www.samajalive.in
Sunday, December 7, 2025
18.1 C
Bhubaneswar

ଶ୍ରୀମନ୍ଦିର ପରିଚାଳନା ସଂସ୍କାର ; ଜନଶୁଣାଣିକୁ ସେବକଙ୍କ ବିରୋଧ

ପୁରୀ : ଶ୍ରୀମନ୍ଦିର ପରିଚାଳନା ସଂସ୍କାର ସମ୍ପର୍କରେ ପରାମର୍ଶ ଦେବାକୁ ଗଠିତ ତିନିଜଣିଆ କମିଟିର ରୁଦ୍ଧଦ୍ୱାର ଜନଶୁଣାଣିକୁ ବିରୋଧ କରିଛନ୍ତି ସେବକ। ଶୁଣାଣିରେ ଭାଗ ନନେଇ ଶତାଧିକ ସେବକ ଫେରି ଯାଇଛନ୍ତି। ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ଛାଉଣିରେ ଶୁକ୍ରବାର ଜନଶୁଣାଣି ହୋଇଛି। ସେବକଙ୍କ ପୁରୁଷାନୁକ୍ରମିକ ସେବାସ୍ୱତ୍ୱ ଅଧିକାର ଉଚ୍ଛେଦ ଏବଂ ଦକ୍ଷିଣା ଆଦାୟ ବନ୍ଦ ପ୍ରସଙ୍ଗରେ ଦ୍ୱିମତ ପ୍ରକାଶ ପାଇଛି।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଅବସରପ୍ରାପ୍ତ ପ୍ରଶାସକ ମହୀମୋହନ ତ୍ରିପାଠୀଙ୍କୁ ନେଇ ସରକାର କମିଟି ଗଠନ କରିଛନ୍ତି। ଦେଶର କେତେକ ପ୍ରମୁଖ ମନ୍ଦିର ପରିଦର୍ଶନ କରି ସେଠାକାର ପରିଚାଳନା ବ୍ୟବସ୍ଥା ସମ୍ପର୍କରେ କମିଟି ଅନୁଧ୍ୟାନ କରି  ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବ। ଏହାପୂର୍ବରୁ କମିଟି ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଶୁକ୍ରବାର ସେବକ ଓ ଅଣସେବକଙ୍କ ମତାମତ ସଂଗ୍ରହ କରିଛି। ସର୍ବସାଧାରଣରେ ଜନଶୁଣାଣି କରାନଯାଇ ରୁଦ୍ଧଦ୍ୱାର କୋଠରି ଭିତରେ ଜଣ ଜଣଙ୍କୁ ଡାକି କମିଟି ଶୁଣାଣି କରିବା ଘଟଣାକୁ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ବିରୋଧ କରିଛି। ସେବକଙ୍କ ବିରୋଧରେ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ସାଧାରଣ ସମ୍ପାଦକ କାଶୀନାଥ ଖୁଣ୍ଟିଆ ଅଭିଯୋଗ କରିଛନ୍ତି।


ଶୁଣାଣିକୁ ବିରୋଧ କରି ସୋମନାଥ ଖୁଣ୍ଟିଆ, ଦୋଳଗୋବିନ୍ଦ ପଣ୍ଡା, ଶ୍ରୀଧର ପ୍ରଧାନୀ, ସ୍ୱାଧୀନ କୁମାର ପଣ୍ଡାଙ୍କ ସମେତ କେତେକ ସେବକ ଧାରଣା ଦେଇଥିଲେ। କୋଠରି ଭିତରେ ଶୁଣାଣି ଚାଲିଥିବାବେଳେ ବାହାରେ ସେବକମାନେ ଏହା ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଅତିରିକ୍ତ ଏସ୍‍ପି ଧୀରେନ ଚନ୍ଦ୍ର ନନ୍ଦ, ସିଟି ଡିଏସ୍‍ପି ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ସିଂହଦ୍ୱାର ଥାନା ଇନ୍ସପେକ୍ଟର ଗୋକୁଳ ରଞ୍ଜନ ଦାଶ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ସେବକଙ୍କୁ ବୁଝାସୁଝା କରିଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜନଶୁଣାଣି ହୋଇଥିଲା। ମହାବୀର ସେନାର ଶତାଧିକ କର୍ମୀ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଇତାପତି ନିଯୋଗ ଯୁଗ୍ମ ସମ୍ପାଦକ ବିନାୟକ ଦାସମହାପାତ୍ର, ନୃସିଂହନାଥ ମେକାପ, ଶମ୍ଭୁନାଥ ଖୁଣ୍ଟିଆ, ପୁରୀ ଓକିଲ ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି, ବ୍ରହ୍ମପୁରର ପ୍ରକାଶ ଚନ୍ଦ୍ର ସୁଆର, ସାତସାହି ଆଖଡ଼ା ସଭାପତି ବାବାଜୀ ମହାପାତ୍ର, ମୁକ୍ତିମଣ୍ଡପ କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ମିଶ୍ର, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ଉତ୍ତରପାର୍ଶ୍ବ ମଠ ମହନ୍ତ ନାରାୟଣ ରାମାନୁଜ ଦାସ, ନେବଳଦାସ ମଠ ମହନ୍ତ ଡ. ରାମଚରଣ ଦାସ, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ, କଳିଯୁଗ ହରେକୃଷ୍ଣ ପ୍ରତିହାରୀ, ପୁରୀ ଲୋକସଭା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିଶ୍ୱନାଥ ଦାଶ ପ୍ରମୁଖ କମିଟି ନିକଟରେ ମତାମତ ରଖିଛନ୍ତି। ତାହାକୁ ଅନୁଧ୍ୟାନ କରାଯିବା ପରେ ଚଳିତମାସ ଶେଷସୁଦ୍ଧା ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦିଆଯିବ ବୋଲି ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଚିନ୍ମୟ ମହାନ୍ତି ଜନଶୁଣାଣିର ବୈଧତାକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ହଜାର ବର୍ଷର ମନ୍ଦିର ପରମ୍ପରା ସମ୍ପର୍କରେ ୩ଘଣ୍ଟିଆ ଜନଶୁଣାଣି ଭାଗ୍ୟ ନିର୍ଦ୍ଧାରଣ କରିପାରିବ ନାହିଁ। ଶ୍ରୀମନ୍ଦିର ପ୍ରଥା ଓ ପରମ୍ପରା ଅକ୍ଷୁଣ୍ଣ ରହିବା ଉଚିତ। ନିଖିଳ ଉତ୍କଳ ମଠମନ୍ଦିରାଧୀଶ ସେବାସଂଘ ପକ୍ଷରୁ କମିଟିକୁ ୪ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories