www.samajalive.in
Monday, December 8, 2025
24.1 C
Bhubaneswar

ଦାୟମୁକ୍ତ ବିବେକ, ବାଦମୁକ୍ତ ବିଚାର

ବିଂଶ ଶତାବ୍ଦୀ ମାନବ ଇତିହାସର ପ୍ରଥମ ବିଶ୍ୱଶତାବ୍ଦୀ। ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶ୍ବର କାଳ ପ୍ରବାହ ସମଗ୍ର ବିଶ୍ବ ପାଇଁ ଗୋଟିଏ ନଥିଲା ଯଦିଓ ବିଶ୍ବ ସେତେବେଳକୁ ଖ୍ରୀଷ୍ଟୀୟ କାଳଗଣନା ଗ୍ରହଣ କରିସାରିଥିଲା। କେବଳ ଭାରତରେ ରାଜାମାନଙ୍କ ଶାସକୀୟ ବର୍ଷ ସହିତ ଯୁଗାବ୍ଦ ଓ ତା ସହିତ ଖ୍ରୀଷ୍ଟୀୟ କାଳ ଏସବୁ ଏକାଧାରରେ ସୂଚିତ କରାଇବାର ପଞ୍ଚାଙ୍ଗୀ ନିୟମ ଚାଲୁଥିଲା। ଅନ୍ୟଭାବରେ କହିଲେ ଭାରତୀୟ କାଳଦୃଷ୍ଟି ଧ୍ରୁବୀୟ ଓ ସ୍ଥାନୀୟ ଉଭୟକୁ ନେଇ ଚାଲିଥିଲା। ବ୍ରହ୍ମାଣ୍ଡୀ ଧ୍ରୁବୀୟତା ଓ ସ୍ଥାନୀୟ ଭଙ୍ଗୁରତା ଉଭୟଙ୍କୁ କାଳବିଚାରର ଅଂଶ କରିବାର ସାମର୍ଥ୍ୟ କେବଳ ଭାରତୀୟଙ୍କ ଦୃଷ୍ଟିରେ ଥିଲା; କିନ୍ତୁ ଭାରତୀୟଙ୍କ ମନରେ ଗୋଟିଏ ରାଜନୈତିକ ବିଶ୍ବର କଳ୍ପନା ନଥିଲା।
ପ୍ରତି ଦେଶର ଭୌଗୋଳିକତା ତା’ର କାଳବୋଧ ଥିଲା। ବିଚ୍ଛୁରିତ ଭୌଗୋଳିକ କ୍ଷେତ୍ର ଭାବରେ ବ୍ୟାପ୍ତ ସସାଗରା ଧରା ରାଜନୈତିକ ପୃଥିବୀରେ ପରିଣତ ହୋଇନଥିଲା। କରାୟତ୍ତ ପୃଥିବୀର କଳନା ବାହୁବଳୀ ସମ୍ରାଜ୍ୟବାଦରେ ସମୁଦ୍ରବିଜୟ ମାଧ୍ୟମରେ ବହୁମାତ୍ରାରେ ସମ୍ଭବ ହୋଇଥିଲା। ବିଜୟର ବାଣିଜ୍ୟ ଥିଲା କଞ୍ଚାମାଲ ଓ ରୂପାନ୍ତରଣକ୍ଷମ ପ୍ରାକୃତିକ ଉତ୍ସର ନିୟନ୍ତ୍ରଣ। ସେ ଥିଲା ରାଜତ୍ୱମୁକ୍ତ ପରୋକ୍ଷ ଶକ୍ତି ସାଧନ। ୟୁରୋପର କ୍ଷୁଦ୍ର ଦେଶଗୁଡ଼ିକ ଏହା ହିଁ କରିବାରେ ନିଜର ପ୍ରଭାବର ପ୍ରସାର ଓ ସମ୍ଭାବନା ଉଭୟକୁ ଦେଖିଥିଲେ।
କ୍ଷୁଦ୍ର ୟୁରୋପୀୟ ଦେଶଗୁଡ଼ିକ ଏ ପ୍ରକାରର ମାନସିକତା କୋଉଠୁ ପାଇଲେ? ଇଏ ତାଙ୍କ କ୍ଷୁଦ୍ରତାବୋଧରୁ ମୁକ୍ତି ପାଇବାର ଉପାୟ। ୟା ସହିତ ଭାରତର ତୁଳନା କରନ୍ତୁ। ଭାରତରେ ବି ରାଜତନ୍ତ୍ର ଥିଲା କିନ୍ତୁ ସବୁ ଜୟ-ପରାଜୟ, ପ୍ରଭାବ ଓ ପ୍ରତିପତ୍ତିର ବିଚାର ଥିଲା ଅର୍ଯ୍ୟାବର୍ତ୍ତର ବିଶାଳ ଭୂଖଣ୍ଡ ଭିତରେ। ସମସ୍ତେ ପୁଣି ଏକାଠି ବନ୍ଧା ହୋଇଥିଲେ ଗୋଟିଏ ଧର୍ମୀୟ- ନୈତିକ ସୂତ୍ରରେ। ବସ୍ତୁତଃ ଆର୍ଯ୍ୟମାନଙ୍କର ଆତ୍ମସମାହିତ ଉନ୍ନାସିକତା ଥିଲା, ହୀନମନ୍ୟତା ନଥିଲା। ଦେଶ ଜୟ କରି ଦାସ ଗୋଟେଇବା ବା ବେପାର ବଣିଜ କରିବା ଆର୍ଯ୍ୟମାନଙ୍କ କଳ୍ପନାରେ ନଥିଲା। ମହାଭାରତର ପୌରାଣିକ ଇତିହାସରେ ରାଜସୂୟ ଯଜ୍ଞର ଯେଉଁ ବର୍ଣ୍ଣନା ଅଛି ସେଥିରେ ବଶ୍ୟତା ସ୍ୱୀକାର ଏକ ମେଟାଫର ଅବାଧ କର୍ତୃତ୍ୱର। ଅର୍ଥାତ୍‌ ବିଜୟ ଅଶ୍ବକୁ ଅବାଧ ଗତିରେ ଯିବାକୁ ନଦେଇ ତାକୁ ଅଟକେଇବା ହିଁ ବିରୋଧ, ଶତ୍ରୁତା ବା ଯୁଦ୍ଧର କାରଣ। ତା’ପରେ ହୁଏତ ଯୁଦ୍ଧ ବା ସନ୍ଧି ବା ବୁଝାମଣା ବା ମିତ୍ରତା। ଏ ସବୁ ସମ୍ଭବ ହୋଇଥିଲା କ୍ଷେତ୍ରର ବିଶାଳତା ଯୋଗୁଁ। କାଳକାଳକୁ ଏ ପ୍ରକୃତି ରହିଗଲା। ସଭ୍ୟତାର ବିସ୍ତାର ହେଲା କିନ୍ତୁ ଆଧିପତ୍ୟର ବିସ୍ତାର ହେଲାନାହିଁ। ଏମିତି କି ୟୁରୋପୀୟଙ୍କ ସମୁଦ୍ର ଅଭିଯାନ ବେଳକୁ ଭାରତର ଦେଶୀୟ ଓ ବହିରାଗତ ଶକ୍ତିମାନେ ତାଙ୍କରି ନିଜ କ୍ଷେତ୍ରରେ ସ୍ଥିର ହୋଇ ରହିଥିଲେ। ଆର୍ଯ୍ୟ ପ୍ରକୃତିବୋଧର ବୈଦିକ ସ୍ମୃତି ସହିତ ମଧ୍ୟପ୍ରାଚ୍ୟର ରହସ୍ୟବୋଧ ଏକ ନୂଆ ରସାୟନ ପ୍ରସ୍ତୁତ କରିପାରିଲେ। ସେଇଠି ଖ୍ରୀଷ୍ଟୀୟ ଅଧ୍ୟାତ୍ମର କୌଣସି ଅଙ୍ଗ ଭାରତୀୟ ସଂସ୍କାରରେ ପ୍ରବେଶ କରିପାରିଲା ନାହିଁ। ୟୁରୋପୀୟଙ୍କ ସେ ବିଫଳତା ଏବେ ମଧ୍ୟ ତାଙ୍କର ଅସହ୍ୟ। ତେଣୁ ସେମାନେ ପ୍ରତିକ୍ରିୟାଶୀଳ ହୋଇ ଆମର ସଭ୍ୟତା ଓ ସଂସ୍କାରକୁ ଉତ୍ସାହିତ କରନ୍ତି। ଇଂରେଜ଼ୀରେ ଯାହାକୁ ପେଟ୍ରୋନାଇଜ଼ କହନ୍ତି ସେଇଆ। ଖାଣ୍ଟି ଓଡ଼ିଆରେ କହିଲେ ପିତୃସୁଲଭ ଶ୍ରଦ୍ଧା ଦେଖାନ୍ତି ବା ବତ୍ସଳତା ପ୍ରଦର୍ଶନ କରନ୍ତି ଓ ପିଠି ଥାପୁଡ଼େଇ ଦିଅନ୍ତି। ଭାରତୀୟ ଜ୍ଞାନ ପରମ୍ପରାକୁ ବିଶ୍ବର ମୁଖ୍ୟ ଜ୍ଞାନ ସ୍ରୋତରେ ମିଶାନ୍ତି ନାହିଁ। ଭାରତୀୟ ବିବେକ ଦାୟମୁକ୍ତ ଅର୍ଥାତ୍‌ ଏ କୌଣସି ପକ୍ଷର ସ୍ୱାର୍ଥରେ ବିକଶିତ ହୋଇନାହିଁ ବା କୌଣସି ଗୋଷ୍ଠୀର ନ୍ୟସ୍ତସ୍ୱାର୍ଥରେ ବ୍ୟବହୃତ ହୁଏନାହିଁ। ସେହିପରି ଭାରତୀୟ ବିଚାର କୌଣସି ଗୋଷ୍ଠୀସଂଭୂତ ବିଚାର ନୁହେଁ, ୟାକୁ ବାଦରେ ପରିଣତ କରିବାର ବୌଦ୍ଧିକ ଆବଶ୍ୟକତା ନଥିଲା କି ନାହିଁ। ଶଙ୍କରାଚାର୍ଯ୍ୟଙ୍କ ପାଠରେ ‘ବାଦ’ ନାହିଁ। ଏକେଶ୍ବରବାଦ, ‘ମନୋଥେଇଜମ୍‌’ ର ଅନୁବାଦ।
ବସ୍ତୁତଃ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ପଶ୍ଚିମାଙ୍କ ପାଠରେ ବି କୌଣସି ‘ଇଜମ୍‌’ ବା ବାଦ ନଥିଲା। ଗୋଟିଏ ପ୍ରକାରର, ଗୋଟିଏ ଗୋଷ୍ଠୀର ବା ଗୋଟିଏ ବିଶେଷତ୍ୱର ଚିନ୍ତନକୁ, ଏପରିକି ଧର୍ମଧାରାମାନଙ୍କୁ ବାଦ ବା ଇଜମ୍‌ରେ ଅଲଗା ଅଲଗା ବାନ୍ଧି ଦିଆଗଲା; କିନ୍ତୁ ବିଶ୍ବର ସର୍ବବୃହତ୍‌ ଦୁଇ ଧର୍ମ ଖ୍ରୀଷ୍ଟିଆନିଟି ଓ ଇସ୍ଲାମ ‘ଇଜମ୍‌’ ହେଲେନାହିଁ କାହିଁକି? ଖ୍ରୀଷ୍ଟିଆନ ପଶ୍ଚିମା ଚିନ୍ତକମାନେ ଇସ୍ଲାମ ପ୍ରତି ସହୋଦର ଭାବ ରଖିଥିଲେ, ଏପରିକି ଏ ଦୁଇଧର୍ମର ପୟଗମ୍ବର(ଆପୋସ୍ଲ)ମାନେ ସମାନ, ଯଦିଓ ପବିତ୍ର କୁରାନରେ ଏମାନଙ୍କ ନାମ ଘୋଷିତ ହୋଇନାହିଁ। ଯେଉଁମାନେ ଯିଶୁଙ୍କ ଶିଷ୍ୟ ଥିଲେ ସେମାନେ ଛଅ ଶହ ବର୍ଷ ପରେ ମହମ୍ମଦଙ୍କ ସାଥୀ ହୋଇଗଲେ। ଖ୍ରୀଷ୍ଟିଆନିଟି ଓ ଇସ୍ଲାମ, ଏ ଦୁଇ ଧର୍ମକୁ ଛାଡ଼ି ବାକି ସବୁଧର୍ମ ରହିଗଲେ ଇଜମ୍‌ ବା ‘ବାଦ’ରେ! ହିନ୍ଦୁଇଜମ୍‌ ବି ଗୋଟିଏ ବାଦ ହୋଇ କ୍ଷୁଦ୍ର ହୋଇଗଲା। ସନାତନର ବୃହତ୍‌କଥା ସଂକ୍ଷିପ୍ତ ହୋଇଗଲା, ସତେ ଯେମିତି ଏ ଧର୍ମ କମ୍ପାନୀ ସମୟର ଗୋଟେ କ୍ଷୁଦ୍ର ସ୍ଥାନୀୟ ସିଦ୍ଧାନ୍ତ ଥିଲା। ଧର୍ମର ନାମ ସନାତନ, ହିନ୍ଦୁ ନୁହେଁ, ଏକଥା ସେମାନେ କଣ ଜାଣିନଥିଲେ? ବେଦ ଉପନିଷଦ ଅନୁବାଦ କଲେ, ସନାତନ ଜାଣିପାରିଲେ ନାହିଁ? ଠିକ ଜାଣିଥିଲେ କିନ୍ତୁ ସନାତନକୁ ଠାବ କରିଥିଲେ ସଭ୍ୟତା, ଶାସ୍ତ୍ର ଓ ମାନବତାର କଥା ଏକାଠି କୁହାଯାଇଥାନ୍ତା ଓ ୟୁରୋପୀୟଙ୍କ ସଂସ୍କୃତିହୀନ ଇତିହାସ କଡ଼ାକର ହୋଇଯାଇଥାନ୍ତା। ହଁ, ହିଂସ୍ରତା, ପ୍ରକାଣ୍ଡତା ଓ ପ୍ରଚଣ୍ଡତାର ନାୟକ ସେମାନେ, ହୁଏତ କିଛି ଯୁଦ୍ଧ, କିଛି ଜୟ ଓ କିଛି ବିଶାଳ ସ୍ଥାପତ୍ୟର ନିର୍ମାଣ ଦେଖାଇଥାନ୍ତେ; କିନ୍ତୁ ସେଥିରେ ଭାରତୀୟଙ୍କର ଆଗ୍ରହ ନଥିଲା। ଧର୍ମର ପ୍ରତିଷ୍ଠାରେ ସେମାନେ ରକ୍ତପାତ ଦେଖାଇଥାନ୍ତେ, ସେ ବି ଥିଲା ଆର୍ଯ୍ୟଦୃଷ୍ଟିରେ ହୀନ। ଜ୍ଞାନକ୍ଷେତ୍ରରେ ଗ୍ରେକୋରୋମାନ ଅବଦାନ ରେନାସାଁ କାଳରେ ରଚିତ ମିଥ୍ୟା ବୋଲି ମୋର ମନେହୁଏ। ଗୁଡ଼ିଏ ଫ୍ରେସ୍କୋ, ଏକପ୍ରକାରର ଅବୟବ ଓ ଚକ୍ଷୁହୀନ ମୁଖମୁଦ୍ରା ଓ ଭଙ୍ଗିମାରୁ କଥନିକା ରଚି ଇତିହାସର ନବନିର୍ମାଣ କିଛି ଅସମ୍ଭବ ନୁହେଁ।
ଆରିଷ୍ଟୋଟଲଙ୍କ ମେଟାଫିଜିକ୍ସ ହେଉ ବା ଇଉକ୍ଲିଡଙ୍କ ଜ୍ୟାମିତି ଏ ସବୁର ଉଦ୍ଭାବନ ପ୍ରାଚୀନ; କିନ୍ତୁ ବ୍ୟବହାର ଓ ତର୍ଜମା କାହିଁକି ରେନାସାଁ ସମୟର। ଗୋଟେ ସମ୍ପୂର୍ଣ୍ଣ ଇତିହାସର ନିର୍ମାଣ ସହିତ ଐତିହ୍ୟର ସାକ୍ଷ୍ୟ ପ୍ରସ୍ତୁତ କରି ସେମାନେ ନିଜକୁ ସେ ଅତୀତଠାରୁ ଅଲଗା କରିନେଲେ। ଅନ୍ୟଭାବରେ କହିଲେ ପଶ୍ଚିମାଙ୍କର ସାଂସ୍କୃତିକ ଇତିହାସ ନାହିଁ ବା ତା’ର ସଂକ୍ରମଣରେ ତାଙ୍କର ବିଶ୍ୱାସ ନାହିଁ। ସେମାନେ ଗୋଟେ ଆସୁରିକ ଖାଉ ଗୋଷ୍ଠୀଜୀବନକୁ ସଭ୍ୟତା ତୁଲ୍ୟ ଉତ୍ପାଦକତାରେ ବଦଳେଇଚନ୍ତି। ଉଭୟ ପୁଞ୍ଜି ଓ ଶ୍ରମ ତାହାରି ଆଲୋକରେ ତତ୍ତ୍ବ ପାଇଛନ୍ତି। ସେହି ମଧ୍ୟ ଶିଳ୍ପବିପ୍ଳବ ଓ ମାର୍କ୍ସୀୟ ଅର୍ଥନୀତିର ଜନକ। କାଳ୍ପନିକ ଇତିହାସ ରଚି ତାର ଐତିହାସିକତାକୁ ଆଲୋଚନା କରି ପରୋକ୍ଷ ଭାବରେ ତାକୁ ସତ୍ୟ ବୋଲି ପ୍ରତିଷ୍ଠିତ କରିବାର କଳାକାରୀ, ନୃଶଂସ ହତ୍ୟାକୁ ବୀରତ୍ୱ ବୋଲି କହି ନାୟକ ନିର୍ମାଣର ସିନାଜୋରୀ, ଏସବୁ ତାଙ୍କରି କାମ; କିନ୍ତୁ ସେହି କୌଶଳ ପ୍ରୟୋଗ କରି ଆଉ କେହି ସେଭଳି କଲେ ତାହା ଅପରାଧ। ଆର୍ଯ୍ୟମାନଙ୍କ ସଭ୍ୟତାକୁ ଇଣ୍ଡୋ-ୟୁରୋପୀୟ-ଚାରଣ-ମିଶ୍ର ବୋଲି ଯେଉଁ ପ୍ରମାଣ ଚାର୍ଲସ ଆଲେନ ୨୦୨୩ରେ ତାଙ୍କର ବହୁପ୍ରସାରିତ ବହିରେ କଲେ ସେ ଭ୍ରାନ୍ତି ରହିଲା। ତାକୁଇ ପଢ଼ି ବିଶ୍ବ ତା’ର ମତ ସ୍ଥିର କରିବ। ମୋର ପ୍ରବନ୍ଧ ଅନ୍ତତଃ ସାଧାରଣ ଓଡ଼ିଆଙ୍କୁ ଏତିକି ଜଣେଇବ ଯେ ଯେତେ ପାରୁଚନ୍ତି ସେତେ ୟୁରୋପୀୟଙ୍କ ଜ୍ଞାନ ଆୟତ୍ତ କରନ୍ତୁ କିନ୍ତୁ ତାକୁ ସନ୍ଦେହ କରନ୍ତୁ। ସୁଯୋଗ ଥିଲେ ଟିକେ ଉଖାରି ଦେଖନ୍ତୁ। ଇଂଗ୍ରେଜ଼ ନାଁ ଦେଖି ଛାନିଆ ହୁଅନ୍ତୁ ନାହିଁ କି ନାଁ ଶୁଣି ସଲାମ ମାରନ୍ତୁ ନାହିଁ। ବହୁ ନିମ୍ନସ୍ତରର ବ୍ୟକ୍ତି କେବଳ ବିଦେଶୀ ବୋଲି ସମ୍ମାନିତ ହୁଅନ୍ତି। ଆମେ ବି ପିଲାଦିନରୁ ବହୁ ନିମ୍ନସ୍ତରର ଇଂରେଜ ଲେଖକଙ୍କୁ ବଡ଼ ଭାବି ଆମ ନିଜ ଶ୍ରେଷ୍ଠଙ୍କୁ ଛୋଟ କରିଚେ। ଇଂରେଜ଼ୀ ଉଦ୍ଧୃତି ବିନା ଆମ ରଚନା ଅଯୋଗ୍ୟ। ଏ କଣ ଠିକ? ଆମ ଜ୍ଞାନ ପରମ୍ପରାରୁ ଉଦ୍ଧୃତି ଆଣି ବକ୍ତବ୍ୟ ସିଦ୍ଧ କରିବା ବେଶି ଜରୁରୀ। ତାର ଗୋଟିଏ ବଡ଼ କାରଣ ଆମର ଭାରତୀୟ ଜ୍ଞାନ ପରମ୍ପରାରେ ଜ୍ଞାନ ବା ବିଚାର ବାଦମୁକ୍ତ। ଭାରତୀୟ ଚିନ୍ତନ ମୁକ୍ତ ଓ ପୂର୍ବାଗ୍ରହବର୍ଜିତ। ଏଠି ଜ୍ଞାନର ଉତ୍ପାଦନ ବସ୍ତୁ ଭଳି ଆବଶ୍ୟକତା ଦେଖି କରାଯାଇନାହିଁ। ଏଠି ଜ୍ଞାନର ଯୋଡ଼ିଏ ରହିବା ଜାଗା। ଗୋଟିଏ ସ୍ମୃତି ଆଉ ଗୋଟିଏ ଶାସ୍ତ୍ର। ଏଇଠି ରହିଗଲେ ହେଇଗଲା। ବହି ଲେଖି ଲୋକଙ୍କ ମନ ବଦଳେଇବା ବା ବହଲେଇବା ପାଇଁ ଏଠି ଜ୍ଞାନୀଏ ଚିନ୍ତା କରନ୍ତି ନାହିଁ। ତେଣୁ ‘ବାଦ’ର ଷ୍ଟାମ୍ପ ଲୋଡ଼ା ହୁଏନାହିଁ। କହିଲି ତ ଶଙ୍କର ଗୋଟିଏ ଈଶ୍ବର ବୋଲି କହିଲା ବେଳେ ଆଉ କେହି ଈଶ୍ବର ନାହାନ୍ତି ବା ଅନେକ ବୋଲି କହିବାରେ ବାଧା ନାହିଁ। ମୂଳ କଥା ଭାରତୀୟ ବୌଦ୍ଧିକତା ଦାୟମୁକ୍ତ। ଦାୟ ନଥିଲେ ବାଦ ନାହିଁ। ବାଦ ଜ୍ଞାନକୁ ସ୍ଥିର କରିଦିଏ। ରାଜନୀତି ବିଜ୍ଞାନର ଛାତ୍ର ଭାବରେ ଆମ ଆଗରେ ଥିଲା ଇବେନ୍ସଟିନଙ୍କର ‘ଇଜମ୍‌ସ’ ବହି। ଇଏ ଫାସିଜମ୍‌, ଇଏ କମ୍ୟୁନିଜମ୍‌, ଇଏ ସୋସାଲିଜମ୍‌, ଇଏ କ୍ୟାପିଟିଜମ୍‌! ସେଇଠି ବନ୍ଧାପଡ଼ିଲୁ ଆମେ। ଏମିତି କି ମନଇଚ୍ଛା ଇଜମ୍‌ ବନେଇବା ବି ଶିଖିଗଲୁ। ଇଏ ଥିଲା ଚଳମାନ ପ୍ରକ୍ରିୟାକୁ ସ୍ଥିର ଓ ଜ୍ଞାନ ରାଜ୍ୟରେ ସ୍ଥାନ ଦେବାର ପାଶ୍ଚାତ୍ୟ ତରିକା। ବିଂଶ ଶତାବ୍ଦୀ ସରିବା ବେଳକୁ ଆମ ହାତରେ ଶହେରୁ ଊର୍ଦ୍ଧ୍ବ ଇଜମ୍‌ ବା ବାଦ। ଅର୍ଥାତ୍‌ ଏଗୁଡିକର ମୂଳ ସିଦ୍ଧାନ୍ତ ସ୍ଥିର। ନିଜ ବିବେକ ଅନୁସାରେ ଜ୍ଞାନର ତର୍ଜମା ଓ ବ୍ୟବହାର ଉପରେ ସେମାନଙ୍କର ଅଙ୍କୁଶ। ଏପରି କି ସନାତନକୁ ହିନ୍ଦୁତ୍ୱରେ ବାନ୍ଧି ଅଚଳ କରିବା ସେମାନଙ୍କ ଦୁରଭିସନ୍ଧି; କିନ୍ତୁ ଏତେ ବଡ଼ ଧର୍ମକୁ ସେମାନେ ସମ୍ଭାଳି ପାରିନାହାନ୍ତି। ଇଏ ମୂଳରୁ ବାଦମୁକ୍ତ। ହିନ୍ଦୁ ଓ ହିନ୍ଦୁତ୍ୱକୁ ଆମେ ଆମ ମାର୍ଗରେ ନେଇ ଚାଲିଚୁ, ଇଏ ତାଙ୍କ ବାଦତର୍ଜମା ୟା ଉପରେ ଲଦି ପାରିନାହାନ୍ତି। ଇଏ ହିନ୍ଦୁବାଦ ହୋଇନାହିଁ। କହିପାରନ୍ତି ଇଏ ସନାତନ ଧର୍ମର ଔପନିବେଶିକ ନାମ ଯାହାକୁ ଆମେ ଆମ ଅର୍ଥରେ ବୁଝୁ। ଲକ୍ଷ୍ୟ କରିଥାଇପାରନ୍ତି କିଭଳି ଭାରତ, ଭାରତୀୟତା, ଭାରତୀୟ ସଭ୍ୟତା, ଭାରତୀୟ ଗଣତନ୍ତ୍ର ଓ ଭାରତୀୟଙ୍କ ବହୁଳତାବାଦୀ ସମାଜରେ ଧର୍ମୀୟତାକୁ ନେଇ ଏକବିଂଶ ଶତାବ୍ଦୀରେ ଦୃଷ୍ଟି ବଦଳିଚି। ପଶ୍ଚିମାଏ ଜାଣୁଛନ୍ତି ପୂର୍ବର ସୂର୍ଯ୍ୟୋଦୟ ଭାରତରେ, ଭାରତ ହିଁ ବିଶ୍ବର ଭବିଷ୍ୟତ। ଆଗେ ନାକ ଟେକୁଥିଲେ, ତା’ପରେ କିଛି ସମୟ ଉପେକ୍ଷା କଲେ, ତା’ପରେ ବିପଦ ସୃଷ୍ଟି କଲେ, ତା’ପରେ ସାଥୀ ହୋଇ ବିଶ୍ୱାସଘାତକତା କଲେ, ତା’ପରେ ଦୂରରୁ ଦେଖିଲେ, ଏବେ ଡରୁଚନ୍ତି। ଭାରତୀୟମାନେ ଭାରତ ଫେରିପାଇଛନ୍ତି। ବାଦ ଓ ଦାୟରୁ ମୁକ୍ତ ଭାରତର ବର୍ଚ୍ଚସ୍ୱ, ଊର୍ଜା ଓ ଆସ୍ପର୍ଦ୍ଧା ଆମର ଭବିଷ୍ୟତର ରାଷ୍ଟ୍ରୀୟ ବ୍ୟକ୍ତିତ୍ୱ !

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories