ସମ୍ବଲପୁର: ନିବେଶକଙ୍କୁ ଉଚ୍ଚଦରରେ ଲାଭର ପ୍ରତିଶ୍ରୁତି ଦେଇ ୫୦ କୋଟି ଟଙ୍କାର ଠକେଇ ସାମ୍ନାକୁ ଆସିଛି। ଗତ ୨୧ ତାରିଖରେ ଠକେଇର ଶିକାର ହୋଇଥିବା ସମ୍ବଲପୁର ସଦର ଥାନାରେ ଅଭିଯୋଗ କରିଛନ୍ତି ରାଜକୁମାର ପଣ୍ଡା। ପୁଲିସ ଘଟଣାର ତଦନ୍ତ କରି କ୍ଷେତରାଜପୁର ଥାନା ଅନ୍ତର୍ଗତ ଚନ୍ଦନନଗରର ମଧୁସୂଦନ ବରେଇ (୩୬)କୁ ଗିରଫ କରିଛି। ତା’ଠାରୁ ବିଭିନ୍ନ ବ୍ୟାଙ୍କର କାଗଜପତ୍ର, ପାସବୁକ, ନକଲି ଚୁକ୍ତିନାମା, ରସିଦ୍ ଆଦି ବିଭିନ୍ନ ସାମଗ୍ରୀ ଜବତ କରିଥିବା ଏସ୍ପି ମୁକେଶ ଭାମୁ ଗୁରୁବାର ସୂଚନା ଦେଇଛନ୍ତି।
ମଧୁସୂଦନ ପୁଟିବନ୍ଧସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ଛକରେ ‘ଏ ଆଣ୍ଡ ଏ ଏଣ୍ଟରପ୍ରାଇଜେସ ଇନ୍ଭେଷ୍ଟମେଣ୍ଟ ଆଣ୍ଡ ରିଟର୍ଣ୍ଣସ’ ନାମକ ଏକ କମ୍ପାନୀ ଖୋଲି ନିବେଶଙ୍କୁ ଠକୁଥିଲା ମଧୁସୂଦନ। ସେ ପୂର୍ବରୁ ଦୀର୍ଘବର୍ଷ ଧରି ହାଇଦରାବାଦରେ ଜଣେ ଆଇଟି ପ୍ରଫେସନାଲ ଭାବେ କାର୍ଯ୍ୟ କରୁଥିଲା। କୋଭିଡ ସମୟରେ ସମ୍ବଲପୁରକୁ ଫେରି ୨୦୨୩ରେ ଏହି କମ୍ପାନୀ ଆରମ୍ଭ କରିଥିଲା ଏବଂ ସେୟାର ବଜାରରେ ନିବେଶ ନାମରେ ଲୋକଙ୍କୁ ଠକୁଥିଲା। ଏହା ଏକ ନକଲି କମ୍ପାନୀ ଥିବା ଏସ୍ପି କହିଛନ୍ତି। ପୁଲିସ ତଦନ୍ତରୁ ଜାଣିପାରିଛି ଯେ ୪୭ ଜଣଙ୍କୁ ନକଲି ଚୁକ୍ତିନାମା ଓ ରସିଦ୍ ଦେଇ ମଧୁସୂଦନ ୫୦ କୋଟି ଟଙ୍କାର ଠକେଇ କରିଛି। ଟଙ୍କା ବିନିଯୋଗ କରିଥିବା ଲୋକଙ୍କୁ ପ୍ରଥମେ କିଛି କିଛି ଟଙ୍କା ଫେରସ୍ତ କରିଥିଲା; ପରେ ସେମାନଙ୍କୁ ନିବେଶ ଟଙ୍କା କିମ୍ବା ଲାଭ ପ୍ରଦାନ ନ କରି କେବଳ ପ୍ରତିଶ୍ରୁତି ଦେଇ ଚାଲିଥିଲା। ନିବେଶକଙ୍କ ଟଙ୍କାକୁ ମଧୁସୂଦନ ତା’ ପତ୍ନୀ ଓ ମା’ଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲା।
ଅଦ୍ୟାବଧି ଠକେଇର ଶିକାର ହୋଇଥିବା ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କ ସମ୍ପର୍କରେ ତଦନ୍ତ ଚାଲିଛି। ଅଭିଯୁକ୍ତ ବ୍ୟବହାର କରୁଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତିର ଯାଞ୍ଚ କରାଯାଉଥିବା ଏସ୍ପି ସୂଚନା ଦେଇଛନ୍ତି ା ଅପରପେକ୍ଷ ମଧୁସୂଦନ ଦ୍ବାରା କେତେକ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ଠକେଇର ଶିକାର ହୋଇଥିବାରୁ ତଦନ୍ତରେ ବାଧାସୃଷ୍ଟି ଆଳରେ ପୁଲିସ ସେମାନଙ୍କ ପରିଚୟ ଦେଉନାହିଁ। ଏସ୍ପି କହିଛନ୍ତି ଯେ କିଛିବ୍ୟକ୍ତି ଯେତେ ଟଙ୍କା ବିନିଯୋଗ କରିଥିବା ଦାବି କରିଛନ୍ତି। ଗୁରୁବାର ଏହି ଉପଲକ୍ଷେ ଅନୁଷ୍ଠିତ ଏସ୍ପିଙ୍କ ସାମ୍ବାଦିକ ସମ୍ମିଳନୀରେ ସଦର ଏସ୍ଡିପିଓ ତୁଫାନ ବାଗ, ସଦର ଥାନାଧିକାରୀ ଅନିତା ପଟନିଆଁ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃଆରୀ ୧୬ରେ ଧନୁପାଲି ଥାନା ଅନ୍ତର୍ଗତ କୁଲୁଥକାନୀ ଅଞ୍ଚଳର ମାଉଳିନଗରରେ ‘ଏମ୍ସିଏକ୍ସ ସିଟି’ ନାମକ ଏକ ସଂସ୍ଥା ଜମାକାରୀଙ୍କଠାରୁ ୧୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଠକେଇ କରିଥିବା ଅଭିଯୋଗ ହୋଇଥିଲା।



