www.samajalive.in
Sunday, December 7, 2025
14.1 C
Bhubaneswar

୮୯ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ; ସବ୍‌‌ଇନ୍ସପେକ୍ଟର ବଳିଆ ବାରିକ ଶ୍ରେଷ୍ଠ

କେନ୍ଦୁଝରଗଡ଼: କେନ୍ଦୁଝର ରିଜର୍ଭ ପୁଲିସ ପଡ଼ିଆଠାରେ ଓଡ଼ିଶା ପୁଲିସର ୮୯ତମ ପ୍ରତିଷ୍ଠା ଦିବସ ସୋମବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି। ଆରକ୍ଷୀ ନିରୀକ୍ଷକ ମାନସ କୁମାର ବେହେରାଙ୍କ ନେତ୍ତୃତ୍ୱରେ ଅନୁଷ୍ଠିତ ମିଳିତ ପରେଡରେ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଅଭିବାଦନ ଗ୍ରହଣ କରିବା ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ବାର୍ତ୍ତାକୁ ପଢ଼ି ଶୁଣାଇଥିଲେ। ସାମ୍ବିଧାନିକ ସୁରକ୍ଷା ସହ ଆଇନର ଶାସନ ପ୍ରତିଷ୍ଠା ଓ ଜନସାଧାରଣଙ୍କ ପ୍ରତି ପୁଲିସ ଆସ୍ଥାଭାଜନ ହେବାକୁ ଏସ୍‌‌.ପି. ଶ୍ରୀ କୁଶଲକର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବୋଧିତ କରି ଏହା କହିଥିଲେ। ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପୁଲିସ ତା’ର ଦାୟିତ୍ୱ, ଶୃଙ୍ଖଳା, ନିରପେକ୍ଷତା ଓ ସେବା ମନୋଭାବ ନେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଏସ୍‌‌.ପି. ଶ୍ରୀ କୁଶଲକର ଭାଷଣ ପ୍ରସଙ୍ଗରେ ବିଭାଗୀୟ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ। ରାଜ୍ୟବାସୀଙ୍କ ସେବାରେ ସର୍ବଦା ନିୟୋଜିତ ଓଡ଼ିଶା ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା ଭୂମିକାକୁ ଆରକ୍ଷୀ ଅଧିକ୍ଷକ ପ୍ରଶଂସା କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଡବିଲ ଥାନା ସବ୍‌‌ଇନ୍ସପେକ୍ଟର ବଳିଆ ବାରିକଙ୍କୁ ଜିଲାର ଶ୍ରେଷ୍ଠ ପୁଲିସ ଅଧିକାରୀ, ଟାଉନ ଥାନା ଏଏସ୍‌‌ଆଇ ଜ୍ୟୋତ୍ସ୍ନାରାଣୀ ପାତ୍ର, ସଶସ୍ତ୍ରବାହିନୀ ଏପିଆର ହାବିଲଦାର ସୁଧାଂଶୁ ଶେଖର ସାହୁ, ଶ୍ରେଷ୍ଠ ଓଆର କନଷ୍ଟେବଳ ମୋହନ ମାଝୀ, ଶ୍ରେଷ୍ଠ ଏପିଆର କନଷ୍ଟେବଳ ପିତାମ୍ବର ଜେନା, ଶ୍ରେଷ୍ଠ ଟ୍ରାଫିକ୍‌‌ କନଷ୍ଟେବଳ ସୀତା ଆଚାର୍ଯ୍ୟଙ୍କୁ ଏସ୍‌‌.ପି. ଶ୍ରୀ ମହାପାତ୍ର ପୁରସ୍କୃତ କରିଥିଲେ। ଏହି ଅବସରରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, କେନ୍ଦୁଝର ଉପଜିଲାପାଳ ତ୍ରିଲୋଚନ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ, ସଦର ଏସ୍‌‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଡିଏସ୍‌‌ପି ଡିଆଇବି ଜ୍ୟୋତିର୍ମୟ ଭୁକ୍ତା, ଡିଏସ୍‌‌ପି ଜିତେନ୍ଦ୍ର କୁମାର ଦଳେଇ, ଗୁରୁବାରୀ ହେମ୍ବ୍ରମ୍‌‌, ମମତା ନାୟକ ଓ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ଟାଉନଥାନା ଅଧିକାରୀ ରମାକାନ୍ତ ସାଏ, ଜିଲା ହାବିଲଦାର ଓ କନଷ୍ଟେବଳ ସଂଘ ସଭାପତି ଅନୀଲ କୁମାର ଷଣ୍ଢ, ଉପସଭାପତି ପ୍ରବୀଣ କୁମାର ମହାନ୍ତ, ସମ୍ପାଦକ କମଳାକାନ୍ତ ସେଠୀଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories