ଭଦ୍ରକ: ବାସୁଦେବପୁର ଡାକ୍ତରଖାନାରେ ଆଜି ସକାଳେ ଜଣେ ପ୍ରସୂତୀଙ୍କୁ ଦିଆ ଯାଇଥିବା ଜଳଖିଆରେ ବିଛା ବାହାରିବା ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀଦାସପୁର ଅଂଚଳର ଜଣେ ପ୍ରସୂତି ବର୍ଷା ପ୍ରିୟଦର୍ଶିନୀ ଗତକାଲି ବାସୁଦେବ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ତାଙ୍କର କନ୍ୟା ସନ୍ତାନଟିଏ ଜନ୍ମ ଗ୍ରହଣ କରିଛି। ଆଜି ସକାଳେ ସମ୍ପୃକ୍ତ ଡାକ୍ତରଖାନାକୁ ଖାଦ୍ୟ ଯୋଗାଉଥିବା ବାହାରର ଏକ ସଂସ୍ଥା ସକାଳ ଜଳଖିଆ ଦେବାକୁ ଆସିଥିଲେ।
ଜଳଖିଆରେ ଇଡ଼ିଲି ଓ ଗୁଗୁନି ଦିଆଯାଇଥିଲା। ତେବେ ବର୍ଷ ପ୍ରିୟଦର୍ଶିନୀଙ୍କୁ ଦିଆଯାଇଥିବା ଜଳଖିଆରେ ଦିଆ ଯାଇଥିବା ଗୁଗୁନିରେ ଏକ ମଲା ବିଛା ପଡିଥିବା ଦେଖାଯାଇଥିଲା। ଏ ନେଇ ସମ୍ପୃକ୍ତ ମହିଳା ତାଙ୍କ ସ୍ୱାମୀଙ୍କୁ ଦେଖାଇଥିଲେ। ମେଡିକାଲରେ ଚିକିତ୍ସିତ ହେଉଥିବା ୧୬ ଜଣଙ୍କ ମଧ୍ୟରୁ କେତେ ଜଣ ଏହି ଜଳଖିଆ ଖାଇ ଦେଇଥିବା ବେଳେ ଅନ୍ୟମାନେ ଜଳଖିଆ ଫୋପାଡ଼ି ଦେଇଥିଲେ। ଏ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି।
କେବଳ ସେତିକି ନୁହେଁ, ଖାଦ୍ୟ ଦେଉଥିବା ସଂସ୍ଥା କହିବା ମୁତାବକ ସେହି ଡାକ୍ତରଖାନାକୁ ୨୦ ଜଣଙ୍କ ପାଇଁ ଜଳଖିଆ ଦିଆଯାଉଛି କିନ୍ତୁ ଡାକ୍ତରଖାନା କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ୧୬ ଜଣଙ୍କ ପାଇଁ ଖାଦ୍ୟ ଦେବାକୁ ବରାଦ ଦିଆଯାଇଛି। ତେବେ କିଏ ସତ କହୁଛି ତାହା ଯାଞ୍ଚ ହେଲେ ଜଣାପଡିବ ବୋଲି ସ୍ଥାନୀୟ ଅଂଚଳର ଲୋକମାନେ ଅଭିକଜ କରିଛନ୍ତି।



