ଜଣେ ସାଧାରଣ ପ୍ରଜା ରାଜଦରବାରରେ ପ୍ରବେଶପୂର୍ବକ ସିଂହାସନରେ ଆସୀନ ରାଜାଙ୍କୁ ଅତ୍ୟନ୍ତ ସ୍ପର୍ଦ୍ଧାର ସହିତ ‘ତା’ର ମଧ୍ୟ ରାଜସିଂହାସନରେ ବସିବାର ଅଧିକାର ଅଛି’ ବୋଲି ଦାବି କଲା। ରାଜ୍ୟର ପ୍ରତ୍ୟେକ ପ୍ରଜାଙ୍କର ରାଜ ସିଂହାସନରେ ବସିବାର ଅଧିକାର ଅଛି ବୋଲି ରାଜଦରବାରରେ ତା’ର ଯୁକ୍ତି ଉପସ୍ଥାପନ କଲା। ସଭାସଦ୍ଗଣ ତାକୁ ଏପରି କହିବା ଉଚିତ ନୁହେଁ ବୋଲି ଯେତେ ବୁଝାଇଲେ ମଧ୍ୟ ସେ ନିଜ ଜିଦ୍ରେ ଅଟଳ ଥିଲା ଏବଂ ସେହି ମୁହୂର୍ତ୍ତରେ ସେ ସିଂହାସନରେ ବସିବାକୁ ଚାହେଁ ବୋଲି ଦାବି କଲା। ବର୍ତ୍ତମାନ ରାଜା ନିଜେ ସିଂହାସନରୁ ଓହ୍ଲାଇଆସି ତାକୁ ସେଠାରେ ବସିବାପାଇଁ ଅନୁମତି ଦେଲେ। ସିଂହାସନରେ ବସିବାର ତାର ସ୍ୱପ୍ନ ପୂର୍ଣ୍ଣ ହେବାକୁ ଯାଉଥିବାରୁ ତାର ଆନନ୍ଦର ସୀମା ରହିଲା ନାହିଁ। ଶୀଘ୍ର ଯାଇ ସିଂହାସନ ଉପରେ ବସିପଡିଲା। କିଛି ସମୟ ପାଇଁ ହେଲେ ମଧ୍ୟ ସେ ‘ଏ ଦେଶର ରାଜା’ ବୋଲି ଭାବି ଆନନ୍ଦରେ ଗଦ୍ଗଦ ହେବାକୁ ଲାଗିଲା। ସୁନ୍ଦରୀ ଦାସୀ ପରିଚାରିକାମାନଙ୍କର ସେବା ତାର ପ୍ରାଣକୁ ପୁଲକିତ କରୁଥିଲା ଏବଂ ସେ ଚାରିଆଡକୁ ଅନାଇ ରାଜଦରବାରର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରେ ଲାଗିଥିଲା। ଚାରିକାନ୍ଥରେ ବିଶାଳ ଏବଂ ସୁନ୍ଦର ରଙ୍ଗିନ୍ ଚିତ୍ରପଟ, ସୁନ୍ଦର ଆଲୋକସଜ୍ଜା, ପ୍ରବେଶପଥ ଗୁଡିକରେ ରଙ୍ଗିନ ପରଦା। ଓଃ କି ମନୋହର ଏ ରାଜପ୍ରାସାଦ! ଆନନ୍ଦର ସୀମା ରହିଲା ନାହିଁ ତାର। ଏ ଭିତରେ ରାଜା ନିଜେ ଏବଂ ଅନ୍ୟ ପାରିଷଦଗଣ ରାଜକାର୍ଯ୍ୟ ପରିଚାଳନା କରିବା ନିମନ୍ତେ ପ୍ରସ୍ତୁତ ହେଉଥିଲେ। ବର୍ତ୍ତମାନ ସିଂହାସନରେ ଆସୀନ ରାଜାଙ୍କୁ ରାଜ୍ୟର ତଥା ପ୍ରଜାମାନଙ୍କର ହାନିଲାଭ, ସୁଖଦୁଃଖ ବୁଝିବା ପାଇଁ ଅନୁରୋଧ କରାଗଲା। ରାଜକାର୍ଯ୍ୟରେ ମନୋନିବେଶ କରିବା ପୂର୍ବରୁ ରାଜପ୍ରାସାଦର ଚାକଚକ୍ୟପୂର୍ଣ୍ଣ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ଆଶାରେ ଆଉ ଥରେ ଦେଖି ନେଉନେଉ ଊର୍ଦ୍ଧ୍ୱଦେଶର ସୌନ୍ଦର୍ଯ୍ୟ ଉପଭୋଗ କରିବା ନିମନ୍ତେ ଊର୍ଦ୍ଧ୍ବକୁ ଅନାଇ ସେ ଯାହା ଦେଖିଲା, ତାହା ତାର କଳ୍ପନାର ବାହାରେ ଥିଲା। ଏକ ସୁତୀକ୍ଷ୍ଣ ଖଡ୍ଗ ସୂକ୍ଷ୍ମ ସୂତାଖିଅଟିରେ ଝୁଲୁଚି ସିଂହାସନର ଠିକ୍ ଉପରେ। ଯେ କୌଣସି ମୁହୂର୍ତ୍ତରେ ତାହା ଛିଡିଯାଇ ସିଂହାସନାସୀନ ରାଜାଙ୍କ ମସ୍ତକ ଉପରେ ପଡ଼ିବାର ଆଶଙ୍କା ରହିଚି। ଭୟରେ ଥରି ଉଠିଲା ତାର ମନ- ଦୁର୍ଭଗ୍ୟବଶତଃ ଯଦି ଏହି ମୁହୂର୍ତ୍ତରେ ସୂତାଖିଅଟି ଛିଡିଯାଏ, ତେବେ ମୃତ୍ୟୁ ସୁନିଶ୍ଚିତ। ରାଜକାର୍ଯ୍ୟ କଥା କ’ଣ ? ଆଉ ଅଧିକ ସମୟ ସିଂହାସନ ଉପରେ ବସିରହିବା ତା ପକ୍ଷେ ସମ୍ଭବ ହେଲାନାହିଁ। ତୁରନ୍ତ ସିଂହାସନରୁ ଓହ୍ଲାଇଆସି ସେ ରାଜାଙ୍କୁ କ୍ଷମାପ୍ରାର୍ଥନା କଲା।
ଏମିତି ଗୋଟିଏ ଗଳ୍ପ ଆସେ ଆମ ପାଠପଢା ଭିତରେ ‘ଡିମୋକ୍ଲିସ୍ର ଖଡ୍ଗ’ ନାମରେ। ଗଳ୍ପଟିରୁ ଏହି ସୂଚନା ମିଳେ ଯେ ଶାସକର ଜୀବନ ଏକ ସରଳ, ସାବଲୀଳ ତଥା ଫୁଲଶେଯର ଜୀବନ ନୁହେଁ। ତାହା ବରଂ ଉତ୍ସର୍ଗୀକୃତ ଏକ କଠୋର ଏବଂ ସାଧନାର ଜୀବନ ହୋଇଥାଏ। ଧୈର୍ଯ୍ୟ, ସାହସ, ପରାକ୍ରମ, ତ୍ୟାଗ, ସହିଷ୍ଣୁତା, ଉତ୍ତମ ବିଚାରବୋଧ ଇତ୍ୟାଦି ଦିବ୍ୟଗୁଣର ଅଧିକାରୀ ନ ହେଲେ ସେପରି କଷ୍ଟକର ଜୀବନ ଯାପନ କରିବା କୌଣସି ବ୍ୟକ୍ତି ପକ୍ଷରେ ସମ୍ଭବ ହୁଏନାହିଁ।
କ୍ଷମତା ମଦମତ୍ତ ହେଲେ ବ୍ୟକ୍ତି ମନରେ ସନ୍ଦେହ ପ୍ରବେଶ କରେ। ସେ ନିକଟ ହେଉ ବା ଦୂର, ସମସ୍ତଙ୍କୁ ସନ୍ଦେହ କରିବା ଆରମ୍ଭ କରିଦିଏ। ନିଜକୁ ବିଶ୍ଲେଷଣ କରିବା ଏବଂ ଅନ୍ତର୍ଦୃଷ୍ଟିର ସହିତ ନିଜର ଦୋଷତ୍ରୁଟିକୁ ବିଚାର କରିବା ସେ ପାସୋରିଦିଏ। ବୁଦ୍ଧିମତୀ, ସ୍ନେହଶୀଳା, ରାଜନୀତି ବିଶାରଦା ଜନନୀ ଗାନ୍ଧାରୀ ଶାସ୍ତ୍ରର ସାରକଥାକୁ ଉଦ୍ଧାରକରି ଅଦ୍ଭୁତ ଚାତୁର୍ଯ୍ୟର ସହିତ ନିଜର ଅହଙ୍କାରୀ, ମଦମତ୍ତ ପୁତ୍ର ଦୁର୍ଯ୍ୟୋଧନଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ। ସିଧାସଳଖ ସମାଲୋଚନା କଲେ କିମ୍ବା ଦୋଷ ଦର୍ଶାଇଲେ ବିଷୟଲାଳସାରେ ନିମଗ୍ନ ବିମୂଢ ଦୁର୍ଯ୍ୟୋଧନ ନିଶ୍ଚୟ ପ୍ରତିକ୍ରିୟାଶୀଳ ହେବ- ଏକଥା ମାତା ଗାନ୍ଧାରୀ ଜାଣିଥିଲେ। ତେଣୁ ସେ ତାକୁ ‘ମହାପ୍ରାଜ୍ଞ’ ବୋଲି ସମ୍ବୋଧନ କରିବା ସହିତ ରାଜନୈତିକ ପରାମର୍ଶ ଦେଇଥିଲେ ଯେ ଶାସକ ପ୍ରଥମେ ତାର ଅନ୍ତଃଶତ୍ରୁକୁ ଦମନ କରିବା ଉଚିତ। ତାପରେ ଯାଇ ବହିଃଶତ୍ରୁ ସହିତ ଲଢିବ। ଆତ୍ମବିଶ୍ଳେଷଣ କରି ଦେଖିବା ଉଚିତ ନିଜ ଭିତରେ କେଉଁ କେଉଁ ଶତ୍ରୁ ଅଛନ୍ତି। ସେହି ସେହି ଶତ୍ରୁମାନଙ୍କୁ ପ୍ରଥମେ ସମୂଳ ବିନାଶ କରିବା ଉଚିତ। ଅନ୍ତଃଶତ୍ରୁ କବଳରୁ ମୁକ୍ତ ହେବାପରେ ଶାସକ ମନ୍ତ୍ରୀ ଓ ଅମାତ୍ୟମାନଙ୍କ ନିକଟକୁ ଆସିବ। ବିଶ୍ଲେଷଣ କରିବ-ଯେଉଁମାନେ ଅତୀତରେ ରାଜ୍ୟର ହିତଚିନ୍ତା କରୁଥିଲେ, ସେମାନେ ଆଜି କାହିଁକି ଶାସକର ବିରୋଧାଚରଣ କରୁଛନ୍ତି। ଆତ୍ମବୁଦ୍ଧି ନେଇ ସେମାନଙ୍କୁ ବୁଝିବା ଏବଂ ସେମାନଙ୍କର ଚିତ୍ତଜୟ କରିବା ଶାସକର କର୍ତ୍ତବ୍ୟ। ଏସବୁ କ୍ଷେତ୍ରରେ ସଫଳତା ପାଇଲେ ହିଁ ବାହ୍ୟଶତ୍ରୁ ସହିତ ଲଢିବା ଏବଂ ଜୟଲାଭ କରିବା ସମ୍ଭବ ହୋଇଥାଏ। ଶେଷରେ ମାତା ଗାନ୍ଧାରୀ ପୁତ୍ର ଦୁର୍ଯ୍ୟୋଧନକୁ ଗୋଟିଏ ଅସଲ କଥା ଶୁଣାଇଥିଲେ। ଯେଉଁ ବ୍ୟକ୍ତି କ୍ରୋଧପରବଶ ହୋଇ ନିଜର ଲୋକମାନଙ୍କ ସହିତ ବିରୋଧାଚରଣ କରେ, ତାହାକୁ କେହି ସହାୟତା କରନ୍ତିନାହିଁ। ବୁଦ୍ଧିମାନ୍, ବୀର ପାଣ୍ଡବଙ୍କ ସହିତ ମିଶି ରାଜ୍ୟଭୋଗ କଲେ ଦୁର୍ଯ୍ୟୋଧନ ଯେ ଖୁବ୍ ଖୁସିରେ ରହିବ ଏକଥା ମାତା ବୁଝାଇଥିଲେ ମଧ୍ୟ ଅହଙ୍କାରୀ ଦୁର୍ଯ୍ୟୋଧନ ତହିଁରେ କର୍ଣ୍ଣପାତ କରିନଥିଲେ।
ବାସୁଦେବ ମିଶ୍ର
ଦଶରଥପୁର, ଯାଜପୁର
ଦୂରଭାଷ: ୯୪୩୮୩୨୮୭୫୫


