ସାକ୍ଷୀଗୋପାଳ : ସତ୍ୟବାଦୀ ଅଞ୍ଚଳରେ ଗୁରୁବାର କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ଏହାର ପ୍ରଭାବରେ ଅନେକ ଗଛ ଓ କଚ୍ଚା ଘର ଭାଙ୍ଗି ଯାଇଛି । କେତେକ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଏହି କାଳ ବୈଶାଖୀ ସମୟରେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ପଟ୍ଟନାୟିକିଆ ଛକ ନିକଟରେ ରାଜପଥ ଉପରେ ବିଦ୍ୟୁତ ତାର ଛିଡି ପଡିଥିଲା। ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଥିଲା। ସାକ୍ଷୀଗୋପାଳ ଦମକଳ କେନ୍ଦ୍ର ଅଧିକାରୀ ମନୋଜ କୁମାର ପାତ୍ର ସଦଳବଳେ ବିଦ୍ୟୁତ କର୍ମଚାରୀଙ୍କ ସହଯୋଗରେ ବିଦ୍ୟୁତ ତାର ସ୍ଥାନାନ୍ତର କରିଥିଲେ। ପ୍ରାୟ ୩୦ ମିନିଟ ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା।
ସେହିପରି ସିରିଆ ପୁର, ପଟ୍ଟନାୟିକିଆ, କାଦୁଆ, ଜୟପୁର ଓ ଅନ୍ୟ ସ୍ଥାନ ମାନଙ୍କରେ ରାଜପଥ ଓ ଅନ୍ୟ ରାସ୍ତା ଉପରେ ଭାଙ୍ଗି ପଡ଼ିଥିବା ଗଛ ଗୁଡିକୁ ସାକ୍ଷୀଗୋପାଳ ