ଦେବ ବିବାହ ପାଇଁ ପାର୍ବତୀଙ୍କର ବନ୍ଦାଣ ସହିତ ଘରେ ବସିଲା ମଙ୍ଗଳ ହାଣ୍ଡି, ନିମନ୍ତ୍ରଣ ଦେଲେ ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁ
ସମ୍ବଲପୁର: ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟୀ ନନ୍ଦପଡ଼ାର ବଂ ବଂ ବରାଡ ବାଲୁଙ୍କେଶ୍ୱରଙ୍କର ମଙ୍ଗଳବାର ରାତ୍ରିରେ ପତ୍ରପେଣ୍ଡି ସହିତ ପଶ୍ଚିମ ଓଡ଼ିଶାର ସପ୍ତାହବ୍ୟାପି ଧାର୍ମିକ ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ସମ୍ପୁର୍ଣ୍ଣ ଲୋକାଚାର ନିତିରେ ପାଳିତ ହେଉଥିବା ଶୀତଳଷଷ୍ଠୀ ଉତ୍ସବର ଦ୍ୱିତୀୟ ଦିବସ ଅର୍ଥାତ ବୁଧବାର ଦିନ ସାଧାରଣ ବିବାହ ପରି ସକାଳ ୧୦ଟାରେ ନନ୍ଦପଡ଼ାର ମହିଳା ଓ ଚଳିତ ବର୍ଷର କନ୍ୟା ପିତାମାତା ଗିରିଶ ଓ ହଂସାବେନ ପଟେଲ ଏବଂ ପରିବାରବର୍ଗ ଦେବୀ ପାର୍ବତୀଙ୍କୁ ଶଙ୍ଖ, ହୁଳହୁଳି ସହ ଦୁଲଦୁଲି, ଘନ୍ଟ ବାଦ୍ୟର ଆସରରେ ପଟେଲ ପରିବାରର ଗୋଲବଜାର ସ୍ଥିତ ବାସଭବନକୁ ମୁଗଜବାର ବନ୍ଦାଣ ଓ ମାଙ୍ଗଳିକ ଶ୍ରାଦ୍ଧ ରିତି ପାଇଁ ପାଛୋଟି ନେଇ ଯାଇଥିଲେ। ପାରମ୍ପରିକ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପଟେଲ ପରିବାରର ରିତି ଅନୁଯାୟୀ ହଳଦୀ ଖେଳ ଓ ବିବାହ ପାଇଁ ମାତାପିତାଙ୍କ ଘରେ ମଙ୍ଗଳ ହାଣ୍ଡି ସ୍ଥାପିତ ହୋଇଥିଲା। ଏହା ପରେ ଆନୁଷ୍ଠିକ ଭାବରେ କନ୍ୟାପକ୍ଷରୁ ଦେବପିତୃ ନିମନ୍ତ୍ରଣ ଓ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ସୁଚନାଯୋଗ୍ୟ ଯେ, ମହାଦେବଙ୍କ ପିତା (ସେ ହିଁ ସୃଷ୍ଟିକର୍ତ୍ତା) ନ ଥିବାରୁ ତାଙ୍କର ମୁଗଜବାର ଓ ମଙ୍ଗଳ ହାଣ୍ଡି ରିତି ପାଳନ କରା ନ ଯାଉଥିବା ବେଳେ ମାତା ପାର୍ବତୀ ଜନ୍ମ ନେଇଥିବାରୁ ତାଙ୍କର ପିତ୍ରାଳୟରେ ମୁଗଜବାର ଓ ମଙ୍ଗଳ ହାଣ୍ଡି ରିତି ପାଳନର ନିତି ରହିଛି। ସାଧାରଣ ବିବାହ ନିତି ଅନୁଯାୟୀ ମହିଳା ମାନଙ୍କ ଦ୍ୱାରା ଏହି ରିତିନିତି ପାଳନ କରାଯାଉଥିବାରୁ ଏହି ରିତି କୁ ନନ୍ଦପଡ଼ାର ମହିଳାମାନେ ପାର୍ବତୀଙ୍କର ପିତ୍ରାଳୟରେ ତାଙ୍କର ମାତା ଓ ପାଖପଡ଼ିଶାର ମହିଳା ମାନଙ୍କର ସହିତ ମିଶି ପାଳନ କରିଯାଇଥାଏ।
ଏହା ପରେ ରାତ୍ରରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ପାଇଁ ନୃସିଂହ ନିଉତା ନିତି ସମ୍ପନ୍ନ ହୋଇଯାଇଛି। ମହାଦେବ ଓ ମାତା ପାର୍ବତୀଙ୍କ ଦେବ ବିବାର ପାଇଁ ଭଗବାନ ବିଷ୍ଣୁ ଗୁରୁଦାୟିତ୍ୱ ନେଇଥିବାର ଐତିହାସିକ ମାନ୍ୟତାର କ୍ରମରେ ତାଙ୍କର ଅନ୍ୟତମ ଅବତାର ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁ ଗୁରୁବାର ରାତ୍ର ପ୍ରାୟ ୯ଟାରେ ଏକ ସୁସଜ୍ଜିତ ରଥରେ ରଥାରୁଢ ହୋଇ ବିଭିନ୍ନ ମନ୍ଦିରକୁ ଯାଇ ସମସ୍ତ ଦେବତା ଓ ଦେବୀମାନଙ୍କୁ ବିବାହର ନିମନ୍ତ୍ରଣ (ନିଉତା) ପ୍ରଦାନ କରିଛନ୍ତି। ବାଲୁଙ୍କେଶ୍ୱର ମନ୍ଦିରରେ ଶ୍ରୀ ନୃସିଂହ ମହାପ୍ରଭୁ ସେବକ ଅରୁଣକାନ୍ତି ମିଶ୍ର, ଚକ୍ରଧର ମିଶ୍ର, ଆଶୁତୋଷ ମିଶ୍ର, ଆଭାଶିଷ ମିଶ୍ର, ଅବିନାଶ ମିଶ୍ର ଓ ଅଶୋକ ପାଣି ଦ୍ୱାରା ପ୍ରାୟ ୪ ଘଣ୍ଟା ଧରି ଆଭୂଷଣ ଓ ଅଳଙ୍କାରରେ ସୁଜ୍ଜିତ ହେବା ପରେ ନିତିକାନ୍ତି ଅନୁଯାୟୀ ପୁଜାର୍ଚ୍ଚନା କରାଯାଇଥିଲା।
ଏହା ପରେ ପରିସରରେ ଥିବା ପାର୍ଶ୍ବ ଦେବାଦେବୀ ଯଥା ପଞ୍ଚବକ୍ର, ଦୁର୍ଗା, ଭୈରବ ଙ୍କୁ ଶ୍ରୀ ନୃସିଂହ ମହାପ୍ରଭୁ ନିଉତା ଦେବା ପରେ ବାରିହା ମନ୍ଦିର, ବ୍ରହ୍ମପୁରା ମନ୍ଦିର, କଂସଲେଇ ମନ୍ଦିର, ସତ୍ୟବାଦୀ ମନ୍ଦିର, ମଦନମୋହନ ମନ୍ଦିର, ଲିଆଖାଇ ମନ୍ଦିର, ବାଟମଙ୍ଗଳା ମନ୍ଦିର, ଭୁବନେଶ୍ୱରୀ ମନ୍ଦିର, ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଦଧିବାବନ ମନ୍ଦିର ଇତ୍ୟାଦି ମନ୍ଦିର ଗୁଡିକୁ ଯାଇ ଦେବାଦେବୀ ମାନଙ୍କୁ ଗୁଆ, ନଡିଆ ଓ ମ୍ରିାନ୍ନ ପ୍ରଦାନ କରି ମହାଦେବ ଓ ପାର୍ବତୀଙ୍କର ଲୌକିକ ବିବାହ ପାଇଁ ନିମନ୍ତ୍ରଣ କରିଥିଲେ। ଶ୍ରୀ ନୃସିଂହ ମହାପ୍ରଭୁ ଏକ ଭବ୍ୟ ଶୋଭାଯାତ୍ରାରେ ପାରମ୍ପରିକ ଘଣ୍ଟ, ଶଙ୍ଖ, ବିରକାଳି, ଦୁଲଦୁଲି, ଧମାଲ ବାଦ୍ୟ ଓ ଆକର୍ଷଣୀୟ ଆଲୋକ ମଧ୍ୟରେ ମନ୍ଦିର ମାନଙ୍କୁ ଯାଇ ନିମନ୍ତ୍ରଣ ଦେଇଥିଲେ।
ଏହି ରିତି ପାଳନ ସମୟରେ ବରପିତା ରାମଚରଣ ମିଶ୍ର, ସଭାପତି ପ୍ରଶାନ୍ତ କୁମାର ବରାଇ, ସମୀର ରଞ୍ଜନ ବାବୁ, ପ୍ରଭୁଦତ୍ତ ପଣ୍ଡା, ଆଶିଷ ବାବୁ, ଚକ୍ରଧର ନାୟକ, ସନତ ନନ୍ଦ, ଅଚ୍ୟୁତ ମିଶ୍ର, ଫଣି ଭୂଷଣ ମିଶ୍ର, ପ୍ରଫୁଲ୍ଲ ହୋତା, ଅମୂଲ୍ୟ ମିଶ୍ର, ସନ୍ତୋଷ ମିଶ୍ର, ଭୁବନ ମୋହନ ମିଶ୍ର, ଜିତେନ୍ଦ୍ର ନନ୍ଦ, ରିଙ୍କୁ ମିଶ୍ର, ମାନସ ରଥ, ସୁଶ୍ରୀତ ମିଶ୍ର, ଶିବ ମିଶ୍ର, ଧବଳେଶ୍ୱର ହୋତା, ରାଜୀବ ମାଝୀ, ବାଲଗୋପାଲ ନନ୍ଦ, ନିହାର ରଞ୍ଜନ ମିଶ୍ର, ସୌରଭ ପାଣି, ବିଟୁ ନାୟକ, ସଞ୍ଜୀବ ବାଗ, ଅମିତ ମିଶ୍ର, ଲାଲଗୋପାଳ ନନ୍ଦ, ସହସ୍ରାଂଶୁ ନନ୍ଦ, ବିକାଶ ମିଶ୍ର ଙ୍କ ସହ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଗୁରୁବାର ସକାଳ ସମୟରେ ମାଁ ସମଲେଶ୍ୱରୀ ମନ୍ଦିର, ମାଁ ପାଟଣେଶ୍ୱରୀ ମନ୍ଦିର, ଶ୍ରୀ ସୋମନାଥ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଦୁର୍ଗାପାଲୀର ଶ୍ରୀ ଦୁର୍ଗା ମନ୍ଦିର କୁ ଦେବ ବିବାହ ପାଇଁ ନିମନ୍ତ୍ରଣ ଦିଆଯିବ।
ସୁଚନାଯୋଗ୍ୟ ଯେ, ଆସନ୍ତା ଶୁକ୍ରବାର ଦିନ ବଂ ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କର ବିବାହରେ ସାକ୍ଷୀ ରହିବା ପାଇଁ ସାକ୍ଷୀପଡ଼ା ସ୍ଥିତ ସାକ୍ଷୀଗୋପିନାଥ ଙ୍କୁ ବିଧିପୁର୍ବକ ଅପରାହ୍ନ ୫ଟା ସମୟରେ ଏକ ଶୋଭାଯାତ୍ରାରେ ନନ୍ଦପଡ଼ାକୁ ଅଣାଯିବ। ଏହା ପରେ ସେହି ଦିନ ରାତ୍ରରେ ଝାଡୁଆପଡ଼ା, ମୁଦିପଡ଼ା ସହ ଅନ୍ୟାନ୍ୟ ଯାତ୍ରା କମିଟୀ ମାନଙ୍କ ଶ୍ରୀ ହନୁମାନ ନିଉତା ନିତି ଆୟୋଜିତ ହେବ ଏବଂ ସମସ୍ତ ଦେବାଦେବୀ ମାନଙ୍କୁ ଦେବ ବିବାହ ନିମନ୍ତେ ନିମନ୍ତ୍ରଣ କରାଯିବ। ଶନିବାର ପୂର୍ବାହ୍ନରେ ଅନ୍ୟାନ୍ୟ ରିତିନିତି ପାଳନ କରାଯାଇ ରାତ୍ରରେ ଦେବ ବିବାହ, ରବିବାର ରାତ୍ରରୁ ଯୁଗଳ ଦର୍ଶନ ଶୋଭାଯାତ୍ରା ଓ ସୋମବାର ଅପରାହ୍ନରେ ନଗର ପରିକ୍ରମା କରି ନବ ଦେବଦମ୍ପତ୍ତି ମହାଦେବ ଓ ପାର୍ବତୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ହେବ।
Comments are closed.