ନେପୋଲିୟନ ବୋନାପାର୍ଟ – ଅସୀମ ସାହସିକତା, ବୀରତ୍ବ ତଥା ଦୃଢ଼ ଇଚ୍ଛାଶକ୍ତିକୁ ସାକାର କରିବାର ମାନସିକତା, ଲକ୍ଷ୍ୟ ହାସଲ ଦିଗରେ ପ୍ରାଣପାତ ଉଦ୍ୟମ ବଳରେ ଫ୍ରାନ୍ସର ସମ୍ରାଟ ହେବାରେ ସକ୍ଷମ ହୋଇଥିଲେ। ଏକଚ୍ଛତ୍ରବାଦୀ ସମ୍ରାଟ ଭାବରେ ନିଜକୁ ପ୍ରତିପାଦିତ କରିବା ପାଇଁ ଇଟାଲୀ ଉପରେ ବିଜୟ ହାସଲ ନିମନ୍ତେ ଯୁଦ୍ଧାଭିଯାନରେ ବାହାରିଥିଲେ। ସୁଶିକ୍ଷିତ, ଦକ୍ଷ ତିରିଶ ହଜାର ସୈନ୍ୟଙ୍କୁ ନେଇ ମିଶର ଅଭିମୁଖେ ବାହାରିଥିଲେ। ସୈନିକମାନଙ୍କ ସହାୟତାରେ ଇଂରେଜ ସେନାଧ୍ୟକ୍ଷ ନେଲ୍ସନ ଯୁଦ୍ଧରେ ଫ୍ରାନ୍ସ ସେନାଙ୍କୁ ପରାସ୍ତ କରିଥିଲେ। ଏହି ଯୁଦ୍ଧ ଇତିହାସରେ ‘ନୀଳନଦୀ ଯୁଦ୍ଧ’ ନାମରେ ଖ୍ୟାତ। ଐତିହାସିକ ଦୃଷ୍ଟିକୋଣରୁ ଏହି ଯୁଦ୍ଧ ଯେତେ ଗୁରୁତ୍ବ ବହନ କରିଥାଏ, ତଦପେକ୍ଷା ଅଧିକ ଗୁରୁତ୍ବ ବହନ କରିଥାଏ ନିମ୍ନୋକ୍ତ ମର୍ମସ୍ପର୍ଶୀ ଘଟଣା।
ଏରିଏଣ୍ଟ ନାମକ ଫରାସୀ ସେନାର ଏକ ଯୁଦ୍ଧ ପୋତର ସେନାପତି ନିଜର ଦଶବର୍ଷ ବୟସର ପୁଅ କାସାବିଏଙ୍କାକୁ ସାଥିରେ ଆଣିଥିଲେ। ନିୟତିର ନିର୍ଦେଶ ଥିଲା ଭିନ୍ନ। ସେନାପତି ଜାଣିନଥିଲେ ଯେ ଖୁବ୍ କମ୍ ସମୟ ମଧ୍ୟରେ ସେ ଶତ୍ରୁ ସୈନିକ ହାତରେ ନିହତ ହେବେ। ପୁଅକୁ ଜାହାଜର ଉପରିଭାଗରେ ଏକ ପାଲତଳେ ଠିଆ କରାଇ ଯୁଦ୍ଧ ପରିଚାଳନା ନିମନ୍ତେ ଚାଲିଯାଇଥିଲେ। ପୁଅକୁ କଠୋର ନିର୍ଦେଶ ଦେଇଥିଲେ, ମୁଁ ନ କହିବା ପର୍ଯ୍ୟନ୍ତ ଏଠୁ ପାଦଟିଏ ବି ଆଗକୁ ଯିବୁନି। ଇଂରେଜ ସେନାର ତୋପ ଓ ଗୁଳି ବର୍ଷଣରେ ଜାହାଜରେ ନିଆଁ ଲାଗିଯାଇଥିଲା। ଶତାଧିକ ଫରାସୀ ସୈନିକ ସେନାପତିଙ୍କ ସହିତ ମୃତ୍ୟୁବରଣ କରିଥିଲେ। ରହିଯାଇଥିବା ସୈନିକମାନେ ପ୍ରାଣ ବଞ୍ଚାଇବା ନିମନ୍ତେ ଛୋଟଛୋଟ ରବର ଭେଳା (ଡିଙ୍ଗି) ପାଣିରେ ଭସାଇ ଦେଇଥିଲେ, ତା’ ସାହାଯ୍ୟରେ ଜୀବନରକ୍ଷା ପାଇଁ। କାସାବିଏଙ୍କାକୁ ସୈନିକମାନେ ଜଳନ୍ତା ଜାହାଜରୁ ପଳାଇ ଆସିବାପାଇଁ ଅନେକଥର କହିଥିଲେ। ବାଳକର ନିର୍ଭୀକ ଉତ୍ତର ଥିଲା, ମୋର ପିତା ମୋତେ ନିର୍ଦେଶ ଦେଇଯାଇଛନ୍ତି, ଏଇ ସ୍ଥାନରେ ଛିଡ଼ା ହୋଇ ରହିବାପାଇଁ।
ସେ ନିଜେ ନ କହିବା ପର୍ଯ୍ୟନ୍ତ ମୁଁ କେବେ ବି ଏଇ ସ୍ଥାନରୁ ହଟିବି ନାହିଁ। ଜାହାଜର ନିଆଁ କ୍ରମଶଃ ବ୍ୟାପିବାରେ ଲାଗିଥାଏ। ବାଳକ ଅନେକବାର ଚିତ୍କାର କରି କହିଥିଲା- ପିତା! ତୁମେ କେଉଁଠି ଅଛ; ମୋତେ ନିର୍ଦେଶ ଦିଅ ଏଠୁ ପଳାଇଯିବା ପାଇଁ। ନିଆଁ କ୍ରମଶଃ ମୋ ଆଡ଼କୁ ମାଡ଼ି ଆସୁଛି। ହେଲେ ନିର୍ଦେଶ ପ୍ରଦାନକାରୀ ପିତା ଯେ ଶତ୍ରୁସୈନ୍ୟଙ୍କ ଗୁଳିର ଶିକାର ହୋଇ ଅନେକ ବେଳୁ ଚିରବିଦାୟ ନେଇ ସାରିଲେଣି। ବାଳକଟି ଏହା ଜାଣିପାରି ନଥିଲା। ସୈନିକମାନେ ଶେଷଚେଷ୍ଟା କରି କହିଥିଲେ ଜୀବନ ବଞ୍ଚାଇବା ଲାଗି ପଳାଇ ଆସିବାକୁ। ବାଳକର ସେଇ ଗୋଟିଏ କଥା ଥିଲା ଯେ ପର୍ଯ୍ୟନ୍ତ ପିତାଙ୍କ ଆଦେଶ ନ ପାଇଛି, ଏଠାରୁ ଇଞ୍ଚେ ମଧ୍ୟ ଘୁଞ୍ଚିବ ନାହିଁ। ଶେଷରେ ଜାହାଜର ଯେଉଁ ଭାଗରେ ଗୋଳାବାରୁଦ ମହଜୁଦ୍ ଥିଲା ସେହି ଭାଗକୁ ନିଆଁ ମାଡ଼ି ଯାଇଥିଲା। ଭୟଙ୍କର ବିସ୍ଫୋରଣ ସହ ଏକ ବିରାଟ ଅଗ୍ନିପିଣ୍ଡୁଳା ହୋଇ ସେହି ପିତୃଭକ୍ତ ବାଳକ ସହ ଜାହାଜଟି ଜଳି ସମାଧି ସହ ନିଜର ସତ୍ତା ହରାଇଥିଲା। ରଖିଦେଇ ଯାଇଥିଲା କାସାବିଏଙ୍କାର ଅଦ୍ଭୁତ ପିତୃଭକ୍ତିର ଅବିସ୍ମରଣୀୟ ଦୃଷ୍ଟାନ୍ତ।



