ଭୁବନେଶ୍ଵର: ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ଉଠବସ କରାଇବା ଘଟଣାରେ ଗିରଫ ହୋଇ ଜେଲ୍ ଯାଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଶେଷରେ ଜାମିନ ମିଳିଛି। ଭୁବନେଶ୍ଵରର ସ୍ବତନ୍ତ୍ର କୋର୍ଟ ବିଧାୟକଙ୍କୁ ଶନିବାର ଜାମିନ ପ୍ରଦାନ କରିଛନ୍ତି। ୨ଜଣ ଜାମିନଦାର ଏବଂ ୨୫ ହଜାର ଟଙ୍କାର ମୁଚାଲିକା ବଦଳରେ କୋର୍ଟ ଜାମିନ ଦେଇଛନ୍ତି। ଜାମିନ ଦେବା ସମୟରେ କୋର୍ଟ କେତେକ ସର୍ତ୍ତ ରଖିଛନ୍ତି। ବିଧାୟକ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ, ତଦନ୍ତରେ ସହଯୋଗ କରିବେ ଏବଂ ବିଦେଶ ଗସ୍ତ କରିବା କାର୍ଯ୍ୟକ୍ରମ ଥିଲେ ଏହା ପୂର୍ବରୁ କୋର୍ଟଙ୍କୁ ଅବଗତ କରାଇବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।
ସୂଚନାଯୋଗ୍ୟ, ନିମ୍ନମାନର ରାସ୍ତା କାମ ଯୋଗୁ କନିଷ୍ଠ ଯନ୍ତ୍ରୀ ଜୟବନ୍ତ ଶବରଙ୍କୁ ବିଧାୟକ ସରୋଜ ମେହେର ସର୍ବସମ୍ମୁଖରେ ଉଠବସ୍ କରାଇଥିଲେ । ଏହାର ଏକ ଭିଡିଓ ଗତ ଜୁନ୍ ୬ ତାରିଖରେ ଭାଇରାଲ ହୋଇଥିଲା। ଏହି ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିଧାୟକଙ୍କ ପାଇଁ ଅଡୁଆ ବଢିଯାଇଥିଲା। ତାଙ୍କୁ ଗିରଫ କରିବାକୁ ବିଭିନ୍ନ ଆଦିବାସୀ ସଂଗଠନ ଦାବି କରିଥିଲେ।
ଅପମାନର ଶିକାର ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ପ୍ରବୀଣା ରାଜସିଂହ ଏ ନେଇ ପାଟଣାଗଡ ଥାନାରେ ଏତଲା ଦେବା ପରେ ଏକ ମାମଲା ରୁଜୁ ହୋଇଥିଲା। ପରେ ତାଙ୍କୁ ପୁଲିସ ଗିରଫ କରିଥିଲା। ନିକଟରେ ତାଙ୍କୁ ପାଟଣାଗଡ଼ରୁ ଭୁବନେଶ୍ଵରସ୍ଥିତ ଝାରପଡ଼ା ଜେଲ୍କୁ ସ୍ଥାନାନ୍ତର କରାଯାଇଥିଲା।



