‘ପିକେ’ମାନଙ୍କ କବଳରେ ବିକଳ ଗଣତନ୍ତ୍ର

ଜାନକୀଶ ବଡ଼ପଣ୍ଡା

ମତଦାତାଙ୍କୁ ପ୍ରାର୍ଥୀ କେତେ ମାତ୍ରାରେ ପ୍ରଭାବିତ କରିବାରେ ସଫଳ ହେଉଛନ୍ତି – ତାହା ହିଁ ବିଜୟର ମାପକାଠି। ଏହି ପ୍ରଭାବିତ କରିବାର ବିଭିନ୍ନ କଳା କୌଶଳକୁ ଜନ୍ମଦେବା ପାଇଁ ନିର୍ବାଚନ ରଣନୀତିଜ୍ଞ ଓ ପରାମର୍ଶଦାତାଙ୍କର ସୃଷ୍ଟି। ବହୁଚର୍ଚ୍ଚିତ ପ୍ରଶାନ୍ତ କିଶୋର ବା (ପି.କେ) ଓ ତାଙ୍କ ଭଳି ଅନେକ ନିର୍ବାଚନ ରଣନୀତିଜ୍ଞ ଏବେ ଭାରତର ବହୁଦଳୀୟ ଗଣତନ୍ତ୍ରର ନିର୍ବାଚନ ନିଜ ପ୍ରତିଭା ଓ ଦକ୍ଷତା ପ୍ରମାଣିତ କରିବାରେ ଲାଗି ପଡିଛନ୍ତି, ଯାହା ଆମେ ବିଗତ ଦୁଇ ଦଶନ୍ଧି ଧରି ପାଶ୍ଚାତ୍ୟ ଦେଶମାନଙ୍କରେ ଦେଖି ଆସୁଛେ।

ଏହି ପିକେମାନେ ବାସ୍ତବରେ କ’ଣ କରନ୍ତି ଓ କେଉଁ ମନ୍ତ୍ର ଫୁଙ୍କନ୍ତି ଯେ ତାଙ୍କ ନିଯୁକ୍ତିଦାତା ରାଜନୈତିକ ଦଳର ଜିତାପଟ ହୁଏ ? ବାସ୍ତବରେ ଏହି ପିକେମାନେ ସର୍ବଦା ରାଜନୈତିକ ଗତିବିଧି ଉପରେ ନଜର ରଖନ୍ତି, ସଠିକ ତଥ୍ୟ ସଂଗ୍ରହ କରି ଚାଲିଥାଆନ୍ତି ଓ ଧନୀ ତଥା ନିଜସ୍ୱ ଭୋଟବ୍ୟାଙ୍କ ଥିବା ଦଳଗୁଡ଼ିକୁ ଗ୍ରାହକ କରନ୍ତି। ସଂଗୃହୀତ ତଥ୍ୟକୁ ବିଶ୍ଳେଷଣ କରି ଖସଡ଼ା ଓ ରଣନୀତି ପ୍ରସ୍ତୁତ କରନ୍ତି। ଅନ୍ୟ ଭାଷାରେ, ନିର୍ବାଚନ କୁରୁକ୍ଷେତ୍ରରେ ପିକେମାନେ ହିଁ ଅଦୃଶ୍ୟ ସୁଦର୍ଶନଚକ୍ର, ନିଯୁକ୍ତିଦାତାଙ୍କ ନେତାମାନେ କେବଳ ଦୃଶ୍ୟମାନ ରଥୀ ଓ ମହାରଥୀ। ୨୦୧୧ ମସିହା ଠାରୁ ଆଜି ଯାଏ ବହୁଚର୍ଚ୍ଚିତ ପିକେମାନଙ୍କ ବ୍ୟବହୃତ ରଣନୀତି ଅନୁଧ୍ୟାନ କଲେ ଜାଣିହେବ ଯେ ଏମାନେ ପ୍ରଚଳିତ ରାଜନୈତିକ ବୈଷୟିକ ଜ୍ଞାନକୁ ସମ୍ମାନ ଦେଇ ନୂତନ କୌଶଳ ପ୍ରୟୋଗକରି ସମାଧାନଯୋଗ୍ୟ ସମସ୍ୟା ଚିହ୍ନଟ, ନିର୍ବାଚନୀ ସଭା-ରୋଡ ଶୋ-ଗଣଯୋଗାଯୋଗ ବ୍ୟବସ୍ଥା ନିର୍ଣ୍ଣୟ କରିଥାଆନ୍ତି। ଇଣ୍ଟରନେଟ ସହଯୋଗରେ ଯୁବ ଭୋଟରଙ୍କୁ ଯୋଡନ୍ତି ଓ ନୂତନ ଯୁବଭୋଟରଙ୍କୁ ପଞ୍ଜିକୃତ କରାନ୍ତି, ଭୋଟରଙ୍କ ସହ ଯୋଗସୂତ୍ର ବଢାଇବା ଓ ଫୋନ୍ ମାଧ୍ୟମରେ ସ୍ୱର-ବାର୍ତ୍ତା-ଭଡିଓ ପ୍ରସ୍ତୁତି ଏବଂ ପରିଚାଳନା କରନ୍ତି। ସେମାନେ ସ୍ୱେଚ୍ଛାସେବୀ ନିଯୁକ୍ତି ଦେଇ ନିର୍ବାଚନ ଯୁଦ୍ଧରେ ଅବତୀର୍ଣ୍ଣ କରାନ୍ତି ଆଗ୍ରହୀ ଯୁବବର୍ଗ ଓ ଦଳୀୟ କର୍ମୀଙ୍କୁ। ଏଥିସହିତ ମିଳୁଥିବା ତଥ୍ୟର ମୂଲ୍ୟାଙ୍କନ କରି ନିରନ୍ତର ଆବଶ୍ୟକୀୟ କୌଶଳ ପ୍ରସ୍ତୁତ କରନ୍ତି।

ଅନେକ ନିର୍ବାଚନ ପରାମର୍ଶଦାତା ଆଇଆଇଟି ଓ ଆଇଆଇଏମ ପ୍ରଶିକ୍ଷିତ ପରିଚାଳନା ବିଶେଷଜ୍ଞ ହୋଇଥିଲାବେଳେ ପ୍ରଶାନ୍ତ କିଶୋର ଜଣେ ତାଲିମପ୍ରାପ୍ତ ଜନ-ସ୍ୱାସ୍ଥ୍ୟ ପରିଚାଳକ। ପ୍ରାୟ ଆଠବର୍ଷ ମିଳିତ ଜାତିସଂଘରେ କାମ କଲାପରେ ଭାରତୀୟ ରାଜନୀତିର ଏହି ବିବାଦୀୟ ତଥା ଚମକପ୍ରଦ ବ୍ୟକ୍ତିତ୍ୱ ୨୦୧୧ ଗୁଜରାଟ ବିଧାନସଭା ନିର୍ବାଚନବେଳେ ରଣନୀତିକାର ରୂପେ ଆତ୍ମପ୍ରକାଶ କରିଥିଲେ। ଗଣମାଧ୍ୟମଠାରୁ ନିରାପଦ ଦୂରତ୍ୱ ରକ୍ଷାକରୁଥିବା ଏହି କରିତ୍‌କର୍ମା, ଚତୁର ନୀରବତା ସହ ରହିଆସୁଥିଲେ ଅଣରାଜନୈତିକ ବ୍ୟକ୍ତିସତ୍ତା ରୂପରେ। ପ୍ରାୟ ଦୁଇବର୍ଷ ୨୦୧୮-୨୦ ଯାଏ ଜେଡିୟୁ ଦଳର ପ୍ରାଥମିକ ସଦସ୍ୟ ରହିଥିଲେ ହେଁ, ତାଙ୍କୁ ସେହି ଦଳ ବହିଷ୍କାର କରିବା ଦିନୁ ଭାରତୀୟ ରାଜନୀତି ପୋଖରୀରେ ପଦ୍ମପରି ସେ ରହିଆସିଛନ୍ତି। ୨୦୧୧ରେ ଭାଜପାକୁ ଗୁଜରାଟରେ ତୃତୀୟଥର ଜିତାଇବା, ୨୦୧୪ରେ କେନ୍ଦ୍ରରେ ଭାଜପା ସରକାର ଗଢିବା, ୨୦୧୫ରେ ଜେଡିୟୁ ଗଠବନ୍ଧନକୁ ବିହାରରେ ତୃତୀୟଥର ଜିତାଇବା, ୨୦୧୭ରେ ପଞ୍ଜାବରେ ଅମରିନ୍ଦର ସିଂହଙ୍କ ନେତୃତ୍ୱରେ କଂଗ୍ରେସ, ୨୦୧୯ ଆନ୍ଧ୍ର ପ୍ରଦେଶ ନିର୍ବାଚନରେ ୱାଇଏସଆର କଂଗ୍ରେସ, ୨୦୨୦-୨୨ ମଧ୍ୟରେ ଯଥାକ୍ରମେ ଦିଲ୍ଲୀରେ ଆପ୍, ତାମିଲନାଡୁରେ ଡିଏମକେ, ପଶ୍ଚିମ ବଙ୍ଗରେ ଟିଏମସି ଓ ସଦ୍ୟସମାପ୍ତ ପଞ୍ଜାବରେ ଆପ୍ ବିଜୟଲାଭ କରିବାର ଶ୍ରେୟ ପିକେଙ୍କୁ ଦିଆଯାଏ ।

