କୃଷି ବଜେଟ୍‌ ଗଣିତ କୃଷି କ୍ଷେତ୍ରରେ ଫଳିତ ହେବ?

ନଟବର ଖୁଣ୍ଟିଆ

ଓଡ଼ିଶାର ଅର୍ଥମନ୍ତ୍ରୀ ଫେବୃୟାରୀ ୨୪ ତାରିଖରେ ସାଧାରଣ ବଜେଟ୍ ସହ ସ୍ବତନ୍ତ୍ର କୃଷି ବଜେଟ୍ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ସ୍ବତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ ହେବାର ୧୧ ବର୍ଷ ହୋଇଗଲା। ଆଶା କରାଯାଉଥିଲା ବିଗତ ଦଶ ବର୍ଷର କୃଷି ବଜେଟରୁ ଓଡ଼ିଶା କୃଷି କିପରି ଲାଭବାନ ହୋଇଛି ତା’ର ଏକ ଚିତ୍ର ବଜେଟ୍ ଭାଷଣରେ ପ୍ରତିଫଳିତ ହେବ; କିନ୍ତୁ ତାହା ହୋଇ ନାହିଁ। କେବଳ ଗଣିତର ଖେଳ ପ୍ରଦର୍ଶିତ ହୋଇଛି। ବିଗତ ୨୦୨୨-୨୩ ବର୍ଷର କୃଷି ବଜେଟ୍ ତୁଳନାରେ ୨୦୨୩-୨୪ କୃଷି ବଜେଟରେ ୨୧ ପ୍ରତିଶତ ଅଧିକ ବ୍ୟୟବରାଦ ହୋଇଛି ବୋଲି କୃଷି ପ୍ରତି ସରକାରଙ୍କ ଗୁରୁତ୍ବ ଦେବା କଥା କୁହାଯାଇଛି। ଏ ବର୍ଷ କୃଷି ବଜେଟରେ ମୋଟ୍ ୨୪,୮୨୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। କୃଷି ବିଭାଗ ବଜେଟରେ ଚାରିଗୋଟି ବିଭାଗ ଅନ୍ତର୍ଭୁକ୍ତ ଯଥା :- କୃଷି ଓ କୃଷକ ସଶକ୍ତୀକରଣ, ଜଳସମ୍ପଦ, ମତ୍ସ୍ୟ ଓ ପଶୁସମ୍ପଦ ଏବଂ ସମବାୟ। ଏ ସବୁ ବିଭାଗ ପାଇଁ ଗତ ବଜେଟ୍ ତୁଳନାରେ ଅଧିକ ବ୍ୟୟବରାଦ ହୋଇଥିଲ ବି ବର୍ତ୍ତମାନ ରାଜ୍ୟର କୃଷକମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେସବୁର ସମାଧାନ କିପରି ହୋଇ ପାରିବ ତାହାର ନକ୍‌ସା ବଜେଟରେ ଦେଖିବାକୁ ମିଳିଲା ନାହିଁ।

କୃଷିର ଉତ୍ପାଦିକା ଶକ୍ତି ବୃଦ୍ଧିର ମୂଳ ମନ୍ତ୍ର ହେଲା ଜଳସେଚନ, ଉତ୍ପାଦିତ ଦ୍ରବ୍ୟ ପାଇଁ କୃଷକକୁ ଲାଭଜନକ ମୂଲ୍ୟ ପ୍ରାପ୍ତି ଆଉ ଏଥିପାଇଁ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ, ସଂରକ୍ଷଣ ଓ ବିପଣନ ପାଇଁ ଉପଯୁକ୍ତ ବଜାର ସୃଷ୍ଟି।

୨୦୧୩-୧୪ ଆର୍ଥିକ ବର୍ଷରୁ ସ୍ବତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ ହେବାଠାରୁ କୃଷି ଵଜେଟର ୫୦ ଭାଗରୁ ଅଧିକ ଅର୍ଥ ଜଳସେଚନ ପାଇଁ ବ୍ୟୟବରାଦ ହେଉଛି; କିନ୍ତୁ ସେହି ହିସାବରେ ଚାଷୀର ବିଲରେ ପାଣି ମାଡ଼ୁଛି କି? ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ କୃଷି ବଜେଟର ପରିମାଣ ୨୪,୮୨୯ କୋଟି ଟଙ୍କା ହୋଇଥିବାବେଳେ ତାହା ମଧ୍ୟରୁ କେବଳ ଜଳସେଚନ ପାଇଁ ବରାଦ ହୋଇଛି ୧୦,୭୨୪ କୋଟି ଟଙ୍କା। ଅର୍ଥାତ୍‌ ମୋଟ କୃଷି ବଜେଟର ୪୩.୨୦ ପ୍ରତିଶତ। ଆଜିକାଲି ବଡ଼ ବଡ଼ ଜଳସେଚନ ପ୍ରକଳ୍ପ ପାଇଁ ଜମିଜମା ଛାଡ଼ିବାକୁ,ବିସ୍ଥାପିତ ହେବାକୁ ଲୋକେ ନାରାଜ। ଆନ୍ଦୋଳନ କରୁଛନ୍ତି। ତା’ଛଡା ବଡ଼ ବଡ଼ ପ୍ରକଳ୍ପ ଶେଷ ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗି ଯାଉଛି। ଯାହା ଫଳରେ ପ୍ରକଳ୍ପ ଖର୍ଚ୍ଚ ବଢ଼ି ଯାଉଛି। ବଡ଼ବଡ଼ ଜଳସେଚନ ପ୍ରକଳ୍ପ ପ୍ରତି ବିଶେଷ ଗୁରୁତ୍ବ ନ ଦେଇ ଯଦି ଚାଷୀର କ୍ଷେତରେ କ୍ଷେତ ପୋଖରୀ ଖୋଳି ବର୍ଷା ଜଳକୁ ସଂଗ୍ରହ କରି ରଖି ସୋଲାର ପମ୍ପ ସାହାଯ୍ୟରେ ପାଣି ଉଠାଇ ଜଳସେଚନ କରାଯାଆନ୍ତା,ତେବେ ଅଧିକାଂଶ ଜମିରେ ଜଳସେଚନ ହୋଇ ପାରନ୍ତା। ଏଥିପାଇଁ ଚାଷୀଙ୍କୁ ଋଣ ଦେବା ବ୍ୟବସ୍ଥା ସହ କିଛି ରିଆତି ଦେବାର ବ୍ୟବସ୍ଥା ହୁଅନ୍ତା।

ବିଧାନସଭାରେ କୃଷି ସମ୍ବନ୍ଧରେ ଆଲୋଚନା ବେଳେ ଅବା ଅର୍ଥ ମନ୍ତ୍ରୀଙ୍କ ବଜେଟ୍ ଭାଷଣରେ କେଉଁଠି ହେଲେ ନାହିଁ ସ୍ବତନ୍ତ୍ର କୃଷି ବଜେଟ୍ ୨୦୧୩-୧୪ରୁ ଆରମ୍ଭ ହେବା ଦିନ ଠାରୁ ଗତ ୧୦ ବର୍ଷ ମଧ୍ୟରେ କେଉଁ ଜିଲା ଅବା ବ୍ଲକରେ ପ୍ରକୃତରେ କେତେ ଜମିରେ ଜଳ ମାଡ଼ୁଛି। କେବଳ କୁହାଯାଇଛି କେତେ ଜଳସେଚନର ଉତ୍ସ ସୃଷ୍ଟି ହୋଇଛି। ଜଳର ଉତ୍ସରୁ କେନାଲ ଖୋଳା ହୋଇ ଅବା ଉଠା ଜଳସେଚନ ପଏଣ୍ଟରୁ କିମ୍ବା ଆଡିବନ୍ଧରୁ ଫିଲ୍ଡ ଚାନେଲ ମାଧ୍ୟମରେ ଜମିକୁ ପାଣି ମଡାଇବାର ବ୍ୟବସ୍ଥା ହେବା ଆବଶ୍ୟକ। ଓଡ଼ିଶା ସରକାର ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ବିଧାନସଭାରେ ବାର୍ଷିକ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥାନ୍ତି। ତାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ୨୦୨୧-୨୨ରେ ଯେତେ ହେକ୍ଟରରେ ଜଳ ସେଚନ ପାଇଁ ଜଳର ଉତ୍ସ ସୃଷ୍ଟି କରାଯାଉଛି ତାର ୬୬.୦୪ ପ୍ରତିଶତ ଜମିରେ ପାଣି ମାଡିଛି। ଅଥଚ ୨୦୧୩-୧୪ରେ ୭୨ ଭାଗ ଜମିରେ ପାଣି ମାଡ଼ୁଥିଲା। ବଡ଼ ତାତ୍ପର୍ଯ୍ୟର କଥା ଏବେ ଯେଉଁ ୨୦୨୨-୨୩ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି, ସେଥିରେ କେବଳ ଜଳର ଉତ୍ସ ସୃଷ୍ଟି କଥା କୁହାଯାଇଛି; କିନ୍ତୁ କେତେ ଜମିରେ ପାଣି ମାଡ଼ିଲା ସେ କଥା କୁହାଯାଇ ନାହଁ। ଜଳସେଚନ ବିଭାଗ ଯେତେ ଜମିରେ ପାଣି ମାଡ଼ୁଥିବା କହୁଛି ପ୍ରକୃତରେ ସେତିକି ଜମିରେ ପାଣି ମାଡୁ ନାହିଁ। ଏହା ପ୍ରମାଣ ଦିଏ ଓଡ଼ିଶା ସରକାରଙ୍କ ପରିସଂଖ୍ୟାନ ଓ ଅର୍ଥନୀତି ନି‌େର୍ଦଶାଳୟ ଦ୍ବାରା ପ୍ରସ୍ତୁତ ହେଉଥିବା କୃଷି ଗଣନା ରିପୋର୍ଟ ଦ୍ବାରା। ୨୦୧୫-୧୬ ଗଣନା ଅନୁସାରେ ମୋଟ ଫସଲ ହେଉଥିବା ଜମିର ମାତ୍ର ୨୭ ଭାଗ ଜମିକୁ ପାଣି ଯୋଗାଇ ଦିଆଯାଇଛି। ଅର୍ଥାତ୍ କେବଳ ଜଳସେଚନର ଉତ୍ସ ସୃଷ୍ଟି କଲେ ଚାଷୀର ଲାଭ ହେବନାହିଁ, ଯେ ପର୍ଯ୍ୟନ୍ତ ଜଳ ଚାଷୀର ଜମିରେ ନ ମାଡିଛି। ବଜେଟ୍ ଭାଷଣରେ କେବଳ କେଉଁ ପ୍ରକଳ୍ପରୁ କେତେ ଖର୍ଚ୍ଚ ହେବ ତା ପାଇଁ ଅର୍ଥ ବରାଦ ହୋଇଛି, ତାହା କୁହାଯାଉଥିବା ବେଳେ କେଉଁ ପ୍ରକଳ୍ପରୁ କେତେ ଜମିରେ ମାଡ଼ିଲା ତାହା କୁହାଯାଉନାହିଁ। ୨୦୧୧ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ବ୍ଲକର ଅନ୍ତତଃ ୩୫ ପ୍ରତିଶତ ଚାଷ ଜମିକୁ ଜଳ ଯୋଗାଇ ଦେବାର ଲକ୍ଷ୍ୟ ହାସଲ କରାଯିବ ବୋଲି କୁହାଯାଇ ଥିଲେ ବି ଏ ପର୍ଯ୍ୟନ୍ତ ଆହୁରି ୪୬ଟି ବ୍ଲକରେ ସେ ଲକ୍ଷ୍ୟ ହାସଲ ହୋଇନାହିଁ। ସରକାର ଅନ୍ତତଃ ପ୍ରତି ବ୍ଳକରେ କେତେ ଜମିରେ କେଉଁ ସୂତ୍ରରୁ ପ୍ରକୃତ କେତେ ଜମିକୁ ପାଣି ଯୋଗାଣ ହୋଇ ପାରୁଛି ତାର ସରଜମିନ ତଦନ୍ତ କରି ଆସନ୍ତା ପାଞ୍ଚ ବର୍ଷରେ ପ୍ରତି ବ୍ଲକରେ କେତେ କେତେ ଜମିକୁ ପାଣି ମାଡିବ ତା’ର ନକ୍ସା ପ୍ରସ୍ତୁତ କରି କାର୍ଯ୍ୟ କଲେ ଅଧିକ ଜମିରେ ପାଣି ମାଡି ପାରନ୍ତା।

ଚାଷୀ ତା’ ଫସଲର ଲାଭଜନକ ମୂଲ୍ୟ ନ ପାଇଲେ ଯେତେ ଅମଳ କଲେ ବି ଚାଷୀର କିଛି ଲାଭ ହେବ ନାହିଁ ବରଂ କ୍ଷତି ହେଉଛି ଓ ହେବ ମଧ୍ୟ। ଏ ବର୍ଷ କୋବି ଅମଳ ବେଳେ ଖବର ପ୍ରକାଶ ପାଇଥିଲା ଯେ ବରଗଡ଼ର କୋବି ଚାଷୀ କୋବିର ଲାଭଜନକ ମୂଲ୍ୟ ନ ପାଇବାରୁ କୋବି କିଆରିରେ ଟ୍ରାକ୍ଟର ଚଲାଇ ଦେଲା। ପ୍ରତିବର୍ଷ ଖବର ପ୍ରକାଶ ପାଉଛି ବିଲାତି ବାଇଗଣ ଚାଷୀମାନେ ଠିକ ମୂଲ୍ୟ ପାଉନ ଥିବାରୁ ରାସ୍ତାରେ ବିଲାତି ଫୋପାଡି ଦେଉଛନ୍ତି ଅବା ବିଲରୁ ତୋଳୁ ନାହାନ୍ତି। ଏଥିପାଇଁ ଦରକାର ପ୍ରକ୍ରିୟାକରଣ ଶିଳ୍ପ, ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର,ବିକ୍ରୟ ପାଇଁ ବଜାର ବ୍ୟବସ୍ଥା ଏବଂ ଆଳୁ ପିଆଜ, ତୈଳବୀଜ, ଡାଲିର ଅଭାବ କିପରି ଦୂର କରି ହେବ ବଜେଟରେ ଏସବୁ ବିଷୟରେ ଉଲ୍ଲେଖ ନାହଁ।

କୃଷି ବିକାଶର ମୂଳ ଲକ୍ଷ୍ୟ ହେଲା ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇ ଦେବା ଏବଂ ତା’ସହ କୃଷକର ଆୟ ବଢାଇବା। କୃଷକର ଆୟ ନ ବଢ଼ିଲେ ତା ପରିବାର ଚଳିବ କିପରି? ସରକାରୀ ରିପୋର୍ଟ ଅନୁଯାୟୀ ୨୦୧୧-୧୨ରେ ଚାଷୀ ପରିବାରର ମାସିକ ଆୟ ୪୯୭୬ ଟଙ୍କା ଥିବାବେଳେ ୨୦୧୫-୧୬ରେ ବୃଦ୍ଧି ପାଇ ହେଲା ୭୭୩୧ଟଙ୍କା; କିନ୍ତୁ ୨୦୧୮-୧୯ରେ ୫୧୧୨ ଟଙ୍କାକୁ ହ୍ରାସ ପାଇଲା। ଏହା ଉଦ୍‌ବେଗର ବିଷୟ।

ଏବେ ସଂଶୋଧିତ କମ୍ପାନୀ ଆଇନ ଅନୁଯାୟୀ ଯେଉଁ କୃଷକ ଉତ୍ପାଦକ ସଂଗଠନ ଗଠନ କରାଯାଉଛି ଦେଶ ସାରା,ତାହା କୃଷି ଉତ୍ପାଦନ ବୃଦ୍ଧି କରିବା, କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟ, କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ କରି ମୂଲ୍ୟଯୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଓଡ଼ିଶାରେ ମଧ୍ୟ କେତେକ କୃଷକ ଉତ୍ପାଦକ ସଂଗଠନ ଭଲ କାମ କରି ତା’ର ସଦସ୍ୟ କୃଷକମାନଙ୍କର ଆୟ ବୃଦ୍ଧିରେ ସହାୟକ ହେଲେଣି। ଵଜେଟରେ କୃଷକ ଉତ୍ପାଦକ ସଂଗଠନ ପାଇଁ ୫୨ କୋଟି ଟଙ୍କାର ବ୍ୟୟ ବରାଦ ସ୍ବାଗତଯୋଗ୍ୟ। କେବଳ ବ୍ୟୟ ବରାଦ କଲେ ହେବ ନାହିଁ,ଏହି ସଂଗଠନଗୁଡ଼ିକ କିପରି ଠିକ୍ ଭାବରେ କାମ କରି କୃଷକମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ଲାଭଜନକ ମୂଲ୍ୟରେ ବିକ୍ରି କରି ପାରିବେ, ସେଥିପାଇଁ ସେଗୁଡିକୁ ନିରନ୍ତର ଦିଗ୍‌ଦର୍ଶନ ଦେବା ସହିତ ଆବଶ୍ୟକୀୟ ଆର୍ଥିକ ସହାୟତା ଯଥା ସମୟରେ ଯୋଗାଇ ଦିଆଯାଉ।

ପଣସ ଉତ୍ପାଦନ କ୍ଷେତ୍ରରେ ଓଡିଶା ଦ୍ବିତୀୟ ରାଜ୍ୟ ହେବାବେଳେ ପଣସ ବିକ୍ରି କରି ପଣସଚାଷୀ ଲାଭବାନ ହେଉନାହିଁ। କର୍ଣ୍ଣାଟକ ପରି ରାଜ୍ୟର ପଣସଚାଷୀମାନେ ସରକାରୀ ସହାୟତାରେ ଗୋଷ୍ଠୀ ଗଠନ କରି ପଣସର ପ୍ରକ୍ରିୟାକରଣ ମାଧ୍ୟମରେ ବିଭିନ୍ନ ଉତ୍ପାଦ ବାହାର କରି ଦେଶ ମଧ୍ୟରେ ଓ ଦେଶ ବାହାରେ ବିକ୍ରି କରି ଲାଭବାନ ହେଉଛନ୍ତି। ବଜେଟରେ ପଣସ ମିଶନ କରିବା ଘୋଷଣା ସ୍ବାଗତଯୋଗ୍ୟ; କିନ୍ତୁ ଏଥିପାଇଁ ବ୍ୟୟବରାଦ ମାତ୍ର ୯ କୋଟି ଟଙ୍କା ଯଥେଷ୍ଟ ନୁହେଁ। ପଣସ ମିଶନ କର୍ଣ୍ଣାଟକରେ କିପରି ଚାଲିଛି ତାହା ଦେଖି ଆସି , ଓଡ଼ିଶାରେ ସେହି ଢାଞ୍ଚାରେ କାର୍ଯ୍ୟକାରୀ କରନ୍ତୁ।

ମିଲେଟ ମିଶନ ପ୍ରତି ପ୍ରୋତ୍ସାହନ ଦିଆଯିବା ନିଶ୍ଚିତ ଭାବରେ ଏକ ଭଲ ପ୍ରୟାସ। ଖାଦ୍ୟ ସୁରକ୍ଷା ରେସନରେ ମିଲେଟକୁ ସାମିଲ ପାଇଁ ପ୍ରୟାସ ହେଉ।

ଆଜିକାର ବଜେଟ୍ କେବଳ ସଂଖ୍ୟାର ଖେଳ ନୁହେଁ,ଏହା ସମନ୍ବିତ ଵିକାଶ , ସାମାଜିକ ନ୍ୟାୟ ଏବଂ ବିଭିନ୍ନ କ୍ଷେତ୍ରରେ ଥିବା ଅହେତୁକ ବୈଷମ୍ୟ ଦୂର କରିବାର ଏକ ଦୂରଦୃଷ୍ଟି ସମ୍ପନ୍ନ ଦସ୍ତାବିଜ। ସ୍ବତନ୍ତ୍ର କୃଷି ବଜେଟ୍ ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଉପସ୍ଥାପନ ହୋଇଥିବା ବଜେଟସବୁ ସେହି ଗତାନୁଗତିକ ରୀତିରେ ପ୍ରସ୍ତୁତ ହେଲାପରି ପ୍ରତୀୟମାନ ହେଉଛି ଏବଂ ଏଥିରେ ଗଣିତର ପ୍ରାଧାନ୍ୟ ଦିଆଗଲା ବେଳେ ନବ ଉନ୍ମେଷ ଦୂରଦୃଷ୍ଟିର ଅଭାବ ରହୁଛି। ଆମର ପ୍ରବାଦ ଅନୁସାରେ ଏହି କୃଷି ବଜେଟ ଖଡା ବଡି ଥୋଡ, ଥୋଡ ବଡି ଖଡା ନ ହୋଇ, କୃଷିର କିପରି ସାମଗ୍ରିକ ଓ ସମନ୍ବିତ ବିକାଶ ହୋଇ ଚାଷୀର ଆୟ ବୃଦ୍ଧି ହେବ, ତାହାର ଏକ ନକ୍‌ସା ବିଶେଷଜ୍ଞମାନଙ୍କର ପରାମର୍ଶରେ ପ୍ରସ୍ତୁତ ହୋଇ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେଉ ଆଉ ତାହା ବଜେଟରେ ପ୍ରତିଫଳିତ ହେଉ।

Comments are closed.