www.samajalive.in
Friday, December 12, 2025
19.1 C
Bhubaneswar

ଅହିଂସା ଏକ ବିରଳ ବିଭବ

ଭାରତୀୟ ସଂସ୍କୃତିରେ ହିଂସାକୁ ତିନିଭାଗରେ ବର୍ଗୀକୃତ କରାଯାଇଛି। ଆରମ୍ଭଜା, ବିରୋଧଜା ଓ ସଂକଳ୍ପଜା ହିଂସା। ଜୀବନ ଧାରଣ ନିମନ୍ତେ ଆରମ୍ଭଜା ହିଂସା କରିବା ପାଇଁ ଆମ୍ଭେ ବାଧ୍ୟ ହୋଇଥାଉଁ। ଅନ୍ନ, ବସ୍ତ୍ର, ବାସଗୃହ, ଶିକ୍ଷା, ଚିକିତ୍ସା ଆଦି ମଣିଷର ମୌଳିକ ଆବଶ୍ୟକତାର ପୂର୍ତ୍ତିପାଇଁ ପୃଥ୍ୱୀକାୟିକ, ବାୟୁକାୟିକ, ଜଳକାୟିକ, ଅଗ୍ନିକାୟିକ ଓ ବନସ୍ପତିକାୟିକ ଜୀବର ହିଂସା କରିବା ଅନିବାର୍ଯ୍ୟ ହୋଇପଡ଼େ। ସେହିଭଳି ଆତ୍ମରକ୍ଷା, ମାତୃଭୂମିର ସୁରକ୍ଷା ସକାଶେ ବିରୋଧଜା ହିଂସା ବି ଆବଶ୍ୟକ ହୋଇଥାଏ। ମଣିଷ ବିବଶ ହୋଇ ଏହି ଦୁଇ ପ୍ରକାର ଆଚରଣ କଲେ ମଧ୍ୟ ଏହା ନିଶ୍ଚିତ ଭାବରେ ହିଂସା, ଅହିଂସା ନୁହେଁ। ତେବେ ତୃତୀୟ ଶ୍ରେଣୀର ସଂକଳ୍ପଜା ହିଂସାରୁ ଆମେ ନିଜକୁ ସୁରକ୍ଷିତ ରଖିବାର ପ୍ରଯତ୍ନ କରିବା ଉଚିତ। ସଚେତନ ସ୍ତରରେ କ୍ରୂରତାର ସହିତ ଅନ୍ୟର ଅନିଷ୍ଟ କରିବା,କଠୋର ବଚନଦ୍ୱାରା ଅନ୍ୟକୁ ଆଘାତ ଦେବା କିମ୍ବା ମାନସିକ ସ୍ତରରେ ବି ଅନ୍ୟର ଅହିତ ଚିନ୍ତନ କରିବା ପ୍ରକ୍ରିୟାରୁ ବିରତ ରହିପାରିଲେ ଏହି ହିଂସାଠାରୁ ଆମେ ମୁକ୍ତ ହୋଇପାରିବା। ମାନସିକ, ବାଚିକ ଓ କାୟିକ ପୃଷ୍ଠଭୂମିରେ ହିଂସା କିମ୍ବା ଅହିଂସା ସାର୍ଥକ ହୋଇଥାଏ – ଏହା ମନେ ରଖିବାକୁ ହେବ। ମହାଭାରତରେ କୁହାଯାଇଛି –

ଅହିଂସା ପରମୋ ଧର୍ମସ୍ତଥାହିଂସା ପରୋ ଦମଃ
ଅହିଂସା ପରମଂ ଦାନମହିଂସା ପରମଂ ତପଃ।
ଅହିଂସା ପରମୋ ଯଜ୍ଞସ୍ତଥାହିଂସା ପରମଂ ଫଳମ୍‍
ଅହିଂସା ପରମଂ ମିତ୍ରମହିଂସା ପରମଂ ସୁଖମ୍‍।”
(ଅନୁଶାସନ ପର୍ବ, ୧୧୬/୨୮-୨୯)

- Advertisement -

ଅର୍ଥାତ୍‌ ଅହିଂସା ପରମ ଉତ୍କୃଷ୍ଟ ଧର୍ମ, ପରମ ସଂଯମ, ପରମ ଦାନ, ପରମ ତପ , ପରମ ଯଜ୍ଞ, ପରମ ଫଳ, ପରମ ମିତ୍ର, ଏବଂ ଅହିଂସା ହିଁ ହେଉଛି ପରମ ସୁଖ। ମନରୁ କାହାରି ଅମଙ୍ଗଳ ନ ପାଞ୍ଚିବା ଏବଂ ‘ସର୍ବେ ଭବନ୍ତୁ ସୁଖିନଃ’ଭିତରେ ନିଜେ ବି ସୁଖୀ ରହିପାରୁଥିବାର ଉଦାତ୍ତ ଭାବନା ସନ୍ନିହିତ ଏହି ବିଶ୍ୱାସ ଆମକୁ ଅହିଂସକ କରିଥାଏ। ଆଜିକାଲି ବାଣୀଜନ୍ୟ ହିଂସାର ସାମ୍ରାଜ୍ୟ ସୁଦୂର ପ୍ରସାରିତ। ବିନା ପ୍ରୟୋଜନରେ ଆମେ ସାବଦ୍ୟ ଅସଂଯତ ଭାଷାର ପ୍ରୟୋଗ କରି ଅନ୍ୟମାନଙ୍କୁ କ୍ଷତାକ୍ତ କରି ଚାଲିଛୁଁ। ସତ୍ୟ, ପ୍ରିୟ, ସୀମିତ ଓ ହିତକର କଥା କହିବାଟା ଆମେ ପାସୋରି ଦେଲୁଣି। ଅହଂକାର ଓ ମମକାର (ଅର୍ଥାତ୍‍ ମୁଁ ଓ ମୋର)ର କ୍ଷୁଦ୍ର ସମ୍ବଳ ଲଭି ନିଜକୁ ସର୍ବନିୟନ୍ତା ଭାବି ନେଇଛୁଁ। କାୟିକ ହିଂସା ବା ‘physical Violence’ କହିଲେ ଆମ କର୍ମ ବା କ୍ରିୟାରେ ହିଂସାର ରୂପାୟନକୁ ବୁଝାଇଥାଏ।

ଅଭାବ, ଅନାହାର, ଅସୁରକ୍ଷା ଭାବ, ବିଷମତା, ପ୍ରତିଶୋଧ ମନୋବୃତ୍ତି ଆଦି ବି ହିଂସାବୃଦ୍ଧିର ସହାୟକ ତତ୍ତ୍ୱ ଅଟନ୍ତି। ମନୋବିଜ୍ଞାନ ଅନୁସାରେ ମନୁଷ୍ୟର ଚିନ୍ତନ ଯଦି ନେଗେଟିଭ ହୁଏ ଏବଂ ତା’ ଜୀବନରେ ଉତ୍ସବର ଉଲ୍ଲାସ ଲିଭିଯାଏ, ସେହି ଲୋକ ହିଂସ୍ର ହେବାଟା ସାର। ହିଂସାର ପର୍ଯ୍ୟାୟବାଚୀ ଅନେକ ଶବ୍ଦ ଯଥା ହନନ, ବଧ, ଅପକାର, ପରପୀଡ଼ନ ଆଦି ହୋଇପାରନ୍ତି; କିନ୍ତୁ ଅହିଂସାର ପର୍ଯ୍ୟାୟବାଚୀ ଶବ୍ଦ ନାହିଁ କହିଲେ ଚଳେ। ପବିତ୍ର ବାଇବେଲରେ ଯିଶୁ କହନ୍ତି – ‘Thou shalt not Kill’ କାହାକୁ ମାର ନାହିଁ, ହିଂସାରୁ ବିରତ ହୁଅ। ଶସ୍ତ୍ରୀକରଣ, ଆତଙ୍କ ଏବଂ ନିରପରାଧ ଜୀବର ହତ୍ୟାର ଲୌହାବରଣକୁ ଛିନ୍ନ କରିପାରିଲେ ଅହିଂସାର ଅଙ୍କୁରଣ ସମ୍ଭବ ହୋଇଥାଏ। ଚରମ ଭୋଗବାଦ, ଯୁଦ୍ଧଲିପ୍‍ସା ଏବଂ ସଂକୀର୍ଣ୍ଣସ୍ୱାର୍ଥର ମୂଳଦୁଆ ଉପରେ ପ୍ରତିଷ୍ଠିତ ସଭ୍ୟତା ଭସ୍ମାସୁରମାନଙ୍କୁ ଉତ୍ପନ୍ନ କରିଥାଏ। ପାରିବାରିକ କଳହ, ମାନବୀୟ ସମ୍ବନ୍ଧରେ କଟୁତା, ଜାତିଗତ ସଂଘର୍ଷ, ସାଂପ୍ରଦାୟିକ ବିବାଦ, କ୍ଷେତ୍ରୀୟ ବିବାଦ ଏବଂ ସହାନବସ୍ଥାନ(ତୁମେ ରହିବ ନତୁବା ମୁଁ ରହିବି, ଦୁହେଁ ନୁହେଁ)ଆଦି ହେଉଛନ୍ତି ହିଂସାର ପ୍ରାରମ୍ଭିକ ରୂପ। ତେବେ ହିଂସା ମଣିଷର ସ୍ୱଭାବ ନୁହେଁ, ଏହା ହେଉଛି ବିଭାବ। ପ୍ରତ୍ୟହ ହିଂସା କରି ଜଣେ ଥକି ପଡ଼ିବ ଅଥଚ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅହିଂସା ଆଚରଣ ସହଜରେ କରାଯାଇ ପାରିବ। ମଣିଷ ସଂସାରର ସମସ୍ତ ଜୀବଙ୍କୁ ନିଜ ଜୀବଦ୍ଦଶା ମଧ୍ୟରେ ମାରି ନଥାଏ, କିନ୍ତୁ ସେମାନଙ୍କୁ ନ ମାରିବାର ସଂକଳ୍ପ ସ୍ୱୀକାର ନକରିବା ଯାଏ ତା’ର ଅହିଂସା ଅପରିପକ୍ୱ ରହିଥାଏ, ସିଦ୍ଧ ହୋଇପାରେ ନାହିଁ। ବାଲ୍ୟକାଳରୁ ତ୍ୟାଗର ଚେତନା, ବ୍ରତ ସ୍ୱୀକାର କରିବାର ସଂସ୍କାର ଜାଗ୍ରତ କରିବାକୁ ହେବ। ତ୍ୟାଗ ଭାବ ଆମ ଭିତରେ ପ୍ରତିପିଣ୍ଡ ବା ‘Anti Body’ କାମ କରିଥାଏ।

୧୯୮୭ ମସିହା। ଜୈନ ସାଧ୍ୱୀଶ୍ରୀ ପିସ୍ତାଜୀ ନିଜ ସହବର୍ତ୍ତିନୀ ସାଧ୍ୱୀତ୍ରୟ ସହିତ ବଲାଙ୍ଗିର ଜିଲାର ତୁଷରା ଗାଆଁରେ ଚାତୁର୍ମାସ୍ୟା ପାଳନ କରୁଥାନ୍ତି। ଜୈନ ସାଧୁସାଧ୍ୱୀମାନେ ବର୍ଷା ଚାରିମାସ (ଶ୍ରାବଣ,ଭାଦ୍ରବ,ଆଶ୍ୱିନ ଓ କାର୍ତ୍ତିକ) ସାଧାରଣତଃ ଗୋଟିଏ ସ୍ଥାନରେ ଅବସ୍ଥାନ କରିଥାନ୍ତି। ଅବଶିଷ୍ଟ ମାସଗୁଡ଼ିକ ପଦଯାତ୍ରା ମାଧ୍ୟମରେ ଗ୍ରାମାନୁଗ୍ରାମ ବିହରଣ କରି ଲୋକଙ୍କୁ ସଦାଚାର ପାଇଁ ପ୍ରେରିତ କରନ୍ତି। ଚାତୁର୍ମାସ୍ୟା ସଂପନ୍ନ ହେବାକୁ ଥାଏ। ପ୍ରବୁଦ୍ଧ ଶ୍ରୋତାମାନଙ୍କ ଉପସ୍ଥିତିରେ ଦିନେ ସାଧ୍ୱୀଶ୍ରୀ ପ୍ରବଚନ କରୁଥାନ୍ତି। ପ୍ରସଙ୍ଗବଶତଃ କହିଲେ – ଆପଣମାନେ ଜୀବନରେ ଯେତେ ପ୍ରକାର ବନସ୍ପତି ଜାତୀୟ ଶସ୍ୟ,ପତ୍ର,ଫଳ,ପୁଷ୍ପ ଆଦି ବ୍ୟବହାର କରିଥାନ୍ତି , ତା’ର ଏକ ତାଲିକା ପ୍ରସ୍ତୁତ କରି ଏକ ସପ୍ତାହ ମଧ୍ୟରେ ଆଣନ୍ତୁ। ସପ୍ତାହାନ୍ତେ ସମସ୍ତଙ୍କ ଲିଷ୍ଟ ଆସିଲା। ଜଣେ ୧୬୪ ପ୍ରକାର ଉଦ୍ଭିଦଜ ସାମଗ୍ରୀର ତାଲିକା ଦେଇଥାନ୍ତି। ବାକିମାନଙ୍କ ତା’ଠାରୁ କମ୍‍ ଥାଏ। ସାଧ୍ୱୀଶ୍ରୀ କହିଲେ – ଆଉ ୨୪ ଘଣ୍ଟା ଦେଉଛି। ଗଭୀର ଚିନ୍ତନ କରନ୍ତୁ। ତାଲିକା ବଢ଼ିପାରେ। ପରଦିନ କାହାର ଗୋଟିଏ ଦିଇଟି ସାମଗ୍ରୀ ବଢ଼ିଥାଏ। ଏବେ ସାଧ୍ୱୀଶ୍ରୀ ଗୋଟିଏ ଅଦ୍ଭୁତ କଥା କହିଲେ – ଆପଣମାନଙ୍କ ନିଜ ନିଜ ତାଲିକାରେ ଉଲ୍ଲିଖିତ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ବନସ୍ପତିକାୟ ଜୀବର ସେବନକୁ ଆଜୀବନ ତ୍ୟାଗ କରିବାର ସଂକଳ୍ପ ନିଅନ୍ତୁ। ଅଧିକାଂଶ ଶ୍ରୋତା ବ୍ରତଗ୍ରହଣ କରିନେଲେ। ମୁଁ ପ୍ରଶ୍ନ କଲି – ‘ଆମେ ତ’ ଏମାନଙ୍କ ବ୍ୟତୀତ ଅନ୍ୟ କିଛି ଖାଉନାହୁଁ। ସେମାନଙ୍କ ସମ୍ବନ୍ଧରେ ଆମର ଜ୍ଞାନ ମଧ୍ୟ ନାହିଁ। ତ୍ୟାଗ ପୁଣି କାହିଁ ପାଇଁ ? ସାଧ୍ୱୀଶ୍ରୀ ଏକ ବିଜ୍ଞାନସମ୍ମତ ଯୁକ୍ତି ପ୍ରଦାନକରି କହିଲେ – ‘ବନସ୍ପତି ପ୍ରଜାତି ଅସଂଖ୍ୟ, ଅସୀମିତ। ସେମାନଙ୍କ ମଧ୍ୟରେ ସ୍ୱାଭାବିକ ଆଶଙ୍କା ରହିଥାଇପାରେ ଯେ ଅମୁକ ଲୋକ ଆଜି ସିନା ମୋତେ ଖାଉନାହିଁ, ଭବିଷ୍ୟତରେ ମୋତେ ଖାଇପାରିବ। ଆମେ ଏହି ବ୍ରତଦ୍ୱାରା ତାଲିକା ବହିର୍ଭୂତ ସମସ୍ତ ବନସ୍ପତି-ଜୀବ-ଜଗତକୁ ଅଭୟ ଓ ଆଶ୍ୱସ୍ତ କରିପାରିବା।’

