଖରେ ଦାନା ଦେଉଛୁ। ଏହାର ସ୍ଥପତି ହେଲେ ସ୍ବାମୀନାଥନ୍। ବଡ଼ ଆନନ୍ଦର କଥା ଆମ ଓଡ଼ିଶାର କଟକର ବିଦ୍ୟାଧରପୁରରେ ଥିବା କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରୁ ସେ କୃଷି ବିଭାଗରେ ତାଙ୍କ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ସେ ତାଙ୍କ ବୃତ୍ତିଗତ ଜୀବନରେ ଭାରତ ସମେତ ଏସିଆର ବଡ଼ ବଡ଼ କୃଷି ଅନୁଷ୍ଠାନରେ ମୁଖ୍ୟ ରୂପେ ଅବସ୍ଥାପିତ ହୋଇ ସବୁଜ ବିପ୍ଳବର ଦୃଢ ଭିତ୍ତି ସ୍ଥାପନ କରିଥିଲେ।

ସେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ନି​‌େ​‌ର୍ଦଶକ, ଭାରତୀୟ କୃଷି ଗବେଷଣା ପରିଷଦର ମହାନି​‌େ​‌ର୍ଦଶକ ଏବଂ ନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର, ମାନିଲାର ମହାନି​‌େ​‌ର୍ଦଶକ ଥିଲେ। ସେ ରାଜ୍ୟ ସଭା ସଦସ୍ୟ ହୋଇଥିଲେ ଏବଂ ଯୋଜନା କମିସନର ବିଜ୍ଞାନୀ ସଦସ୍ୟ ଥାଇ କିଛି ଦିନ ପାଇଁ ଉପାଧ୍ୟକ୍ଷ ପଦ ସମ୍ଭାଳି ଥିଲେ। ସେ ବହୁ ଜାତୀୟ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ। ସେ ପ୍ରଥମ ବିଶ୍ବ ଖାଦ୍ୟ ପୁରସ୍କାର ପାଇଥିଲେ। ସେହି ପୁରସ୍କାର ଅର୍ଥରେ ସେ ସ୍ଥାପନ କରିଛନ୍ତି ଏମ.ଏସ୍ ସ୍ବାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ। ଓଡ଼ିଶାରେ ତାହାର ଶାଖା ଅଛି। ଏହି ଫାଉଣ୍ଡେସନ ଦୀର୍ଘମିଆଦୀ କୃଷି ବିକାଶ ପାଇଁ କାମ କରୁଛି। ଭାରତ ସରକାରଙ୍କ ଦ୍ବାରା ସେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନୀତ। ସାରା ଦେଶରେ ଏବେ ଦାବି ହେଉଛି ତାଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନରେ ସମ୍ମାନୀତ କରାଯାଉ। ୧୯୯୯ ମସିହାରେ ଆମେରିକାର ପ୍ରସିଦ୍ଧ ଟାଇମ୍ ପତ୍ରିକା ବିଂଶ ଶତାବ୍ଦୀର ବିଶ୍ବର ୨୦ ଜଣ ବିଖ୍ୟାତ ବ୍ୟକ୍ତିଙ୍କ ନାମ ପ୍ରକାଶ କରିଥିଲା। ସେଥିରେ ଭାରତର ତିନିଜଣଙ୍କ ନାମ ଥିଲା- ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଠାକୁର ଏବଂ ଏମ.ଏସ. ସ୍ବାମୀନାଥନ୍। ଏଥିରୁ ଜଣାଯାଏ ସାରା ବିଶ୍ବରୁ ଭୋକ ଦୂର କରିବାରେ ସ୍ବାମୀନାଥନ୍‌ଙ୍କ ଭୂମିକା କଣ ଥିଲା। ସ୍ବାମୀନାଥନ୍ ବହୁ ପୁରସ୍କାର ପାଇଛନ୍ତି। ସେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଦ୍ବାରା ପ୍ରତିଷ୍ଠିତ କଳିଙ୍ଗ ଫାଉଣ୍ଡେସନ ପୁରସ୍କାର ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ପାଇଛନ୍ତି। ନିଜ ବୃତ୍ତିରୁ ଅବସର ନେବା ପରେ କୃଷିର ସାମଗ୍ରିକ ବିକାଶ ପାଇଁ ଭାରତ ସରକାର ଏକ ଜାତୀୟ କୃଷକ କମିସନର ଗଠନ କଲେ ୨୦୦୪ ମସିହାରେ। ତାହାର ଅଧ୍ୟକ୍ଷ ହେଲେ ସ୍ବାମୀନାଥନ୍। ଅନ୍ୟ କେତେଜଣ ଅନୁଭବୀ ବିଶେଷଜ୍ଞ ବ୍ୟକ୍ତି ଏହି କମିସନର ସଦସ୍ୟ ଥିଲେ। ଏହି କମିସନ ସ୍ବାମୀନାଥନ୍ କମିଟି ନାମରେ ଲୋକପ୍ରିୟ ନାମରେ ଖ୍ୟାତ। କମିଟି ଗଠନ ହୋଇଥିଲା ୨୦୦୪ ମସିହାରେ। ବିଭିନ୍ନ କିସ୍ତିରେ ୨୦୦୬ ସୁଦ୍ଧା ଛ’ଟି ରିପୋର୍ଟ ସରକାରଙ୍କୁ ଦିଆଯାଇଛି।

ଏହି ରିପୋର୍ଟକୁ ଅଧ୍ୟୟନ କଲେ ଜଣାଯାଏ ଏହା ଭାରତର ଦୀର୍ଘ ମିଆଦୀ କୃଷି ବିକାଶ ପାଇଁ ଗୀତା, ବାଇବେଲ ସଦୃଶ। ଏହି ରିପୋର୍ଟକୁ ସରକାର କାର୍ଯ୍ୟକାରୀ କଲେ ନିରନ୍ତର କୃଷି ବିପ୍ଳବ ସମ୍ଭବ ହେବ। ସରକାର କିଛି କିଛି ସୁପାରିସ କାର୍ଯ୍ୟକାରୀ କରୁଛନ୍ତି; କିନ୍ତୁ ଆନ୍ତରିକାର ସହ ସମସ୍ତ ସୁପାରିସ କାର୍ଯ୍ୟକାରୀ ନ କଲେ ଭବିଷ୍ୟତରେ କୃଷି ଉତ୍ପାଦନ ବୃଦ୍ଧିରେ ବ୍ୟାଘାତ ଜନ୍ମିବ ଏବଂ କୃଷକ ନ୍ୟାୟ ପାଇ ପାରିବ ନାହିଁ। ସ୍ବାମୀନାଥନ୍ କମିଟି ରିପୋର୍ଟ କହିଲେ ଆଜି ଦେଶସାରା ବୁଝୁଛନ୍ତି ଏମ. ଏସ. ପି. ଅର୍ଥାତ୍‌ ଧାନ, ଗହମର ଅନ୍ୟୂନ ସହାୟକ ମୂଲ୍ୟ। କିନ୍ତୁ ଏମ୍ ଏସ ପି ଗୋଟିଏ ଛୋଟ ସୁପାରିସ। ତାଙ୍କ ରିପୋର୍ଟରେ ବହୁ ଯୁଗାନ୍ତକାରୀ ସୁପାରିଶ ଅଛି। ସେହି ସୁପାରିସଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଦାବି ହେଉନାହିଁ। ତେବେ ଏମ୍ ଏସ୍ ପି ସୁପାରିସ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ନହେଲେ ବି ଯାହା ହେଉଛି କୃଷକମାନେ କିଛି ମାତ୍ରାରେ ଉପକୃତ ହେଉଛନ୍ତି; କିନ୍ତୁ ଦେଶର କୃଷି ବିକାଶକୁ ଦୀର୍ଘ ସ୍ଥାୟୀ କରି କୃଷକର ଆୟ ବଢ଼ାଇବାକୁ ହେଲେ ସମ୍ପୂର୍ଣ୍ଣ ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ହେବ। ଏଥିପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟସରକାରମାନେ ମିଳିତ ଉଦ୍ୟମ କରିବାକୁ ହେବ।

ସ୍ବାମୀନାଥନ୍ କମିଟିରେ ଆମ ଓଡ଼ିଶାର ଜଣେ ଅନୁଭବୀ କୃଷି ଓ ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ସ୍ବେଚ୍ଛାସେବୀ ଭାବରେ କାମ କରିଥିବା – ଶ୍ରୀଜଗଦୀଶ ପ୍ରଧାନ ସଦସ୍ୟ ଭାବରେ କାମ କରିଥିଲେ। ସେ କହନ୍ତି ଡକ୍ଟର ସ୍ବାମୀନାଥନ୍ ଜଣେ ଅତି ଅମାୟିକ ଅତି ସମ୍ବେଦନଶୀଳ ଚିନ୍ତାନାୟକ।ସେ ନିଜର ମତକୁ କେବେ ଲଦି ଦିଅନ୍ତି ନାହଁ। ସଦସ୍ୟମାନଙ୍କ କଥା ଧୈର୍ଯ୍ୟର ସହ ଶୁଣି ବିଚାର ଆଲୋଚନା କରି ସର୍ବ ସମ୍ମତି କ୍ରମେ ଗ୍ରହଣ କରାନ୍ତି। କିଛି ବର୍ଷ ତଳେ ଡକ୍ଟର ସ୍ବାମୀନାଥନ୍ ଓୟୁଏଟି ଆସିଥିଲେ ଏକ ଆଲୋଚନା ଚକ୍ରକୁ। ମୋର କାହିଁ ଇଚ୍ଛା ହେଲା ତାଙ୍କୁ ସାକ୍ଷାତ କରି ଓଡ଼ିଶାର ଦୀର୍ଘ ମିଆଦୀ କୃଷି ବିକାଶ ପାଇଁ ମୋ ମତ ତାଙ୍କ ସମ୍ମୁଖରେ ରଖିବି। ବିନା ଆପଏଣ୍ଟ​‌େ​‌ମଣ୍ଟରେ ଯାଇ ତାଙ୍କ ସହ ଦେଖାକରି କହିଲି ଓଡ଼ିଶାର କୃଷିର ବିକାଶ ପାଇଁ ଜଳସେଚନର ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସରକାର ବଡ଼ ବଡ଼ ଜଳସେଚନ ପ୍ରକଳ୍ପକୁ ଗୁରୁତ୍ବ ନଦେଇ ଯେହେତୁ ଓଡ଼ିଶାରେ ବାର୍ଷିକ ବୃଷ୍ଟିପାତ ହାରାହାରି ୧୪୫୦ ମିଲିମିଟର, ସେହି ବୃଷ୍ଟି ଜଳକୁ ଚାଷୀମାନେ କ୍ଷେତ ପୋଖରୀ କରି ସାଇତି ରଖି ଜଳସେଚନ ପାଇଁ ବ୍ୟବହାର କଲେ ଉତ୍ପାଦନ ଓ ଉତ୍ପାଦିକା ଶକ୍ତି ବୃଦ୍ଧି ପାଇବ, ଚାଷୀ ଲାଭବାନ ହେବ। ପନିପରିବାର ଉତ୍ପାଦନ, କ୍ରୟ, ପ୍ରକ୍ରିୟାକରଣ ବିପଣନ ପାଇଁ କୃଷକ ଉତ୍ପାଦକ ସଂଘ ମାଧ୍ୟମରେ ଓମଫେଡ୍ ଢାଞ୍ଚାରେ ଭେଜେଫେଡ୍ ଗଠନ କଲେ ଚାଷୀମାନେ ନିଜ ଉତ୍ପାଦର ଲାଭଜନକ ମୂଲ୍ୟ ପାଇ ପାରିବେ ଓ ଖାଉଟି ମଧ୍ୟ ନ୍ୟାଯ୍ୟ ଦରର ପନିପରିବା କିଣିପାରିବ। ମୋ ପ୍ରସ୍ତାବ ସହ ସେ ସହମତ ହୋଇଥିଲେ।

ବିଶ୍ବର ୨୦ଜଣ ବିଖ୍ୟାତ ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ବାମୀନାଥନ୍ ଆଉ ସେ କେତେ ଉଦାର ସମ୍ବେଦନଶୀଳ ତାହା ମୋ ଅନୁଭୂତି ପ୍ରମାଣ ଦିଏ। ସେହି ମହାନ୍ ବ୍ୟକ୍ତିଙ୍କର ଗତ ସେପ୍ଟେମ୍ବର ୨୮ ତାରିଖରେ ମହାପ୍ରୟାଣ ଚେନ୍ନାଇ ଠାରେ ୯୮ ଵର୍ଷ ବୟସରେ ହୋଇ ଯାଇଛି। ଆମେ ସେହି ମହାନ୍ ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛୁ।

kalyan agarbati

Comments are closed.