ନୂଆଦିଲ୍ଲୀ,(ଏଜେନ୍ସି)/ପୁରୀ : ୟେସ୍ ବ୍ୟାଙ୍କ ଉପରେ ଜାରି ହୋଇଥିବା ନିଷେଧାଦେଶକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ପ୍ରତ୍ୟାହାର କରିନେଇଛି। ଏଥିସହିତ ୟେସ୍ ବ୍ୟାଙ୍କ ପକ୍ଷରୁ ପୂର୍ଣ୍ଣାଙ୍ଗ ବ୍ୟାଙ୍କିଙ୍ଗ ସେବା ଯୋଗାଣ ଆରମ୍ଭ ହୋଇଛି। ଫଳରେ ଏହାର ଗ୍ରାହକମାନେ ପୂର୍ବଭଳି ବ୍ୟାଙ୍କରେ ଦେଣନେଣ କରିପାରିବେ। ଅନ୍ୟପକ୍ଷରେ ବ୍ୟାଙ୍କ ପୁନଃକାର୍ଯ୍ୟକ୍ଷମ ହେବା ଘୋଷଣା ପରେ ଏଠାରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିପୁଳ ଟଙ୍କା ଫେରିଆସିବା ଆଶାରେ ଓଡ଼ିଶାବାସୀ ଆଶ୍ୱସ୍ତିଲାଭ କରିଛନ୍ତି। ୟେସ୍ ବ୍ୟାଙ୍କ ପୁରୀ ଶାଖାରେ ଜମାଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ମଧ୍ୟରୁ ୩୮୯କୋଟି ଟଙ୍କା ଗୁରୁବାର ଫେରିବା ସମ୍ଭାବନା ରହିଛି। ଏହି ଟଙ୍କା ବର୍ଷିକିଆ ଚୁକ୍ତିରେ ଗତବର୍ଷ ମାର୍ଚ୍ଚ ୧୯ରେ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ଏହି ଜମା ଅବଧି ଗୁରୁବାର ଶେଷ ହେବାକୁ ଯାଉଛି। ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ୩୮୯କୋଟି ଟଙ୍କା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ରଖାଯିବ ବୋଲି ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ଅବଶିଷ୍ଟ ୧୫୬କୋଟି ଟଙ୍କାର ଜମା ଅବଧି ଆଗାମୀ ୩୦ ତାରିଖରେ ଶେଷହେବ। ସେଥିରେ କର୍ପସ ଫଣ୍ଡ ଏବଂ ଟେମ୍ପୁଲ ଫଣ୍ଡ ଟଙ୍କା ରହିଛି।
ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ଜମା ରଖାଯିବା ଘଟଣାକୁ ନେଇ ବିବାଦ ପରେ ରାଜ୍ୟ ସରକାର ବୁଧବାର ଏକ ନିର୍ଦେଶନାମା ଜାରି କରିଛନ୍ତି। ଏଣିକି ଫାଉଣ୍ଡେସନ ଫଣ୍ଡ ଟଙ୍କା ଷ୍ଟେଟ୍ ବ୍ୟାଙ୍କରେ ରଖାଯିବ। କର୍ପସ ଫଣ୍ଡ ଏବଂ ଟେମ୍ପୁଲ ଫଣ୍ଡ ଟଙ୍କା ଅଧିକ ସୁଧ ଦେବାକୁ ପ୍ରସ୍ତୁତ ଥିବା ଦୁଇଟି ଜାତୀୟକରଣ ବ୍ୟାଙ୍କରେ ରଖିବାକୁ ସରକାର ଅନୁମତି ଦେଇଛନ୍ତି। ତେଣୁ ଆଗ୍ରହୀ ବ୍ୟାଙ୍କଗୁଡ଼ିକଠାରୁ ମନ୍ଦିର ପ୍ରଶାସନ ପ୍ରସ୍ତାବ ଆହ୍ବାନ କରିଛି। କୌଣସି ପରିସ୍ଥିତିରେ ଠାକୁରଙ୍କ ଟଙ୍କା ଆଉ ଘରୋଇ ବ୍ୟାଙ୍କରେ ଜମା କରାଯିବ ନାହିଁ। ରାଜ୍ୟ ସରକାର ଏବଂ ପରିଚାଳନା କମିଟି ନିଷ୍ପତ୍ତି କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଆଲୋଚନା ନିମନ୍ତେ ବୁଧବାର ଅର୍ଥ ସବ୍କମିଟି ବୈଠକ ଡକା ଯାଇଥିଲା। କେତେକ ସଭ୍ୟ ଯୋଗ ନଦେବାରୁ ତାହାକୁ ସ୍ଥଗିତ ରଖାଯାଇଛି। ଆଗାମୀ ୨୦ତାରିଖ ଦିନ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା ନିମନ୍ତେ ଦିନଧାର୍ଯ୍ୟ କରାଯାଇଛି।
ସୂଚନା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ଫାଉଣ୍ଡେସନ ଫଣ୍ଡରେ ଏବେ ୯୧.୭ କୋଟି, କର୍ପସ ଫଣ୍ଡରେ ୨୫୬.୬୫କୋଟି ଏବଂ ଟେମ୍ପୁଲ ଫଣ୍ଡରେ ୧୯୭.୬୦କୋଟି ଟଙ୍କା ରହିଛି। ବର୍ଷିକିଆ ସ୍ଥାୟୀଜମା ସୁଧ ବାବଦରେ ୟେସ୍ ବ୍ୟାଙ୍କ ଗତ ଡିସେମ୍ବର ମାସରେ ୧୧କୋଟି ଟଙ୍କା ଦେଇଥିଲା। ଗୁରୁବାର ୨ଟି ଜମା ଅବଧି ଶେଷ ହେଉଥିବାରୁ ବାର୍ଷିକ ୮.୬୧% ସହ ମୂଳଜମା ଫେରାଇବାକୁ ମନ୍ଦିର ପ୍ରଶାସନ ଦାବି କରିଛି। ଶ୍ରୀଜଗନ୍ନାଥଙ୍କ କେଉଁ ପାଣ୍ଠି ଟଙ୍କା କେଉଁ ବ୍ୟାଙ୍କରେ ଜମା କରାଯିବ ସେଥିନେଇ ରାଜ୍ୟ ସରକାର ନୀତି ନିର୍ଦ୍ଧାରଣ କରିଛନ୍ତି। ଆଗାମୀ ପରିଚାଳନା କମିଟି ବୈଠକରେ ତାହାକୁ ଅନୁମୋଦନ କରାଯିବ। ତେଣୁ କେଉଁ ବ୍ୟାଙ୍କ ଠାକୁରଙ୍କ ବର୍ଷିକିଆ ଜମା ଉପରେ କେତେ ଟଙ୍କା ସୁଧଦେବେ ସେଥିନେଇ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଛି। ମନ୍ଦିର ପ୍ରଶାସନର ବଜେଟ ବୈଠକରେ ୟେସ୍ ବ୍ୟାଙ୍କ ଟଙ୍କାଜମା ପ୍ରସଙ୍ଗ ଉଠିବା ସମ୍ଭାବନା ରହିଛି। ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନର ଜମାଥିବା ୫୪୫ କୋଟି ଟଙ୍କା ୟୁକୋ ବ୍ୟାଙ୍କର ପୁରୀ ଶାଖାକୁ ସ୍ଥାନାନ୍ତର ପାଇଁ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଗତ ୭ତାରିଖ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦେଶକଙ୍କୁ ଚିଠି ଲେଖିଥିଲେ। ତେବେ ଏଥିନେଇ ରାଜ୍ୟ ସରକାର ବୁଧବାର ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଚଳିତ ମାସ ୫ ତାରିଖରେ ଆରବିଆଇ ପକ୍ଷରୁ ଏହା ଉପରେ କଟକଣା ଜାରି କରାଯିବା ସହିତ ଏପ୍ରିଲ ୩ ପର୍ଯ୍ୟନ୍ତ ପ୍ରତ୍ୟେକ ଜମାକାରୀ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇପାରିବେ ବୋଲି କୁହାଯାଇଥିଲା। ସମ୍ପ୍ରତି ୟେସ୍ ବ୍ୟାଙ୍କ ନିକଟରେ ପ୍ରାୟ ୩୦ ହଜାର କୋଟି ଟଙ୍କା ରହିିଛି ଏବଂ ଏହା ଜମାକାରୀଙ୍କ ଦ୍ୱାରା ଜମା ଟଙ୍କା ପ୍ରତ୍ୟାହାର ଭଳି ଯେ କୌଣସି ପରିସ୍ଥିତି ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ତେବେ ଏଠାରୁ ଟଙ୍କା ଉଠାଇବାକୁ ଗ୍ରାହକମାନେ ଭିଡ଼ ଲଗାଇବେ ନାହିଁ ବୋଲି ବ୍ୟାଙ୍କ ଆଶା ରଖିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୟେସ୍ ବ୍ୟାଙ୍କର ପୂର୍ବତନ ପରିଚାଳନାମଣ୍ଡଳୀ ଅବିଚାରିତ ଭାବେ ଋଣ ଯୋଗାଇବା ଏବଂ ବ୍ୟାଙ୍କର ବିପୁଳ ଅର୍ଥ ବୁଡ଼ିଯିବା ଅବସ୍ଥାକୁ ଆସିବାପରେ ବ୍ୟାଙ୍କ ଦେବାଳିଆ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ଏହାର ଜମାକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ସେମାନେ ନିଜର ଜମା ଅର୍ଥ ଉଠାଇନେବାକୁ ଭିଡ଼ ଲଗାଇଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଲକ୍ଷ୍ୟ କରିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଥିରେ ହସ୍ତକ୍ଷେପ କରିଥିଲା। ତୁରନ୍ତ ୟେସ୍ ବ୍ୟାଙ୍କ ପରିଚାଳନା ଦାୟିତ୍ୱ ନିଜ ହାତକୁ ନେବାସହିତ ଏହା ଜମାକାରୀଙ୍କ ନିମନ୍ତେ ସର୍ବାଧିକ ୫୦ ହଜାର ଟଙ୍କା ଉଠାଣ ସୀମା ଧାର୍ଯ୍ୟ କରିଥିଲା। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଠିକଣା ସମୟରେ ଏଥିରେ ହସ୍ତକ୍ଷେପ କରିବା ସହିତ ଭାରତୀୟ ଷ୍ଟେଟବ୍ୟାଙ୍କ ନେତୃତ୍ୱରେ ଏହାର ପୁନରୁଦ୍ଧାର ନିମନ୍ତେ ଉଦ୍ୟମ ଆରମ୍ଭ କରିଦେଇଥିଲା। ଶେଷରେ ଏହାର ଉଦ୍ୟମ ସଫଳ ହୋଇଥିଲା ଏବଂ ଏସବିଆଇ ସହିତ କିଛି ଘରୋଇ ବ୍ୟାଙ୍କ ଓ ପୁଞ୍ଜିଲଗାଣ ସଂସ୍ଥା ୟେସ୍ ବ୍ୟାଙ୍କକୁ ଅର୍ଥ ଯୋଗାଇଦେଇ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିପାରିଛନ୍ତି।
ପୂର୍ବରୁ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ଦେଶର ବ୍ୟାଙ୍କିଙ୍ଗ ଇତିହାସରେ ବ୍ୟାଙ୍କରେ ଜମା ରଖିଥିବା ଜମାକାରୀ କେବେହେଲେ ସେମାନଙ୍କ ଜମାଅର୍ଥ ହରାଇ ନାହାନ୍ତି। ତେଣୁ ଜମାକାରୀମାନେ ଆତଙ୍କିତ ହେବାର କିଛି କାରଣ ନାହିଁ। ତାହାଛଡ଼ା ଦେଶର ବ୍ୟାଙ୍କିଙ୍ଗ ଇତିହାସରେ ଏତେ କମ୍ ସମୟ ମଧ୍ୟରେ ଦେବାଳିଆ ଅବସ୍ଥାରେ ପହଞ୍ଚିଥିବା ଏକ ବ୍ୟାଙ୍କକୁ ପୁନଃ କାର୍ଯ୍ୟକ୍ଷମ କରାଯାଇ ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷିତ ରଖାଯିବା ସହିତ ସେମାନଙ୍କ ଆସ୍ଥା ଫେରାଇ ଅଣାଯାଇପାରିଛି। ୟେସ୍ ବ୍ୟାଙ୍କର ପୂର୍ବ ଘୋଷଣା ମୁତାବକ ବୁଧବାର ସଂଧ୍ୟା ୬ଟାରୁ ତାହାର ସମସ୍ତ ବ୍ୟାଙ୍କିଙ୍ଗ ସେବା ଆରମ୍ଭ କରିଥିବାବେଳେ ଗୁରୁବାର ପୂର୍ବାହ୍ନରୁ ଏହା ନିଜର ଶାଖାଗୁଡ଼ିକ ଜରିଆରେ ସମସ୍ତ ଦେଣନେଣ ପୂର୍ବଭଳି କରିବ।
ଆଜି େଫରିବ…
ଆଜି ଫେରିବ ମହାପ୍ରଭୁଙ୍କ ଟଙ୍କା
Popular Categories