ଏହା ଅହିଂସାର ଏକ ସୂକ୍ଷ୍ମରୂପ। ଭଗବାନ ମହାବୀର ଆଉ ସୂକ୍ଷ୍ମତର ରୂପ ପ୍ରଦାନ କରି କହିଛନ୍ତି – ‘ଜଣେ ସାଧକ ପ୍ରମତ୍ତ ଅବସ୍ଥାରେ ଅର୍ଥାତ୍‍ ବେପରବାୟ ହୋଇ ଚଳପ୍ରଚଳ କରିବା ସମୟରେ ଜୀବଟିଏ ମରିପାରେ, ନ ମରିପାରେ ମଧ୍ୟ, କିନ୍ତୁ ସାଧକ ହିଂସାଚାର ଦୋଷରେ ଦୋଷୀ ଗଣ୍ୟହେବ। ଯଦି ସତର୍କତା ସହିତ ଚଳାଚଳ କରିଛନ୍ତି କଦାଚିତ୍‍ ଏହି ସମୟରେ କୌଣସି ଜୀବ ମରିଯାଏ,ତଥାପି ସାଧକ ହିଂସକ ବୋଲାଏ ନାହିଁ। ପ୍ରମାଦ ହେଉଛି ସାକ୍ଷାତ ହିଂସା ଏବଂ ଅପ୍ରମାଦ ହିଁ ଅହିଂସା।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories