କରୋନା ମାଡରେ ବେହାଲ ମଧ୍ୟବିତ୍ତ କ୍ଷୁଦ୍ର ବ୍ୟବସାୟୀ : ଦୁର୍ବିସହ ହେଲାଣି ଜୀବନ 

ସମ୍ବଲପୁର(ବିରାଜ କୁମାର ମିଶ୍ର): କରୋନା ବିଶ୍ୱର ଅର୍ଥନୀତିକୁ ଓଲଟପାଲଟ କରି ଦେଇଥିବା ବେଳେ ରାସ୍ତାକଡର ପସରାବାଲା ଠାରୁ ଆରମ୍ଭ କରି ବହୁରାଷ୍ଟ୍ରୀୟ କମ୍ପାନୀ ପର୍ଯ୍ୟନ୍ତ ସମସ୍ତଙ୍କ ବେପାର ଚୌପଟ ହୋଇଯାଇଛି। ଏଥି ପାଇଁ ଦେଶରେ ରହିଥିବା କ୍ଷୁଦ୍ର ମଧ୍ୟବିତ୍ତ ବ୍ୟବସାୟୀ ମାନେ ଏବେ ରୋଜଗାରହୀନ ହୋଇଯାଇଛନ୍ତି। ନିଜସ୍ୱ ସମ୍ବଳ ଓ ଉଦ୍ୟମରେ ଛୋଟ ଛୋଟ ବ୍ୟବସାୟ କରି ନିଜର ତଥା ପରିବାରର ଭରଣପୋଷଣ କରୁଥିବା ବେଳେ କିଛି ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ମଧ୍ୟ ରୋଜଗାର ଯୋଗାଇ ଦେଇଥାନ୍ତି। ସରକାରଙ୍କର ନିୟମାନୁଯାୟୀ ସମସ୍ତ ପ୍ରକାରର ପ୍ରତ୍ୟକ୍ଷ ଓ ପରୋକ୍ଷ ଟ୍ୟାକ୍ସ ମଧ୍ୟ ପଇଠ ନିୟମିତ ଭାବରେ କରିଥାନ୍ତି। ସେମାନେ ଏହି ଘଡି ସନ୍ଧି ମୁହୁର୍ତ୍ତରେ ନିଜର ପରିବାର ପୋଷଣ ସହିତ ସେମାନଙ୍କ ନିକଟରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ପରିବାର ମଧ୍ୟ ପୋଷଣ କରୁଛନ୍ତି। ଏହି ବର୍ଗ ନାଁ ଧନୀକ ଶ୍ରେଣୀରେ ଗଣା ହେଉଛନ୍ତି ନାଁ ଗରିବ ଶ୍ରେଣୀରେ ରହିଛନ୍ତି। ଏହି ବ୍ୟବସାୟୀ ମାନେ ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଯୋଜନା ଯଥା ଖାଦ୍ୟାନ୍ନ, ରୋଷେଇ ଗ୍ୟାସ, ସ୍ୱାସ୍ଥ୍ୟ, ଭତ୍ତା ଆଦି ଗୁଡିକରେ ମଧ୍ୟ ସାମିଲ ନୁହନ୍ତି। ସେମାନେ ଏହି ଆପଦା ସମୟରେ ମଧ୍ୟ ସରକାର ଅଣଦେଖାର ଶିକାର ହୋଇ ଆସୁଛନ୍ତି। କରୋନା ଯୋଗୁଁ କ୍ଷୁଦ୍ର ବ୍ୟବସାୟୀ ମାନଙ୍କର ରୋଜଗାର ବନ୍ଦ ହୋଇ ଯାଇଥିବା ବେଳେ ନିଜସ୍ୱ ସ୍ୱଳ୍ପ ସଞ୍ଚିତ ଅର୍ଥରୁ ଖାଦ୍ୟପେୟର ବ୍ୟବସ୍ଥା ଠାରୁ ନେଇ ବିଭିନ୍ନ ପ୍ରକାର ଦେୟ ଗୁଡିକୁ ପଇଠ କରିବାକୁ ପଡୁଛି। ସମସ୍ତଙ୍କ ପାଇଁ ସରକାର କିଛି ନା କିଛି ବ୍ୟବସ୍ଥା କରିଥିବା ବେଳେ କିନ୍ତୁ ଏମାନଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ସେମାନେ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି। ଯଦି ତୁରନ୍ତ ସହାୟତା ଯୋଗାଇ ଦିଆ ନ ଯାଏ ତାହା ହେଲେ ପୂର୍ବରୁ ବହୁ ଅସୁବିଧାରେ ଥିବା ବେଳେ ଆଗକୁ ଜୀବନ ବଞ୍ଚାଇବା କଷ୍ଟକର ହୋଇ ପଡିବ ବୋଲି ସେମାନେ କହୁଛନ୍ତି।

୧ – ଗୋପାଳ ଚନ୍ଦ୍ର ନାଥ, ବହି ଦୋକାନ
ଜନତା କଫ୍ୟୁ ଦିନଠାରୁ ହିଁ ଦୋକାନ ବନ୍ଦ ରହିଛି। ଦୋକାନ ଚାଲୁ ଥିଲେ ରୋଜଗାର ଅଛି ନ ହେଲେ ବେକାର। ଆମେ ବିପିଏଲ କି ଏପିଏଲ ଅଥବା ଅନ୍ୟ କୌଣସି ସରକାରୀ ଯୋଜାନାରେ ସାମିଲ ନାହୁଁ। ଏଣୁ ଏହି ବିପଦ ସମୟରେ ଯାହା ଜମାପୁଞ୍ଜି ଥିଲା, ତା ସାହାର୍ଯ୍ୟରେ ସରକାରଙ୍କ ନିର୍ଦ୍ଦେଶ ମାନି ଘରେ ରହିଛୁ। ଧନୀ ଲୋକଙ୍କର କୌଣସି ଅସୁବିଧା ନ ଥିବା ବେଳେ ନିମ୍ନବର୍ଗଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା କରିଛନ୍ତି। କିନ୍ତୁ ଆମ ଭଳି ମଧ୍ୟବିତ୍ତ ଓ ଛୋଟିଆ ବ୍ୟବସାୟୀ ମାନଙ୍କ ପାଇଁ ସରକାର କୌଣସି ପ୍ରକାରର ଦୃଷ୍ଟି ଦେଉ ନ ଥିବାରୁ ଆମେ ଚିନ୍ତାରେ ରହିଛୁ। ବିନା ରୋଜଗାରରେ ଦୋକାନ ଭଡା ଠାରୁ ଆରମ୍ଭ କରି ବାକି ସମସ୍ତ ପ୍ରକାରର ଦେୟ ଦେବାକୁ ପଡୁଛି। ଲକ ଡାଉନ ଖୋଲିବା ପରେ ବାକି ରହିଥିବା ସମସ୍ତ ଦେୟ ଯଥା ଛୁଆଙ୍କ ସ୍କୁଲ ଫିସ, ବ୍ୟାଙ୍କ ଲୋନ କିସ୍ତି, ଇନସ୍ୟୁରାନ୍ସ ଆଦି ସମସ୍ତ ଦେବାକୁ ପଡିବ। ଏଣୁ କିଭଳି ସମସ୍ତ ଦେୟ ପଇଠ କରିବି, ସେହିି ଚିନ୍ତା ମୋତେ ସବୁ ବେଳେ ଘାରୁଛି।

 

 

୨ – ସତ୍ୟକାନ୍ତ ମହାପାତ୍ର, ଇନ୍ଟରନେଟ ପାର୍ଲର 

କରୋନା ମୋ ଭଳିଆ କ୍ଷୁଦ୍ର ବ୍ୟବସାୟୀଙ୍କ ପେଟପାଟଣା ଲୁଟି ନେଇଛି। ୨୨ ତାରିଖରୁ ମୋର ଦୋକାନ ବନ୍ଦ ରହିଛି। କେବେ ଦୋକାନ ଖୋଲିବ ତାହା କିଛି ଜଣାପଡୁ ନାହିଁ। ଆମ ଭଳି ନିଜସ୍ୱ ବ୍ୟବସାୟ କରି ପେଟ ପୋଷୁଥିବା ବ୍ୟବସାୟୀ ମାନଙ୍କର ହାତ ଚାଲିଲେ ପରିବାରକୁ ଦୁଇ ଓଳି ଖାଦ୍ୟ ମିଳିଥାଏ। ଆମେ ମାନେ ସରକାରଙ୍କର କୌଣସି ଯୋଜନାରେ ସାମିଲ ନାହୁଁ। ଯାହା ଜମା ପୁଞ୍ଜି ଥିଲା, ତାହା ସରିଗଲାଣି। ଲକ ଡାଉନ ଖୋଲିବା କ୍ଷଣି ପିଲାଙ୍କ ସ୍କୁଲ ଫିସ, ଲାଇଫ ଇନସ୍ୟୁରାନ୍ସ, ଦୋକାନ ଭଡା, ବିଦ୍ୟୁତ ଶୁଳ୍କ, ବ୍ୟାଙ୍କ ଲୋନର କିସ୍ତି ଆଦି ଦେବାକୁ ପଡିବ। ଏହା ସହିତ ଲକ ଡାଉନ ପରେ ଦୋକାନ ଖୋଲିବା ପରେ ପୂର୍ବ ଭଳି ବ୍ୟବସାୟ ହେବା ଆଶା କ୍ଷୀଣ। ଆମର ଅବସ୍ଥା ଏଭଳି ଯେ ଆମେ କୌଣସି ସ୍ଥାନରେ ହାତ ମଧ୍ୟ ପାତି ପାରୁ ନାହୁଁ। ଏଣୁ କଣ କରିବି ଭାବି ଦିନ ରାତି ଚିନ୍ତାରେ ରହିଛି।

 

୩ – ଶୁଭେନ୍ଦୁ ମହାପାତ୍ର, ଫାଷ୍ଟ ଫୁଡ ଦୋକାନ
ଲକ ଡାଉନ ଆରମ୍ଭ ହେବା ଦିନ ଠାରୁ ହିଁ ଦୋକାନ ବନ୍ଦ ରହିଛି। ଆମ ଭଳି ମଧ୍ୟବିତ୍ତ ପରିବାର ସରକାରଙ୍କ ନିର୍ଦ୍ଦେଶକୁ ସବୁ ବେଳେ ମାନି ଆସିଛୁ ଓ ମାନିବୁ। କିନ୍ତୁ ସରକାର ସବୁ ବେଳେ ଆମ ପ୍ରତି ଉଦସୀନ ରହୁଛନ୍ତି। ଉଚ୍ଚ ଜାତିରୁ ହୋଇଥିବାରୁ କୌଣସି ପ୍ରକାରର ଏପିଏଲ କି ବିପିଲ କି ଅନ୍ୟ କୌଣସି ସୁବିଧାରୁ ଆମେ ବଞ୍ଚିତ। କ୍ଷୁଦ୍ର ବ୍ୟବସାୟୀ ହୋଇଥିବାରୁ ଦୋକାନ ଚାଲିଲେ ଯାଇ ହିଁ ପେଟକୁ ଦାନା ମିଳିଥାଏ। କିନ୍ତୁ ଏବେ ଦୋକାନ ପ୍ରାୟ ମାସେ ହେବ ବନ୍ଦ ହୋଇ ରହିଥିବାରୁ ଜମା ପୁଞ୍ଜି ଶେଷ ହୋଇ ସାରିଲାଣି। ଦୋକାନରେ କାମ କରୁଥିବା କର୍ମଚାରୀ ମାନଙ୍କୁ ଚଳିତ ମାସ ନିଜର ଜମା ପୁଞ୍ଜିରୁ ଦରମା ଦେବା ପରେ ମୁଁ ନିଜେ ପୁଞ୍ଜି ଶୂନ୍ୟ ହୋଇ ଯାଇଛି। ଯଦି ଲକ ଡାଉନ ଲମ୍ବା ଚାଲିବ, ତାହା ହେଲେ ଆଗାମୀ ମାସରେ କର୍ମଚାରୀ ମାନଙ୍କୁ ଦରମା ଦେବା ର ଦୂର ନିଜ ପରିବାରକୁ ଖାଇବା ପାଇଁ ଦେବା ପାଇଁ ସମ୍ବଳ ନାହିଁ। ଏଣୁ ସରକାର ଆମ ମାନଙ୍କ ପ୍ରତି ଧ୍ୟାନ ଦେଲେ ଆମ ମାନଙ୍କ ଜୀବନ ଏହି ବିପଦ ସମୟରେ ବଞ୍ଚିଯିବ।

 

୪ – ଗୋପାଳ ସାହୁ, ଟିଫିନ ଦୋକାନ
ଲକ ଡାଉନ ରାଜ୍ୟ ସରକାର ଆରମ୍ଭ ଦିନ ଠାରୁ ହିଁ ମୋର ଦୋକାନ ବନ୍ଦ ରହିଛି। ଛୋଟିଆ ବ୍ୟବସାୟୀ ହୋଇଥିବାରୁ ଦୈନିକ ଦୋକାନରୁ ଯାହା ରୋଜଗାର ହୁଏ, ସେଥିରୁ ସମସ୍ତ ଖର୍ଚ୍ଚ କରିଥାଏ। ପ୍ରାୟ ମାସେ ହେବ ଦୋକାନ ବନ୍ଦ ଥିବାରୁ ମୁଁ ଘରେ ବସିଛି। ରୋଜଗାରର ଅନ୍ୟ କୌଣସି ପନ୍ଥା ନ ଥିବା ବେଳେ କୌଣସି ପ୍ରକାରର ସରକାରୀ ଯୋଜନାରେ ମଧ୍ୟ ମୁଁ ସାମିଲ ନାହିଁ। ଏଣୁ ନିଜର ଜମା ଅର୍ଥରୁ ଗୋଟିଏ ମାସ ନିଜ ପରିବାର ସହିତ ଦୋକାନର କର୍ମଚାରୀ ମାନଙ୍କୁ ଚଳାଇ ନେଇଛି। କିନ୍ତୁ ଜମା ଟଙ୍କା ଶେଷ ହୋଇଯାଇଥିବାରୁ ଏବେ କଣ କରିବି ଚିନ୍ତା କରି ପାରୁ ନାହିଁ। ଲକ ଡାଉନ ଖୋଲିଲା ପରେ ଲୋକେ ପୂର୍ବ ଭଳି ବାହାରକୁ ଆସିବେ କି ନାହିଁ, ଆମ ଭଳିଆ ଦୋକାନରୁ ଖାଦ୍ୟ କିଣିବେ କି ନାହିଁ, ଏତେ ଦିନ ଦୋକାନ ବନ୍ଦ ପଡିଥିବାରୁ ବ୍ୟବସାୟରେ ହୋଇଥିବା କ୍ଷତିର ଭରଣା ହେବ କି ନାହିଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ତା ଉପରେ ପିଲାଙ୍କ ସ୍କୁଲ ଫିସ, ଘର ଭଡା, ଦୋକାନ ଭଡା, ବିଜୁଳି ବିଲ ଆଦି ବିଭିନ୍ନ ଦେୟ ମଧ୍ୟ ଦେବାକୁ ପଡିବ। ଏଣୁ ସରକାର ଆମ ମାନଙ୍କ ପ୍ରତି ଦୃଷ୍ଟି ଦେଇ ସହାୟତା ଯୋଗାଇ ଦିଅନ୍ତୁ ବୋଲି ମୋର ଅନୁରୋଧ।

 

୫ – ସଂଗ୍ରାମ ରାଉତ, କମ୍ପ୍ୟୁଟର ମରାମତି ଦୋକାନ
ସମସ୍ତଙ୍କ ପାଇଁ ସରକାର କିଛି ନା କିଛି ବ୍ୟବସ୍ଥା କରିଥିବା ବେଳେ ଆମକୁ ଭୁଲି ଯାଇଛନ୍ତି। ନିଜସ୍ୱ ଉଦ୍ୟମରେ ବ୍ୟବସାୟ କରି ପରିବାର ସହିତ କର୍ମଚାରୀ ମାନଙ୍କୁ ପାଳୁଛି। କିନ୍ତୁ ଦୋକାନ ପ୍ରାୟ ୧ ମାସ ହେବ ବନ୍ଦ ହେବା ପରେ ଏବେ ଜୀବନ ନିର୍ବାହ କରିବାର ଅତ୍ୟନ୍ତ କଷ୍ଟକର ହୋଇ ପଡିଛି। ସରକାରଙ୍କର ସମସ୍ତ ପ୍ରକାରର ପ୍ରତ୍ୟକ୍ଷ ଓ ପରୋକ୍ଷ ଟ୍ୟାକ୍ସ ଦେବା ସହିତ ସମସ୍ତ ନିତି ନିୟମ ମାନି ଚଳୁଛୁ। କିନ୍ତୁ ଏହି ବିପଦ ସମୟରେ ସରକାର ଆମ ମାନଙ୍କୁ ଅଣଦେଖା କରି ଦେଇଛନ୍ତି। ରୋଜଗାରର କୌଣସି ଅନ୍ୟ କୌଣସି ବିକଳ୍ପ ନ ଥିବା ବେଳେ ନିଜ ଜମା ଟଙ୍କାରୁ ହିଁ ପରିବାର ପୋଷଣ ସହିତ କର୍ମଚାରୀଙ୍କ ଦରମା, ବିଭିନ୍ନ ଶୁଳ୍କ, ଦୋକାନ ଭଡା, ବ୍ୟାଙ୍କର କିସ୍ତି, ସ୍କୁଲ ଫିସ ଆଦି ଦେବାକୁ ପଡୁଛି। ଏଣୁ କଷ୍ଟରେ ଜୀବନଯାପନ କରିବାକୁ ପଡୁଛି।

 

୬ – ସୁବାଷ ସେନାପତି, ଟେଲର ଦୋକାନ
କରୋନା ପାଇଁ ଦୋକାନ ବନ୍ଦ ରହିଛି। ଏଣୁ ରୋଜଗାର ହୀନ ହୋଇ ବସିଛି। ବନ୍ଦ ଥିବା ସତ୍ୱେ କର୍ମଚାରୀକୁ ଦରମା ସହିତ ଦୋକାନ ଭଡା, ବିଦ୍ୟୁତ ଶୁଳ୍କ, ଆଦି ଦେବାକୁ ପଡୁଛି। ସରକାରଙ୍କ ଜନ କଲ୍ୟାଣ ଯୋଜନା ଗୁଡିକରେ ସାମିଲ ନ ଥିବାରୁ କୌଣସି ପ୍ରକାରର ସହାୟତା ମଧ୍ୟ ମିଳୁ ନାହିଁ। ଆମ ଦୁଃଖ ବୁଝିବାକୁ କେହି ନାହାନ୍ତି। ସମସ୍ତ ଜମା ଟଙ୍କା ଶେଷ ହେବାକୁ ବସିଥିବାରୁ ଆଗକୁ କଣ କରିବି ଭାବି ପାରୁ ନାହିଁ। ଏଣୁ ସରକାର ଆମ ମାନଙ୍କ ପ୍ରତି ଧ୍ୟାନ ଦେଇ କିଛି ସହାୟତା ଯୋଗାଇ ଦିଅନ୍ତୁ ବୋଲି ମୋର ଅନୁରୋଧ।

Comments are closed.