ନୂଆଦିଲ୍ଲୀ : କଳାଧନ ବୈଧ ଅଭିଯୋଗ ମାମଲାର ଗିରଫ ହୋଇଥିବା ସନା ସତୀଶ ବାବୁକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୫ ଦିନିଆ ରିମାଣ୍ଡରେ ନେଇଛି । ସ୍ୱତନ୍ତ୍ର ସିବିଆଇ ଅଦାଲତ ୫ ଦିନିଆ ହେପାଜତରେ ନେବାକୁ ଅନୁମତି ଦେଇଛି ।
ସୂଚନାଯୋଗ୍ୟ, ବିବାଦୀୟ ମାଂସରପ୍ତାନୀକାରୀ ମୋଇନ୍ କ୍ୟୁରେସୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଚାଲିଥିବା କଳାଧନ ବୈଧ ଅଭିଯୋଗ ମାମଲାର ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇଦ୍ରାବାଦର ବ୍ୟବସାୟୀ ସନା ସତୀଶ ବାବୁଙ୍କୁ ଗିରଫ କରିଛି । କଳାଧନ ବୈଧ ନିବାରଣ ଆଇନ୍ ଅଧୀନରେ ଶୁକ୍ରବାର ରାତିରେ ସନା ସତୀଶବାବୁକୁ ଗିରଫ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ସ୍ମରଣଯୋଗ୍ୟ ସନା ସତୀଶ ବାବୁ, ହେଉଛନ୍ତି ସେହି ବ୍ୟକ୍ତି ଯିଏକି ସିବିଆଇର ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ କରିଥିଲେ, ଫଳରେ ସିବିଆଇ ଶ୍ରୀ ଅସ୍ଥାନାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିଥିଲା। ସରକାରୀ ଅଧିକାରୀମାନଙ୍କ ସହ ସଲାସୁତୁରାରେ ମୋଇନ୍ କ୍ୟୁରେସୀ ଦୁର୍ନୀତି କରିଥିବା ଅଭିଯୋଗ ଉପରେ ୨୦୧୭ ମସିହାରେ ଶ୍ରୀ କ୍ୟୁରେସିଙ୍କ ବିରୁଦ୍ଧରେ କଳାଧନ ବୈଧ ନିବାରଣ ଆଇନ୍ ଅଧୀନରେ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଥିଲା। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏ.ପି.ସିଂହଙ୍କ ବିରୁଦ୍ଧରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ତଦନ୍ତ କରୁଛି।



