ବୁର୍ଲା : ସମ୍ବଲପୁର ବିଶ୍ବବିଦ୍ୟାଳୟରେ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣାରେ କୁଳପତିଙ୍କ ଆଗୁଆ ଜାମିନ ଆବେଦନ ତଳ କୋର୍ଟରେ ଖାରଜ ହୋଇଥିବା ଜଣାପଡ଼ିଛି। କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଓ ଦୁଇ ଅଧିକାରୀ ଉଚ୍ଚ ନ୍ୟାୟାଳୟରେ ଆବେଦନ କରି ୨୧ ଦିନିଆ ଅନ୍ତରୀଣ ଜାମିନ ପାଇଥିଲେ। ସେଥିରେ ତିନି ସପ୍ତାହ ଉଚ୍ଚନ୍ୟାୟାଳୟ ତରଫରୁ ତାଙ୍କୁ ଗିରଫ୍ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ରହିଥିଲା। ଏହି ଜାମିନ ଅବଧି ସୋମବାର ୨୪ ତାରିଖ ଶେଷ ହୋଇଛି। ଆଜି କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଏବଂ ଦୁଇ ଅଧିକାରୀଙ୍କ ସମ୍ବଲପୁର ଭିଜିଲାନ୍ସ ଜଜ୍ ଜିଲା ସେସନ୍ସ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ମାତ୍ର ଭିଜିଲାନ୍ସ ବିଚାରପତି ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ତିନି ସପ୍ତାହର ଅବଧି ଶେଷ ହୋଇଥିବାରୁ କର୍ମଚାରୀ ସଙ୍ଘ ତଥା ସଚେତନ ମହଲରେ ବର୍ତ୍ତମାନ କୁଳପତି ଏବଂ ଦୁଇ ଅଧିକାରୀଙ୍କୁ ପୁଲିସ ଗିରଫ କରିବା ନେଇ ଚର୍ଚ୍ଚା ଜୋର ଧରିଛି।

ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଗତ ଏପ୍ରିଲ ୨୦ ତାରିଖ ପ୍ରଶାସନିକ କୋଠାରେ ଆତ୍ମଦାହ କରିଥିଲେ। ଏହାପୂର୍ବରୁ କୁଳସଚିବ ସୀତାରାମ ପଟେଲଙ୍କୁ ଦେଇଥିବା ପତ୍ର ଏବଂ ମୃତ୍ୟୁକାଳୀନ ଜମାନବନ୍ଦୀରେ ତାଙ୍କ ମୃତ୍ୟୁ ପାଇଁ କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲଙ୍କ ସହ ହଷ୍ଟେଲ ୱାର୍ଡେନ ଡ. ବିଶ୍ବଜିତ ଶତପଥୀ ଓ ପିଇଓ ଅବିନାଶ କରଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଥିଲେ। ଏହାପରେ ତାଙ୍କ ପୁଅ ଅଙ୍କିତ ୨୧ ତାରିଖରେ ଉପରୋକ୍ତ ୩ ଜଣଙ୍କ ନାମରେ ବୁର୍ଲା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ବୁର୍ଲା ଥାନାରେ ଗତ ୨୧ ତାରିଖରେ ମାମଲା ୨୫୧/୨୦୨୧ ଦଫା ୩୦୬/୩୪ ଆଇପିସି ଧାରାରେ ମାମଲା ରୁଜୁ ହେବା ସତ୍ତ୍ବେ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ ରହିଥିଲା। ଘଟଣା ପରଠାରୁ ପ୍ରାୟ ୧୩ ଦିନ ଜାମିନ ଅବେଦନ ପର୍ଯ୍ୟନ୍ତ ଏବଂ ପରେ ଅନ୍ତରୀଣ ଜାମିନ ୨୧ ଦିନ ମିଳିବା ପରେ ପୁଲିସ ସୁରକ୍ଷା ଦେଇ ଆସୁଥିଲା। ପୁଲିସର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ନୀତିକୁ ନେଇ ମଧ୍ୟ ସମାଲୋଚନା ହୋଇଥିଲା। ଗତ ୨୩ ତାରିଖରେ ଅନୁଷ୍ଠିତ ସିଣ୍ଡିକେଟ ବୈଠକରେ ତାଙ୍କ ନାମରେ ଅଭିଯୋଗ ହୋଇଥିବା ପରେ ବି କୁଳପତି ଅଧ୍ୟକ୍ଷତା କରିଥିବାବେଳେ କୁଳପତିଙ୍କୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯାଇ ସିଣ୍ଡିକେଟ ବୈଠକ ଚାଲିଥିଲା। ଏହି ବୈଠକକୁ ବିରୋଧ କରିବା ସହ କୁଳାଧିପତିଙ୍କୁ ଏହାର ନିଷ୍ପତ୍ତିକୁ ରଦ୍ଦ କରିବା ସହ ନ୍ୟାୟିକ ତଦନ୍ତ ସକାଶେ କୁଳପତିଙ୍କୁ ପଦରୁ ଅପସାରଣ ତଥା ଗିରଫ ପାଇଁ ବାରମ୍ବାର ଦାବି କରାଯାଇଥିଲା। ସେପଟେ ବର୍ତ୍ତମାନ ସୁଦ୍ଧା ତଦନ୍ତକାରୀ ଅଧିକାରୀ ଡିଏସପି ଶିଶୁରଞ୍ଜନ ମହାପାତ୍ର କେସ ଡାଏରୀ (ସିଡି) ରିପୋର୍ଟ ପ୍ରସ୍ତୁତ ହୋଇ ପାରିନଥିବା ଏବଂ କୋର୍ଟ ତରଫରୁ ମଧ୍ୟ ପୁଲିସ ପାଖକୁ ଏହି କେସ ଡାଏରୀ ଦାଖଲ ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶନାମା ଆସି ନଥିବା ସୂଚନା ଦେଇଥିଲେ। ଏହି କେସ ଡାଏରୀରେ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ସହିତ ସମସ୍ତ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଅନ୍ୟାନ୍ୟ ବୟାନକୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଅନ୍ତରୀଣ ଜାମିନ ଆବେଦନ ସେସନ୍ସ କୋର୍ଟରେ ଖାରଜ ହେବାପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ, ଶିକ୍ଷାବିତ, ସମାଜସେବୀ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ସିନେଟ ତଥା ସିଣ୍ଡିକେଟ ସଦସ୍ୟ ସ୍ୱର୍ଗତ ମିଶ୍ରଙ୍କ ପରିବାର ନ୍ୟାୟ ପାଇବା ବାଟ ସୁଗମ ହୋଇଥିବା ନେଇ ମତପ୍ରକାଶ କରିଛନ୍ତି।



