କ୍ଷମତା ମୋହ ପାଇଁ ବିପଦରେ ପଡ଼ିଥିଲା ଗଣତନ୍ତ୍ର:ସ୍ମୃତି ଇରାନୀ

0

ଭୁବନେଶ୍ୱର: ଏକ ରାଜନୈତିକ ଦଳର କ୍ଷମତା ମୋହ ପାଇଁ ୪୩ ବର୍ଷ ତଳେ ଭାରତର ଗଣତନ୍ତ୍ର ବିପନ୍ନ ହୋଇଥିଲା। ସୌଭାଗ୍ୟର କଥା ଆଜି ଆମେ ପୁଣି ଗୋଟିଏ ଛାତ ତଳେ ମୁକ୍ତ ଓ ସ୍ୱାଧୀନ ଭାବେ ଭାବ ବିନିମୟ କରିବାର ସୁଯୋଗ ପାଇଛୁ। ସ୍ଥାନୀୟ ହୋଟେଲ୍‍ ମାରିୟନ୍‍ଠାରେ ବୁଦ୍ଧିଜୀବୀ ଓ ଜନଜାଗରଣ ମଞ୍ଚର ଏକ ସଭାକୁ ସମ୍ବୋଧିତ କରି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଏହା କହିଛନ୍ତି।
ବିଜେପି ପକ୍ଷରୁ ଦେଶବ୍ୟାପୀ ଆୟୋଜିତ ‘କଳାଦିବସ’ ଅଭିଯାନରେ ଯୋଗ ଦେବାକୁ ଓଡ଼ିଶା ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନ୍ତି କହିଛନ୍ତି ଯେ ଭାରତର ବହୁ ଈପ୍‍ସିତ ସ୍ୱାଧୀନତାକୁ ଯେଉଁ ଦଳର ତୁଙ୍ଗ ନେତା ‘ମଧ୍ୟରାତ୍ରୀର ସଫଳତା’ ବୋଲି ଅଭିହିତ କରିଥିଲେ ତାଙ୍କର ସୁପୁତ୍ରୀ କ୍ଷମତା ଲୋଭରେ ରାତି ଅଧରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ସେହି ଦଳର ନେତା ଓ ସଦସ୍ୟମାନେ କହି ବୁଲୁଥିଲେ ‘ଇନ୍ଦିରା ଇଜ୍‍ ଇଣ୍ଡିଆ ଓ ଇଣ୍ଡିଆ ଇଜ୍‍ ଇନ୍ଦିରା(ଇନ୍ଦିରା ବିନା ଭାରତର ପରିଚୟ ନାହିଁ ଓ ଭାରତ ବର୍ଷ କହିଲେ ଇନ୍ଦିରାକୁ ହିଁ ବୁଝାଏ)।’ କିନ୍ତୁ ସେତେବେଳେ ଜୟପ୍ରକାଶ ନାରାୟଣ କହିଥିଲେ ‘ଇନ୍ଦିରା ଇଜ୍‍ ମୋର୍ଟାଲ୍‍ ବଟ୍‍ ଇଣ୍ଡିଆ ଇଜ୍‍ ନଟ୍‍ ମୋର୍ଟାଲ୍‍(ଇନ୍ଦିରା ମରଣଶୀଳ କିନ୍ତୁ ଭାରତର ମୃତ୍ୟୁ ନାହିଁ)।’ ଜୟପ୍ରକାଶ ନାରାୟଣଙ୍କ ସେହି ବାଣୀ ସତ ସାବ୍ୟସ୍ତ ହୋଇଛି। ଭାରତର ପରମ୍ପରା ଓ ଗଣତନ୍ତ୍ର ଉଜ୍ଜୀବୀତ ଓ ଜାଜ୍ଜ୍ୱଲ୍ୟମାନ ରହିଛି। ଏଥିଯୋଗୁଁ ଆମେ ପୁଣି ସ୍ୱାଧୀନ ମତ ବିନିୟମ କରିବାର ସୁଯୋଗ ଓ ଅଧିକାର ପାଇଛୁ।


କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ମଙ୍ଗଳବାର ସକାଳ ୯.୧୫ ସମୟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚଥିଲେ। ୯.୩୦ଟାରେ ସହିଦ ନଗର ସ୍ଥିତ ବୁଣାକାର ସେବା କେନ୍ଦ୍ର ବୁଲି ଦେଖିଥିଲେ। ତା’ପରେ ସେ ହୋଟେଲ ମାରିଅନଠାରେ ବୁଦ୍ଧିଜୀବୀ ଓ ଜନଜାଗରଣ ସମ୍ମିଳନୀରେ ଯୋଗ ଦେଇଥିଲେ।
ଅପରାହ୍ନ ୧ଟା ବେଳେ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଇରାନି ଓଡିଶାର ବରପୁତ୍ର ମାନଙ୍କୁ ସ୍ମରଣ କରିଛନ୍ତି। ଲୋକତନ୍ତ୍ରକୁ ଜୀବିତ ରଖିବା ପାଇଁ ଆଜିର ଦିନକୁ ଓ ବରପୂତ୍ର ମାନଙ୍କ ବଳିଦାନକୁ ମନେ ରଖିବା ଦରକାର ବୋଲି ସେ କହିଛନ୍ତି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରି ଶ୍ରୀମତୀ ଇରାନୀ କହିଛନ୍ତି ଯେ ମୁଦ୍ରା ଯୋଜନାରେ ଦେଶର ୭୦% ମହିଳା ଉପକୃତ ହୋଇଛନ୍ତି। ସନ୍ଧ୍ୟାରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply