ଆପଣମାନେ ନିଜନିଜ ଜୀବନରେ ଅନେକ ଭୁଲ୍ କରିଥିବେ। ଏହା ସାଧାରଣତଃ ପ୍ରଥମଥର ପାଇଁ ସ୍ବାଭାବିକ ଓ କ୍ଷମଣୀୟ ହୋଇଥାଏ; କିନ୍ତୁ ଯଦି ଆପଣ ଗୋଟିଏ ଭୁଲ୍କୁ ବାରମ୍ବାର କରିବସିବେ ତେବେ ଏହା ଆଉ ସ୍ବାଭାବିକ ନ ରହି ଅକ୍ଷମଣୀୟ ହୋଇପଡ଼ିଥାଏ ଓ ଏଥିପାଇଁ ଆପଣଙ୍କୁ ଜୀବନରେ ବହୁମୂଲ୍ୟ ଦେବାକୁ ପଡ଼ିଥାଏ।
ଏବେ ଆମ ଭାରତବର୍ଷରେ ଠିକ୍ ଏଇୟା ଘଟିଛି। ମନେ ପକାନ୍ତୁ ଗତବର୍ଷ ଆପଣମାନେ ନିଜାମୁଦ୍ଦିନରେ ଗୋଟିଏ ଛୋଟିଆ ଭୁଲ୍ କରିଦେଇଥିଲେ ଯେଉଁଥିପାଇଁ ସମଗ୍ର ଭାରତବାସୀ ବର୍ଷାଧିକ କାଳ ଦଣ୍ଡ ଭୋଗିଥିଲେ ବୋଲି ଅଭିଯୋଗ ହେଲା; କିନ୍ତୁ ଏ ବର୍ଷ ସେହି ଭୁଲ୍ଟିକୁ ଆପଣମାନେ ଠିକ୍ କରିବା ପରିବର୍ତ୍ତେ ତାକୁ ଆହୁରି ଗୁରୁତର କରି ହରିଦ୍ବାରରେ ଦୋହରାଇଲେ। ତେଣୁ ଅବସ୍ଥା ଯାହା ହେବା କଥା ହେଲା। ଏଥିରୁ ମଧ୍ୟ ଆପଣମାନଙ୍କୁ ଶିକ୍ଷା ମିଳିଲା ନାହିଁ ଯେ ଆପଣ ପୁନଶ୍ଚ ଏତାଦୃଶ ଭୁଲ୍ଗୁଡ଼ିକୁ ଆସାମ, ପଶ୍ଚିମବଙ୍ଗଠୁ ନେଇ ତାମିଲନାଡ଼ୁ, ପୁଡ଼ୁଚେରୀ ଓ କେରଳ ପର୍ଯ୍ୟନ୍ତ କରିବସିଲେ। ଏକଥା ସତ ଯେ ଠାକୁର ହେଉ କି ନିର୍ବାଚନ, ଧର୍ମ ହେଉ କି ସମ୍ବିଧାନ, ସମସ୍ତେ ଜୀବନ ଆଗରେ ତୁଚ୍ଛ ଓ ସମସ୍ତେ ଜୀବନକୁ ଅପେକ୍ଷା କରି ରହିବାକୁ ବାଧ୍ୟ; କିନ୍ତୁ ଆପଣମାନେ ଏହାକୁ ମଧ୍ୟ ଉପେକ୍ଷା କଲେ। ଯଦି ସଂସଦର ଗୋଟିଏ ଅଧିବେଶନର ମାତ୍ର ଗୋଟିଏ ଘଣ୍ଟାରେ ସମ୍ବିଧାନର ଗୋଟିଏ ଧାରାକୁ ଗୋଟିଏ ଆଦେଶ ଦ୍ବାରା ଉଠେଇ ଦିଆଯାଇପାରୁଛି ତେବେ ନିର୍ବାଚନକୁ କ’ଣ ଘୁଞ୍ଚେଇ ଦିଆଯାଇପାରି ନ’ଥାନ୍ତା?
ଛାଡ଼ନ୍ତୁ, କଥାରେ ଅଛି ଗତସ୍ୟ ଶୋଚନା ନାସ୍ତି। ଓଡ଼ିଆ ଲୋକଗୀତରେ ସଙ୍ଗାତକୁ କହିଲା ଭଳି, ଗଲା କଥା ତ ଗଲାଣି, ଖାଲି ବ୍ୟଥା ଖୁବ୍ ବେଶୀ ହୋଇପଡ଼ିବାରୁ ଏ କଥା ଲେଖିବାକୁ ବାଧ୍ୟ ହେଉଛୁ। ଦୁଃଖ ଲାଗୁଛି, ଭୁଲ୍ ତ ହୋଇଯାଇଛି, କିନ୍ତୁ ଭୁଲ୍ ମାନିବାକୁ ମଧ୍ୟ ଆପଣମାନେ କେହି ପ୍ରସ୍ତୁତ ନୁହନ୍ତି। କୁହାଯାଉଛି ଯେ ‘କରୋନା ଏକ ମହାମାରୀ, କିଏ ଜାଣିଥିଲା ଏପରି ହେବ ବୋଲି?’ ଆଜ୍ଞା ଜାଣିବା କଥା ଆମର ନୁହଁ, ଆପଣମାନଙ୍କର ଅଟେ। ଏଇଠି ସୁଷମା ସ୍ବରାଜଙ୍କ କଥା ମନେ ପଡ଼େ ଯାହାକି ବର୍ତ୍ତମାନ କୋଭିଡ୍ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ କରି କହିହେବ ଯେ ଆମକୁ ମହାମାରୀ କ’ଣ ଜଣା ନାହିଁ; ଆମେ କିନ୍ତୁ ଆମ ସ୍ବାସ୍ଥ୍ୟର ଦାୟିତ୍ବ ଆପଣଙ୍କୁ ଦେଇ ରାତିରେ ନିଦ୍ରା ଯାଇଥିଲୁ କିନ୍ତୁ ସକାଳୁ ଉଠି ଦେଖୁଛୁ ଆମେ ସମସ୍ତେ ମହାମାରୀଗ୍ରସ୍ତ ହୋଇପଡ଼ିଛୁ।
ସତ କହିବାକୁ ଗଲେ ମହାମାରୀ କ’ଣ, ଏହାର ଲକ୍ଷଣ କ’ଣ ଓ ଏହାର ସ୍ବଭାବ କ’ଣ ଆପଣମାନଙ୍କର ଅମଲାତନ୍ତ୍ର ନୁହେଁ, ମହାମାରୀ ବିଶେଷଜ୍ଞମାନେ ଜାଣିଥାନ୍ତି। ପୃଥିବୀର ସମସ୍ତ ମହାମାରୀ ବିଶେଷଜ୍ଞ କୁହନ୍ତି ଯେ ପ୍ରତ୍ୟାବର୍ତ୍ତନ ହେଉଛି ପ୍ରାୟ ସମସ୍ତ ମହାମାରୀର ଲକ୍ଷଣ। ମହାମାରୀର ଇତିହାସ ମଧ୍ୟ ଏହାର ସାକ୍ଷୀ ଅଛି। ଅଠରଶହ ନବେ ମସିହାଠୁ ନେଇ ଆଜି ପର୍ଯ୍ୟନ୍ତ ଯେତେ ମହାମାରୀ ଆସିଛି ତାହା ପ୍ରାୟ ସବୁ ଦୁଇ କିମ୍ବା ତଦୂର୍ଦ୍ଧ୍ବ ଲହରରେ ଆସି ଲକ୍ଷଲକ୍ଷ ଲୋକଙ୍କର ଜୀବନ ନେଇଛି। ଏହି ସତର୍କଘଣ୍ଟି ମହାମାରୀ ବିଶେଷଜ୍ଞମାନେ ବାରମ୍ବାର ବଜେଇଥିଲେ; କିନ୍ତୁୁ ଆପଣମାନେ ଆତ୍ମବଡ଼ିମାରେ ଏତେ ବିଭୋର ଥିଲେ ଯେ ଏହି ଘଣ୍ଟିର ଶବ୍ଦକୁ ଶୁଣିପାରି ନଥିଲେ ଏବଂ ଶେଷକୁ ଯାହା ହେବାର ଥିଲା ହେଲା।
ଏଇଥି ପାଇଁ ହିଁ ଆମେମାନେ ଆଜି ତାଲାବନ୍ଦର ଦୁରବସ୍ଥା ଭୋଗୁଛୁ। ସବୁଠୁ ବେଶୀ ବାଧୁଛି ଯେତେବେଳେ ଏହି ଦୁର୍ଦଶାର ଦୋଷ ଆମମାନଙ୍କ ମୁଣ୍ଡରେ ହିଁ ବୋଳି ଦେଇ କୁହାଯାଉଛି ଯେ ଲୋକମାନେ ଅମାନିଆ ହେବାରୁ ଦେଶ ଏପରି ଦୁରବସ୍ଥା ଭୋଗ କରୁଛି। ସାଧାରଣ ଲୋକଟିର ଦୋଷ କ’ଣ ହେଲା? ବୁଢ଼ୀଟିଏ ସବୁଦିନ କଦଳୀ ବିକି ଶହେ ଦୁଇ ଶହ ଟଙ୍କା ରୋଜଗାର କରୁଥିଲା, ତା’ର ଦୋଷ କ’ଣ ହେଲା? ଅଟୋ ଡ୍ରାଇଭରଟିଏ ସବୁଦିନ ସକାଳୁ ରାତିଯାଏ ଯାତ୍ରୀ ବୋହି ଦୁଇଶହ ତିନିଶହ ରୋଜଗାର କରୁଥିଲା, ସେ କି ଦୋଷ କଲା? ରାସ୍ତାକଡ଼ରେ ବେଞ୍ଚ ପକେଇ ବରା ଗୁଲୁଗୁଲା ବିକ୍ରି କରି ଦି ପଇସା ରୋଜଗାର କରୁଥିଲା, ସେ କ’ଣ ଦୋଷ କଲା? ହାଟରେ ବହି ଦୋକାନଟିଏ ହେଉ କି କଣ୍ଢେଇ ଦୋକାନଟିଏ ହେଉ ସେ ଖୋଲିଦେଲା ବୋଲି ତା’ର ଦୋଷ ହୋଇଗଲା? ମାର୍ ମାର୍ ଭଣ୍ଡାରିଆକୁ ମାର୍! ଦୋଷ କଲା କିଏ, ଆଉ ମାଡ଼ ଖାଉଛି କିଏ?
ହଉ ହେଲା, ଜୀବିକା ପଛେ ଯାଉ, ଆମେ ବର୍ତ୍ତମାନ ଆପଣମାନଙ୍କର ସବୁ କଥା ମାନିବାକୁ ପ୍ରସ୍ତୁତ ଅଛୁ କିନ୍ତୁ ଆମର ଜୀବନ ରହିବ ତ? ଆମେ ବର୍ତ୍ତମାନ କୋଭିଡ୍ ମୂର୍ଚ୍ଛାଗତ ହୋଇ ପଡ଼ିଛୁ ଆଉ ସବୁ କୋଭିଡ୍ ବିଶାରଦମାନେ ଏକ ସ୍ବରରେ କହୁଛନ୍ତି େଯ ଏହାର ଏକମାତ୍ର ବିଶଲ୍ୟକରଣୀ ହେଉଛି- ଟିକା ଓ ଟିକାକରଣ। ଏହା ଉପରେ ମଧ୍ୟ ଆପଣମାନଙ୍କର ବାଦବିବାଦ ଚାଲିଛି। ଟିକାକରଣ ସମସ୍ୟା ଦୂରୀକରଣ ପରିବର୍ତ୍ତେ କେନ୍ଦ୍ର ଓ ରାଜ୍ୟ ପରସ୍ପର ଦୋଷାରୋପରେ ବ୍ୟସ୍ତ ରହୁଛନ୍ତି। ଏ ବିଷୟରେ ଆପଣମାନଙ୍କୁ ପ୍ରଶ୍ନ କଲେ ଆପଣ ଉତ୍ତର ଦେଉଛନ୍ତି ଯେ କେବଳ ଭାରତବର୍ଷରେ ନୁହେଁ ସମଗ୍ର ପୃଥିବୀରେ ଟିକାକରଣ ସମସ୍ୟା ରହିଛି ଓ ନିଜର ପିଠି ନିଜେ ଥାପୁଡ଼େଇ କହୁଛନ୍ତି ଯେ ଭାରତବର୍ଷ ଆମେରିକା, ରୁଷିଆ, ଇଂଲଣ୍ଡ, ଫ୍ରାନ୍ସ ଓ ଜର୍ମାନୀପରି ବିଶ୍ବର ଅନ୍ୟାନ୍ୟ ଉନ୍ନତ ଦେଶଙ୍କଠାରୁ ଟିକାକରଣ ସଂଖ୍ୟାରେ ଯଥେଷ୍ଟ ଆଗୁଆ ଅଛି। ଏହିପରି କଥା ଶୁଣିଲା ପରେ
ଏତେ ଦୁଃଖ ସମୟରେ ମଧ୍ୟ ହାସ୍ୟାସ୍ପଦ କଥାଟିଏ ମନେ ପଡ଼ିଯାଉଛି।
ଗାଁରେ ପିଲାଟିଏ ବାର୍ଷିକ ପରୀକ୍ଷାଫଳ ନେଇ ବାପାଙ୍କ ପାଖକୁ ଆସିଲା। ବାପା ପଚାରିଲେ ‘ଫଳ କ’ଣ ହୋଇଛି?’ ପିଲାଟି କହିଲା ‘ତହସିଲଦାରଙ୍କ ପୁଅ ଫେଲ୍ ହୋଇଯାଇଛି।’ ବାପା କହିଲେ ‘ଆଚ୍ଛା, ତୋର କ’ଣ ହୋଇଛି?’ ପିଲାଟି କହିଲା ‘ସରପଞ୍ଚଙ୍କ ପୁଅ ବି ଫେଲ୍ ହୋଇଯାଇଛି।’ ବାପା ଆଉ ସମ୍ଭାଳି ପାରିଲେ ନାହିଁ, ତାକୁ ଦି ଜାବୁଡ଼ା ପକେଇ ଚଢ଼ାଗଳାରେ ପଚାରିଲେ, ‘ଆରେ ମୂର୍ଖ, ମୁଁ ପଚାରୁଛି, ତୋର କ’ଣ ହୋଇଛି?’ ପିଲାଟି କହିଲା, ‘ଏତେ ବଡ଼ବଡ଼ ଲୋକଙ୍କ ପୁଅମାନେ ତ ଫେଲ୍ ହୋଇଯାଇଛନ୍ତି ଆଉ ତମେ କୋଉ କଲେକ୍ଟରଟାଏ ଯେ ମୁଁ ପାସ୍ କରିଥାନ୍ତି?’


