www.samajalive.in
Friday, December 5, 2025
23.1 C
Bhubaneswar

ଜିଲାସ୍ତରୀୟ କ୍ରୀଡ଼ାରେ ଭାଙ୍ଗିଲା ହାତ: ରେସନ କାର୍ଡ ବନ୍ଧକ ରଖି ଚିକିତ୍ସା କରାଉଛି ମା’

ସୋନପୁର: ଜିଲାସ୍ତରୀୟ କ୍ରୀଡ଼ାରେ ଭାଗ ନେଇଥିଲେ। ଉଚ୍ଚ ଡିଆଁବେଳେ ତଳେ ପଡ଼ିଗଲେ। ବାମ ହାତର ହାଡ଼ ଭାଙ୍ଗିଗଲା। ଶିକ୍ଷକମାନେ ନିକଟସ୍ଥ ଡାକ୍ତରଖାନାରେ ଦେଖାଇ ନିଜ ଦାୟିତ୍ବ ସାରିଦେଲେ। ଭଙ୍ଗା ହାଡ଼ ଯୋଡ଼ିବା ପାଇଁ ଅ‌େସ୍ତ୍ରାପଚାର ସହ ଉଚ୍ଚତର ଚିକିତ୍ସା ଆବଶ୍ୟକ ରହିଥିବା ଡାକ୍ତର ପରାମର୍ଶ ଦେଲେ। ଏଥିପାଇଁ ଅର୍ଥ ଆବଶ୍ୟକ। ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ପରିବାର କେଉଁଠୁ ପାଇବେ ଏତେ ଟଙ୍କା ? ଯାହାକୁ କହିଲେ କେହି ଶୁଣିଲେନି। ପୁଅର ଚିକିତ୍ସା ଚିନ୍ତାରେ ମା’ ପଡ଼ିଗଲେ। କୌଣସି ଉପାୟ ନ ପାଇ ମାସକୁ ମାସ ଚାଉଳ ଆଣୁଥିବା ରେସନ୍‌‌ କାର୍ଡ ଖଣ୍ଡିକ ବନ୍ଧାପକାଇ ପୁଅର ଚିକିତ୍ସା ପାଇଁ ଟଙ୍କା ଆଣିଲେ। ଗାଡ଼ି ଭଡ଼ା କରି ଡାକ୍ତରଖାନା ଆଣିବାରେ ଅଧା ଟଙ୍କା ଶେଷ ହୋଇଗଲା। ପୁଅକୁ ଡାକ୍ତରଖାନାରେ ମା’ ଭର୍ତ୍ତି କରିବା ପରେ କେମିତି ଚିକିତ୍ସା କରିବ ସେହି ଚିନ୍ତାରେ ମା’ ଆଖିରୁ ଲୁହ ଶୁଖୁନି। ଏମିତି ଅଭାବନୀୟ ଖବର ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଛି।

ବିନିକା ବ୍ଲକ ବଲାରଙ୍ଗା ଗାଁର ରମେଶ ନାଏକଙ୍କ ପତ୍ନୀ ପଦ୍ମିନୀ ନାଏକ। ପୁଅ କୃଷ୍ଣା ନାଏକ ନିକଟସ୍ଥ ସିନ୍ଦୁରପୁର ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ବୁଧବାର ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର ହାଇସ୍କୁଲରେ ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ବିଦ୍ୟାଳୟ ପକ୍ଷରୁ ଯାଇଥିଲେ। ସେଠାରେ ଉଚ୍ଚ ଡିଆଁ ଖେଳ ଖେଳୁଥିବାବେଳେ ପଡ଼ିଯିବାରୁ ବାମ ହାତ ଭାଙ୍ଗି ଯାଇଥିଲା। କୃଷ୍ଣାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଛାଡ଼ି ଶିକ୍ଷକ ଓ ଶିକ୍ଷା ବିଭାଗ ଅଧିକାରୀ ଚାଲି ଯାଇଥିଲେ। ଖବର ପାଇ ଡାକ୍ତରଖାନାରେ ପରିବାର ଲୋକେ ପହଞ୍ଚିଥିଲେ। ଅ‌େସ୍ତ୍ରାପଚାର ଆବଶ୍ୟକ ଓ ସେଠାରେ ତାହା ଉପଲବ୍ଧ ନୁହେଁ ବୋଲି ଡାକ୍ତର କହିଲେ। ଦିନ ମଜୁରିଆ ବାପା-ମା’ ଚିନ୍ତାରେ ପଡ଼ିଗଲେ। ହାତରେ କାଣି କଉଡ଼ିଟିଏ ନାହିଁ। ବନ୍ଧା ରଖିବାକୁ ଜମି କି ସୁନା ଗହଣା ବି ନାହିଁ। ଭୋକିଲା ପେଟକୁ ଆହାର ଯୋଗାଉଥିବା ରେସନ୍‌‌ କାର୍ଡ ଖଣ୍ଡିକ ବନ୍ଧା ରଖି ୪ହଜାର ଟଙ୍କା ଆଣିଲେ। ସେହି ଟଙ୍କା ଧରି ପୁଅ କୃଷ୍ଣାକୁ ଗୁରୁବାର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଲେ। ଗାଡି ଭଡ଼ା ବାବଦକୁ ୧୫ ଶହ ଖର୍ଚ୍ଚ ହୋଇଗଲା। ହାତରେ ଆଉ ମାତ୍ର ୨୫୦୦ ଟଙ୍କା। ଏତିକି ଟଙ୍କାରେ ଅ‌େସ୍ତ୍ରାପଚାର ହେଇପାରିବ ! ଏହି ଚିନ୍ତାରେ ମା’ ପଦ୍ମିନୀ ଡାକ୍ତରଖାନାରେ ବସି କାନ୍ଦୁଥିବାବେଳେ କିଛି ସହୃଦୟ ବ୍ୟକ୍ତିଙ୍କ ନଜରରେ ପଡ଼ିଥିଲେ। ଘଟଣା ସମ୍ପର୍କରେ ତୁରନ୍ତ ଜିଲାପାଳଙ୍କୁ ସୂଚନା ଦିଆଯାଇଥିଲା। ଜିଲାପାଳ ଡ. ନୃପରାଜ ସାହୁ ଡାକ୍ତରଖାନାରେ ପହଞ୍ଚି ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

- Advertisement -

ଘଟଣା ବିଷୟରେ ଜାଣିବା ପରେ ଏକ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ କୃଷ୍ଣାଙ୍କ ସମସ୍ତ ଚିକିତ୍ସା ସହ ଅ‌େସ୍ତ୍ରାପଚାର କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜିଲା ଶିକ୍ଷା ବିଭାଗର ଦାୟିତ୍ୱହୀନତା ପଦାରେ ପଡ଼ିବା ସହ ବିଭିନ୍ନ ପ୍ରଶ୍ନ ସାମ୍ନାକୁ ଆସୁଛି। ଉଚ୍ଚ ଡିଆଁ ଖେଳାଯାଉଥିବା ସ୍ଥାନରେ ବାଲି ପକାଇବା ବାଧ୍ୟତାମୂଳକ ଥିବାବେଳେ ସେଠାରେ କେବଳ ମାଟି ପଡ଼ିଥିଲା। କୃଷ୍ଣାଙ୍କ ହାତ ଭାଙ୍ଗିବା ପରେ ଆୟୋଜକଙ୍କ ସହ ଉପସ୍ଥିତ ଶିକ୍ଷକ ତାଙ୍କୁ ଡାକ୍ତରଖାନାରେ ଛାଡ଼ି କେମିତି ଚାଲିଗଲେ ବୋଲି ପ୍ରଶ୍ନ ହେଉଛି। କେବଳ ଏହି ଛାତ୍ର ନୁହେଁ, ଗତ ବର୍ଷ ମଧ୍ୟ ଉଲୁଣ୍ଡା ବ୍ଲକର ଧର୍ମଶାଳା ହାଇସ୍କୁଲରେ ଆୟୋଜିତ ଜିଲାସ୍ତରୀୟ କ୍ରୀଡ଼ାର କବାଡ଼ିରେ ଅଂଶଗ୍ରହଣ କରିଥିବା ତରଭା ବ୍ଲକର ଜନୈକ ଛାତ୍ରୀଙ୍କ ହାତ ଭାଙ୍ଗି ଯାଇଥିଲା। ଏଭଳି ଅଘଟଣ ବାରମ୍ବାର ଘଟୁଥିଲେ ସୁଦ୍ଧା ଶିକ୍ଷା ବିଭାଗ ଅତି ହାଲୁକା ଭାବେ ଘଟଣାକୁ ନେଉଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।

Hot this week

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

Related Articles

Popular Categories