ସମ୍ବଲପୁର: ସମ୍ବଲପୁରର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଦ୍ୱାରା ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୨ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କାର ଜରିମାନା ଆଦେଶ ସୋମବାର ଶୁଣାଇଛନ୍ତି। ଜାନୁଆରୀ ୨୦୧୭ ମସିହାରେ ଘଟଣା ଦିନ ନାବାଳିକାଙ୍କ ପରିବାର ଲୋକେ ଘରେ ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ରିଙ୍କୁ ମହାନନ୍ଦ ବରଗଡ ଜିଲା କାଦୋବାହାଲ ଗ୍ରାମରେ ଥିବା ମାମୁଁ ଘରକୁ ନେଇ ଯାଇଥିଲା। ସେଠାରେ ପିଡିତାକୁ ଦୁଷ୍କର୍ମ କରିଥିଲା। ପିଡିତାର ପରିବାର ଲୋକେ ଘରକୁ ଆସି ବହୁ ଖୋଜାଖୋଜି ସତ୍ୱେ ପାଇ ନ ଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ନାବାଳିକାକୁ ସାଥିରେ ବରଗଡ ଜିଲା ସ୍ଥିତ ତାର ମାମୁଁ ଘରକୁ ନେଇଥିବାର ଜାଣି ସେଠାକୁ ତାକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିବା ବେଳେ ଅଭିଯୁକ୍ତ ପିଡିତାଙ୍କୁ ଛାଡି ନ ଥିଲା । ଏଣୁ ସେମାନେ ଘରକୁ ଫେରି ଧମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ପିଡିତାକୁ ଉଦ୍ଧାର କରିବା ସହିତ ଘଟଣାର ଅନୁସନ୍ଧାନ କରିଥିଲା। ତଦନ୍ତ ସମୟରେ ଧମା ପୁଲିସ ଦ୍ୱାରା ଦିଆଯାଇଥିବା ଚାର୍ଜସିଟ, ୨୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଗୁଡିକର ଯାଞ୍ଚ ପରେ ବିଚାରପତି ଅଭିଳାଷ ସେନାପତି ଦୁଷ୍କର୍ମକାରୀକୁ ଦୋଷୀ ସାବ୍ୟସ୍ତ କରି ୧୨ ବର୍ଷର ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଏଥି ସହ ଜରିମାନା ଅନାଦେୟ ହେଲେ ଅତିରିକ୍ତ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପିଡିତାକୁ ଅନୁକମ୍ପା ରାଶି ରୂପେ ୮ ଲକ୍ଷ ଟଙ୍କାର ସହାୟତା ଦେବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ସନ୍ତୋଷ କୁମାର ପଣ୍ଡା ପରିଚାଳନା କରୁଥିଲେ ।
Popular Categories



