ସମାଜ ଡିଜିଟାଲ ଡେସ୍କ: ପାଣିର ପ୍ରଖର ସୁଅରେ ଭାସିଯାଉଥିଲେ ଜଣେ ଅଗ୍ନିବୀର ଯବାନ । ସହକର୍ମୀଙ୍କୁ ବଞ୍ଚାଇବା ପାଇଁ ପାଣିରେ ଡିଆଁ ମାରିଥିଲେ ଲେଫ୍ଟନାଣ୍ଟ ଶଶାଙ୍କ ତିୱାରୀ । ହେଲେ ସହକର୍ମୀଙ୍କୁ ବଞ୍ଚାଇବା ବେଳେ ନିଜେ ପାଣି ଭାସି ପ୍ରାଣ ହରାଇଥିଲେ । ଏଭଳି ଦୁଃଖଦ ଘଟଣା ଘଟିଛି ୨୨ମେ ସିକ୍କିମରେ । ସିକିମରେ ଏକ ସାମରିକ ଅଭିଯାନ ସମୟରେ ଜଣେ ଅଗ୍ନିବୀରଙ୍କୁ ବଞ୍ଚାଇବା ସମୟରେ ସିକ୍କିମ ସ୍କାଉଟ୍ସର ଲେଫ୍ଟନାଣ୍ଟ ଶଶାଙ୍କା ତିୱାରୀ ନିଜ ଜୀବନକୁ ବଳିଦାନ ଦେଇଥିଲେ ।
ସୂଚନା ଅନୁସାରେ ଜଣେ ଭାରତୀୟ ସେନା ଅଧିକାରୀ ସିକିମରେ ଜଣେ ସୈନିକଙ୍କୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁ ପଡିଲେ, କିନ୍ତୁ ପରେ ସେ ମଧ୍ୟ ପାଣିରେ ଭାସିଯାଇ ପ୍ରାଣ ହରାଇଛନ୍ତି । ଗତ ଡିସେମ୍ବରରେ କାର୍ଯ୍ୟରେ ଯୋଗ ଦେଇଥିବା ସିକ୍କିମ ସ୍କାଉଟ୍ସର ୨୩ବର୍ଷୀୟ ଲେଫ୍ଟନାଣ୍ଟ ଶଶାଙ୍କ ତିୱାରୀ ସିକ୍କିମର ଏକ କୌଶଳାତ୍ମକ ଅପରେସନ୍ ବେସ୍ ଆଡକୁ ଏକ ରୁଟ୍ ଓପନିଂ ପାଟ୍ରୋଲିଂର ନେତୃତ୍ୱ ନେଉଥିଲେ । ସକାଳ ପ୍ରାୟ ୧୧ଟା ସମୟରେ ପାଟ୍ରୋଲିଂ ଦଳର ଜଣେ ସଦସ୍ୟ ଏକ କାଠ ପୋଲ ପାର ହେଉଥିବା ବେଳେ ନିୟନ୍ତ୍ରଣ ହରାଇ ତଳକୁ ଖସିପଡିଥିଲେ । ଅଗ୍ନିବୀର ଜଣଙ୍କ ଷ୍ଟିଫେନ ସୁବା ପୋଲରୁ ପଡି ଏକ ପାହାଡିଆ ଝରଣାରେ ଭାସିଯାଇଥିଲେ । ଅଗ୍ନିବୀରଙ୍କୁ ବୁଡି ଯାଉଥିବା ଦେଖି ଲେଫ୍ଟନାଣ୍ଟ ଶଶାଙ୍କ ତିୱାରୀ ତାଙ୍କୁ ବଞ୍ଚାଇବା ପାଇଁ ପାଣିକୁ ଡେଇଁ ପଡିଲେ । ସାଥିରେ ଥିବା ଅନ୍ୟ ସୈନିକ ଚିକ୍ରାର କରି ସହାୟତା ପାଇଁ ଡାକିବାରୁ ଟିମ୍ ସାଙ୍ଗେ ସାଙ୍ଗେ ପହଞ୍ଚି ଅଗ୍ନିବୀରଙ୍କୁ ରକ୍ଷା କରିଥିଲେ । ହେଲେ ଲେଫ୍ଟନାଣ୍ଟ ତିୱାରୀ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ । ପ୍ରାୟ ୩୦ ମିନିଟ୍ ପରେ ତାଙ୍କର ମୃତଦେହ ୮୦୦ମିଟର ତଳୁ ମିଳିଥିଲା । ତିୱାରୀଙ୍କ ବଳିଦାନ ପାଇଁ ଭାରତୀୟ ସେନା କହିଛି ଯେ ଲେଫ୍ଟନାଣ୍ଟ ତିୱାରୀ ଜଣେ ସାହସ ଏବଂ ସୌହାର୍ଦ୍ଦ୍ୟର ଏପରି ଏକ ଛାପ ଛାଡିଯାଇଛନ୍ତି, ଯାହା ଆଗାମୀ ପୀଢିର ସୈନିକମାନଙ୍କୁ ପ୍ରେରଣା ଦେବ । ଏହି ବୀର ପୁରୁଷଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମସ୍ଥାନକୁ ନିଆଯିବା ପୂର୍ବରୁ ବେଙ୍ଗଡୁବି ସାମରିକ ଷ୍ଟେସନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶଶାଙ୍କ ତିୱାରୀଙ୍କ ସାହସିକତା ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଠା ପରବର୍ତ୍ତୀ ପିଢିକୁ ପ୍ରେରଣା ଯୋଗାଇବ ବୋଲି ଲେଫ୍ଟନାଣ୍ଟ ଜେନେରାଲ ଜୁବିନ୍ ଏ ମିନୱାଲ କହିଛନ୍ତି । ଏଭଳି ପରିସ୍ଥିତିରେ ଭାରତୀୟ ସେନା ଶଶାଙ୍କ ପରିବାର ସହିତ କାନ୍ଧକୁ କାନ୍ଧ ମିଶାଇ ଛିଡା ହୋଇଛି । ଅଯୋଧ୍ୟାର ମାଜୱାନ ଗଡ୍ଡୋପୁର ଗାଁର ବାସିନ୍ଦା ସହିଦ ଲେଫ୍ଟନାଣ୍ଟ ଶଶାଙ୍କ ତିୱାରୀ । ପିଲାଦିନରୁ ସେନାରେ ଯୋଗ ଦେବାର ସ୍ୱପ୍ନ ଦେଖିଥିଲେ ।



