ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ବର(ବିଏସ୍ସିଏଲ୍) କାର୍ଯ୍ୟ କରୁଥିବା ପ୍ରକଳ୍ପ ମଧ୍ୟରେ ‘ସ୍ମାର୍ଟ ଜନପଥ’ ଏକ ପ୍ରମୁଖ ପ୍ରକଳ୍ପ। ଏହି ପ୍ରକଳ୍ପର କାର୍ଯ୍ୟ ସରିଲେ ଲୋକଙ୍କୁ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ମିଳିବ। ବ୍ୟସ୍ତବହୁଳ ଜନପଥ ରାସ୍ତାରେ ଗମନାଗମନ ସୁଗମ ହେବ। ସ୍ମାର୍ଟସିଟି ଦେଖାଇଥିବା ଏଭଳି ସ୍ବପ୍ନର ବାସ୍ତବତା ଦେଖିବାକୁ ସାଧାରଣ ଲୋକେ ଚାତକ ପରି ଚାହିଁ ବସିଥିବାବେଳେ ପ୍ରକଳ୍ପର ଅବଧି ଘୁଞ୍ଚି ଘୁଞ୍ଚି ଯାଉଛି। ଏହି ପ୍ରକଳ୍ପର କାମ ବର୍ଷେ ତଳୁ ସରିବା କଥା। ହେଲେ ସ୍ମାର୍ଟସିଟି ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରହୁ ନଥିବା ଏବଂ ଦାୟିତ୍ବରେ ଥିବା ଅଧିକାରୀ କାର୍ଯ୍ୟର ସମୀକ୍ଷା ନିମନ୍ତେ କ୍ଷେତ୍ରକୁ ଯାଉ ନଥିବାରୁ କାମ ଆଶାନୁରୂପ ଆଗେଇ ପାରୁନାହିଁ। ବାଣୀବିହାରରୁ ଶିଶୁ ଭବନ ଛକ ଯାଏଁ ୫.୮ କି.ମି ବ୍ୟାପ୍ତ ପ୍ରକଳ୍ପର କାମ ଅଧାପନ୍ତରିଆ ପଡ଼ିଛି। କେଉଁଦିନ କାମ ହେଉଛି ତ ଆଉ କେଉଁ ଦିନ ହେଉନାହିଁ। ଉପଯୁକ୍ତ ଯୋଜନା ଅଭାବରୁ ଗୋଟିଏ ଗୋଟିଏ ସ୍ଥାନରେ ବାରମ୍ବାର ଖୋଳାପୋତା କାମ ଚାଲିଛି। ଏପରି ଅନେକ ସ୍ଥାନରେ ନିର୍ମାଣ ହୋଇଥିବା କାମ ପୁଣି ଖୋଳାଯାଇ ପାଇପ୍ ବିଛା କାମ ଚାଲିଥିବା ଦେଖିବାକୁ ମିଳୁଛି।

ବର୍ଷ ବର୍ଷ ଧରି ଖୋଳାପୋତା
ବାଣୀବିହାର ଛକରୁ ରୁପାଲି ଛକ, ଏଠାରୁ ସତ୍ୟନଗର, ସତ୍ୟନଗରରୁ ରାମ ମନ୍ଦିର, ରାମ ମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ୍ ଏବଂ ରାଜମହଲ ରାସ୍ତା କଡ଼େକଡ଼େ ଖୋଳାଖୋଳି କାମ ଚାଲିିଛି। ରାସ୍ତା ଚଉଡ଼ା ପାଇଁ ଉଭୟ ପାର୍ଶ୍ବରେ ଉଚ୍ଛେଦ ହେଉଛି। ଶ୍ରୀୟା ଛକରେ ଦୀର୍ଘଦିନ ହେଲା ରାସ୍ତା ନିର୍ମାଣ କାମ ଚାଲିଛି। ଉଭୟ ପାର୍ଶ୍ବରେ ଡ୍ରେନ୍ ଖୋଳା ହୋଇ ପଡ଼ିଥିବାରୁ ବ୍ୟବସାୟୀ ନାନା ହଇରାଣ ହରକତ ହେବା ସହିତ ନିର୍ମାଣାଧୀନ ରାସ୍ତାରୁ ଧୂଳି ଉଡ଼ି ପରିବେଶ ପ୍ରଦୂଷିତ ହୋଇପଡ଼ିଛି। ସେହିପରି ଡ୍ରେନ୍, କେବୁଲ ବିଛା କାମ ପାଇଁ ବହୁ ସ୍ଥାନରେ ଖୋଳା ହୋଇଛି। ରୁପାଲି ଛକଠାରୁ ଆରମ୍ଭ କରି ରାଜମହଲ ଛକ ଯାଏ ଏପରି ଖୋଳାପୋତା କାମ ହେଉଛି। ଏହାକୁ ନେଇ ପଥଚାରୀ ଏବଂ ସ୍ଥାନୀୟ ବ୍ୟବସାୟୀ ଅତିଷ୍ଠ ହୋଇପଡ଼ିଥିବା କହିଛନ୍ତି। ଏହା ସହିତ ପାଦଚଲା ରାସ୍ତା, ସାଇକଲ ଟ୍ରାକ୍, ଲୋକ ବସିବା ପାଇଁ ସିମେଣ୍ଟ ଚୌକି, ସେନ୍ସୋର ବେସ୍ଡ ପାର୍କିଂରେ ଟାଇଲ୍ ପକା କାମ ଚାଲିଛି। ରୁପାଲି ଛକଠାରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ଯାଏ ମେଡିଆନ୍ ଖୋଳାଯାଇ େସୗନ୍ଦର୍ଯ୍ୟକରଣ କାମ ଅଧାରୁ ବନ୍ଦ ହୋଇଛି। କେବଳ ରାଜମହଲରୁ ଶିଶୁ ଭବନ ଛକ ଯାଏ ରାସ୍ତା ଚଉଡ଼ା, ଟାଇଲ୍ ପକା କାମ ସରିଛି। ସେନ୍ସୋର୍ ଟ୍ରାକ୍, ପାର୍କିଂ ବ୍ୟବସ୍ଥା ଏବଂ କିଛି ସୌନ୍ଦର୍ଯ୍ୟକରଣ କାମ ବାକି ଅଛି ବୋଲି ସ୍ମାର୍ଟସିଟି ପକ୍ଷରୁ କୁହାଯାଇଛି। ବାକି ୫.୮ କିମି ବ୍ୟାପ୍ତ ପ୍ରକଳ୍ପର ଏହି କାମ ବିଭିନ୍ନ ସ୍ଥାନରେ ଚାଲିଛି। ପାଖିପାଖି ୬୦% କାମ ସରିଛି। ସମସ୍ତ କାମ ଯଥା ସମୟରେ ସାରିବାକୁ ଚେଷ୍ଟା ଚାଲିଛି ବୋଲି ସ୍ମାର୍ଟସିଟିର ଜେନେରାଲ୍ ମ୍ୟାନେଜର(ଯନ୍ତ୍ରୀ ବିଭାଗ) ଇଂ ଅଶ୍ବିନୀ କୁମାର ବିଶ୍ବାଳ କହିଛନ୍ତି।

ନୂଆ କାମକୁ ଖୋଳିଦେଲେ
ବିଗ୍ ବଜାର ଛକ ନିକଟସ୍ଥ ରାମ ମନ୍ଦିର ଭେଣ୍ଡିଂ ଜୋନ୍ରେ ନିର୍ମାଣ ହୋଇଥିବା ପାଦଚଲା ରାସ୍ତା କାମ ପୁଣି ଖୋଳା ହୋଇଛି। ୧୫ଦିନ ହେଲା ଉକ୍ତ କାମ ଖୋଳାଯାଇ ପାଇପ୍ ବିଛାଯାଇଛି, କିନ୍ତୁ ମାଟି ନପୋତି ଛାଡ଼ି ଦେଇଥିବାରୁ ଯାତ୍ରୀ ନାହିଁ ନଥିବାରୁ ସମସ୍ୟାରେ ପଡ଼ୁଛନ୍ତି। ଭେଣ୍ଡିଂ ଜୋନ୍କୁ ରାସ୍ତା ନଥିବାରୁ ବ୍ୟବସାୟ ବାଧାପ୍ରାପ୍ତ ହୋଇଥିବା ବ୍ୟବସାୟୀ କହିଛନ୍ତି।
ନିମ୍ନ ମାନର କାର୍ଯ୍ୟ : ରୁପାଲି ଛକରୁ ଶ୍ରୀୟାଛକ ଯାଏ ରାସ୍ତାେର ନିର୍ମାଣ କାମ ସରିବା ସହିତ ପିଚୁ ପଡ଼ି ଚକାଚକ୍ ହୋଇଥିଲା। ହେଲେ କାମର କେଇ ଦିନ ଭିତରେ ରାସ୍ତାରୁ ପିଚୁ ଛାଡ଼ି ଖାଲଖମା ସୃଷ୍ଟି ହୋଇଛି। ରାସ୍ତା ମଝିରେ ବଡ଼ବଡ଼ ଗାତ ହୋଇଛି। ଟିକେ ଅସାବଧାନ ହେଲେ ଦୁର୍ଘଟଣା ଘଟିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନି। ନିମ୍ନମାନର କାମ ହୋଇଥିବାରୁ ଏପରି ହୋଇଛି ବୋଲି ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ସେହିପରି ମାଷ୍ଟରକ୍ୟାଣ୍ଟିନ୍ ଛକରେ ମଧ୍ୟ ରାସ୍ତା ମଝିରେ ଖାଲ ସୃଷ୍ଟି ହୋଇଥିବାରୁ ଗମନାଗମନରେ ବାଧା ସୃଷ୍ଟି ହୋଇଛି।
କାର୍ଯ୍ୟ ସରିବା ନେଇ ଅନିଶ୍ଚିତତା : ସ୍ମାର୍ଟ ଜନପଥ ବାଣୀବିହାରରୁ ଶିଶୁ ଭବନ ଛକ(୫.୮କିମି) କାର୍ଯ୍ୟ ଅବଧି ୨୦୧୭, ଏପ୍ରିଲ୍ ଥିବାବେଳେ ବଜେଟ୍ ଥିଲା ୭୯.୫୬ କୋଟି। ଏହି ପ୍ରକଳ୍ପ ୨୦୧୯ରେ ସରିବାର ଥିଲେ ହେଁ ଅବଧି ବୃଦ୍ଧି ହୋଇ ୨୦, ନଭେମ୍ବର ୨୦୨୦ ରହିଛି। ଏହି ଅବଧି ମଧ୍ୟରେ କାର୍ଯ୍ୟ ସରିବା ନେଇ ଅନିଶ୍ଚିତତା ଦେଖାଦେଇଛି।
ମୋବାଇଲ ଆପ୍ କେବେ ?
ସ୍ମାର୍ଟ ଜନପଥ ରାସ୍ତାକଡ଼େର ସେନ୍ସୋର୍ ବେସ୍ଡ ପାର୍କିଂ ବ୍ୟବସ୍ଥା ହେବ। ପାର୍କିଂ ନିମନ୍ତେ ଲୋକେ ଅନ୍ ଲାଇନ୍ରେ ବୁକିଂ କରିବେ। ଏସବୁ କାର୍ଯ୍ୟ ନିମନ୍ତେ ଏକ ମୋବାଇଲ୍ ଆପ୍ ବିକାଶ କରାଯିବ। ହେଲେ ଏହି ଆପ୍ ଆଜି ଯାଏ ବିକଶିତ ହୋଇ ନାହିଁ।
ପ୍ରକଳ୍ପର ରୂପରେଖ:
ବାଣୀବିହାରରୁ ଶିଶୁ ଭବନ ଛକ ରାସ୍ତା ରାଜଧାନୀର ମଡେଲ ରାସ୍ତା ଭାବେ ବିକଶିତ ହେବ। ରାସ୍ତା କଡ଼େ କଡ଼େ ବସିବା ନିମେନ୍ତ ସିମେଣ୍ଟ ଚୌକି ସହିତ ପବ୍ଲିକ୍ ପ୍ଲାଜା ନିର୍ମାଣ ହେବ। ଶିଶୁ ଭବନ ଛକ, ମାଷ୍ଟରକ୍ୟାଣ୍ଟିନ ଛକ, ରୁପାଲି ଛକ ଏବଂ ବାଣୀବିହାର ଛକରେ ୮ଟି ସ୍ଥାନରେ ଉଜ୍ବଳ ଆଲୋକ ବ୍ୟବସ୍ଥା ହେବ। ୧୧ କି.ମିର ନନ୍ ମୋଟୋରାଇଜ୍ଡ ଟ୍ରାନ୍ସପୋର୍ଟ ଜୋନ୍ ଏବଂ ଉଭୟ ପାର୍ଶ୍ବରେ ସାଇକଲ ଟ୍ରାକ୍ ହେବ।
ସ୍ମାର୍ଟ ଭେଣ୍ଡିଂ ଜୋନ୍, ରାସ୍ତା ପାର୍ଶ୍ବରେ ସର୍ବସାଧାରଣ ଜୋନ୍ ରହିବ, ଯେଉଁଠାରେ ଲୋକେ ବସାଉଠା କରି ଆଲୋଚନା କରିବା ବ୍ୟବସ୍ଥା ରହିବ। ଡ୍ରେନ୍, ସ୍ବେରେଜ୍, ଭୂତଳ କେବୁଲ ବ୍ୟବସ୍ଥା ହେବ, ଏହାଦ୍ବାରା ଭବିଷ୍ୟତରେ ଆଉ ରାସ୍ତା ଖୋଳା ହେବନାହିଁ। ସେନ୍ସୋର୍ ବେସ୍ଡ ପାର୍କିଂ ଏବଂ ସର୍ଭେଲାନ୍ସ ବ୍ୟବସ୍ଥା ହେବ। ମୋବାଇଲ ଆପ୍ ସାହାଯ୍ୟରେ ପାର୍କିଂ ପରିଚାଳନା କରାଯିବ। ୨୫ ସ୍ଥାନେର ୧୦୦ ସିସିଟିଭି ଲାଗିବ। ଏହା ଟ୍ରାଫିକ୍ ପରିଚାଳନ କରିବ। ମେଟ୍ରୋ ସହର ପରି ଜନପଥ ରାସ୍ତାକୁ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାେର ପରିବର୍ତ୍ତିତ କରିବାକୁ ଉକ୍ତ ପ୍ରକଳ୍ପର ଲକ୍ଷ୍ୟ ରହିଛି ।



