ପବିତ୍ର ନଦୀକୁ ଅପବିତ୍ର କଲା କିଏ !
ଛୋଟ ବେଳଠୁ ଏଇ ଲେଖକ ଶୁଣି ଆସିଛି ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ବତୀ, ନର୍ମଦେ, ସିନ୍ଧୁ କାବେରୀ ଜଳେସ୍ମିନ ସନ୍ନିଧିମ କୁରୁ। ଟିକିଏ ବଡ଼ ହେଲା ବେଳକୁ ଭୂଗୋଳ ବହିରେ ପଢିଲା ଯେ ସରସ୍ବତୀ ଆଉ ନାହିଁ, ବିଲୀନ ହୋଇ ସାରିଛି। ଚାକିରି କରିବା ପାଇଁ ଦିଲ୍ଲୀ ଗଲା ପରେ ଏହି ଲେଖକ ପାଖାପାଖି ଦଶ ବର୍ଷ ରହିଲା ଯମୁନା କୂଳ ମୟୂର ବିହାର ଅଞ୍ଚଳରେ। ସେଠି ଯମୁନାର ରୂପ ଏମିତି ଯେ ସନ୍ନିଧି ତ ଦୂରର କଥା, ନାକରେ ରୁମାଲ ନଦେଇ ନଦୀ ପାଖରେ ଦୁଇ ମିନିଟ ଠିଆ ହେବା କଷ୍ଟ। ଗତ ଅପ୍ରେଲ ମାସରେ ଲେଖକ ଯାଇଥିଲା ନାସିକ, ଆଉ ସେଠି ଭେଟିଥିଲା ଦିଲ୍ଲୀ ଯମୁନାର ଆଉ ଏକ ବିକଟାଳ ପ୍ରତିରୂପ ଗୋଦାବରୀକୁ। ପାଣି ଏତେ କଳା ଯେ ସେଇଟି ପାଣି ନା ତରଳ ଆଲକାତରା ପ୍ରଭେଦ ବାରିବା କଷ୍ଟ। ତା’ଉପରେ ପୁଣି ଧଳା ଧଳା ଫେଣ। ଆଉ ଏଇଟି ହେଉଛି ନଦୀର ଉତ୍ପତ୍ତି ସ୍ଥଳ ତ୍ରୟମ୍ବକେଶ୍ୱର ଓ ତାର ଆଖପାଖ ଅଞ୍ଚଳର କଥା। ଯେଉଁଠି ବୁଡ଼ ପକେଇଲେ ପାପ କ୍ଷୟର ମାନ୍ୟତା ହଜାର ହଜାର ବର୍ଷ ଧରି ରହି ଆସିଛି, ସେଠି ଗାଧେଇବା ତ ଦୂରର କଥା ସେ ପାଣି ଛୁଇଁଲା ବେଳକୁ ବି ମନ ସାଂକୁଡି ହୋଇଯିବ। ସାରା ନାସିକ ସହରର ମଇଳା ସିଧା ପଶୁଛି ଶିବଙ୍କ ଜଟାରୁ ଗୌତମ ଋଷି ମର୍ତ୍ତ୍ୟକୁ ଆଣିଥିବା ପବିତ୍ର ଦକ୍ଷିଣ ଗଙ୍ଗା ଗୋଦାବରୀରେ।
କେବଳ ଭାରତ ନୁହେଁ, ସଭ୍ୟତାର ଯେଉଁଠି ଯେଉଁଠି ନଦୀକୁ ନଦୀ ନ ରଖି ଦେବୀ କରାଯାଇଛି, ସେଠି ସେଠି ନଦୀ ଲୁଣ୍ଠିତ ହୋଇଛି, ହରାଇଛି ନିଜ ପ୍ରକୃତ ସ୍ୱରୂପ। ଚାଇନାର ୟାଙ୍ଗସେ ନଦୀର ଉଦାହରଣ ନିଆଯାଉ। ୬୩୦୦ କିଲୋମିଟର ବ୍ୟାପ୍ତ ପୃଥିବୀର ଏହି ତୃତୀୟ ବୃହତମ ନଦୀ ଚାଇନାର ଇତିହାସ, ସଂସ୍କୃତି ଓ ଅର୍ଥନୀତିରେ ହଜାର ହଜାର ବର୍ଷ ଧରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛି। ଚାଇନାର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପାଖାପାଖି ଚାଳିଶ ପ୍ରତିଶତ ଆସେ ୟାଙ୍ଗସେ ତ୍ରିକୋଣଭୂମି ଅଞ୍ଚଳରୁ। ଚାଇନାରେ ମାତୃନଦୀ ଭାବେ ଅଭିହିତ ୟାଙ୍ଗସେ ଉପରେ ଚାଳିଶ କୋଟିରୁ ଊର୍ଦ୍ଧ୍ବ ନିର୍ଭର କରନ୍ତି। ଏହାର ମହାନତା ଓ ଜନଜୀବନ ଉପରେ ପ୍ରଭାବକୁ ନେଇ ଲେଖା ଯାଇଛି ହଜାର ହଜାର କବିତା। ସହସ୍ର ବର୍ଷ ଧରି ମାତୃନଦୀ ଭାବେ ପୂଜିତ ୟାଙ୍ଗସେ ଆଜି ବୋଧ ହୁଏ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ନଦୀ। ତା ଭିତରକୁ ପ୍ରତିବର୍ଷ ଛଡା ଯାଉଛି ୩୫ ବିଲିୟନ ଟନ ମଇଳା ଓ ଶିଳ୍ପକ୍ଷେତ୍ରରୁ ବାହାରୁଥିବା ଆବର୍ଜନା। ଏହି ମଇଳା ଓ ଆବର୍ଜନା ନଦୀ ଅବବାହିକାର ପାଖାପାଖି ଚାରି ହଜାର କିଲୋମିଟର ଅଧିକାର କରି ବସିଛନ୍ତି। ଚାଇନା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସବୁଠାରୁ ଅଧିକ ମୂଲ୍ୟ ବୋଧେ ଦେଇଛି ଚାଇନାର ମାତୃନଦୀ। ଚାରି ଶହରୁ ଊର୍ଦ୍ଧ୍ବ ଫରଚ୍ୟୁନ ୫୦୦ କମ୍ପାନୀ ନିଜର ବିପଣି ଖୋଲିଛନ୍ତି ୟାଙ୍ଗସେ ଧାରେ ଧାରେ। ପ୍ରଦୂଷଣର ସ୍ଥିତି ଏତେ ଉତ୍କଟ ଯେ ମାତୃନଦୀ ଅବବାହିକାର ପଚାଶ ପ୍ରତିଶତ ଲୋକ ଆଜି ବିଶୁଦ୍ଧ ପାନୀୟ ଜଳ ଟିକେ ପାଇଁ ସଂଘର୍ଷ କରୁଛନ୍ତି। ଜୈବ ବିବିଧତାର ଅନିନ୍ଦ୍ୟ ଉଦାହରଣ କୁହାଯାଉଥିବା ଏହି ମାତୃନଦୀ ନିଜ ଗର୍ଭରେ ବଢୁଥିବା ବିଭିନ୍ନ ପ୍ରଜାତି ମଧ୍ୟରୁ ପ୍ରାୟ କୋଡିଏ ପ୍ରତିଶତ ସବୁ ଦିନ ପାଇଁ ହରାଇ ସାରିଲାଣି ଏବଂ ଅନେକ ପ୍ରଜାତି ଏବେ ବିଲୁପ୍ତ ହେବାର ସୀମାରେଖାରେ।
ଗୋଦାବରୀ ହେଉ କି ଗଙ୍ଗା, ଯେଉଁଠି ଯେଉଁଠି ନଦୀ ଆସ୍ଥାର ପ୍ରତୀକ, ସେଇଠି ସେଇଠି ନଦୀ ସାରା ଗେଣ୍ଡୁ ମାଳ, ଭାସମାନ ଦୀପ ଆଉ କୁଢ଼ କୁଢ଼ କୁଢ଼ ଅଳିଆ। ଠିକ୍ ସେମିତି ମାଟି। ନଦୀ ଭଳି ବହୁଳ ପୂଜିତ ଅଥଚ ଲୁଣ୍ଠିତ ଓ ଶୋଷିତ। କବିତାଠାରୁ ସିନେମା ଯାଏ ମାଟି ହେଉଛି ମାଆ, ଧରିତ୍ରୀ ସର୍ବଂସହା। କଥା କଥାକେ ମାଟିର ରାଣ, ମାଟିର ଟେକ ରଖିବାର କଥା। କିନ୍ତୁ କାମ ବେଳକୁ ଯେଉଁଠି ଟିକିଏ ମାଟି ଅଛି ତାକୁ ହଡପି ନେଇ କଂକ୍ରିଟ କରି ଦେବାର ପ୍ରୟାସ ଓ ମସୁଧା। ଯେଉଁ ମାଟି ଯେତେ ପବିତ୍ର, ଯେତେ ଅଧିକ ପୁଣ୍ୟ ପ୍ରଦାୟିନୀ ମାନ୍ୟତା ପାଇଛି, ସେ ମାଟିରେ ସେତେ ଅଧିକ ସଂଖ୍ୟାରେ ବଂଶବୃଦ୍ଧି କରିଛନ୍ତି ଜମି ମାଫିଆ। ଯେଉଁ ମାଟି ଯେତେ ଅଧିକ ଫଳପ୍ରସୂ ବୋଲି ନିଜକୁ ପ୍ରମାଣିତ କରିଛି, ସେ ମାଟି ପିଇଛି ସେତେ ଅଧିକ ରାସାୟନିକ ସାର, ଔଷଧ ଓ କୀଟନାଶକ। ମାଟି ଏଇଥିପାଇଁ ମୂଲ୍ୟବାନ କାରଣ ବିଜ୍ଞାନ ଆଜି ଯାଏ ତାର ପରୀକ୍ଷାଗାରରେ ମାଟି ତିଆରି କରିପାରିନି। ଆମ ଆବଶ୍ୟକ ମାଟି ପାଇଁ ଆମେ ନିର୍ଭରଶୀଳ ପ୍ରକୃତି ଦେଇଥିବା ସମ୍ପଦ ଉପରେ। କିନ୍ତୁ ମାଟିକୁ ମାଆ, ସର୍ବଂସହା କରିଦେବା ପ୍ରୟାସରେ ଆମକୁ ଭାବିବା ପାଇଁ ସମୟ କାହିଁ ଯେ ଆମ ଅତ୍ୟାଚାର ସେହି ମାଆକୁ ବିଷସ୍ତନା ପୂତନା କରି ସାରିଲାଣି ବୋଲି। ଖାଦାନ ପାଇଁ ହେଉ କି ସାମରିକ ଉଦ୍ଦେଶ୍ୟରେ ହେଉ, କଳକାରଖାନା ହେଉ କି ଅଳିଆ ଗଦେଇବା ପାଇଁ ହେଉ, ବଳି ପଡୁଛି ମାଟି।
କେବଳ ମଣିଷକୁ ନୁହେଁ, ନଈ ଠାରୁ ନେଇ ମାଟି ଯାଏ, ଗଛଠାରୁ ନେଇ ପଶୁ ପକ୍ଷୀ କୀଟପତଙ୍ଗ ଯାଏ, ଯଦି ଭଗବାନ କରିବାର ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ହୁଅନ୍ତା, ତେବେ ଆମେ ନିଶ୍ଚିତ ପ୍ରଥମ ତିନୋଟି ସ୍ଥାନ ଭିତରେ ରୁହନ୍ତେ। ପ୍ରକୃତିକୁ ପୂଜା କରିବାରେ ଅସୁବିଧା ନାହିଁ, ମାତ୍ର ଏହି ପୂଜା କେବଳ ସାଙ୍କେତିକ ହୋଇ ରହି ଯିବାରୁ ହିଁ ଆରମ୍ଭ ସବୁ ବିସଙ୍ଗତିର। ମାଟି ତ ମା, ସର୍ବଂସହା ଧରିତ୍ରୀ, ତା ନିଜ ଦାୟିତ୍ୱ ସେ ନିଜେ ନେବ। ନଦୀ ତ ଦେବୀ, ଯିଏ ଆମକୁ ମୋକ୍ଷ ଦେଉଛି, ତା’ର ସ୍ୱାସ୍ଥ୍ୟ କେମିତି ଖରାପ ହୋଇ ପାରିବ? ଦେବୀ, ମାଆର ଆସନରେ ବସାଇ ନିଜ ଅଭିବୃଦ୍ଧି ପାଇଁ ଆମେ ଶତାବ୍ଦୀ ଶତାବ୍ଦୀ ଧରି ସେମାନଙ୍କ ଉପରେ କରି ଆସିଥିବା ଅତ୍ୟାଚାରକୁ ସୁଧାରିବାର ସମୟ ଏବେ ଆସିଛି। ଆଉ ଦେବୀ କି ମାଆ ନୁହେଁ, ବରଂ ଏବେ ନଦୀକୁ ନଦୀ ଆଉ ମାଟିକୁ ଖାଲି ମାଟି ହିଁ ରହିବାକୁ ଦେବାର ବେଳ।
ବୌଦ୍ଧ ଧର୍ମରୁ ନେଇ ବାହାଇ, ଇସଲାମରୁ ଇହୁଦୀ ପର୍ଯ୍ୟନ୍ତ ପୃଥିବୀର ସମସ୍ତ ପନ୍ଥ ଓ ଧର୍ମରେ ରହିଛି ପ୍ରକୃତି ଉପାସନାର ସ୍ୱୀକୃତି ଏବଂ ଯୁଗେ ଯୁଗେ ସେମାନେ ପ୍ରକୃତି ଓ ଏହାର ଉପାଦାନଗୁଡିକର ସଂରକ୍ଷଣ ଉପରେ ଜୋର ଦେଇ ଆସିଛନ୍ତି। କିନ୍ତୁ ଧର୍ମ ସହ ଜଡିତ ମାନ୍ୟତା କେତେବେଳେ ଏହାର ବିରୁଦ୍ଧାଚରଣ କରୁଛି ତ ଆଉ କେତେବେଳେ ଆମେ କେବଳ କଥାରେ ହିଁ ରହି ଯାଉଛେ, ପ୍ରାକୃତିକ ସ୍ଥିତାବସ୍ଥାର ସଂରକ୍ଷଣ ପାଇଁ ଧର୍ମ ଓ ପନ୍ଥରେ ଥିବା ନିେର୍ଦଶାବଳୀ କେବଳ ଆମ ପାଇଁ କିଛି ପ୍ରତୀକ ହୋଇ ଯାଉଛି। କଲମ୍ବିଆ ବିଶ୍ୱବିଦ୍ୟାଳୟର କ୍ଳାଇମେଟ ସ୍କୁଲ ୨୦୨୦ ମସିହାରେ କରିଥିବା ଏକ ଅନୁଧ୍ୟାନ ଅନୁଯାୟୀ ପୃଥିବୀର ଯେଉଁ ଯେଉଁ ଦେଶରେ ଧାର୍ମିକ ଆଚରଣ କମ, ସେଠାକାର ଅଧିବାସୀମାନେ ଅପେକ୍ଷାକୃତ ଭାବେ ପ୍ରାକୃତିକ ସମ୍ପଦର ଅଧିକ ବ୍ୟବହାର କରନ୍ତି; କିନ୍ତୁ ସେମାନେ ଏହାର ସଂରକ୍ଷଣ ଓ ଅତ୍ୟଧିକ ବ୍ୟବହାରର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଯଥେଷ୍ଟ ଶ୍ରମ ଓ ଅର୍ଥ ଖର୍ଚ୍ଚ କରନ୍ତି। ମାତ୍ର ଯେଉଁ ଦେଶମାନଙ୍କରେ ଧାର୍ମିକ ଆଚରଣ ଅଧିକ, ସେଠାରେ ପ୍ରାକୃତିକ ସମ୍ପଦର ବ୍ୟବହାର ବୋଧ ହୁଏ କମ ହୋଇପାରେ, ମାତ୍ର ଏହି ଦେଶମାନଙ୍କର ଦାରିଦ୍ର୍ୟ ଓ ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଚାପ ପ୍ରକୃତିର ସଂରକ୍ଷଣ ଓ ପ୍ରଦୂଷଣର କୁପ୍ରଭାବ ପାଇଁ ଉପଯୁକ୍ତ ପଦକ୍ଷେପ ନେବାରେ ବାଧକ ସାଜେ। ଏହି ଅନୁଧ୍ୟାନ ଅନୁଯାୟୀ ହିନ୍ଦୁ ଓ ମୁସଲିମ ବହୁଳ ରାଷ୍ଟ୍ରମାନଙ୍କରେ ମୁଣ୍ଡପିଛା ଶକ୍ତି ବ୍ୟବହାର କମ ଏବଂ ଏହି ଦେଶମାନଙ୍କରେ ଜଳବାୟୁ ପରିବର୍ତ୍ତନ ପ୍ରତିରୋଧ ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ଦିଗରେ ଦକ୍ଷତା ମଧ୍ୟ ବହୁ ମାତ୍ରାରେ ସୀମିତ।
କଲରାଡୋ ନଦୀ ଆମେରିକା ଓ ମେକ୍ସିକୋ ମଧ୍ୟଦେଇ ପାଖାପାଖି ୨୩୦୦ କିଲୋମିଟର ପ୍ରବାହିତ। ଏକ ବୃହତ୍ ଜନସଂଖ୍ୟା ଏହା ଉପରେ ଜୀବନ ଧାରଣ ପାଇଁ ନିର୍ଭର କରେ। ଏହି ନଦୀକୁ ପୂଜା କରାଯାଏନି ସତ କିନ୍ତୁ ବହୁଳ ବ୍ୟବହାର ଭିତରେ ବି ନଦୀର ସ୍ୱାସ୍ଥ୍ୟ କିପରି ଅକ୍ଷୁଣ୍ଣ ରହିବ ସେଦିଗରେ ଉଭୟ ମାନବିକ ଓ ପ୍ରାଦ୍ୟୋଗିକ ପ୍ରୟାସର ସର୍ବୋତ୍ତମ ନିବେଶ କରାଯାଏ। ସେଥିପାଇଁ ତ କଲରାଡୋର ଧାର କବିର କଳ୍ପନା ସମ ଏକ ଅନିନ୍ଦ୍ୟ ଚିତ୍ରପଟ। ପ୍ରକୃତିକୁ ପ୍ରଥା, ପ୍ରତୀକ ଓ ପାରମ୍ପରିକତାର ଚଷମା ଖୋଲି ଜୀବନ୍ତ ପରିସଂସ୍ଥାନର ସ୍ରୋତ ଭାବେ ଦେଖିବାର, ବୁଝିବାର ଓ ସେହି ଅନୁଯାୟୀ ପଦକ୍ଷେପ ନେବାର ସମୟ ଆସିଛି। ତା’ପରେ, ଯେଉଁ ବିଜ୍ଞାନକୁ ଆମେ ପ୍ରକୃତିକୁ ନଷ୍ଟ କରିବା ଦିଗରେ ବ୍ୟବହାର କରିବାରେ କୌଣସି ସୁଯୋଗ ହାତଛଡା କରିନେ, ତାର ସୁଗୁଣର କିୟଦଂଶକୁ ଆମେ କ’ଣ ଆମ ଶହ ଶହ ବର୍ଷର ଅପରାଧର ପ୍ରାୟଶ୍ଚିତ୍ତ ପାଇଁ ବ୍ୟବହାର କରି ପାରିବା ନାହିଁ?
ପରଂବ୍ରହ୍ମ ତ୍ରିପାଠୀ
ନାଉଗାଁ ହାଟ, ଜଗତସିଂହପୁର
ଦୂରଭାଷ: ୯୭୧୭୩୦୨୨୦୫
Comments are closed.