ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ରୂପେ ପରିଚିତ ସମ୍ବଲପୁର ଏବେ ଅଶାନ୍ତ ହୋଇ ପଡିଛି। ସମ୍ବଲପୁର ଠାରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି, ଉତ୍ତରାଞ୍ଚଳ ରାଜସ୍ୱ କାର୍ଯ୍ୟାଳୟ ସମେତ ବିଭିନ୍ନ ପଶ୍ଚିମ ଓଡିଶାସ୍ତରୀୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଥିବା ବେଳେ ସହର ତଥା ଆଖପାଖ ଅଞ୍ଚଳରେ ପ୍ରାୟତଃ ସମସ୍ତ ପ୍ରକାରର ଅପରାଧିକ ଓ ଅସାମାଜିକ ଗତିବିଧି ଜାରି ରହିଛି। ନିତ୍ୟ ପ୍ରତ୍ୟହ ବିଭିନ୍ନ ପ୍ରକାରର ଅପରାଧିକ ଘଟଣା ଘଟି ଚାଲିଥିବା ବେଳେ କିନ୍ତୁ ଜନତାଙ୍କ ସୁରକ୍ଷା ପାଇଁ ନିୟୋଜିତ ପୁଲିସ ଓ ଅନ୍ୟାନ୍ୟ ଏଜେନ୍ସି ଗୁଡିକର ନିଷ୍କ୍ରିୟତା ପାଇଁ ଜନତା ଆତଙ୍କିତ। କରୋନାର କରାଳ ସଙ୍କଟ ସମୟରେ ଡିଜିଟାଲ ଟଙ୍କା ନେଣଦେଣ କାରବାରକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରିଥିବା ବେଳେ ଜନତା ମଧ୍ୟ ବେଶ ଆଗ୍ରହର ସହକା ଏହାକୁ ଆପଣେଇ ନେଇଥିଲେ। କିନ୍ତୁ ଏବେ ସମ୍ବଲପୁରରେ ନିୟମିତ ସାଇବର ଅପରାଧ ସଂଖ୍ୟାରେ ଅହେତୁକ ବୃଦ୍ଧି ଏବଂ ପୁଲିସର ବିଫଳତା ପାଇଁ ଅପରାଧି ଧରା ନ ପଡିବା ଘଟଣାକୁ ନେଇ ଜନତା ଡିଜିଟାଲ କାରବାର କରିବାକୁ ନେଇ ବେଶ ଚିନ୍ତିତ। କରୋନା ସଙ୍କଟ ପରେ ଡିଜିଟାଲ କାରବାର ବେଶ ବୃଦ୍ଧି ପାଇଥିବା ବେଳେ ବ୍ୟବସାୟିକ ସଂସ୍ଥା ତଥା ଛୋଟ ବଡ ବ୍ୟବସାୟୀ ମାନେ ମଧ୍ୟ ଡିଜିଟାଲ ମୋଡରେ ଟଙ୍କା ନେଣ ଦେଣ କରୁଛନ୍ତି। କିନ୍ତୁ ବିଗତ କିଛି ସମୟ ହେବ ସମ୍ବଲପୁର ଅଞ୍ଚଳରେ ନିୟମିତ ଡିଜିଟାଲ କାରବାର ସମୟରେ ଠକେଇ କରି ଠକ ମାନେ ଫେରାର ମାରୁଥିବା ବେଳେ ଏହାକୁ ନେଇ ଏବେ ଲୋକେ ଡିଜିଟାଲ ନେଣଦେଣକୁ ନେଇ ସଞ୍ଚୟରେ ରହିଛନ୍ତି।
ଏଭଳି ଅବସ୍ଥା ପାଇଁ ଲୋକେ ବିଶେଷ କରି ସମ୍ବଲପୁର ପୁଲିସ ଓ ସାଇବର ପୁଲିସର କାର୍ଯ୍ୟଶୈଳୀକୁ ଦୋଷ ଦେଉଛନ୍ତି। ଜନତାଙ୍କ ଅନୁଯାୟୀ, ପଶ୍ଚିମ ଓଡିଶାରେ ପ୍ରଥମ ସାଇବର ପୁଲିସ ଥାନା ସମ୍ବଲପୁରରେ ଖୋଲିବା ଦିନ ଠାରୁ କେବଳ ଅଭିଯୋଗ ଗ୍ରହଣ କରୁଥିବା ବେଳେ ଅପରାଧି ଙ୍କ ଉପରେ ଅଙ୍କୁଶ ଲଗାଇବାରେ ସମ୍ପୁର୍ଣ୍ଣ ବିଫଳ ରହୁଛି। ଏଣୁ ସାଇବର ଅପରାଧି ମାନେ ନିର୍ଭୟରେ କେଉଁ ଠାରେ ଜାଲିଆତି, ତ କେଉଁ ସ୍ଥାନରେ ଠକେଇ ଆଦି ବିଭିନ୍ନ ଆଳରେ ଠକେଇ କାରନାମା ଗୁଡିକୁ ଭିଆଇ ଫେରାର ମାରୁଛନ୍ତି ଏବଂ ପୁଲିସ କେବଳ ମାମଲାଟିଏ ରୁଜୁ କରି ଚୁପ ବସି ଯାଉଛି। କରୋନା ସଙ୍କଟ ପରେ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ରହିଥିବା ବିଭିନ୍ନ ଥାନା ଓ ସାଇବର ଥାନାରେ ଶତାଧିକ ମାମଲା ରୁଜୁ ହୋଇ ଗଡୁଥିବା ବେଳେ ନାମକୁ ମାତ୍ର ହାତଗଣତି ମାମଲା ଗୁଡିକରେ ପୁଲିସ ଆଂଶିକ ସଫଳତା ହାସଲ କରି ଚୁପ ପଡି ଯାଇଛି। ଏଣୁ ଡିଜିଟାଲ ଟେକନୋଲୋଜିର ବ୍ୟବହାର କରି ବ୍ୟାଙ୍କ ଖାତାରୁ ଲୁଟ, ବିଲ ପଇଠ, ସହାୟତା କିମ୍ବା ସାମଗ୍ରୀ କିଣିବା ପରେ ଟଙ୍କା ପଇଠ ନ କରି ଭୁଲ ସ୍କ୍ରିନ ସଟ ଦେଖାଇ ଲୁଟ ଆଦି ରିତିମତ ଚାଲିଛି।
ବିଗତ ଗୁରୁବାର ରାତ୍ରିରେ ଧନୁପାଲି ଥାନା ଅର୍ନ୍ତଗତ ଏକ ଦୋକାନରେ ମୋବାଇଲ କିଣିବା ପରେ ଟଙ୍କା ପଇଠ ଆଳରେ ଠକ ନକଲି କ୍ୟୁଆର କୋଡ ଦେଖାଇ ଫେରାର ହେବାର ଉଦ୍ୟମ କରୁଥିବା ବେଳେ ଦୋକାନୀ ଓ ସ୍ଥାନୀୟ ଲୋକେ ସନ୍ଦେହ କରି ତାକୁ ତାର ମହିଳା ସାଥି ସହିତ ଧରିଥିଲେ। ପରବର୍ତ୍ତୀ ସମୟରେ ପୁଲିସ ଦ୍ୱାରା ଯାଞ୍ଚ ସମୟରେ ଅଇଁଠାପାଲି ଓ ଧନୁପାଲି ଥାନାଞ୍ଚଳରେ ଉକ୍ତ ବ୍ୟକ୍ତି ଜଣକ ଆହୁରୀ କିଛି ବ୍ୟବସାୟୀ ଓ ଦୋକାନୀ ମାନଙ୍କୁ ସାମଗ୍ରୀ କିଣିବା ପରେ ଏଭଳି ନକଲି ଟଙ୍କା ପଇଠ କରିବାର ସ୍କ୍ରିନ ସଟ ଦେଖାଇ ଲୁଟି ଥିଲେ। ପୁଲିସ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମହିଳା ଜଣକୁ ଛାଡି ଦେଇଥିଲେ। ଅପରପକ୍ଷରେ ଗିରଫ ହୋଇଥିବା ଅଭିଯୁକ୍ତ ଙ୍କୁ ପୁଲିସ ଅଦାଲତ ଚାଲାଣ କରିଥିବା ବେଳେ ତୁରନ୍ତ ଅଦାଲତ ଦ୍ୱାରା ଜାମିନରେ ବାହାରି ଆସିଥିଲେ।
ଗୋଟିଏ ପଟରେ ସମ୍ବଲପୁରର ଆଇନ ବ୍ୟବସ୍ଥାକୁ ନେଇ ଲୋକେ ଅସୁରକ୍ଷିତ ମଣୁ ଥିବା ବେଳେ ଲୋକେ ଆଉ ଟଙ୍କା ସାଥିରେ ନେଇ ଯିବାକୁ ଭୟ କରୁଛନ୍ତି। ଏଣୁ କେନ୍ଦ୍ର ସରକାର ଙ୍କ ଦ୍ୱାର ପ୍ରୋତ୍ସାହିତ ଡିଜିଟାଲ ନେଣଦେଣକୁ ସୁରକ୍ଷା ଓ ଖୁଚୁରା ଦୃଷ୍ଟିରେ ଆପଣେଇ ନେଇଥିବା ବେଳେ କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପୁଲିସ ବ୍ୟବସ୍ଥାର ନିଷ୍କ୍ରିୟତା ଏବେ ସମସ୍ତଙ୍କ ପାଇଁ କାଳ ସାଜିଛି। ବହୁ ସମୟରେ ଛୋଟିଆ ବ୍ୟବସାୟୀ ମାନେ ଅତି ଛୋଟ ପରିମାଣର ଟଙ୍କା କାରବାର ସମୟରେ ଠକେଇର ଶିକାର ହେଉଥିବା ବେଳେ ସେଥି ପାଇଁ ସେମାନେ ପୁଲିସର ଦ୍ୱାରସ୍ଥ ହେଉ ନ ଥିବାରୁ ଅଧିକାଂଶ ଛୋଟିଆ ଠକେଇର ଅଭିଯୋଗ ଥାନା ଗୁଡିକରେ ହେଉ ନାହିଁ।
କେନ୍ଦ୍ର ସରକାର ରବିବାର ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରି ଡିୟୁବି ବ୍ୟବସ୍ଥାର ଶୁଭାରମ୍ଭ କରିଥିବା ବେଳେ କିନ୍ତୁ ଅଞ୍ଚଳବାସୀ ଦିନକୁ ଦିନ ହେଉଥିବା ସାଇବର ଠକେଇ ପାଇଁ ଭୟରେ ରହିଛନ୍ତି। ବାରମ୍ବାର ଦାବି ସତ୍ୱେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପୁଲିସ କୌଣସି ପ୍ରକାରର ଅପରାଧିକ ମାମଲାକୁ ନିୟନ୍ତ୍ରଣ କରିବା ପାଇଁ ଅନୁଚ୍ଛୁକ ଥିବାରୁ ଏବେ ଜନତା ଓ ବ୍ୟବସାୟୀ ମାନେ ପୁର୍ନବାର ନଗଦ ଟଙ୍କା ନେଣଦେଣ କରିବା ସୁରକ୍ଷିତ ମଣୁଛନ୍ତି। ଏଥି ସହ ଅଞ୍ଚଳର ଅନେକ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଡିଜିଟାଲ ଦିଆ ନିଆକୁ ସିଧାସଳଖ ମନା କରାଯାଇ ନଗଦ ଟଙ୍କାରେ ବ୍ୟବସାୟିକ କାରବାର କରୁଥିବାର ଲକ୍ଷ୍ୟ କରାଯାଉଛି। ଏଣୁ ଅଞ୍ଚଳରେ ଅପରାଧିଙ୍କ ପ୍ରାର୍ଦୁଭାବକୁ ନିୟନ୍ତ୍ରିତ କରି ଜନତାଙ୍କୁ ସବୁ କ୍ଷେତ୍ରରେ ଏକ ସୁରକ୍ଷିତ ପରିବେଶ ଯୋଗାଇ ଦେବାକୁ ସବୁ ମହଲରୁ ଦାବି ହେଉଛି।



