ଆକଳନକୁ ଟପିଛି ଅଭିବୃଦ୍ଧି

ଅଭିବୃଦ୍ଧି ମୁଖ୍ୟତଃ ଖଣିଜ ଉତ୍ପାଦନ ଓ ନିର୍ମାଣ କ୍ଷେତ୍ର ପାଇଁ ସମ୍ଭବ ହୋଇଛି; କିନ୍ତୁ ଅର୍ଥନୀତିର ମେରୁଦଣ୍ଡ କୃଷି ଏବଂ ଗ୍ରାମୀଣ କ୍ଷେତ୍ର ଢ଼େର ପଛରେ ରହିଯାଇଛି

ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ନେଇ ଗତ କିଛି ଦିନ ହେଲା ନାନା ପ୍ରକାର କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ସେପ୍ଟେମ୍ବର ଶେଷ ସୁଦ୍ଧା ଆର୍ଥିକ ବର୍ଷର ଦ୍ବିତୀୟ  ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୭.୬ ପ୍ରତିଶତରେ ପହଞ୍ଚିଛି। ନିକଟ ଅତୀତରେ ବିଭିନ୍ନ ସଂସ୍ଥା, ବିଶେଷଜ୍ଞ, ଆରବିଆଇ ଏବଂ ଅର୍ଥନୀତି ସର୍ବେକ୍ଷଣ ରିପୋର୍ଟରେ ଅଭିବୃଦ୍ଧି ହାର ମୋଟାମୋଟି ୬ରୁ ୬.୮ ପ୍ରତିଶତ ଭିତରେ ରହିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ବର୍ତ୍ତମାନର ଅଭିବୃଦ୍ଧିହାର ସବୁ ଆକଳନକୁ ଟପିଯାଇଛି; ତଥାପି ଏ ଅଭିବୃଦ୍ଧି ପଛରେ ଏକ ଉଦ୍‌ବେଗ ରହିଛି। ତାହା ହେଲା ଅଭିବୃଦ୍ଧି ମୁଖ୍ୟତଃ ଉତ୍ପାଦନ ଓ ନିର୍ମାଣ କ୍ଷେତ୍ର ପାଇଁ ସମ୍ଭବ ହୋଇଛି; କିନ୍ତୁ ଅର୍ଥନୀତିର ମେରୁଦଣ୍ଡ କୃଷି ଏବଂ ଗ୍ରାମୀଣ କ୍ଷେତ୍ର ଢ଼େର ପଛରେ ରହିଯାଇଛି, ଏପରି କି ବିଗତ କିଛି ବର୍ଷର ଅଭିବୃଦ୍ଧି ହାରକୁ ଛୁଇଁପାରିନି।
ଭାରତ ଜନସଂଖ୍ୟାରେ ଏବେ ଦ୍ରୁତ କ୍ରମବର୍ଦ୍ଧିଷ୍ଣୁ ରାଷ୍ଟ୍ର। ପୃଥିବୀର ସର୍ବାଧିକ ଜନସଂଖ୍ୟା ଥିବା ରାଷ୍ଟ୍ର ଚୀନ ଅତିକ୍ରମ କରି ଏବେ ନୂଆ ରେକର୍ଡ ସ୍ଥାପନ କରିଛି; କିନ୍ତୁ ଜନସଂଖ୍ୟାରେ ଆଗକୁ ବଢ଼ିଥିବା ଭାରତ ଚୀନର ଅର୍ଥନୀତି ସହ ଏ ପର୍ଯ୍ୟନ୍ତ ସମକକ୍ଷ ହୋଇପାରିନାହିଁ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ଏବେ ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ସବୁଠୁ ଅାଗରେ ଥିବା ନେଇ ଚର୍ଚ୍ଚା ହେଉଛି; କିନ୍ତୁ ଭାରତର ଜନସଂଖ୍ୟା ତୁଳନାରେ ଏହି ଆର୍ଥିକ ଅଭିବୃଦ୍ଧି ସେତେ ଖାସ୍‌ ନୁହେଁ। ବର୍ଷକୁ ବର୍ଷ ଭାରତର ଅର୍ଥନୀତି ବଢ଼ିଚାଲିଛି। ଅଭିବୃଦ୍ଧି ହାର ଅନ୍ୟ ରାଷ୍ଟ୍ରଠୁ ଅଧିକ ରହୁଛି- ଏପରି କି ୨୦୨୪ ଠାରୁ ଆରମ୍ଭ କରି ଆଗାମୀ ଦୁଇ ଦଶନ୍ଧି ଭିତରେ ଭାରତକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଏକ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କ ସମେତ ରାଷ୍ଟ୍ରର ପ୍ରମୁଖ ଅର୍ଥନୀତି ବିଶେଷଜ୍ଞ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକର ଆକଳନ କହୁଛି ୨୦୨୪ରେ ଭାରତର ଅର୍ଥନୀତି ବିଶ୍ବର ଅନ୍ୟ ବୃହତ୍‌ ଅର୍ଥନୀତିକୁ ଅଭିବୃଦ୍ଧି ବା ବିକାଶ କ୍ଷେତ୍ରରେ ପଛରେ ପକାଇଦେବ; କିନ୍ତୁ ଏସବୁ ଆକଳନ ସମୟ ସମୟର କଥା। ଅର୍ଥନୀତିକୁ ସାମୂହିକ ଭାବେ ପ୍ରଭାବିତ କରୁଥିବା ସୂଚକାଙ୍କ ସ୍ଥିତି ଯେ ସବୁବେଳେ ଅସ୍ଥିର ସେ କଥା ମନେ ରଖିବାକୁ ହେବ। ଏବେ ଅଧିକାଂଶ ରାଷ୍ଟ୍ର ଯୁଦ୍ଧଖୋର ମନୋଭାବ ପୋଷଣ କଲେଣି। ପାଲେଷ୍ଟାଇନ୍‌-ହମାସ ଯୁଦ୍ଧ ଏହାର ଜ୍ବଳନ୍ତ ନଜିର। ଏଥିରେ କେତେ ନିରୀହ ଜୀବନ ଚାଲିଗଲା ତାହା କାହାରିକୁ ଅଛପା ନୁହେଁ; କିନ୍ତୁ ମଣିଷର ଜୀବନ ସହ ଯେଉଁମାନେ ଖେଳ ଖେଳିଲେ ସେମାନେ ସେମାନଙ୍କ ଜିଦ୍‌, ଅହଂକାର ଦେଖାଇବାରେ ଏବେ ବି ଅଟଳ। କିଛି ହାତଗଣତି ରାଷ୍ଟ୍ରର ଏକଛତ୍ରବାଦୀ ଶାସକ ନିଜକୁ ସର୍ବେସର୍ବା ଭାବି ଅକସ୍ମାତ୍‌ ଯୁଦ୍ଧ ଘୋଷଣା କରି ବିଶ୍ବକୁ ଧ୍ବଂସ ମୁଖକୁ ଠେଲିଦେଉଛନ୍ତି। ଏବେ କୌଣସି ରାଷ୍ଟ୍ର କହି ପାରିବ ନାହିଁ ସେ ସବୁ ଦୃଷ୍ଟିରୁ ସ୍ବାବଲମ୍ବୀ। ପାଲେଷ୍ଟାଇନ୍‌-ହମାସ ଯୁଦ୍ଧ ହେଉ କିମ୍ବା- ଋଷ-ୟୁକ୍ରେନ ଯୁଦ୍ଧ, ସବୁର ପ୍ରକାରଭେଦ କିନ୍ତୁ ସମାନ। ଏହା ପଛରେ ରହିଛି ସାମୟିକ ଉତ୍ତେଜନା, ନିଜ ରାଷ୍ଟ୍ରର ଅଘୋଷିତ ସମ୍ରାଟ ବୋଲାଉଥିବା କିଛି ରାଷ୍ଟ୍ରନେତାଙ୍କ ବିଳାସୀ ଚରିତ୍ର। ଯୁଦ୍ଧର ବିଭୀଷିକା ଏବେ ନିର୍ଦିଷ୍ଟ କୌଣସି ଦେଶ ଭିତରେ ସୀମିତ ହୋଇ ରହିନାହିଁ। ସେ ରାଷ୍ଟ୍ରର ଅର୍ଥନୀତି ସହିତ ସମତାଳରେ ବିଶ୍ବର ବହୁ ଧନୀ, ପ୍ରଭାବଶାଳୀ, ଜନବହୁଳ ରାଷ୍ଟ୍ର ପରୋକ୍ଷରେ ସାଙ୍ଘାତିକ ଭାବେ ପ୍ରଭାବିତ ହେଉଛନ୍ତି। ଯୁଦ୍ଧ ବିଧ୍ବସ୍ତ ରାଷ୍ଟ୍ର ଧ୍ବଂସ ସ୍ତୂପ ଭିତରୁ ପୁଣି ମୁଣ୍ଡ ଟେକିବାକୁ ଯେ କେତେ ବର୍ଷ ଲାଗିବ ସେ କଥା କହିବା ମୁସ୍କିଲ। ଯୁଦ୍ଧର ଧ୍ବଂସଲୀଳାରୁ ଦୈବାତ୍‌ ବର୍ତ୍ତିଯାଇଥିବା ଲୋକଙ୍କ ଅବସ୍ଥା କିପରି ଥିବ ତାହା ମଧ୍ୟ ଅନୁମାନ କରାଯାଇପାରେ। ଯେତେବେଳେ ଏକାଧିକ ରାଷ୍ଟ୍ର ଯୁଦ୍ଧରେ ମାତି ଯାଉଛନ୍ତି, ସେମାନଙ୍କ ଉପରେ ନିର୍ଭର କରୁଥିବା ଅବଶିଷ୍ଟ ଦେଶର ଅବସ୍ଥା, ଆର୍ଥିକ ସ୍ଥିତି, ବାଣିଜ୍ୟ କାରବାର, ସବୁକିଛି ପ୍ରଭାବିତ ହେଉଛି। ଏବେ ଦେଖାଯାଉଛି ଅନେକ ରାଷ୍ଟ୍ର ଯୁଦ୍ଧ ଭଳି ପରିସ୍ଥିତିର ସାମ୍‌ନା କରିବା ପରେ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ତୈଳ ଓ ଗ୍ୟାସ ପର୍ଯ୍ୟନ୍ତ ଜରୁରୀ ଚାହିଦା ଥିବା ସାମଗ୍ରୀଗୁଡ଼ିକର ଉତ୍କଟ ଦରବୃଦ୍ଧି ପରିସ୍ଥିତିକୁ ସାମ୍ନା କରୁଛି।
ଭାରତୀୟ ଅର୍ଥନୀତିକୁ ଯୁଦ୍ଧ ଅନେକାଂଶରେ ପ୍ରଭାବିତ କରିଛି ଏବଂ ଆମ ଆର୍ଥିକ ସ୍ଥିତିକୁ ଅସ୍ଥିର କରିଛି। ରୁଷ-ୟୁକ୍ରେନ ଭଳି ଦୁଇ ପ୍ରତିପକ୍ଷ ରାଷ୍ଟ୍ରର ଯୁଦ୍ଧ ଏବଂ ପାଲେଷ୍ଟାଇନ-ହମାସ ଭିତରେ କିଛିିଦିନ ଧରି ଯୁଦ୍ଧ ଚାଲିବା ଫଳରେ ଏସବୁ ରାଷ୍ଟ୍ର ସହିତ ଆମର ଅର୍ଥନୀତି- ବାଣିଜ୍ୟ କ୍ଷେତ୍ରର ସମ୍ବନ୍ଧ ଏବଂ କାରବାର ବହୁଳାଂଶରେ ପ୍ରଭାବିତ ହୋଇଥିଲା।
କୁହାଯାଉଛି ଭାରତୀୟ ଅର୍ଥନୀତି ଅପ୍ରତ୍ୟାଶିତ ପରିସ୍ଥିତି ଭିତରେ ବି ଆଗକୁ ବଢ଼ିଛି। କାରଣ କୋଭିଡ ପରବର୍ତ୍ତୀ ସ୍ଥିତିରେ ଦେଶରେ ଅର୍ଥନୀତି ଚଳଚଞ୍ଚଳ ହେବା ସହିତ ଦେଶର ଅଧିକାଂଶ ରାଜ୍ୟରେ ମୌସୁମୀର ପ୍ରତିକୂଳ ସ୍ଥିତି ଭିତରେ ବି ଖରିଫ ଉତ୍ପାଦନ ଅଳ୍ପ-ବହୁତେ ଚାହିଦା ମୁତାବକ ହେବାର ଆଶା ରହିଛି; କିନ୍ତୁ ଏସବୁ ଭିତରେ ଦେଶର ଅଧିକାଂଶ ରାଜ୍ୟରେ ପିଆଜ, ବିଲାତି ବାଇଗଣଠୁ ଆରମ୍ଭ କରି ଡାଲି, ଅଟା, ତେଲ ଓ ସୁଜି ଜାତୀୟ ସାମଗ୍ରୀ ବଜାରରେ ମହଙ୍ଗାମାଡ଼ ଦେଖିବାକୁ ମିଳିଛି। କୃଷି ବଜାର ବି ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଛି। ଦରବୃଦ୍ଧି ମୁଦ୍ରାସ୍ଫୀତି ଭଳି ଶଙ୍କାଗ୍ରସ୍ତ ପରିସ୍ଥିତିକୁ ଟାଣିଆଣିଛି। ଦେଶରେ ଖାଉଟି ବଜାର ଚାହିଦା ଅପରିବର୍ତ୍ତିତ ରହିଥିଲେ ବି ପ୍ରତିକୂଳ ସ୍ଥିତିରେ ସ୍ବଳ୍ପ ରୋଜଗାର ଭିତରେ ଲୋକେ ଅଧିକ ଖର୍ଚ୍ଚାନ୍ତ ହେବା ଦ୍ବାରା ସଞ୍ଚୟ କ୍ଷେତ୍ରଟି ଅନେକାଂଶରେ ପ୍ରଭାବିତ ହୋଇଛି। ଅର୍ଥନୀତି ବିଶେଷଜ୍ଞ ଆଶା କରୁଛନ୍ତି ଆଗାମୀ କିଛି ମାସ ଭିତରେ ଦେଶରେ ଉତ୍ପାଦନ ବଢ଼ିବ। ବାଣିଜ୍ୟିକ ସମ୍ପର୍କ ବନ୍ଦ ବା ପ୍ରଭାବିତ ଥିବା ରାଷ୍ଟ୍ରଗୁଡ଼ିକ ସହିତ କାରବାର ମଧ୍ୟ ବଢ଼ିବ। ପ୍ରକାରାନ୍ତରେ ୨୦୨୪ର ଅର୍ଥନୀତି ୨୦୨୩ ତୁଳନାରେ ଅଧିକ ସମୃଦ୍ଧ ହୋଇପାରେ; କିନ୍ତୁ ୨୦୨୪ ପାଇଁ ଆମେ ଆଉ ଏକ ପ୍ରତିବନ୍ଧକର ସାମ୍ନା କରିବାର ଯଥେଷ୍ଟ ଆଶଙ୍କା ରହିଛି। ତାହା ହେଲା ସାଧାରଣ ନିର୍ବାଚନ। ନିକଟରେ ପାଞ୍ଚଟି ରାଜ୍ୟର ନିର୍ବାଚନ ସରିଛି ଏବଂ ନିର୍ବାଚନ କାଳରେ ଆମ ବଜାର ବ୍ୟବସ୍ଥା ଅର୍ଥନୀତିକୁ କିପରି ପ୍ରଭାବିତ କରେ ତା’ର ବହୁ ପ୍ରମାଣ ରହିିଛି। ତେବେ ଆମ ଅର୍ଥନୈତିକ ସ୍ଥିରତାକୁ ଆଗାମୀ ସାଧାରଣ ନିର୍ବାଚନ ଯେ ଅନେକାଂଶରେ ପ୍ରଭାବିତ କରିବ ସେଥିରେ ଦ୍ବିରୁକ୍ତି ନାହିଁ। ତେଣୁ ଆଗାମୀ ବର୍ଷର ଅଭିବୃଦ୍ଧି ସଂପୂର୍ଣ୍ଣ ଭାବେ ଉତ୍ପାଦନର ସ୍ଥିତି ଏବଂ ନିର୍ବାଚନ କାଳରେ ଆର୍ଥିକ ପରିସ୍ଥିତି ସହିତ ମୁଦ୍ରାସ୍ଫୀତିର ଗତିବିଧି ଉପରେ ନିର୍ଭର କରିବ।

Comments are closed.