ଏହି ପିକେମାନଙ୍କ ପାଇଁ କୌଣସି ଦଳର ରାଜନୈତିକ ନୀତି ଓ ଆଦର୍ଶ ପ୍ରତି ନିଷ୍ଠାବାନ ରହିବା ଅପେକ୍ଷା ନିଜର ଗ୍ରାହକକୁ ବିଜୟୀ କରିବା ଅଧିକ ମହତ୍ତ୍ୱପୂର୍ଣ୍ଣ। ସେମାନଙ୍କ ପାଇଁ ରାଜନୀତି, ଦଳ ଓ ନିର୍ବାଚନ ପ୍ରକ୍ରିୟା ବିକ୍ରିଯୋଗ୍ୟ ଉତ୍ପାଦ ଓ ସେସବୁ ବିକ୍ରିକରିବାକୁ ସେମାନେ ବୃତ୍ତିରୂପେ ଗ୍ରହଣ କରନ୍ତି। ଦେଶର ବିଭିନ୍ନ ଅଞ୍ଚଳର ଭାଷା, ଭୂଗୋଳ ଓ ସଂସ୍କୃତି ଇତ୍ୟାଦିରେ ଭିନ୍ନତା ପିକେମାନଙ୍କ ପାଇଁ ବିଶେଷ ଫରକ ରଖେନି। ପିକେମାନେ ନୁହନ୍ତି ସାମ୍ପ୍ରଦାୟିକ ଅବା ଧର୍ମନିରପେକ୍ଷ, ବାମ ଅବା ଦକ୍ଷିଣପନ୍ଥୀ, ଗଣତନ୍ତ୍ରବାଦୀ ଅବା ରାଜତନ୍ତ୍ରପ୍ରେମୀ, ସମ୍ବିଧାନ ନିୟମବଦ୍ଧ ଅବା ନୈତିକ ଓ ନୀତିନିଷ୍ଠ। ନିଯୁକ୍ତିଦାତା ହିଁ ତାଙ୍କର ଇଶ୍ବର ଓ ଦିଅଁ ଯେପରି ଚିର ବାଳୁତ ଓ ସେଥିପାଇଁ ଭକ୍ତଙ୍କ ପରିଚାଳନାଧୀନ, ସେହି ନ୍ୟାୟରେ ନିଯୁକ୍ତିଦାତା ମଧ୍ୟ ପିକେମାନଙ୍କ ପରିଚାଳନା ସୂତ୍ର ମାନିନେବାକୁ ବାଧ୍ୟ।

ଆମ ଦେଶରେ ୧୯୫୨ ପରଠୁ ଯେତେ ଯେତେ ନିର୍ବାଚନ ସ୍ଲୋଗାନ ଭୋଟରଙ୍କୁ ପ୍ରଭାବିତ କରିଛି, ସେ ସବୁକୁ ପ୍ରସ୍ତୁତ କରୁଥିଲେ ଦଳୀୟ ନେତା ଓ କର୍ମୀ। ସରକାରଙ୍କ ଉପଲବ୍ଧି ଓ ଦେଶର ବିଭିନ୍ନ ସମସ୍ୟା ଭୋଟରଙ୍କ ଦୃଷ୍ଟିକୁ ଆଣୁଥିଲେ ରାଜନେତାଏ। ଏବେ କିନ୍ତୁ ବୋଲି ପ୍ରସ୍ତୁତି ଠାରୁ ସଭାମଞ୍ଚର ନକ୍ସା ପ୍ରସ୍ତୁତି, ଭାଷଣରେ ଭାଷା ଓ ଶବ୍ଦ ନିର୍ବାଚନ ଠାରୁ ଗଣମାଧ୍ୟମରେ ପ୍ରଚାର ପ୍ରସାର ଯାଏ ସବୁକିଛି ପିକେମାନଙ୍କ ଉପରେ ନ୍ୟସ୍ତ କରିବାକୁ ରାଜନୈତିକ ଦଳମାନେ ବାଧ୍ୟ। ଦୁର୍ବଳ ମନେକରାଯାଉଥିବା ଦଳ ପକ୍ଷରୁ ପିକେମାନଙ୍କୁ ନିୟୋଜିତ କରାଯାଉଥିବାରୁ ସବଳ ଦଳମାନେ ନିର୍ବାଚନ ବୈତରଣୀ ପାରକରିବା ଅସମ୍ଭବ ବୋଲି ଆଶଙ୍କିତ।

ପ୍ରଶାନ୍ତଙ୍କ ଆଇ-ପ୍ୟାକ ସଂସ୍ଥାର ୨୦୧୮-୧୯ ଆର୍ଥିକ ବର୍ଷରେ ନିଟ ଲାଭ ଥିଲା ୬.୭ କୋଟି ଟଙ୍କା। ନିର୍ବାଚନରେ ଖର୍ଚ୍ଚ କମିବା ବଦଳରେ ବଢିଯିବା ପାଇଁ ଏହି ପିକେମାନେ ମଧ୍ୟ ଦାୟୀ। ଏହିମାନଙ୍କୁ ଆଶାବାଡି କରି ନିର୍ବାଚନରେ ଜୟଯୁକ୍ତ ହେବା ସମ୍ଭବ ହେଉଥିଲେ ବି ଦଳୀୟ ଭିତ୍ତିଭୂମି ଟାଣ ନହୋଇ, ଦୁର୍ବଳ ହୋଇଥାଏ। ବର୍ଷସାରା ବିଭିନ୍ନ ସ୍ଥାନରେ ପଞ୍ଚାୟତ-ନଗରାଞ୍ଚଳ- ବିଧାନସଭା-ସଂସଦ ପାଇଁ ନିର୍ବାଚନ ଓ ଉପନିର୍ବାଚନ ଲାଗିରହୁଥିବା ଭାରତ ଭଳି ଦେଶରେ ଆଞ୍ଚଳିକ ଦଳମାନେ ବିଭିନ୍ନ ରାଜ୍ୟ ଶାସନ ଅକ୍ତିଆର କରି ନେଇ ଥିବାରୁ ରାଷ୍ଟ୍ରୀୟ ଏକତା ଓ ଜାତୀୟ ସଂହତି ସବୁବେଳେ ପରୀକ୍ଷାର ସମ୍ମୁଖୀନ ହେଉଥିଲାବେଳେ, ପିକେମାନେ ଭାରତୀୟ ଗଣତନ୍ତ୍ରକୁ ବିକଳ କରିଚାଲିଥିବା ଚିନ୍ତାଜନକ।

‘ଯୋ ଜିତା, ୱ ହି ସିକନ୍ଦର’ – ଏହି ମାନସିକତାରେ ମତଦାତାମାନେ ବିଜେତା ଦଳମାନଙ୍କ ମୂଲ୍ୟାୟନ କରୁଥବାରୁ, ରାଜନୈତିକ ମୂଲ୍ୟବୋଧ, ନୈତିକତା ଓ ଠିକ-ଭୁଲର ବିଚାର ଗୌଣ ହୋଇଯାଉ ଥିବାର ସୁଯୋଗରେ ପିକେମାନେ ନିଜର ଚକ୍ରବ୍ୟୂହ ରଚନା କରି ନିଯୁକ୍ତିଦାତା ଦଳକୁ ବିଜୟୀ କରାଇବାର ସମସ୍ତ କୌଶଳ ପ୍ରୟୋଗ କରିଆସୁଥିବାରୁ ମାତ୍ରାତିରିକ୍ତ ଖର୍ଚ୍ଚ, କଳ, ବଳ ଓ କୌଶଳ ପ୍ରୟୋଗ ଏବେ ଭୋଟରଙ୍କ ଦେହସୁହା ହୋଇଗଲାଣି। ମତଦାତା ଏବେ ଧରିନେଲେଣି ଯେ ସରକାରୀ ଦଳ ଭୋଟ କିଣିପାରେ, କାର୍ଯ୍ୟପାଳିକା ଓ ପୁଲିସ ତଥା ଗୁଣ୍ଡାଙ୍କୁ ବ୍ୟବହାର କରିପାରେ, ପ୍ରତିପକ୍ଷ ବିରୋଧୀ ଦଳ ନେତାଙ୍କୁ ନିଜ ଦଳରେ ‘ମିଶ୍ରଣ ପର୍ବ’ ନାଁରେ ଶାମ, ଦାମ, ଦଣ୍ଡ, ଭେଦ ମାଧ୍ୟମରେ ମନାଇପାରେ। ଏସବୁ ଆଜିକାଲି କାହାକୁ ଅବୈଧ ଲାଗୁନି; ବରଂ ସ୍ୱାଭାବିକ ମନେହେଲାଣି। ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ ଓ ଲୋକଙ୍କର ହିଁ ଗଣତନ୍ତ୍ର। ଆମେ ଆମକୁ ଶାସନ କରିବାର ଏହା ହିଁ ଶ୍ରେଷ୍ଠ ଓ ସର୍ବାଧୁନିକ ବ୍ୟବସ୍ଥା। ଆମରି ଭିତରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଜନଚେତନା ଉଦ୍ରେକକାରୀ ନେତା ଉଭା ହୁଅନ୍ତି, ଆମକୁ ପ୍ରଭାବିତ କରନ୍ତି ।

ଆମେମାନେ ନେତାଙ୍କ ଗହଳି ଭିତରୁ ବାରିହୋଇ ପଡୁଥିବା ଅପେକ୍ଷାକୃତ ଅଧିକ ବିଶ୍ୱସନୀୟ, ନୀତିନିଷ୍ଠ, ନୈତିକତା ଭରା ଓ ଅଗ୍ନି ସ୍ଫୁଲିଙ୍ଗଙ୍କୁ ଚିହ୍ନଟ କରୁ – ଯେମିତି ମହାତ୍ମା ଗାନ୍ଧୀଙ୍କ ଭିତରେ ତତ୍କାଳୀନ କଂଗ୍ରେସ ନେତୃମଣ୍ଡଳୀ ପାଇଥିଲେ। ସବୁଠୁ ଗେଡା ମଣିଷ ଲାଲବାହାଦୁର ଶାସ୍ତ୍ରୀଙ୍କ ଉଦାହରଣୀୟ ଦୃଢ଼ତା ଓ ଦେଶପ୍ରେମକୁ ଭାରତବାସୀ ଆଜି ବି ସସମ୍ମାନ ସ୍ମରଣ କରନ୍ତି, ଇନ୍ଦିରା ଗାନ୍ଧୀଙ୍କ ପ୍ରବର୍ତ୍ତିତ ବ୍ୟାଙ୍କ ଜାତୀୟକରଣ, ରାଜମହାରାଜଙ୍କ ହାତପାଣ୍ଠି ଉଚ୍ଛେଦକୁ ପ୍ରଶଂସା କରନ୍ତି ଓ ଏହି ଯୁବକ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀଟିଏ ଝରିଆସେ ନେହେରୁଙ୍କ କଣ୍ଠରୁ ଓ ବାଜପେୟୀଙ୍କ ଭଳି ଜଣେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଉଭାହୁଅନ୍ତି ଆମରି ଦେଶରେ ଅଥଚ, ମାଗଣା ବଣ୍ଟନ ସଂସ୍କୃତିକୁ ପ୍ରୋତ୍ସାହିତ କରିଆସୁଥିବା, ପଚାମାଛକୁ ସଜମାଛ କହି ବିକ୍ରି କରିପାରୁଥିବା ପିକେମାନଙ୍କ ଠାରୁ ଦେଶ କି ଲାଭ ପାଇବ ? ରାଜନୈତିକ ଠିକାଦାରୀ କରୁଥିବା ଏହି ପିକେମାନେ ନା ଭରସାଯୋଗ୍ୟ, ନା ସେମାନଙ୍କ କାର୍ୟ୍ୟ ସନ୍ଦେହ ଊର୍ଦ୍ଧ୍ବରେ । ନିର୍ବାଚନକୁ ସଉଦାରେ ପରିଣତ କରି ପିକେମାନେ ସିନା ଯଶ ପାଇବେ, ଅପେକ୍ଷାକୃତ ଦୁର୍ବଳ ପ୍ରାର୍ଥୀ ଓ ଦଳ ନିର୍ବାଚନ ଯୁଦ୍ଧରେ ଜିଣି ସରକାର ଗଠନ କରିପାରିବେ, ହେଲେ ଏଥିରେ ମତଦାତା ଓ ଦେଶ କିପରି ଲାଭବାନ ହେବ?

ଆଜି ଭାଜପା, ଜେଡିୟୁ ଓ ତୃଣମୂଳ କଂଗ୍ରେସ, ଏପରିକି କଂଗ୍ରେସ ଦଳ ପିକେମାନଙ୍କୁ ଅଲୋଡ଼ା ମନେକଲେଣି। କଂଗ୍ରେସ ଦଳ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିହାର ବାସିନ୍ଦା ପ୍ରଶାନ୍ତଙ୍କୁ ରଣନୀତିକାର ଭାବେ ନିଯୁକ୍ତି ନ ଦେବାରୁ ସେ ନିଜର ରାଜନୈତିକ ଦଳ ଗଢି, ସ୍ୱରାଜ ଯାତ୍ରା ବାବଦରେ ଟୁଇଟ୍ କରିଥିଲେ। ତେଣୁ ତାଙ୍କ ଦଳର ନାଁ ମଧ୍ୟ ସ୍ୱରାଜ ରହିପାରେ ବୋଲି କୁହାଯାଉଥିଲା; କିନ୍ତୁ ଅନ୍ୟ ପିଠିରେ ଲାଉ ହେବା ସହଜ ଓ ରାଜନୈତିକ ଦଳ ଗଢ଼ିବା କଠିନ ଜାଣି ସେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚଦ ପକାଇଛନ୍ତି। ଭାଜପା, ଜେଡିୟୁ ଓ ତୃଣମୂଳ କଂଗ୍ରେସ ମଧ୍ୟ ପିକେଙ୍କ ସହଯୋଗ ନେଇ କ୍ଷମତା ଦାଖଲ ପରେ, ନିଜ ଦଳର କର୍ମୀ ଓ ନେତାଙ୍କ କର୍ମତତ୍ପରତା ନଷ୍ଟ ହୋଇଯାଉଥିବାର ଉପଲବ୍ଧି କରିପାରିଛନ୍ତି। ପିକେମାନେ ରଣନୀତିକାର ଠିକାଦାରୀ ନକରି କୌଣସି ରାଜନୈତିକ ଦଳର ସଦସ୍ୟତା ଗ୍ରହଣ କରି ନେବାର ସମୟ ଆସିଲାଣି। ଆଶା, ରାଜନୈତିକ ଦଳମାନେ ଆଗକୁ ଲୋକଙ୍କ ସହ ଅଧିକ ଯୋଡ଼ିହେବେ, ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସଶକ୍ତ କରି ଉତ୍ତରଦାୟୀ ରଣନୀତି ନିଜେ ପ୍ରସ୍ତୁତ କରିବେ ଓ ପିକେମାନଙ୍କ କବଳରୁ ବିକଳ ଗଣତନ୍ତ୍ରକୁ ଉଦ୍ଧାର କରିବେ।

Comments are closed.