Patra electronics

ଓଡ଼ିଆ ଭାଷାରେ ଆଧୁନିକ ସଭ୍ୟତାର ପ୍ରଭାବ

ଅନ୍ତର୍ଯ୍ୟାମୀ ମିଶ୍ର

ଋକ୍‌ବେଦରେ ଭାଷାର ସଂଜ୍ଞା ନିରୂପଣ କରି କୁହାଯାଇଛି ‘ସମ୍ୟକ୍‌ସ୍ରବନ୍ତି ସରିତୋ ନଧେନୋ ଅନ୍ତର୍ହୃଦା ମନସା ପୟମାନାଃ’ ଅର୍ଥାତ୍‌ ନଦୀ ନିରନ୍ତର ପ୍ରବହମାନ ଯୋଗୁଁ ଯେପରି ତାହାର ଜଳ ଶୁଦ୍ଧ ରହେ ସେହିପରି ପରମ୍ପରାଗତ ପ୍ରବହମାନ ଧାରା ଭାଷାକୁ ଶୁଦ୍ଧ ଓ ସରସ କରିଥାଏ। ଭାଷା ସ୍ବକୀୟ ପରମ୍ପରାଗତ ପ୍ରବହମାନ ଧାରାରେ ବିକଶିତ ରୂପ ଧାରଣ କରି ଅଗ୍ରସର ହୁଏ। ପ୍ରବହମାନ ଧାରାରେ ଭାଷାର ସଂଶୋଧନ କ୍ରିୟା ସଂପାଦିତ ହୋଇଥାଏ। ତେଣୁ ଭାଷା ପୁରାତନ ହେଲେ ମଧ୍ୟ ନବୀନ ଓ କାଳତୀତ ହେଲେ ମଧ୍ୟ ଅଦ୍ୟତନ। ଏହି ଦୃଷ୍ଟିକୋଣରୁ ଋକ୍‌ବେଦରେ ଭାଷାକୁ ‘ପୁରାଣୀ ଯୁବତୀ’ ଆଖ୍ୟା ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା ହେଲେ ହେଁ ପରମ୍ପରାଗତ ପ୍ରବହମାନ ଧାରାରେ ଏହାର ସଂଶୋଧନ କ୍ରିୟା ସଂପାଦିତ ହୋଇ ସର୍ବଦା ନିତ୍ୟନୂତନ ରୂପରେ ଆତ୍ମପ୍ରକାଶ କରିଛି; କିନ୍ତୁୁ ସଂପ୍ରତି ଆଧୁନିକ ସଭ୍ୟତାର ପ୍ରଭାବରେ ଓଡ଼ିଆ ଭାଷା ଭିନ୍ନ ରୂପ ଧାରଣ ପୂର୍ବକ ଅବୋଧ୍ୟ ଓ ବିକୃତ ହୋଇପଡ଼ିଲାଣି। ଏହାର କାରଣ ହେଉଛି, ଓଡ଼ିଆ ଭାଷା ପରମ୍ପରାଗତ ପ୍ରବହମାନ ଧାରା ପରିତ୍ୟାଗ ପୂର୍ବକ ପରମ୍ପରାର ପରିଧି ବାହାରକୁ ଚାଲିଯାଇଛି। ଆଧୁନିକତା ଏକ ଅନୁକରଣ ସର୍ବସ୍ବ କଳା ନୁହେଁ, ପରମ୍ପରାର ପରିଧି ଭିତରେ ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ ହୋଇ ନିତ୍ୟନୂତନ ରୂପରେ ଆତ୍ମପ୍ରକାଶ କରିବା ହିଁ ଯଥାର୍ଥ ଆଧୁନିକତା।

ଓଡ଼ିଆ ଭାଷାରେ ଆଧୁନିକ ସଭ୍ୟତାର ପ୍ରଭାବ ଊନବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା; କିନ୍ତୁ ଆଧୁନିକ ସଭ୍ୟତାର ପ୍ରଭାବ ୧୮୭୬ରୁ ୧୯୨୦ ମସିହା ଅର୍ଥାତ୍‌ ସବୁଜ ସାହିତ୍ୟ ସୃଷ୍ଟି ପର୍ଯ୍ୟନ୍ତ ପାରମ୍ପରିକ ପରିଧିରେ ତାଳ ଦେଇ ଗତି କରିଥିଲା, ଅଥଚ ସବୁଜ ସାହିତ୍ୟ ସୃଷ୍ଟି ପରେ ଏହା ପରମ୍ପରାର ପରିଧି ବାହାରକୁ ଚାଲି ଆସିଥିଲା। ଭାଷା କେବଳ କଥା କହିବାପାଇଁ ନୁହେଁ; ଏହାଦ୍ବାରା ଓଡ଼ିଆ ଜାତିର ଚିନ୍ତାର ଦିଗ୍‌ବଳୟ ମଧ୍ୟ ବିସ୍ଫୋରିତ ହୋଇଥାଏ; କିନ୍ତୁୁ ଓଡ଼ିଆ ଭାଷା ପରମ୍ପରାର ପରିଧି ବାହାରକୁ ଚାଲିଯିବା ଫଳରେ ଓଡ଼ିଆ ଜାତିର ଚିନ୍ତାର ଦିଗ୍‌ବଳୟ ବିସ୍ଫୋରିତ ନହୋଇ ସଂକୁଚିତ ହେବାରେ ଲାଗିଲା। ଏକଦା ଓଡ଼ିଆ ଭାଷା ସ୍ବକୀୟ ଆହରଣ ଦକ୍ଷତା ଓ ଉତ୍ପାଦନ କ୍ଷମତା ବଳରେ ଅନ୍ୟ ଭାଷାର ବିଭବକୁ ନିଜସ୍ବ କରି ଦିଗଦିଗନ୍ତ ବିସ୍ତାରିତ କରିଥିଲେ ହେଁ ଆଧୁନିକୋତ୍ତର ଯୁଗରେ ତାହା ସମ୍ଭବ ହେଲାନାହିଁ। କେତେକ ଓଡ଼ିଆ ଭାଷା ସାହିତ୍ୟର ଇତିହାସରେ ଏକ ନୂଆଯୁଗର ସୂତ୍ରପାତ ହୋଇଛି ବୋଲି ବ୍ୟାଖ୍ୟା କଲେ ଏବଂ ଏହି ଯୁଗକୁ ‘ଉତ୍ତର ଆଧୁନିକ’ ବା ‘ଆଧୁନି​‌େ​‌କାତ୍ତରୋତ୍ତର’ ନାମରେ ନାମିତ କଲେ। ଏହି ମାନସିକତାଟି ସେମାନେ ପାଶ୍ଚାତ୍ୟରୁ ଆହରଣ କରିଛନ୍ତି। ପାଶ୍ଚାତ୍ୟରେ ଉତ୍ତର ଆଧୁନିକତାର ପ୍ରବକ୍ତା ହେଉଛନ୍ତି ଲେଭିଷ୍ଟ୍ରସ, ରୋଲାଣ୍ଡ ବାର୍ଥ୍‌ସ, ଜାକ୍ୟୁସିସାନ ଓ ଜାକୁସ-ଏରିଡ଼ା ପ୍ରଭୃତି। ଏମାନେ କେହି ଭାଷାବିତ୍‌ ନୁହନ୍ତି, ସାହିତ୍ୟିକ। ଭାଷା ହେଉଛି ଜ୍ଞାନବିଜ୍ଞାନର ବସ୍ତୁ ଓ ସାହିତ୍ୟ ହେଉଛି କଳ୍ପନାର ବସ୍ତୁ। ଭାଷା କ୍ଷେତ୍ରରେ କଳ୍ପନାର ସ୍ଥାନ ନାହିଁ। ସାହିତ୍ୟ କ୍ଷେତ୍ରରେ ଉତ୍ତର ଆଧୁନିକତା ବା ଆଧୁନିକତା ପ୍ରଯୁଜ୍ୟ ହୋଇପାରେ; କିନ୍ତୁ ଭାଷା କ୍ଷେତ୍ରରେ ନୁହେଁ। ଭାଷା ଯେତେ ପ୍ରାଚୀନ ହେଲେ ହେଁ ଯୁଗ ପର୍ଯ୍ୟାୟରେ ନିତ୍ୟ ନୂତନ ରୂପଧାରଣ କରିଥାଏ।

ଆଧୁନିକ ସଭ୍ୟତାର ପ୍ରଭାବରେ ପାଠ୍ୟପୁସ୍ତକ, ସମ୍ବାଦପତ୍ର, ଆକାଶବାଣୀ, ଦୂରଦର୍ଶନ, ନ୍ୟାୟାଳୟ, ପ୍ରଶାସନ, କୃଷି, ଚିକିତ୍ସା, କ୍ରୀଡ଼ା ଓ ଅନ୍ୟାନ୍ୟ ବିଜ୍ଞାନ ମାଧ୍ୟମରେ ଓଡ଼ିଆ ଭାଷାରେ ପ୍ରତିଦିନ ଶହଶହ ଶବ୍ଦ ପ୍ରବେଶ କରୁଛି, ଅଥଚ ସେଗୁଡ଼ିକ ଓଡ଼ିଆ ଭାଷାର ଅଭିଧାନରେ ବା ବ୍ୟାକରଣରେ ସ୍ଥାନ ପାଉନାହିଁ। ସେଗୁଡ଼ିକ ଉପଯୁକ୍ତ ଭାବେ ଅଭିଧାନରେ ପ୍ରବେଶକଲେ ଆମେ ଉପଲବ୍ଧ କରନ୍ତେ ଭାଷାବିସ୍ଫୋରଣ କ’ଣ। ଆମକୁ ସ୍ମରଣ ରଖିବାକୁ ହେବ ଯେ, ଶବ୍ଦ ହେଉଛି ଭାଷାର ଶକ୍ତି ଓ ସଂପତ୍ତି। ଆମେ ନୂତନ ଶବ୍ଦକୁ ପଞ୍ଜୀକରଣ କରିବା ପରିବର୍ତ୍ତେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ପୁରୁଣା ଅଭିଧାନକୁ ପୁନର୍ମୁଦ୍ରଣ କରୁଛେ ବା ପୁରୁଣା ଅଭିଧାନ ଢ଼ାଞ୍ଚାରେ ଅଭିଧାନଟିଏ ପ୍ରସ୍ତୁତ କରି ନିଜକୁ ଭାଷବିତ୍‌ ଭାବରେ ଡିଣ୍ଡିମ ପିଟୁଛେ। ଏହାଦ୍ବାରା ଓଡ଼ିଆ ଭାଷାକୁ ଜୋର ଜବରଦସ୍ତି ପଛକୁ ନିଆଯାଉଛି। ଏହାଦ୍ବାରା ଭାଷାର କାଣିଚାଏ ଉନ୍ନତି ହେବନାହିଁ, ବରଂ ଏହା ଆମ ଭାଷାକୁ ମରଣର ଆଉ ଗୋଟିଏ ପାହାଚକୁ ଆଗେଇ ନେବ।

ଆଧୁନିକ ଶିକ୍ଷିତ ଓଡ଼ିଆମାନେ, ଯେଉଁମାନେ ଉଚ୍ଚଶିକ୍ଷା ମାଧ୍ୟମରେ ଇଂରାଜୀ ଭାଷାରେ ଯଥେଷ୍ଟ ପାରଦର୍ଶିତା ହାସଲ କରିଛନ୍ତି, ସେମାନଙ୍କର ଏଇ ଭାଷା ଉପରେ ନିର୍ଭରଶୀଳତା ରହିବା ସ୍ବାଭାବିକ। ଇଂରାଜୀଭାଷା ଜରିଆରେ ସେମାନେ ଲକ୍ଷଲକ୍ଷ ଶବ୍ଦ ସହିତ ପରିଚିତ ହୋଇଛନ୍ତି। କେବଳ ଶବ୍ଦ ନୁହେଁ; କଥା କହିବାର ଭଙ୍ଗୀ, ଶୈଳୀ, ଗାମ୍ଭୀର୍ଯ୍ୟ, ସଂଯମ, ଯୌକ୍ତିକତା, ଭଦ୍ରତା, ରସିକତା,ଶିଷ୍ଟତା, ଶ୍ଳୀଳତା ଇତ୍ୟାଦି ବିଷୟରେ ବି ଇଂରାଜୀ ଭାଷା ସେମାନଙ୍କୁ ନୂତନ ମୂଲ୍ୟବୋଧ ଦେଇଛି। ସେମାନେ ତାର ଇଂରାଜୀ ଶବ୍ଦ ଜାଣନ୍ତି ନାହିଁ। ଗୋଟିଏ ଉନ୍ନତ ଭାଷାର ଏ ଟିକେଟ୍‌ ବି ସେମାନଙ୍କ ଚିନ୍ତାଧାରାର ଅଂଶ ହୋଇଯାଇଛି। ଥରେ ଆଖି ଫିଟିଗଲେ, ଅନ୍ଧ ହେବାର ଛଳନା କରିବା ଏକ ଦୁରୂହ ବ୍ୟାପାର। ଯେଉଁମାନେ ଇଂରାଜୀ ଭାଷାର ବ୍ୟାପ୍ତି ସହିତ ପରିଚିତ, ସେମାନଙ୍କୁ ଯେତେବେଳେ ଓଡ଼ିଆ ଭାଷାର ସାମନା କରିବାକୁ ପଡ଼ୁଛି, ଛନ୍ଦି ହେଉଛନ୍ତି ଓ ଅଣନିଃଶ୍ବାସୀ ବୋଧ କରୁଛନ୍ତି। ଏହା ଅତ୍ୟନ୍ତ ସ୍ବାଭାବିକ। ସେମାନଙ୍କୁ ଦୋଷ ଦେଇ ଲାଭ ନାହିଁ। ଓଡ଼ିଶାରେ ସେମାନଙ୍କର ଅପରାଗତାର ପ୍ରଧାନ କାରଣ ହେଉଛି, ଓଡ଼ିଆ ଭାଷାରେ ସେମା​‌େ​‌ନ ଉପଯୁକ୍ତ ଶିକ୍ଷା ପାଉନାହାନ୍ତି। ଭାଷା ଶିଖିବାପାଇଁ ସେମାନଙ୍କୁ ପ୍ରାଚୀନ ବା ମଧ୍ୟଯୁଗୀୟ ସାହିତ୍ୟ ପଢ଼ାଇବା ଏକ ରକମ ଧୃଷ୍ଟତା। ଉଚ୍ଚଶିକ୍ଷିତମାନଙ୍କ ଇଂରାଜୀ ଭାଷାଜ୍ଞାନ ସେକ୍‌ସପିଅର ବା ଶେଲୀଙ୍କ ସାହିତ୍ୟ ପରି ହୋଇନାହିଁ। ସେମାନେ ଇଂରାଜୀ ଶିଖିଛନ୍ତି, ଇତିହାସ, ଅର୍ଥଶାସ୍ତ୍ର, ଦର୍ଶନ, ନ୍ୟାୟ, ରାଜନୀତି ବିଜ୍ଞାନ, ମାନବ ବିଜ୍ଞାନ, ମନୋବିଜ୍ଞାନ ଇତ୍ୟାଦିର ପାଠ୍ୟପୁସ୍ତକରୁ ଓ ପ୍ରବନ୍ଧରୁ ଇଂରାଜୀ ସମ୍ବାଦପତ୍ର, ପତ୍ରପତ୍ରିକା, ଭାଷଣ, ଆଲୋଚନା ଇତ୍ୟାଦିରୁ ସେମାନଙ୍କର ଭାଷାଗାମ୍ଭୀର୍ଯ୍ୟ ଆସିଛି। ସେ ପ୍ରକାର ସାହିତ୍ୟର ଏକାନ୍ତ ଅଭାବ ଓଡ଼ିଆ ଭାଷାରେ। କେବଳ କବିତା ରଚନାରେ କିଛି ଓଡ଼ିଆକବି ଆଧୁନିକତାର ଧୂଆଁବାଣ ଦେଖାନ୍ତି। ଜ୍ଞାନବିଜ୍ଞାନଭିତ୍ତିକ ଗଦ୍ୟ ସାହିତ୍ୟରେ ନୁହେଁ। କେହିକେହି ଭୁରୁଡ଼ି ମାରୁଛନ୍ତି ଯେ ଓଡ଼ିଆ ଭାଷା ଉନ୍ନତିର ଚରମ ସୋପାନରେ ଅଛି। ଏସବୁ କଥା ଭାଷାରେ, ଅଥଚ କାର୍ଯ୍ୟରେ ନୁହେଁ। ପୃଥିବୀରେ ଗୋଟିଏ ଉନ୍ନତଭାଷା କହିଲେ କ’ଣ କୁହାଯାଏ, ଏଇ ଦିଗ୍‌ଦର୍ଶକ ସାଜିଥିବା ବ୍ୟକ୍ତିମାନଙ୍କର ସେ ଧାରଣା ନାହିଁ ନା ଭୁଲ୍‌ ଧାରଣା ଅଛି। ଯେ କୌଣସି ଉନ୍ନତ ଭାଷା ତୁଳନାରେ ଓଡ଼ିଆ ଭାଷାରେ ସମ୍ଭାର ସୀମିତ, ଏହା ଜାଣିବା ପାଇଁ ଗବେଷଣାର ପ୍ରୟୋଜନ ନାହିଁ। ଆମର ବର୍ଷିକିଆ ବହିମେଳାକୁ ଗଲେ ଏହାର ଯଥେଷ୍ଟ ପ୍ରମାଣ ମିଳିବ। ଗାଁ ପରିମଳ ଧୋବା ତୁଠରୁ ପରି, ପ୍ରତିବର୍ଷ ହେଉଥିବା ବହିମେଳାରୁ ବୁଝିହେବ ଯେ, କେତେ ଖଣ୍ଡି ଉପାଦେୟ ଓଡ଼ିଆ ବହି ଗୋଟିଏ ବର୍ଷରେ ପ୍ରକାଶିତ ହେଉଛି। କାବ୍ୟ, କବିତା, ଗଳ୍ପ, ଉପନ୍ୟାସ ଛଡ଼ା ଅନ୍ୟାନ୍ୟ ଜ୍ଞାତବ୍ୟ ବିଷୟରେ କେତେଖଣ୍ଡି ମୌଳିକ ରଚନା ପ୍ରକାଶିତ ହେଉଛି? ଓଡ଼ିଆ ଭାଷା ପାଇଁ ଦରକାର ଶବ୍ଦବହୁଳ ତଥ୍ୟଭିତ୍ତିକ, ଚିନ୍ତାଶୀଳ, ମୌଳିକ ଲେଖା ଓ ଶବ୍ଦ ଯେଉଁ ଶବ୍ଦକୁ ସାହିତ୍ୟ ଅପବ୍ୟବହାର ବା କଦର୍ଥ କରିପାରିବ ନାହିଁ, ଯାହାର ସୁତଥ୍ୟ ତାକୁ ନଷ୍ଟ କରିପାରିବ ନାହିଁ। ସେ ପ୍ରକାର ସାହିତ୍ୟ ଓଡ଼ିଆ ଭାଷାରେ ଯେ ବିରଳ ତା’ର ଏକ ମୂକସାକ୍ଷୀ ହେଉଛି ଓଡ଼ିଆ ବହିମେଳା। ଓଡ଼ିଆ ବହିମେଳା ଗୋଟିଏ ଉନ୍ନତ ଭାଷାର ଚିତ୍ର ଉପସ୍ଥାପିତ କରେ ନାହିଁ ବରଂ ଆମର ଚିନ୍ତାଶୀଳତାର ଦାରିଦ୍ର୍ୟକୁ ସ୍ପଷ୍ଟରୁ ସ୍ପଷ୍ଟତର କରେ। ଏହା ଏକ ଦୁଃଖଦ ଅନୁଭବ।

ଆଧୁନିକତାର ଦ୍ବାହି ଦେଇ ଆମର ନବେଭାଗ ଉଚ୍ଚଶିକ୍ଷିତ ଓଡ଼ିଆ, ଅଧ୍ୟାପକଙ୍କଠାରୁ ପ୍ରଶାସକମାନଙ୍କ ପର୍ଯ୍ୟନ୍ତ ଅହିଫେନୀ ସାହିତ୍ୟ ସୃଷ୍ଟି କରିବାରେ ନିଜର ସମସ୍ତ ସୃଜନଶୀଳ କ୍ଷମତାକୁ ଖଟାଉଛନ୍ତି ବା ସଂପୂର୍ଣ୍ଣ ନୀରବ ହୋଇଯାଇଛନ୍ତି। ଯେଉଁ ଜାତିର ସକଳ ବୌଦ୍ଧିକ ଚେଷ୍ଟା ନିୟୋଜିତ ହୋଇଛି ଗଳ୍ପ କବିତା ଲେଖିବାରେ, ସେ ଜାତିର ଭାଷା କେଉଁଠୁ ପାଇବ ଖାଦ୍ୟସାର। ଏହା ଏକ ବିଚିତ୍ର ଚକ୍ରବ୍ୟୂହ। ଭାଷା ଉନ୍ନତ ହୋଇନଥିବାରୁ ଏ ଭାଷାରେ ଗମ୍ଭୀର ସାହିତ୍ୟ ସୃଷ୍ଟି ହୋଇପାରୁନାହିଁ। ଏ ପରିସ୍ଥିତିରେ ପ୍ରତ୍ୟେକ ଶିକ୍ଷିତ ଓଡ଼ିଆ ଦାବି କରିବା ଉଚିତ ଗୋଟିଏ ଉନ୍ନତ ଭାଷା ଓ ସେ ଭାଷାରେ ନୈପୁଣ୍ୟ। ଏ ଭାଷାକୁ ରକ୍ଷା କରିବାକୁ ହେବ ଲଘୁ ସାହିତ୍ୟର ଉପଦ୍ରବରୁ। ଏ ଭାଷାରେ ଯେଉଁ ଜଡ଼ତା ସୃଷ୍ଟି ହୋଇଛି ସେଥିପାଇଁ ଉଚ୍ଚଶିକ୍ଷିତମାନେ ହିଁ ଦାୟୀ। ଉଚ୍ଚଶିକ୍ଷିତମାନେ ହିଁ ଏ ଭାଷାର ଜଡ଼ତା ଭାଙ୍ଗି ପାରିବେ। ସେହିମାନଙ୍କ ଉପରେ ହିଁ ଏ ଜାତିର ଭବିଷ୍ୟତ ନିର୍ଭର କରୁଛି।

ଆଧୁନିକ ସଭ୍ୟତାରେ ପ୍ରତିଟି ଜାତି ପାଇଁ ସ୍ବତନ୍ତ୍ର ଭାଷାଟିଏ ଦାବି କରିବା ଏକ ବୃଥା ଅାଡ଼ମ୍ବର ଓ ବ୍ୟୟବହୁଳ ବିଳାସ। ଗୋଟିଏ ମାତୃଭାଷାକୁ ବଞ୍ଚାଇ ରଖିବାପାଇଁ ଯେଉଁ ପ୍ରକାର ଆତ୍ମାଭିମାନ, ଅଧ୍ୟବସାୟ ଓ ତ୍ୟାଗର ଆବଶ୍ୟକତା ରହିଛି ଭାରତରେ ବହୁ ଜାତିଙ୍କର ସେ ଅଧ୍ୟବସାୟ ବା ସମ୍ବଳ ନାହିଁ। ମାତୃଭାଷାକୁ ଆମେ ଜନ୍ମ ଦେଇନାହୁଁ। ଏହାକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ପାଇଛୁ। ମାତୃଭାଷା ଶିଖିବା ନ ଶିଖିବା ବ୍ୟକ୍ତିର କର୍ତ୍ତୃତ୍ବର ବାହାରେ। ଭୂମିଷ୍ଠ ନ ହେଉଣୁ ମନୁଷ୍ୟ ଶିଶୁ ମାତୃଭାଷାର ସଂସ୍ପର୍ଶରେ ଆସିଥାଏ। ଏକ ଦୃଷ୍ଟିରୁ ମାତୃଭାଷା ଆମ ଉପରେ ଲଦି ଦିଆଯାଇଥାଏ। ଆମର ଜୁ ନାହିଁ ନିଜ ମାତୃଭାଷା ବାଛିବାର। ଯେଉଁ ପିଲେ ଓଡ଼ିଆ ସମାଜରେ ଜନ୍ମିଛନ୍ତି ସେମାନେ ସ୍ବାଭାବିକ ଭାବେ ସେହି ସମାଜର ଭାଷା ଶିଖୁଛନ୍ତି। ଓଡ଼ିଆ ଜାତିର ନହୋଇ ବି ଅନ୍ୟ କେତେକ ଓଡ଼ିଆ ଭାଷା ଶିଖୁଛନ୍ତି- ଓଡ଼ିଆ ସାମାଜିକ ପରିବେଶରେ ଜନ୍ମ ହୋଇଥିବା କାରଣରୁ। ତଥାପି ସେମାନେ ଜନ୍ମ, ବିବାହ, ପର୍ବପର୍ବାଣି ଦିନରେ ନିଜର ସ୍ବାତନ୍ତ୍ର୍ୟକୁ ଜାହିର କରିବାପାଇଁ ଓଡ଼ିଆ ପରିବର୍ତ୍ତେ ନିଜ ଭାଷା ବ୍ୟବହାର କରିଥାନ୍ତି। କେତେକ ଗୋଷ୍ଠୀ ବିଦ୍ୟାଳୟରେ ଓଡ଼ିଆ ପଢ଼ିଲେ ହେଁ ଘରେ ନିଜ ଭାଷାରେ କଥାବାର୍ତ୍ତା ହୁଅନ୍ତି। ଉଦାହରଣ ସ୍ବରୂପ, ମାରୱାଡ଼ିମାନେ ଓଡ଼ିଆମାନଙ୍କ ସାଥିରେ ଓଡ଼ିଆରେ କଥାବାର୍ତ୍ତା କରୁଥିଲେ ହେଁ ନିଜନିଜ ଭିତରେ ସେମାନଙ୍କ ଭାଷାରେ କଥାବାର୍ତ୍ତା ହୁଅନ୍ତି। ବର୍ତ୍ତମାନର ଓଡ଼ିଶାବାସୀ ମାରୱାଡ଼ିମାନେ ହିନ୍ଦୀ ଶିଖୁଛନ୍ତି ଓ ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି। ମାରୱାଡ଼ି ପିଲାମାନେ ଆଉ ଆଗପରି ଓଡ଼ିଆ ବିଦ୍ୟାଳୟରେ ନପଢ଼ି ହିନ୍ଦୀ ବିଦ୍ୟାଳୟରେ ପଢ଼ୁଛନ୍ତି। ହିନ୍ଦୀ ସେମାନଙ୍କ ମାତୃଭାଷାକୁ ଉଚ୍ଛେଦ କରିଥିଲେ ହେଁ ସେମାନେ ନିଜ ମାତୃଭାଷାକୁ ବଳି ଦେଇ ହିନ୍ଦୀଭାଷା ପାଖରେ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଆ ମୁସଲମାନଙ୍କ ଅବସ୍ଥା ମାରୱାଡ଼ିମାନଙ୍କଠାରୁ ଟିକିଏ ଭିନ୍ନ ହେଲେ ବି ସେଇ ଏକ ପର୍ଯ୍ୟାୟରେ। ​‌େସମାନଙ୍କ ମାତୃଭାଷା