ସବ୍‌-କଉପୁନି ବାସ୍ତେ

‘ସେଠି ମଣିଷଗୁଡେ ଜମା ହୋଇଛନ୍ତି’। ଯୁବ ସମାଜସେବୀ ପୂର୍ଣ୍ଣବାବୁ ଏମିତି ଗୋଟେ କଥାରେ ତାଙ୍କ ବନ୍ଧୁ ଗଗନା ଉପରେ ଚିହିଁକି ଉଠିଲେ। କହିଲେ, ଅାରେ ‘ମଣିଷଗୁଡ଼େ’ କ’ଣ କହୁଚୁ, ସେମାନେ ପୋକ କି ଟିଙ୍କ? କହୁନୁ ‘ମଣିଷମାନେ’ ଜମା ହୋଇଛନ୍ତି।’ ଗଗନା କହିଲା, ‘ନାଇଁ ମଣିଷଗୁଡ଼ା ଲୋକଗୁଡ଼ା ମୁଁ ଯଥାର୍ଥ କହିଛି। ରକ୍ତ ମାଂସର ଖୋଳରେ ମଣିଷପଣିଆ କୁ ଥାଏ? ସବୁ ମଣିଷ କି ସମାନ? ସେ ମଣିଷଗୁଡ଼ାଙ୍କ ମଧ୍ୟରେ ଗୋଟେ ବୁଦ୍ଧ, ଗୋଟେ ଗାନ୍ଧୀ, ଗୋଟେ ସୁଭାଷ ବୋଷ, ଗୋଟେ ରାଣୀ ଲକ୍ଷ୍ମୀବାଈ, ଗୋଟେ ବିବେକାନନ୍ଦ ଯଦି ଥାଆନ୍ତେ ‘ଗୁଡେ ବା ଗୁଡ଼ା’ ସମ୍ବୋଧନ ଭୁଲ୍ ହୋଇଥାନ୍ତା। କାରଣ ସେମାନେ ମଣିଷ ନୁହନ୍ତି, ମହାମାନବ, ମନୀଷୀ, ଯୁଗ ପୁରୁଷ। ଖାଲି ମଣିଷ ଖୋଳରେ, ରକ୍ତ ମାଂସ ଶରୀରରେ ଜଣେ କ’ଣ ମଣିଷ ବୋଲାଏ? ବାଘ ସାପଠୁ ଆହୁରି ହିଂସ୍ର ହୋଇ ମଣିଷ ଖୋଳ ବୋଲି କ’ଣ ମଣିଷ? ବାଘ ତ ବାଘ, ମାତ୍ର ସବୁ ମଣିଷ କ’ଣ ସତରେ ମଣିଷ? ତାଙ୍କଠି ମଣିଷପଣିଆ କାଇଁ? ଯଦି ଜଣେ ନାଥୁରାମ, ଜଣେ ବିଲାରଙ୍ଗା, ଜଣେ ଶିଖି ନମାଇ, ଜଣେ ତୈମୁରଲଙ୍ଗ କ’ଣ ମଣିଷ। ମଣିଷ ଖୋଳର ନିପଟ ଭୟଙ୍କର ପଶୁ କହୁନୁ। ମଣିଷକୁ ଶ୍ରେଷ୍ଠ ଜୀବ କାହିଁକି କୁହାଯାଏ? ଦେବତାମାନେ ବି ମଣିଷ ଜନ୍ମ ପ୍ରାର୍ଥନା କରନ୍ତି! ଆରେ ଉଚ୍ଚ ଓ ନୀଚ ଦୁଇ ଜନ୍ମରେ କେବଳ କର୍ମଫଳ ଭୋଗର ବ୍ୟବସ୍ଥା ଅଛି। ଅର୍ଥାତ୍‌ ଦେବତା ହୋଇଥିବା ଜୀବ, ତାଙ୍କ ପୁଣ୍ୟ ସରିଲେ ମର୍ତ୍ତ୍ୟ ଲୋକରେ ଜନ୍ମ ହୁଅନ୍ତି। ଗୀତା ସେଇଥିପାଇଁ କହିଲେ, ‘କ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟଲୋକମ୍‌ ବିଶନ୍ତି।’ ସେମିତି ପଶୁ ପତଙ୍ଗ ଓ ପାଷଣ୍ଡ ଆଦିଙ୍କ ପାପ କ୍ଷୟ ପରେ ସେମାନେ ପୁଣି ମଣିଷ ଜନ୍ମ ପାଆନ୍ତି। ମଣିଷ ଜନ୍ମରେ କର୍ମଫଳ ଭୋଗ ଓ ମୋକ୍ଷ ପାଇଁ ଅଧିକ କର୍ମ କରିବାର ବ୍ୟବସ୍ଥା ଥାଏ। ଏଇ ଜନ୍ମରୁ ଜଣେ ସିଧା ମୋକ୍ଷ ପ୍ରାପ୍ତ ହୁଏ, ଦେବତା ଜନ୍ମରେ ନୁହଁ। ସେଇଥିପାଇଁ ମଣିଷକୁ ଦୁର୍ଲଭ ଜନ୍ମ ବୋଲି ଶାସ୍ତ୍ର କହେ। ଦେଖୁନା ଆମ ନେତାମାନଙ୍କ କଥା। କି ପ୍ରାଣଛୁଆଁ ଭାଷଣ, କି କୋଳାକୋଳି ଲୋ ​‌େ​‌ବାପା। ୟା ତା’ ଘରେ ପଶି ନିରୀହ ବୁଢ଼ାବୁଢ଼ୀଙ୍କ ଆଖି ତରାଟି ଦେଇ ତାଙ୍କ ମାଟି ପଲା ଘରେ ବସି, ‘ମାଉସୀ ପଖାଳ ଦି’ଟା’ କହି, ସତରେ ବି ସେଠି ପଖାଳ ଖାଇ ନିରୀହ ଭୋଟରଗୁଡ଼ାଙ୍କୁ କିଣି ନିଅନ୍ତି। ଭଣ୍ଡାମି ଓ ଭାଣ୍ଡାମିର ସୀମା ସରହଦ ଏଙ୍କ ପାଇଁ ନଥାଏ। ଭୋଟ ସଇଲେ, ‘ହମ୍‌ ଖୋଦା କା ଚୁକା ଦିଆ’। କି ଭୋଟର, କାହିଁ ରାଜଧାନୀ, କାହିଁ ମନ୍ତ୍ରିପଦ। ଏଙ୍କୁ ଚିହ୍ନିବ କେମିତି? କଥା ତ ଅଛି ‘ଲୋକ ନ ଚିହ୍ନିବ ଖାଲି କଥାରୁ, ବାବୁ ନ ଚିହ୍ନିବ ଛତା ଜୋତାରୁ, ସାଧୁ ନ ଚିହ୍ନିବ ଚିତାକଟାରୁ, ଥରେ ବୁଲି ଆସ କଲିକତାରୁ’। ଭଣ୍ଡାମି, ଭାଣ୍ଡାମି ବାଘଠେଇ କାଇଁ, ଶାଗୁଣା ଠେଇ କାଇଁ। ସେମାନଙ୍କ ଭିତରେ ବାହାର ସମାନ। ମଣିଷଠେଇ ଏତେ ଧୂର୍ତ୍ତାମି, ଭଣ୍ଡାମି। ତଥାପି ତ ସେଇ ମଣିଷରୁ ମନୀଷୀ। ମହାମାନବ ସୃଷ୍ଟି ହୁଅନ୍ତି। ମାତ୍ର କେମିତି? ଦଣ୍ଡ ବୈଠିକିରେ? ନାକଚିପା ପ୍ରାଣାୟାମରେ? ୟେ ସବୁ ମୁଣ୍ଡପୋତା କେଳା କରିପାରେ। ଗାତ ଖୋଳି ତା’ ଭିତରେ ମୁଣ୍ଡ ପୂରାଇ, ମାଟି ଭରି ଦେଇ ଦି’ ଗୋଡ଼କୁ ଉପରକୁ ଟେକି ଦଶ-ପନ୍ଦର ମିନିଟ ରହିଯାଏ। ଦର୍ଶକଙ୍କ ଛାତି ଫାଟି ପଡ଼େ, ଭୟଭୀତ ବି ହୋଇଯାଆନ୍ତି। ମରି ଯିବନି ତ!! ଏସବୁ ସତ୍ତ୍ବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଯୋଗୀ, ସନ୍ନ୍ୟାସୀ ଶ୍ରୀ ରାମଦେବ ଗୋଟେ ବିଜ୍ଞାପନ ଖବର ପୃଷ୍ଠାରେ ବଡ଼ ଆଖିଦୃଶିଆ ଭାବେ ପ୍ରକାଶ କରିଛନ୍ତି, ଯେ ସନ୍ନ୍ୟାସୀ ହେବାକୁ ଚାହୁଁଛି, ତାଙ୍କୁ ଦରଖାସ୍ତ କରିବାକୁ ସେଥିରେ ସେ ନିମନ୍ତ୍ରଣ କରିଛନ୍ତି ଓ ଯାବତୀୟ ଅନୁକୂଳ ପରିବେଶ ଓ ସୁବିଧା କଥା ବୟାନ କରିଛନ୍ତି। ଆରେ ବଡ଼ ବିଚିତ୍ର ଓ ଅବାନ୍ତର ଏ କଥା ଲାଗିଲା। କୋଉ ଯୁଗରେ କୋଉଠି ‘ସନ୍ନ୍ୟାସୀ’ ହେବାର ଗୋଟେ ନିର୍ଦିଷ୍ଟ ସ୍ଥାନ ନଥିଲା। ଆରେ, ଏକ ନିର୍ଦିଷ୍ଟ ପରିବେଶ ବା ସର୍ତ୍ତ ପ୍ରତି ଆକର୍ଷଣ ରହିଲା ତ ସେ ସନ୍ନ୍ୟାସୀ କେମିତି ହେଲା? ‘ସନ୍ନ୍ୟାସ’ ତ ଏକ ମାନସିକ ଅବସ୍ଥା। ପ୍ରାରବ୍ଧ କର୍ମଯୋଗରେ ଜଣେ ସନ୍ନ୍ୟାସୀ ବନେ। ସେଥକୁ ଆମନ୍ତ୍ରଣ ବା ନିର୍ଦିଷ୍ଟ ସ୍ଥାନର ସର୍ତ୍ତ ଆବଶ୍ୟକ ବା ଆକର୍ଷଣ ନଥାଏ।

ଛତ୍ରପତି ଶିବାଜୀଙ୍କ ଗୁରୁ ସମର୍ଥ ରାମଦାସ ବିବାହ ବେଦିରେ ବସିଥିଲେ। ନବଯୌବନା କନ୍ୟା ସହ ପ୍ରଥମ ସ୍ପର୍ଶ ‘ହାତଗଣ୍ଠି’ ପର୍ବ ଯେତେବେଳେ ଆସିଲା ଶାସ୍ତ୍ର ବିଧିମତେ ବ୍ରାହ୍ମଣ ରାମଦାସଙ୍କ ହାତ କନ୍ୟା ହାତ ଉପରକୁ ଆଣୁଆଣୁ କହିଲେ, ‘ଅତ୍ର ସାବଧାନ ଭବ’। ଅର୍ଥାତ୍‌ ଏବେଠାରୁ ତମେ ସଂସାର ବନ୍ଧନରେ ଆବଦ୍ଧ ହେବ, ସାବଧାନ ହୁଅ। ଏଇ କଥା ପଦକରେ ରାମଦାସ ଚହଲି ଗଲେ। ତାଙ୍କ ନିଶା ଛାଡ଼ିଗଲା। କହିଲେ, ‘ଗୋସେଇଁ ଟିକେ ଥ(ରହ), ମୁଁ ଆସୁଛି’ କହି ଉଠି ଚାଲିଗଲେ। ଗୋସେଇଁ ଭାବିଲେ ବୋଧେ ଏକ ଗଲେ ନା କ’ଣ। ବହୁ ସମୟ ପର୍ଯ୍ୟନ୍ତ ସେ ନ ଆସିବାରୁ ଖୋଜା ପଡ଼ିଲା। ସେ ରାସ୍ତାରେ ଦୁଇମାଇଲ ଖେପି ସାରିଲେଣି। ‘କିଓ ଇଆଡେ କ’ଣ?’ କହି ଲୋକେ ତାଙ୍କୁ ଧଇଲେ। କହିଲେ, ଆରେ ତମେ ତ ଏଠି ସାବଧାନ ହୁଅ ବୋଲି କହିଲ, ମୁଁ ସାବଧାନ ହୋଇଗଲି। ଆଉ ଫେରିଲେ ନାହିଁ। ସେ ଭାରତ ବିଖ୍ୟାତ ସମର୍ଥ ରାମଦାସ ଯାହାଙ୍କ ଶିଷ୍ୟ ଛତ୍ରପତି ଶିବାଜୀ ମୋଗଲ ସାମ୍ରାଜ୍ୟର ମୂଳପିଣ୍ଡ ଦୋହଲାଇ ଦେଇଥିଲେ। ସେମିତି ବିବେକାନନ୍ଦଙ୍କ କଥା ଦେଖୁନା। ନାଁ ଥିଲା ନରେନ୍‌। ସେ ବି.ଏ. ପାସ୍‌ କରିଥାନ୍ତି, ଚାକେରି ପାଇ ନ ଥା’ନ୍ତି। ଆକସ୍ମିକ ରାମକୃଷ୍ଣଙ୍କ ମଠରେ ପହଞ୍ଚିଲେ। ତାଙ୍କର ଚମତ୍କାର ସ୍ବର ଓ ଭଜନରେ ରାମକୃଷ୍ଣ ବିଗଳିତ ହୋଇଗଲେ। କହିଲେ, ‘ନରେନ୍‌ ତମେ ଯା ‘ଦକ୍ଷିଣେଶ୍ବରୀକାଳୀ’ଙ୍କୁ କ’ଣ ମାଗିବା କଥା ମାଗ।’ ନରେନ କାଳୀଙ୍କ ପାଖୁ ଗଲେ। ମୁଣ୍ଡିଆ ମାରି ‘ମା’ ମତେ ଜ୍ଞାନ, ବିଦ୍ୟା ଦେ’ ମାଗିଲେ। ରାମକୃଷ୍ଣ କହିଲେ, ‘ଆରେ ଯା’ ଆଉ ଥରେ ଆଉ କ’ଣ ମାଗିବା କଥା ମାଗ।’ ମାତ୍ର ସେ ସେଇ ଜ୍ଞାନ କଥା ହିଁ କହିଲେ। ତାଙ୍କ ମୁଣ୍ଡକୁ ଧନ ସଂପତ୍ତି ବା ଚାକେରି କଥା ଜୁଟିଲାନି। ତିନିଥର ନରେନ୍‌ଙ୍କୁ ପଠାଇ ରାମକୃଷ୍ଣ ବୁଝିଲେ ଯେ ଇଏ ସନ୍ନ୍ୟାସୀ ହିଁ କେବଳ ହେବ। ତା’ପରେ ତାଙ୍କ ପରିଚିତି ହେଲା ବିବେକାନନ୍ଦ। ତେଣୁ ସନ୍ନ୍ୟାସ ଏକ ମାନସିକ ଅବସ୍ଥା, ସ୍ଥିତି, ଶାରୀରିକ ଆଦୌ ନୁହଁ। ରାଜର୍ଷି ଜନକ, ରାଜାଙ୍କ ମଧ୍ୟରେ ଋଷି ଥିଲେ। ନାରଦଙ୍କ ପରାମର୍ଶରେ ଶୁକଦେବ ତାଙ୍କଠୁ ଦୀକ୍ଷା ନେବାକୁ ପହଞ୍ଚିଲେ। ମାତ୍ର ସକାଳେ ତୁଳସୀ ଚଉରାରେ ଜଳଦାନ ବେଳେ ତାଙ୍କ ରାଜକୀୟ ଆଡ଼ମ୍ବର ଓ କୋଳରେ ଏ ପୂଜାବେଳେ ବି ସ୍ତ୍ରୀଙ୍କୁ ଦେଖି ସେ ଚମକି ପଡ଼ିଲେ। କହିଲେ, ‘ନାରଦ କ’ଣ ଏମିତି ଗୋଟେ ଭୋଗୀଠାରୁ ଦୀକ୍ଷା ନେବାକୁ ପଠାଇଲେ!!’ ସେ ଆଜନ୍ମ ବ୍ରହ୍ମଜ୍ଞାନୀ ଥିଲେ। ଜଳଦାନ ରତ ରାଜର୍ଷିଙ୍କ ହୃଦୟ ଓ ଚୈତନ୍ୟ ମଧ୍ୟରେ ସେ ପ୍ରବେଶ କରି ତାଜୁବ୍‌ ହୋଇଗଲେ। ରାଜର୍ଷିଙ୍କ ମନ ଏ ସୁବର୍ଣ୍ଣ ଗଡ଼ୁରେ, ସୁବର୍ଣ୍ଣ ଚାମରରେ ବା ସୁନ୍ଦରୀ ସ୍ତ୍ରୀଠେଇ ଜମା ନଥିଲା। ସେ ପରମବ୍ରହ୍ମଙ୍କଠାରେ ସଂପୂର୍ଣ୍ଣ ତଲ୍ଲୀନ ହୋଇଯାଇଥିଲେ। ଇୟେ ହେଲା ସନ୍ନ୍ୟାସୀ ବେକରେ ତୁଳସୀମାଳି, ମୁଣ୍ଡରେ ତିଳକ ଓ ହବିଷ୍ୟାନ୍ନ ଖାଇ ଚୋରା ପ୍ରୀତିଲୁବ୍ଧ ଜଣେ ନା ବାବାଜି, ନା ସଂସାରୀ, ନା ଜଣେ ଅଧମାଧମ ସେ। ପ୍ରଭୁ ମଧ୍ୟ ଅନ୍ତର କଥା ବୁଝିପାରନ୍ତି। ତାଙ୍କୁ ସେଥିପାଇଁ ଅନ୍ତର୍ଯ୍ୟାମୀ କୁହାଯାଏ। ଏ ବିଷୟରେ କବିବର ଲେଖିଛନ୍ତି,

‘ବଡ଼ ଟାଣ ଭାଇ ଚିତ୍ରଗୁପ୍ତ-ହିଆ, / ବିଚକ୍ଷଣ ତାର ପାଞ୍ଜିଆ-ପଣିଆ।
ଥାଉ ଆନ, ଚିତ୍ତେ ଚିନ୍ତୁଥାଉ ଯାହା / ତା ପାଞ୍ଜିରେ ଲେଖା ହୋଇଯାଏ ତାହା।
ନରର ସମଗ୍ର ଜୀବନର ଚିତ୍ର /ପଲକେ ଦେଖାଏ ସେ ପାଞ୍ଜି ବିଚିତ୍ର।
ଚିନ୍ତପୁରେ ଅଛି ଯେତେ ଗଳିକୁଞ୍ଚି / ରହି ନପାରେ ତା ଆଲୋକରେ ଲୁଚି।
କି ବହିର୍ଜଗତେ, କି ଅନ୍ତର୍ଜଗତେ / ଯେତେବେଳେ ଯାହା ଘଟେ ଏ ମରତେ।
ସବୁ ଲେଖେ ସେହି ପାଞ୍ଜିକାର ରାଢ଼ / କଡ଼ା ଦାଢ଼ ତହଁୁ ଯାଏ ନାହିଁ ଛାଡ଼।
ବ୍ରହ୍ମାଣ୍ଡେ ତା ପରି ନାହିଁ ପାଞ୍ଜିକାର / ତା ହିସାବ ପୁଣି ଦୁନିଆ ବାହାର।’’

ଭକ୍ତ କବି ତାଙ୍କ ଜଣାଣରେ ସ୍ବୀକାର କରିଛନ୍ତି ‘ବଡ଼ ମାୟାବୀ ଜୀବ ନୋହେ କାହାରି, ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରି।’

ତେଣୁ କୌଣସି ଆକର୍ଷଣ, କୌଣସି ତାଲିମରେ ‘ସନ୍ନ୍ୟାସୀ’ ତିଆରି ହୁଅନ୍ତି ନାହିଁ। ରାଜପୁତ୍ର ସିଦ୍ଧାର୍ଥଙ୍କୁ ସଂସାରାଭିମୁଖୀ କରିବାକୁ ପିତା ଶୁଦ୍ଧୋଦନ କେତେ ଆକର୍ଷଣୀୟ ବ୍ୟବସ୍ଥା କରି ନଥିଲେ!! ମାତ୍ର କ’ଣ ହେଲା? ସୁନ୍ଦରୀ ସ୍ତ୍ରୀ ଯଶୋଧାରା, ପ୍ରଥମ ଶିଶୁ ସନ୍ତାନ ରାହୁଳକୁ ଓ ରାଜପଦ ଛାଡ଼ି ନିରୁଦ୍ଦିଷ୍ଟ ହୋଇଗଲେ। ରାମଦେବଙ୍କ ଆଶ୍ରମ ବା ସେମିତି କିଛି କୀର୍ତ୍ତନ ଆସରପୀଠକୁ ଯାଇ ନଥିଲେ। ବାବା ରାମଦେବଙ୍କ ନିମନ୍ତ୍ରଣରେ ପ୍ରଲୁବ୍ଧ ଜଣେ ଭଲ ଗୈରିକ କୌପୀନ ଓ ହିମାଳୟର ପବନ ପାଇବ ସିନା ସନ୍ନ୍ୟାସ ତା’ ଭିତରେ ଜାଗିବ କାହୁଁ? ବାବାଙ୍କ ଆୟୁର୍ବେଦ ଓଷୁଅ ପୁଡ଼ିଆ ବନ୍ଧା, ବଟା ବା ବିକ୍ରିରେ ଦିନ ଯିବ। ସେଇ ବିଲୁଆ, ମାତ୍ର ରାମଦେବଙ୍କ ନେଳି କୁଣ୍ଡରେ ନେଳି ଯାହା ଦିଶିବ। ଯେମିତି ଆଜି ଦିନର ଜନତା ଚରିତ୍ର, ଚରିତ କେତେ ଦୁଷ୍କର୍ମ, କେତେ ହତ୍ୟାକାଣ୍ଡ, କେତେ ଲୁଟ୍‌ତରାଜ ଏଠି ଘଟି ନ ଚାଲିଛି। ଗାଁରେ ଗାଁରେ ଏବେ ଇସ୍କୁଲ ତିଆରି, ଗୁରୁ ବ୍ରାହ୍ମାଣ୍ଡ ଖେଦି ପକଉଛନ୍ତି। ନେତା, ମନ୍ତ୍ରୀମାନେ ବାର୍ଷିକ ଉତ୍ସବ ଉଦ୍‌ଘାଟନ କରି ଫିତା କାଟି ବେଦବାଣୀରେ ଉଛୁଳି ପଡ଼ୁଛନ୍ତି, ଉଛୁଳାଇ ଦେଉଛନ୍ତି। ମାତ୍ର ମଣିଷପଣିଆ କାଇଁ। ଇୟେ ସବୁ ମଣିଷ ଖୋଳରେ ଆଉ କ’ଣ? ତେବେ ନେଳିକୁଣ୍ଡର ଶୃଗାଳ କି ଚିତାତିଳକ କଟା, ଜେଲ୍‌ରେ ଏବେ ଗାରୁଗାରୁ ହେଉଥିବା ପୋଥି ବାଇଗଣର ବାବା- ଆଶାରାମ ଆଦି। ଗୁରୁଙ୍କ ଶିଷ୍ୟ କୌପୀନ ରକ୍ଷା ନାଁରେ ଚାକରବାକର, ଗାଈ ବିରାଡ଼ି ରଖି ସଂସାରୀ ବନିଥାଏ ଜଣେ ‘ସବ୍‌-କଉପୁନି ବାସ୍ତେ’ର ବାଆଜି। ଆଜି ଯୁଗ ତା’ର ଉଦାହରଣ, ଆମେ, ତମେ ସେମାନେ ସମସ୍ତେ ଅଳ୍ପ ବହୁତେ ଏଇ ଦରର କିସମର। ‘ଯାହାକୁ ହେଉ ତୁ ସଦୟ, ବୁଦ୍ଧି ତା’ ହୃଦରୁ ଉଦୟ’- ଏଥିକୁ ରାମଦେବଙ୍କ ନିମନ୍ତ୍ରଣ ଥୋଡ଼େ ଲୋଡ଼ା!! ବାବା କାହିଁକି ନିମନ୍ତ୍ରଣ କରିଛନ୍ତି କେଜାଣି!

Comments are closed.