BJD Bijuli 480×75 Mob

ଦୂଷିତ ପୀଠର ପାଠ

BJD Bijuli 480×75 Mob

‘ପୀଠ’ ଓ ‘ଗାଦି’ ମର୍ଯ୍ୟାଦା ଓ ଆଦର୍ଶର ଦିଗବାରେଣୀ ଖମ୍ବ। ସଂସ୍କାର, ସଂସ୍କୃତିରେ ଗଢ଼ା ମଣିଷ ପରି, ପୀଠ ଓ ଗାଦିମାନ ମଧ୍ୟ ସଂସ୍କାର, ସଂସ୍କୃତିର ପ୍ରତିବିମ୍ବ, ପ୍ରତିଧ୍ବନି ତଥା ପ୍ରେରଣାର ଉତ୍ସ। ଗାନ୍ଧୀ ପ୍ରସୂତ ସାବରମତୀ ଆଶ୍ରମ, ବାମାକ୍ଷେପା, ରାମକୃଷ୍ଣଙ୍କ ଉପାସିତା ‘ଦକ୍ଷିଣ କାଳୀ’, ଗୋପବନ୍ଧୁଙ୍କ ବନବିଦ୍ୟାଳୟ, ଭାରତୀୟ ରାଜତନ୍ତ୍ରର ଲାଲକିଲା, ମଦନମୋହନ ମାଲବ୍ୟଙ୍କ ‘ବନାରସ ହିନ୍ଦୁ’ ବିଶ୍ବବିଦ୍ୟାଳୟ ଆଦି ତ ଜନତାକୁ ନାନା ଭାବ ଓ ପ୍ରେରଣାରେ ଆଚ୍ଛାଦିତ କରିଦିଏ। କଥାଟିଏ ମନେପଡ଼େ, କ୍ଳିଷ୍ଟ, ମନୋମାଳିନ୍ୟ, ମନାନ୍ତର ଆଦି ଅତି ସହଜରେ ଅଶିକ୍ଷିତ ଗଉଡ଼ ପିଲାଟିଏ ସମାଧାନ କରିପାରୁଥିଲା। ରାଜାଙ୍କଠୁ ନିରାଶ ହୋଇ ଫେରୁଥିବା ଲୋକେ ବି ଗଉଡ଼ ପିଲା ପାଖୁ ଧାଇଁଲେ ନ୍ୟାୟ ଓ ସମାଧାନ ପାଇଁ। ଏ କଥା ରଜାଙ୍କ କାନକୁ ଗଲା। ଅବିଶ୍ବସନୀୟ ଏ କଥାର ସତ୍ୟତା ଜାଣିବା ପାଇଁ ରଜା ସେଠାକୁ ଯାଇ ଦେଖିଲେ, ଗଉଡ଼ ପିଲାଟି ଏକ ମାଟି କୁଦ ଉପରକୁ ଉଠିଯାଉଛି ଓ ତା’ ପରେ ପ୍ରଗଳ୍‌ଭ ସିଦ୍ଧାନ୍ତମାନ ଦେଉଛି। କୁଦ ଉପରୁ ଉଠି ଆସିବା ପରେ ଯେଉଁ ମାଧିଆକୁ ସେଇ ମାଧିଆ। ରାଜା କୁଦ ଖୋଳାଇ ଯାହା ଦେଖିଲେ ବିସ୍ମିତ ଓ ଅବାକ୍‌ ହୋଇଗଲେ, ‘‘ଆରେ ୟେ ତ ପୁଣ୍ୟଶ୍ଳୋକ ରାଜା ବିକ୍ରମାଦିତ୍ୟଙ୍କ ବତ୍ରିଶ ସିଂହାସନ।’’ ତା’ ପର କଥା ସବୁ ଅପ୍ରାସଙ୍ଗିକ, ଏଠି ପୀଠ ଓ ଗାଦିର ପ୍ରଭାବ କଥା କୁହାଯାଉଛି। କାହିଁ କେତେ ଶହ ବର୍ଷ ତଳର ରାଜା-ରାଣୀଙ୍କ ସେ ଚଉକିକୁ ଇଂରେଜମାନେ ଏବେ ବି ସାଇତି ରଖିଛନ୍ତି। ବଡ଼ ରକ୍ଷଣଶୀଳ ଜାତି ସେମାନେ ଥିଲେ। ମୂଲ୍ୟବୋଧଭିତ୍ତିକ ଦୁକୁଦୁକୁ ଜଳୁଥିବା ଦୀପକୁ, ଆଧୁନିକତାର ନିଶାଗ୍ରସ୍ତ ଝଡ଼ ନିଭାଇ ପାରୁ ନ ଥିଲା। ବରଂ ଏ ପୁରାତନତାର ଦୀପାଲୋକ, ଆଧୁନିକତାରେ ମୂଲ୍ୟବୋଧର ତେଜ ସଂଯୋଗ କରି ଝଲସାଉଥିଲା। ସେ ପୀଠ, ଗାଦିର ଭାବ ଅମଳିନ ରହିଲେ ସଭ୍ୟତା ଓ ଶୃଙ୍ଖଳା ଜୀବନୀଶକ୍ତି ପାଇବ। ନୋହିଲେ ହକଳା ଲୁଗାକୁ ବାରମ୍ବାର ବେଢ଼େଇ ହେବାର ନିଷ୍ପ୍ରଭତା ପ୍ରାପ୍ତି ହେବ ହିଁ ହେବ। ପୁରୁଣାକୁ ଜାବୁଡ଼ି ଧରିବାକୁ ଯେମିତି କୁହାଯାଉନି, ନୂତନତାରେ ଝାସ ଦେବାକୁ ବି ସେପରି କୁହାଯାଉନି। ଶ୍ଳୋକ ତ କହିଲା, ‘‘ପୁରାଣମିତ୍ୟେବ ନ ସାଧୁ ସର୍ବଂ, ନ ଚାପି କାବ୍ୟଂ ନବମିତ୍ୟବଦ୍ୟଂ। ସନ୍ତଃ ପରୀକ୍ଷାନ୍ୟତରଦ୍ଭଜନ୍ତେ ମୂଢ଼ଃ ପରପ୍ରତ୍ୟୟନେୟ ବୁଦ୍ଧିଃ।’’ ଏ କଥା ପୁରାଣ ବା ବହିରେ ଲେଖା ଯାଇଛି ବୋଲି ସେ ଠିକ୍‌, ତା’ ନୁହେଁ। ଜ୍ଞାନୀ ବା ସଜ୍ଜନମାନେ ସ୍ବୀୟ ବିବେକାନୁମୋଦନରେ ସବୁକୁ ଗ୍ରହଣ ବା ତ୍ୟାଗ କରନ୍ତି। ମାତ୍ର ଧୋବ ଚିକ୍‌ ଚିକ୍‌ କରୁଥିବା ନିର୍ବୋଧ ଦଳିଆ ଅନ୍ୟ କଥାରେ, ପ୍ରଭାବରେ, ସମୟ ସୁଅରେ ଭାସି ଯାଆନ୍ତି। ଦୂର ସାଗରରେ ଜଳାର୍ଣ୍ଣବ ମଧ୍ୟରେ ଭାସୁଥିବା ବୋଇତ ଦିଗବାରେଣୀ ଖୁଣ୍ଟିକୁ ହୁଡ଼ିଲା ତ ନିଜକୁ ହୁଡ଼େଇଲା ଜାଣ। ଲାଗୁଛି ଏବେ ଆମେ ସଭିଏଁ ଏ ପୀଠ, ଗାଦି, ଦିଗ୍‌ବାରେଣୀ ଖୁମ୍ବକୁ ହୁଡ଼ିଗଲେଣି। ଆମ ଭଳି ମଣିଷ ହେଲେ ବି ବିଚାରାଳୟରେ ଅଧିଷ୍ଠିତ ଜଣଙ୍କୁ ଆମେ ଧର୍ମାବତାର କହୁ। ଗୀତାରେ ଭଗବାନ, ଗାଦି ଆଡ଼କୁ ଇସାରା ଦେଇ ନରମାନଙ୍କ ମଧ୍ୟରେ ‘ରାଜା ମୁଁ’ ବୋଲି କହିଲେ। ଲୋକଙ୍କର ବିଶ୍ବାସବୋଧର ଏମାନେ ପ୍ରତୀକ। ମାତ୍ର ଏବେ କ’ଣ ସବୁ ଘଟିଯାଉଛି, ଦେଖିଲେ, ଭାବିଲେ ତାଟକା ଲାଗୁଛି, ଅସହାୟ ବି ଲାଗୁଛି।

ଏବେ ଦେଖୁନାହାନ୍ତି ପୀଠ ଓ ଗାଦି ସବୁ ଓ ତା’ର ଅଧିକାରୀମାନେ କେମିତି ଦୂଷିତ, ଅସନା ହୋଇଯାଇଛନ୍ତି। କୁହାଯାଏ, ‘‘ବିଦ୍ୟା ଦଦାତି ବିନୟଂ’’। ‘‘ସା ବିଦ୍ୟା ଯା ବିମୁକ୍ତୟେ’’। ବିଦ୍ୟାଳୟମାନ ମଣିଷ ଗଢ଼ାର ମନ୍ତ୍ରପୀଠ ଥିଲା। ଏବେ ଆଉ ସେ କଥା ଅଛି? ପ୍ରତିଦିନ ପ୍ରାୟ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି। ପ୍ରେମ ବ୍ୟାପାର, ବ୍ୟର୍ଥତା ଏହାର ପ୍ରାୟତଃ କାରଣ। ଯେ ଆତ୍ମହତ୍ୟା କଲା, ତାକୁ କେହି ମାଡ଼ି ବସି ବିଷ ପେଇନି କି ତଣ୍ଟି ଚିପି ଧରି ମାରିନି। ତେବେ ସେ ନିଜେ ମରୁଛି କେମିତି? ଅତ୍ୟାଚାର ଓ ଅନ୍ୟାୟର ପ୍ରତିବାଦ ଓ ପ୍ରତିକାର ଅଛି। ଜଣେ ଆତ୍ମହତ୍ୟା କଲାବେଳେ ନିଜ ନିରୀହ ବାପ, ମା’ଙ୍କୁ ଭୁଲିଯାଏ କେମିତି? ତା’ର ପ୍ରାଣଦିଆ ବନ୍ଧୁଙ୍କୁ ଭୁଲେ କେମିତି? ସର୍ବୋପରି ତା’ର ସ୍ରଷ୍ଟା, ସର୍ବଶୁଭ ଚିନ୍ତକ ଭଗବାନଙ୍କ ପ୍ରତି ଅନାସ୍ଥା ପ୍ରକଟ କରେ କେମିତି? ଏଥିରୁ ମପାଯାଉ ଆତ୍ମହତ୍ୟାକାରୀଙ୍କ ହୃଦୟକୁ। ଆମ ଶାସ୍ତ୍ରରେ ଆତ୍ମହତ୍ୟାକୁ ମହାପାପ ଦର୍ଶାଯାଇଛି। ବିଦ୍ୟାପୀଠମାନ ଏବେ ‘‘ଦୁଷ୍କୃତି ସୂତିକାଳୟ ବିଦ୍ୟାଳୟ’’ ବନିଯାଇଛନ୍ତି। ଫଳରେ କେତେ ନିରୀହା ‘ରୁଚିକା’ର ଏ ଅରୁଚିକର ଓ ଦୁଃଖଦ ଜୀବନାବସାନ ଘଟେ ଓ ଘଟୁଛି ବି। ଏ ତ ଗୁରୁ, ଗୁରୁପୀଠ ତଥା ଶିଷ୍ୟ-ଶିଷ୍ୟାଙ୍କ ଅବସ୍ଥା। ଆଉ ଟିକିଏ ଉପରକୁ ଯାଉନାହାନ୍ତି! ବିଚାରାଳୟ। ୟେ ଗଣତନ୍ତ୍ରର ଏକ ଅପରିହାର୍ଯ୍ୟ ସ୍ତମ୍ଭ। ଧର୍ମାବତାରମାନେ ଏଠି ପୀଠାଧୀଶ। ଧର୍ମ ସେଠି କାମ କରୁଚି ତ? ଏଥିପ୍ରତି ଆଙ୍ଗୁଠି ଦେଖେଇବାକୁ କାହାର ଜୁ’ ଥିଲା। ତା’ ପରେ, ସମ୍ବିଧାନ ତ ଦେଇଛି ‘‘ଅଦାଲତ ଅବମାନନା’’ ଖଣ୍ଡା ଓ ଢାଲ। କାଇଁ କୋଉ ୟେ ଏବେ ପିଠିରେ ପଡ଼ୁଛି? ଦେଖୁନାହାନ୍ତି ନୂପୁର ଶର୍ମାଙ୍କ କଥା। ଟିହାଇବା ଗୋଷ୍ଠୀ ବା ବେପାରର ବୈଦ୍ୟୁତିକ ଗଣମାଧ୍ୟମରେ ଏକ ବିତର୍କରେ ଭାଗ ନେଇଥିଲେ ନୂପୁର। ପ୍ରତିପକ୍ଷଙ୍କ ଉତ୍ତର ଦେବାକୁ ଯାଇ ଭାବପ୍ରବଣ ହୋଇ ହେଉ ବା ସ୍ବୀୟ ମୌଳିକ ଚିନ୍ତାଧାରାରେ, ପୂଜ୍ୟ ମହମ୍ମଦଙ୍କ ପ୍ରତି ଏକ ମନ୍ତବ୍ୟ ଦେଇ ଲକ୍ଷ୍ମଣରେଖା ଡେଇଁଗଲେ। ଲକ୍ଷ୍ମଣରେଖା ଡେଇଁଲେ, ଯା’ ହବା କଥା ହେଲା। ସୀତା ତ ନିଜେ ଉଦାହରଣ। ରଘୁବଂଶର ବଧୂ ଓ ଶ୍ରୀରାମଙ୍କ ସ୍ତ୍ରୀ ଏକ ଅସାଧାରଣ ନାରୀ। ରାକ୍ଷସ ରାବଣ ଦ୍ବାରା ଅପହୃତା ହେଲେ ଓ ରାମାୟଣ ସୃଷ୍ଟି ହେଲା। ସ୍ବୀୟ ଜୀବନ ବି ହାହୁତାଶରେ ଲିଭିଗଲା। ଧର୍ମନିରପେକ୍ଷ ଏ ଦେଶରେ ଧର୍ମାନ୍ଧଙ୍କ କିନ୍ତୁ ପ୍ରଭାବ ଓ ପବନ ବେଶୀ ଦୁଲୁକୋଉଛି। ବିଜେପି ତାଙ୍କୁ ତୁରନ୍ତ ଦଳରୁ ନିକାଲି ଦେବା ଭଳି କଠୋର ପଦକ୍ଷେପ ଗ୍ରହଣ କଲେ। ଦେଶ ସାରା ତାଙ୍କ ବିରୁଦ୍ଧରେ ପ୍ରତିବାଦ ହେଲା ଓ ଥାନାରେ ନାନା ସ୍ଥାନରେ ମୋକଦ୍ଦମା ହେଲା। ନୂପୁର ବି ଅନୁତାପ ଓ କ୍ଷମାଭିକ୍ଷା କଲେ। ଏଇଠି କଥା ଛିଣ୍ଡିବାର ଥିଲା। ମାତ୍ର ବିଭିନ୍ନ ଅଦାଲତରେ ଦାୟର ମୋକଦ୍ଦମା ସବୁର ଏକତ୍ର ଦିଲ୍ଲୀରେ ବିଚାର ପାଇଁ ତାଙ୍କ ଓକିଲ ମାନ୍ୟବର ସୁପ୍ରିମ କୋର୍ଟରେ ପ୍ରାର୍ଥନା କଲେ। ଏ ବିଚାର ଆଇନାନୁଯାୟୀ ଗ୍ରହଣୀୟ କି ନା ସେ କଥା ରାୟରେ ପ୍ରକାଶ କରାଯିବା କଥା। ମାତ୍ର ତା’ ନ କରି ମାନ୍ୟବର ଅଦାଲତର ଗଠିତ ଖଣ୍ଡପୀଠ ତାଙ୍କ ଉପରେ ଗର୍ଜିଲେ ଓ ବର୍ଷିଲେ ଯେ ତା’ ଦେଶବାସୀଙ୍କୁ ଚମକେଇ ଦେଲା। ସାଧାରଣ ଜନତା ଭଳି ମାନ୍ୟବର ଏ ଉଚ୍ଚ ନ୍ୟାୟାଧୀଶମାନେ ଏପରି କ୍ରୋଧ ଓ ଆକ୍ଷେପୋକ୍ତି କରିବା ଉଚିତ ନ ଥିଲା। କିଏ କହିବ ଏ କଥା? (ଅନ୍ୟ ଏକ ଅଦାଲତରେ ତାଙ୍କ ପ୍ରତି ଧମକ ଦିଆଯାଇଥିଲା) ଜଣେ ବିଚାରପତି କହିଛନ୍ତି, ‘‘ନ୍ୟାୟ ପାଇଁ ସେ ବିରାଡ଼ି ବେକରେ ଘଣ୍ଟି ବାନ୍ଧିବାକୁ ପ୍ରସ୍ତୁତ’’, ସେମିତି, ‘ହାଁ ଜୀ’ରେ ଯେ ଏ ଦେଶ ଭରପୂର, ତା’ ନୁହେଁ। ଶୃଗାଳଙ୍କ ଭଳି ସିଂହ ସଂଖ୍ୟା ହାଉଯାଉ ନ ହେଲେ ବି ଗୋଟିଏ ସିଂହ ବି ତ ସିଂହ। କେତେ ଅବସରପ୍ରାପ୍ତ ବିଚାରପତି, ଉଚ୍ଚ ଅବସରପ୍ରାପ୍ତ ଅମଲା ଓ ସେନାବାହିନୀର ଉଚ୍ଚ ଅମଲାମାନେ ମାନ୍ୟବର ସୁପ୍ରିମ କୋର୍ଟର ପ୍ରୋକ୍ତ ନ୍ୟାୟାଧୀଶଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେବା ସହ ଏପରି ମତାମତର ପ୍ରତିବାଦ କରିଛନ୍ତି। ସମ୍ପୃକ୍ତ ବିଚାରପତିଙ୍କୁ ଆଉ ଏ ମାମଲା ନ ଦେବାକୁ ନିବେଦନ କରିଛନ୍ତି। ବିଚାରପତିମାନଙ୍କର ଏଭଳି ପ୍ରତିବାଦ ଓ ସମାଲୋଚନା ଅଦାଲତ ଅବମାନନା କରେ। ମାତ୍ର ମାନ୍ୟବର ସର୍ବୋଚ୍ଚ ଅଦାଲତ ଏମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମୋକଦ୍ଦମା କଲେ, ଭଲ ଏକ ବୌଦ୍ଧିକ ବିତର୍କ ହୁଅନ୍ତା ଓ ଲିଭି ଲିଭି ଯାଉଥିବା ଲକ୍ଷ୍ମଣରେଖା ବି ପୁଣି ଗାଢ଼ ହୋଇ ଯାଆନ୍ତା। ମାତ୍ର ଏ କଥା ହେବ କି? ଛାଡ଼ନ୍ତୁ, ସେ କଥା ସବୁ ବଡ଼ବଡ଼ିଅା କ୍ଷେତ୍ରରେ ଆଇନ, ନୀତି ଢକ ଧରିଥାଏ।

ମାତ୍ର ନୂପୁରଙ୍କ କଥା କ’ଣ ହେଲା? ସେ ଯାଇଥିଲେ ବିଚାରାଳୟରୁ ଆଶ୍ବସ୍ତି ପାଇବାକୁ। ତା’ ତ ହେଲାନି, ଓଲଟି ଗାଳି ଫଜିତ ଶୁଣିଲେ। ବିଚାରବନ୍ତ ନ୍ୟାୟାଧୀଶମାନେ କାହିଁକି ଏପରି ଉତ୍ତେଜନା ପ୍ରକାଶ କରିଦେଲେ, ସେ ଜାଣନ୍ତି। ସେ ସବୁର ଉଲ୍ଲେଖ ଅନାବଶ୍ୟକ। ଏ ସବୁ ଘଟଣାରେ ପୀଠ ଓ ଗାଦି ସବୁ, ଔଷଧ ତମାଦି ପରି ପ୍ରଭାବ ତମାଦିର ଶିକାର ହୋଇଛନ୍ତି ବୋଧେ। ସୁପ୍ରିମକୋର୍ଟଙ୍କ ଏ ମତାମତ, କ୍ରୋଧ ପ୍ରକାଶରେ ସୁପ୍ରିମକୋର୍ଟ ନୂପୁରଙ୍କୁ ଦୋଷୀ ଖୋଲାଖୋଲି ଘୋଷଣା କରି ଦେଶର ସମସ୍ତ ଅଦାଲତକୁ ହୁଲିଆ ଜାରି ଭଳି ଅବସ୍ଥା ସୃଷ୍ଟି କରିଦେଲେ। ଆଉ କି ବିଚାର​ ହେବ? ସର୍ବୋଚ୍ଚ ଅଦାଲତ, ସେ ଦୋଷୀ ବୋଲି ଉଗାଳି ଦେଲେ। ଏବେ କୋଉ ନିମ୍ନ ଅଦାଲତ ଏକୁ ଲଙ୍ଘିବ, ଦ୍ବିରୁକ୍ତି କରିବ? ତାଙ୍କ ଓକିଲ ମୋକଦ୍ଦମା ବି ପ୍ରତ୍ୟାହାର ସିନା କଲେ, ଘଟଣାଟା ତାଙ୍କ ପାଇଁ ‘‘ଦାସେ ଯାଇଥିଲେ ଫାଣ୍ଡିକୁ, ଗୋଜ ଆଣିଥିଲେ ପଛକୁ’’ ବୋଲି ଦେଶବାସୀ ବି ଅନୁଭବ କରୁଥିବେ। ଜୟ ଜଗନ୍ନାଥ।

Comments are closed.