ବି ଓଡ଼ିଆ ଥିଲା; କିନ୍ତୁ ବର୍ତ୍ତମାନ ସେମାନେ ଉର୍ଦୁ ଶିଖୁଛନ୍ତି ଏବଂ ଏହି ଭାଷାରେ କହିବା ଓ ଲେଖାପଢ଼ା କରିବାକୁ ଅଧିକ ଉପଯୋଗୀ ମନେ କରୁଛନ୍ତି। ସେମାନେ ଏକ ବୃହତ୍ତର ପରିଚୟ ଖୋଜୁଛନ୍ତି। ସଂକୀର୍ଣ୍ଣ ଓଡ଼ିଆ ମୁସଲମାନ ନରହି ସେମାନେ ହେବାକୁ ଚାହାନ୍ତି ଭାରତୀୟ ମୁସଲମାନ- ଯେଉଁ ଗୋଷ୍ଠୀର ପ୍ରତୀକ ଭାଷା ହେଉଛି ଉର୍ଦୁ।
ଆଧୁନିକ ସଭ୍ୟତାରେ ଓଡ଼ିଆଙ୍କ ପାଇଁ ଏକ ବିରାଟ ପ୍ରଶ୍ନ। ସେମାନେ ବିଶ୍ବର ‘ଓଡ଼ିଆତ୍ବ’ର ପରିଚୟ ଦେବେ ନା ଅନ୍ୟ କୌଣସି ଏକ ବଡ଼ ଜାତୀୟତା ଭିତରେ ଆତ୍ମୋତ୍ସର୍ଗ କରିବେ। ଓଡ଼ିଆ ଜାତି ନିମିତ୍ତ ଆଧୁନିକ ସଭ୍ୟତାର ଏହା ଗୁରୁତର ପ୍ରଶ୍ନ। କାହା ଉପରେ ଭରା ଦେଇ ଠିଆହେବ ଏ ‘ଓଡ଼ିଆତ୍ବ’। ଏହି ଆମେତ୍ବ,ଏହି ଓଡ଼ିଆତ୍ବର ପ୍ରଥମ ଓ ପ୍ରଧାନ ଚିହ୍ନ ହେଉଛି ଓଡ଼ିଆ ଭାଷା। ଭାଷା ‘ଆମେ ପଣିଆ’ର ଏକ ପ୍ରଧାନ ଓ ଶକ୍ତିଶାଳୀ ଚିହ୍ନ। ‘ଆମେ ପଣିଆ’ ଲୋଡ଼େ ଆଶ୍ରା, ଯାହା ଉପରେ ଭରା ଦେଇ ଆମେ ଗର୍ବର ସହିତ କହିପାରିବା- ଆମେ ଓଡ଼ିଆ, ଆଉ ଆଙ୍ଗୁଠି ଦେଖାଇ ଅନ୍ୟମାନଙ୍କୁ ଚିହ୍ନାଇ ଦେଇ ପାରିବା ଯେ – ସେମାନେ ଓଡ଼ିଆ ନୁହନ୍ତି। ସେମାନେ ଅଣଓଡ଼ିଆ। ଏଇ ଆମେ /‘ସେମାନେ ପଣିଆ’ର ଦ୍ବନ୍ଦ୍ବ ହିଁ ଗୋଟିଏ ଜାତିର ପରିଚୟକୁ ସାମ୍ନାକୁ ଆଣେ, ତୋଳିଧରେ ସମାଜର ଆଖିସାମ୍ନାରେ। ଗୋଟିଏ ଜାତି ତିଷ୍ଠିବା ପାଇଁ ‘ଆମେ ପଣିଆ’ ହିଁ ଏକାନ୍ତ ଲୋଡ଼ା। ଓଡ଼ିଆ ଭାଷା ଆଧୁନିକ ସଭ୍ୟତା ଦ୍ବାରା ଯେତେ ମାତ୍ରାରେ ପ୍ରଭାବିତ ହେଉ ପଛେ ଆମର ‘ଆମେ ପଣିଆ’ ଥିଲେ ସେ ପ୍ରଭାବ ଆମକୁ ବା ଆମ ଭାଷାର କିଛି କ୍ଷତି କରିପାରିବ ନାହିଁ।

Comments are closed.