www.samajalive.in
Saturday, December 13, 2025
26.1 C
Bhubaneswar

ଆତ୍ମନିର୍ଭର ଅର୍ଥନୀତିର ବାସ୍ତବତା

କୌଣସି ମଣିଷ ସ୍ୱୟଂସମ୍ପୂର୍ଣ୍ଣ ଏକ ବିଚ୍ଛିନ୍ନ ଦ୍ୱୀପ ପରି ନୁହେଁ। ଅର୍ଥନୀତି କ୍ଷେତ୍ରରେ ମଧ୍ୟ ସେହି ସମାନ କଥା କୁହାଯାଇପାରେ। କୌଣସି ଅର୍ଥନୀତି ବିଚ୍ଛିନ୍ନ ଦ୍ୱୀପ ପରି ରହିପାରିବ ନାହିଁ। ଅର୍ଥାତ୍‍ ଏହାକୁ କେବେହେଲେ ‘ସ୍ୱୟଂସମ୍ପୂର୍ଣ୍ଣ’ କୁହାଯାଏନା। ସେହି ଦିଗରୁ ଦେଖିଲେ ଆତ୍ମନିର୍ଭରତା (ବା ସ୍ୱନିର୍ଭର ଭାରତ)ର ଅର୍ଥ ସ୍ୱୟଂସମ୍ପୂର୍ଣ୍ଣତା ହୋଇପାରେନା। ଆତ୍ମନିର୍ଭରତା ସମ୍ପର୍କରେ ଜବାହରଲାଲ ନେହେରୁଙ୍କ ପ୍ରଚେଷ୍ଟା ଯେତେବେଳେ ଏହାର ସର୍ବୋଚ୍ଚ ସୀମାରେ ଅବସ୍ଥାନ କରିଥିଲା, ସେତେବେଳେ ମଧ୍ୟ ଭାରତକୁ ଯନ୍ତ୍ରପାତି, ପୁଞ୍ଜିଠାରୁ ଆରମ୍ଭ କରି ପ୍ରଯୁକ୍ତି, ଯୁଦ୍ଧାସ୍ତ୍ର ଏପରି କି କଲମ ପର୍ଯ୍ୟନ୍ତ ମଧ୍ୟ ଆମଦାନୀ ହେଉଥିଲା। ଦେଶଜ ଉତ୍ପାଦନରେ ସ୍ଥବିରତା ଦେଖାଦେଲେ ଆମଦାନୀ ନିର୍ଭରତା ବୃଦ୍ଧି ପାଏ। ଏପରି କି ଆଜି ମଧ୍ୟ ଦେଶର ସବୁଠାରୁ ‘ଆତ୍ମନିର୍ଭର’ ପ୍ରତିରକ୍ଷା ଏବଂ ମହାକାଶ ଗବେଷଣାର ପ୍ରକଳ୍ପ ଲକ୍ଷ୍ୟଣୀୟ ଭାବେ ଆମଦାନୀ ଉପରେ ନିର୍ଭରଶୀଳ। ତେଜସ୍‍ ଯୁଦ୍ଧ ବିମାନର ଇଞ୍ଜିନ ଆମେରିକାର ଜେନେରାଲ ଇଲେକ୍ଟ୍ରିକ୍‍ ପରି ଆମେରିକୀୟ ବହୁରାଷ୍ଟ୍ରୀୟ ସଂସ୍ଥା ନିର୍ମାଣକାରୀ। ଇଣ୍ଡିଆନ ସ୍ପେସ୍‍ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ)ର ଉପଗ୍ରହ ସଂକ୍ରାନ୍ତ ଆମଦାନୀ ୫୦-୫୫ ପ୍ରତିଶତ। ଦେଶର ପାରମାଣବିକ ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡ଼ିକ ଅତିମାତ୍ରାରେ ଆମଦାନୀକୃତ ୟୁରାନିୟମ ଉପରେ ନିର୍ଭର କରିଥାଏ। ଆଉ ଯଦି ଖଣିଜ ତେଲର କଥା ବିଚାରକୁ ନିଆଯାଏ, ସେ କ୍ଷେତ୍ରରେ ଆମଦାନୀ ପରିମାଣ ପ୍ରାୟ ୮୫ ପ୍ରତିଶତ।

ନୀତିଗତ ଭାବେ ‘ଆତ୍ମନିର୍ଭରତା’ ବିଷୟଟିର ଯଥାଯଥ ଯତ୍ନର ସହ ବିଶଦ ବ୍ୟାଖ୍ୟାର ବା ତା’ର ସଂଜ୍ଞା ନିର୍ଦ୍ଧାରଣର ଆବଶ୍ୟକତା ରହିଛି। ଏହି କାର୍ଯ୍ୟଟି ସରକାରଙ୍କ ମନ୍ତ୍ରୀମାନେ କରିବେ, ଏଭଳି ଆଶା କରିବା ଭୁଲ୍‍। ଏହାର ଅର୍ଥ କ’ଣ କୌଶଳଗତ ଦିଗରୁ ଆମଦାନୀ ନିର୍ଭରତା କମାଇ ଆଣିବା? ଏହି ମୁହୂର୍ତ୍ତରେ ରୁଷିଆ ଉପରେ ଯେଉଁସବୁ ଅର୍ଥନୈତିକ କଟକଣା ଚାପି ଦିଆଯାଇଛି, ତା’ର ଉଦ୍ଦେଶ୍ୟ ହେଉଛି ରୁଷିଆକୁ ୟୁକ୍ରେନ ଆକ୍ରମଣରୁ ଓହରିଯିବାକୁ ବାଧ୍ୟ କରିବା। ପରିସ୍ଥିତି ଅନୁଯାୟୀ ଏହି ସଂଜ୍ଞା ବା ବ୍ୟାଖ୍ୟା ନିର୍ଦ୍ଧାରିତ ହେବ। ଗୋଟିଏ ଦିଗରୁ ଦେଖିଲେ, ୧୯୬୦ ଦଶକରେ ଆମେରିକାର ପ୍ରେସିଡେଣ୍ଟ ଲିଣ୍ଡନ ଜନସନ ଏକ ଦୁର୍ଭିକ୍ଷ ପରିସ୍ଥିତିରେ ଗହମ ଯୋଗାଣ କମାଇ ଭାରତକୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରିଥିଲେ। ସେତେବେଳେ ‘ସବୁଜ ବିପ୍ଳବ’ ଦେଶକୁ ସେହି ଦୁର୍ଦଶାରୁ ରକ୍ଷା କରିଥିଲା। ଅନ୍ୟ ଦିଗରେ ଇଲେକ୍ଟ୍ରୋନିକ୍‍ ଚିପ୍‍ ବା ସୌର ବିଦ୍ୟୁତ୍‍ ଉତ୍ପାଦନର ପ୍ୟାନେଲ ପରି ଆତ୍ମନିର୍ଭର ପ୍ରକଳ୍ପ କାର୍ଯ୍ୟତଃ କିନ୍ତୁ ସରବରାହ ଅର୍ଥନୀତିର ଆନ୍ତର୍ଜାତିକ ଶୃଙ୍ଖଳା ସହ ଦେଶର ଦ୍ରୁତତର ସଂଯୋଗର କଥା କହେ। ସେ ଦିଗରୁ ଦେଖିଲେ ଦେଶଜ ଉତ୍ପାଦନ କେନ୍ଦ୍ରଗୁଡ଼ିକର ଦୁର୍ବଳତା ଏବଂ ବିଶେଷ କ୍ଷେତ୍ରରେ ଆମଦାନୀ ଉପରେ ନିର୍ଭରତାର ବିଷୟ ପ୍ରକଟ ହୋଇଉଠିଛି। ଉଦାହରଣ ସ୍ୱରୂପ କୁହାଯାଇପାରେ, ପାକିସ୍ତାନ ଚୀନର ସହାୟତାରେ ଏହାର ଜେଏଫ-୧୭ ଯୁଦ୍ଧ ବିମାନ ନିର୍ମାଣ କରେ। ସେହି ସୂତ୍ର ଧରି ଇସଲାମାବାଦକୁ ବେଜିଂ ଉପରେ କମ୍‍ ବା ବେଶି ନିର୍ଭରଶୀଳ କୁହାଯାଇପାରିବ ଏବଂ ପ୍ରତିରକ୍ଷା ସଂକ୍ରାନ୍ତ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ବିଷୟଟିକୁ ଯଥାସମ୍ଭବ କୁହାଯାଇପାରିବ ଯେତେବେଳେ ଯୋଗାଣ ଅତ୍ୟନ୍ତ ଧୀର ଗତି ସମ୍ପନ୍ନ।

- Advertisement -

ଏକ ପୁରୁଣା ଇଂରାଜୀ କବିତାରେ ବର୍ଣ୍ଣିତ ହୋଇଛି, କିଭଳି ଗୋଟିଏ ମାତ୍ର ପିରିଖ କଣ୍ଟା ଅଭାବରୁ ଗୋଟିଏ ସଂପୂର୍ଣ୍ଣ ରାଜ୍ୟ ହରାଇବାକୁ ପଡ଼ିଥିଲା; କାରଣ ଘୋଡ଼ା ଗୋଡ଼ରେ ପଟି ଲଗାଇବାକୁ ଗଲେ ପିରିଖର ପ୍ରୟୋଜନ। ସେହି ଘୋଡ଼ା ପିଠିରେ ବସି ଅଶ୍ୱାରୋହୀ ଯୋଦ୍ଧାମାନେ ଯୁଦ୍ଧ କରିବାକୁ ଯାଉଥିଲେ। ପିରିଖ ନ ମିଳିବାରୁ ଅଶ୍ୱାରୋହଣ ଅସମ୍ଭବ ହୋଇପଡ଼ିଲା ଏବଂ ଅନିବାର୍ଯ୍ୟ ଭାବେ ଯୁଦ୍ଧରେ ରାଜ୍ୟଟି ପରାଜିତ ହେଲା ଏବଂ ରାଜ୍ୟ ଶାସନ ହାତରୁ ଚାଲିଗଲା। ଆଜି ହୁଏତ ପିରିଖ ଯୋଗାଡ଼ କରିବା ସେଭଳି କଷ୍ଟକର କାର୍ଯ୍ୟ ନୁହେଁ; କିନ୍ତୁ କ୍ଷୁଦ୍ର ଇଲେକ୍ଟ୍ରୋନିକ ଚିପ୍‍ ଅଭାବରେ ମୋଟରଗାଡ଼ି ଶିଳ୍ପ ବିପର୍ଯ୍ୟସ୍ତ ହୋଇପଡ଼ିବାକୁ ବାଧ୍ୟ। ଆଗାମୀ ସମୟରେ କୋବାଲ୍ଟ ବା ଲିଥିୟମର ଅଭାବରେ ବ୍ୟାଟେରି ନିର୍ମାଣରେ ଅସୁବିଧା ନ ହେବ କାହିଁକି? ‘ଫୁଲ୍‌ ଭ୍ୟାଲୁଚେନ’ ବା ଧାରଣାଗତ ପର୍ଯ୍ୟାୟଠାରୁ କୌଣସି ବସ୍ତୁକୁ ସାକାର ରୂପଦାନର ଯେଉଁ ଶୃଙ୍ଖଳାବଦ୍ଧ ପଦ୍ଧତି, ତାହା କୌଶଳ ସଙ୍ଗେ ସଙ୍ଗେ ନିଜକୁ ଖାପ ଖୁଆଇ ନେବା ଅସମ୍ଭବ। ବାଣିଜ୍ୟ କ୍ଷେତ୍ରରେ ଭାଗୀଦାରିତା ଉପରେ ନିର୍ଭରଶୀଳତା ଆଧୁନିକ ଅର୍ଥନୀତିର ଅଙ୍ଗବିଶେଷ। ଏ ବିଷୟରେ ଆଉ ଏକ ସମ୍ଭାବ୍ୟ ଯୁକ୍ତି ହେଉଛି, ଶତ୍ରୁଭାବାପନ୍ନ ଚୀନ ଉପରେ ନିର୍ଭରଶୀଳତା କମାଇ ଭାରତ ପାଇଁ ଅନ୍ୟତ୍ର ସରବରାହକାରୀଙ୍କ ଅନୁସନ୍ଧାନ। ସବୁ ପ୍ରକାରର ଦ୍ରବ୍ୟର ସରବରାହରେ ଚୀନର ଏକଚାଟିଆ ଆଧିପତ୍ୟ ନାହିଁ; କିନ୍ତୁ କୁହାଯାଏ ଯେ, ସରବରାହର ପରିଧିରେ ଚୀନ ସବୁଠାରୁ ବଡ଼ ପ୍ରତିଯୋଗୀ ମନୋଭାବାପନ୍ନ। ପଣ୍ୟ-ବାଣିଜ୍ୟ କ୍ଷେତ୍ରରେ ତେଲ ସମୃଦ୍ଧ ନୁହେଁ, ଏଭଳି ଦେଶଗୁଡ଼ିକ ତୁଳନାରେ ଭାରତରେ ଉଦ୍‍ବୃତ୍ତର ପରିମାଣ ବେଶି। ଯେତେବେଳେ କେହି ଦ୍ରବ୍ୟ ଓ ପରିସେବା ସଂକ୍ରାନ୍ତ ବାଣିଜ୍ୟିକର ବୃହତ୍ତର ପରିସରରେ ଦେଖିବାକୁ ଚାହିଁବେ, ସେତେବେଳେ ଦେଖାଯାଏ ଦେଶର ସାମ୍ପ୍ରତିକ ନିଅଣ୍ଟ କିନ୍ତୁ ନିରାପଦ ସୀମାରେ ରହିଛି।

ନିଅଣ୍ଟ ପୂରଣରେ ମୋଟ ପୁଞ୍ଜିର ପ୍ରବାହ ଯଥେଷ୍ଟ ବେଶି। ଭାରତର ଶକ୍ତି ଉତ୍ପାଦନ ସଂକ୍ରାନ୍ତ ଅଭାବ ରହିଛି। ଏହା ସହ ରହିଛି ଚୀନ ଉପରେ ନିର୍ଭରତାର ସମସ୍ୟା; କିନ୍ତୁ ବୃହତ୍ତର ବାଣିଜ୍ୟ ସଂକ୍ରାନ୍ତ କୌଣସି ସମସ୍ୟା ଦେଶକୁ ଭୋଗିବାକୁ ପଡ଼ି ନାହିଁ। ଏହା ସତ୍ୟ ଯେ ଭାରତରେ ପଣ୍ୟ ଉତ୍ପାଦନଗତ କର୍ମକ୍ଷମତା ସମସ୍ୟାମୁକ୍ତ ନୁହେଁ ଏବଂ ଦେଶଜ ସାମର୍ଥ୍ୟକୁ ଉନ୍ନୀତ କରିବା କ୍ଷେତ୍ରରେ ଦେଶରେ ବହୁତ ସମସ୍ୟା ରହିଛି। ଏଠାରେ “ପ୍ରଡକ୍ଟଭିଟି ଲିଙ୍କ୍‍ଡ ଇନ୍‍ସେନ୍‍ଟିଭ୍‍ସ” (ପିଏଲଆଇ) ପ୍ରକଳ୍ପ (ଯେଉଁ ପ୍ରକଳ୍ପ ଦ୍ୱାରା ବିଦେଶୀ ବିନିଯୋଗ ଦ୍ୱାରା ଦେଶ ଭିତରେ କର୍ମୀ ନିୟୋଗ ଏବଂ ଏହା ସହ ଦେଶଜ ତଥା ଆଞ୍ଚଳିକ ଉତ୍ପାଦନ ଦ୍ୱାରା ଅର୍ଥନୀତିର କ୍ଷୁଦ୍ରତମ ସ୍ତରରେ କର୍ମନିଯୁକ୍ତି ବିଷୟରେ ଭାରତ ସରକାର ​‌େ​‌ପ୍ରାତ୍ସାହନ ଦିଏ) ପ୍ରସଙ୍ଗଟି ଆସେ। ଯଦି ପ୍ରତିବର୍ଷ ୫୦ ହଜାର କୋଟି ଟଙ୍କା ଦେଶର ଅଭ୍ୟନ୍ତରରେ ଉତ୍ପାଦନ ସହାୟକ ପରିସ୍ଥିତି ସୃଷ୍ଟିର କାର୍ଯ୍ୟରେ ପାଞ୍ଚବର୍ଷ ବ୍ୟୟ କରାଯାଏ, ତା’ହେଲେ ସେହି ଅଙ୍କଟିକୁ କେହି ‘ବିପୁଳ’ ବୋଲି ଦେଖିବା ଠିକ୍‍ ନୁହେଁ। ଏହାର ବିପଦ ରହିଛି ଅନ୍ୟ ଦିଗରେ। ବିଷୟଟିକୁ ଯଥାଯଥ ପ୍ରମାଣ କରିବାକୁ ଆଞ୍ଚଳିକ ସ୍ତରରେ ଯେଉଁ ଗୁଣଗତ ମାନର ସଂଯୁକ୍ତୀକରଣ ପ୍ରୟୋଜନ, ତାହାର ପରିମାଣ ଅନୁଦାନ (ସବ୍‍ସିଡି) ତୁଳନାରେ ନଗଣ୍ୟ। ଆମଦାନୀ ସଂକ୍ରାନ୍ତ ସୁବିଧାଭୋଗୀ ସମ୍ପ୍ରଦାୟ ଯେ ପରିବର୍ତ୍ତିତ ଅନୁଦାନ-ସମୟସୀମାର ସୁଫଳ ଭୋଗ କରେ, ଯେଉଁମାନେ କର କ୍ଷେତ୍ରରେ ଛାଡ଼ ପାଆନ୍ତି। ସେମାନେ ବାଣିଜ୍ୟର ଉଦାରୀକରଣ ପ୍ରକ୍ରିୟାକୁ ଓଲଟାଇ ଦେଇପାରନ୍ତି। ଏହିସବୁ ବିପଦର ଗୋଟିଏ ବା ବେଶ କେତୋଟି ଇତିମଧ୍ୟରେ ଦେଖିବାକୁ ମିଳୁଛି।

ବୃହତ୍ତର ଅର୍ଥନୀତି କ୍ଷେତ୍ରରେ ଯେଉଁ ବିପଦଟି ଅଛି ତାହା ହେଲା ଏ ଧରଣର ସମାଲୋଚନା ନୀଚ ମହଲରୁ ଆରମ୍ଭ କରି ଉଚ୍ଚ ମହଲ ପର୍ଯ୍ୟନ୍ତ ଯାବତୀୟ ସରବରାହକୁ ଜନସମ୍ମୁଖକୁ ନେଇ ଆସିବ ଏବଂ ଏହା ଫଳରେ ଅନିବାର୍ଯ୍ୟ ଭାବରେ ଦେଖାଦେବ ଏକ ପ୍ରତିଯୋଗିତାବିହୀନ ପରିସ୍ଥିତି ଯାହା କାର୍ଯ୍ୟତଃ ଆତ୍ମନିର୍ଭରତାର ସଂପୂର୍ଣ୍ଣ ବିପରୀତ ମେରୁରେ ଅବସ୍ଥାନ କରେ। କିଛିଦିନ ପୂର୍ବରୁ ଏଭଳି ପରିସ୍ଥିତି ଦେଖାଦେଇଥିଲା ଏବଂ ତାହା ପୁଣି ଦେଖାଦେଇପାରେ। ପିଏଲଆଇ ବିରୁଦ୍ଧରେ ଆଉ ଏକ କଥା କୁହାଯାଏ। ଏହି ପ୍ରକଳ୍ପ ମୂଳଧନ ନିବିଡ଼ କ୍ଷେତ୍ରଗୁଡ଼ିକୁ ଗୁରୁତ୍ୱ ଦେଇଥାଏ, ଯାହା ମଧ୍ୟରେ ପୁଣି ଦ୍ରୁତ ଅପ୍ରଚଳିତ ହୋଇପଡ଼ିବାର ଜଟିଳତା ଭଲ ଭାବରେ ରହିଛି। ଫଳରେ ପ୍ରଯୁକ୍ତି ଏବଂ ଯନ୍ତ୍ରପାତି, ଉଭୟର ପୁନଃନବୀକରଣର ଆବଶ୍ୟକତା ସର୍ବଦା ରହିଥାଏ। ଶ୍ରମ ନିବିଡ଼ କ୍ଷେତ୍ରଗୁଡ଼ିକରେ ବୃହତ୍ତର ହାରରେ ଏବଂ ସୁପରିକଳ୍ପିତ କ୍ଷେତ୍ରଗୁଡ଼ିକରେ କର୍ମନିଯୁକ୍ତିର ବିଷୟଟି କ୍ରମେ କ୍ରମେ ନିସ୍ତେଜ ହୋଇପଡ଼ିଛି। ଏହି ଦୁଇ ସମସ୍ୟା ମଧ୍ୟରେ (ବାଣିଜ୍ୟିକ କ୍ଷତି ଓ କର୍ମନିଯୁକ୍ତିହୀନତା) ଭାରତ ପାଖରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦ୍ୱିତୀୟଟି। କୌଶଳଗତ ଆତ୍ମନିର୍ଭର ସଂକ୍ରାନ୍ତ ବିଷୟରେ ପିଏଲଆଇର ସନ୍ଧାନ କାର୍ଯ୍ୟରେ ସମ୍ଭବ ଓ ଅସମ୍ଭବର ପ୍ରଶ୍ନଟି ଯେପରି ଲୁଚି ନ ଯାଏ ସେ ବିଷୟରେ ସଜାଗ ରହିବାକୁ ହେବ। ଜଗତୀକରଣ, ଉଦାରୀକରଣ ଯୁଗରେ ଆତ୍ମନିର୍ଭର ଅର୍ଥନୀତି ସତ୍ୟଠାରୁ ବହୁ ଦୂରରେ, ଏକ ନିଚ୍ଛକ ପ୍ରଚାର ସର୍ବସ୍ୱ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories