Patra electronics

ଫେରିଲା ମହାପ୍ରଭୁଙ୍କ ଟଙ୍କା ; ରାଜ୍ୟବାସୀ ଆଶ୍ୱସ୍ତ

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିପୁଳ ଟଙ୍କା ଫେରିଆସିଛି। ଫଳରେ ଓଡ଼ିଶାବାସୀ ଆଶ୍ୱସ୍ତି ଲାଭ କରିଛନ୍ତି। ୟେସ୍‌ ବ୍ୟାଙ୍କ ପୁନଃକାର୍ଯ୍ୟକ୍ଷମ ହେବା ପରେ ଏଠାରେ ଥିବା ୟେସ୍‌ ବ୍ୟାଙ୍କ ପୁରୀ ଶାଖାରେ ଜମାଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା ମଧ୍ୟରୁ  ୩୯୭, ୨୩, ୨୭,୬୩୬ ଟଙ୍କା ଫେରିଆସିଛି। ସେଥି ମଧ୍ୟରୁ  ୩୮୯କୋଟି ଟଙ୍କାର ମୂଳଧନ ଏବଂ ସୁଧ ବାବଦରେ ୮,୨୩,୨୭,୬୩୬ ଟଙ୍କା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଜମା କରାଯାଇଛି। ସୂଚନାଯୋଗ୍ୟ ଏହି ଟଙ୍କା ବର୍ଷିକିଆ ଚୁକ୍ତିରେ ଗତବର୍ଷ ମାର୍ଚ୍ଚ ୧୯ରେ ୟେସ୍‌ ବ୍ୟାଙ୍କରେ ଜମା କରାଯାଇଥିଲା। ଏହି ଜମା ଅବଧି ଗୁରୁବାର(ଆଜି) ଶେଷ ହୋଇଛି। ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ୩୮୯କୋଟି ଟଙ୍କା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ରଖାଯିବ ବୋଲି ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ସୂଚନା ଦେଇଥିଲେ। ଅବଶିଷ୍ଟ ୧୫୬କୋଟି ଟଙ୍କାର ଜମା ଅବଧି ଆଗାମୀ ୩୦ ତାରିଖରେ ଶେଷହେବ। ସେଥିରେ କର୍ପସ ଫଣ୍ଡ ଏବଂ ଟେମ୍ପୁଲ ଫଣ୍ଡ ଟଙ୍କା ରହିଛି।
ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ଜମା ରଖାଯିବା ଘଟଣାକୁ ନେଇ ବିବାଦ ପରେ ରାଜ୍ୟ ସରକାର ବୁଧବାର ଏକ ନିର୍ଦେଶନାମା ଜାରି କରିଥିଲେ। ଏଣିକି ଫାଉଣ୍ଡେସନ ଫଣ୍ଡ ଟଙ୍କା ଷ୍ଟେଟ୍‌ ବ୍ୟାଙ୍କରେ ରଖାଯିବ। କର୍ପସ ଫଣ୍ଡ ଏବଂ ଟେମ୍ପୁଲ ଫଣ୍ଡ ଟଙ୍କା ଅଧିକ ସୁଧ ଦେବାକୁ ପ୍ରସ୍ତୁତ ଥିବା ଦୁଇଟି ଜାତୀୟକରଣ ବ୍ୟାଙ୍କରେ ରଖିବାକୁ ସରକାର ଅନୁମତି ଦେଇଛନ୍ତି। ତେଣୁ ଆଗ୍ରହୀ ବ୍ୟାଙ୍କଗୁଡ଼ିକଠାରୁ ମନ୍ଦିର ପ୍ରଶାସନ ପ୍ରସ୍ତାବ ଆହ୍ବାନ କରିଛି। କୌଣସି ପରିସ୍ଥିତିରେ ଠାକୁରଙ୍କ ଟଙ୍କା ଆଉ ଘରୋଇ ବ୍ୟାଙ୍କରେ ଜମା କରାଯିବ ନାହିଁ। ରାଜ୍ୟ ସରକାର ଏବଂ ପରିଚାଳନା କମିଟି ନିଷ୍ପତ୍ତି କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆଲୋଚନା ନିମନ୍ତେ ବୁଧବାର ଅର୍ଥ ସବ୍‌କମିଟି ବୈଠକ ଡକା ଯାଇଥିଲା।

ଅନ୍ୟପକ୍ଷରେ ଶୁକ୍ରବାର ଦିନ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା ନିମନ୍ତେ ଦିନଧାର୍ଯ୍ୟ କରାଯାଇଛି। ସୂଚନା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ଫାଉଣ୍ଡେସନ ଫଣ୍ଡରେ ଏବେ ୯୧.୭ କୋଟି, କର୍ପସ ଫଣ୍ଡରେ ୨୫୬.୬୫କୋଟି ଏବଂ ଟେମ୍ପୁଲ ଫଣ୍ଡରେ ୧୯୭.୬୦କୋଟି ଟଙ୍କା ରହିଛି। ବର୍ଷିକିଆ ସ୍ଥାୟୀଜମା ସୁଧ ବାବଦରେ ୟେସ୍‌ ବ୍ୟାଙ୍କ ଗତ ଡିସେମ୍ବର ମାସରେ ୧୧କୋଟି ଟଙ୍କା ଦେଇଥିଲା। ଗୁରୁବାର ୨ଟି ଜମା ଅବଧି ଶେଷ ହେଉଥିବାରୁ ବାର୍ଷିକ ୮.୬୧% ସହ ମୂଳଜମା ଫେରାଇବାକୁ ମନ୍ଦିର ପ୍ରଶାସନ ଦାବି କରିଛି। ଶ୍ରୀଜଗନ୍ନାଥଙ୍କ କେଉଁ ପାଣ୍ଠି ଟଙ୍କା କେଉଁ ବ୍ୟାଙ୍କରେ ଜମା କରାଯିବ ସେଥିନେଇ ରାଜ୍ୟ ସରକାର ନୀତି ନିର୍ଦ୍ଧାରଣ କରିଛନ୍ତି। ଆଗାମୀ ପରିଚାଳନା କମିଟି ବୈଠକରେ ତାହାକୁ ଅନୁମୋଦନ କରାଯିବ।

Comments are closed.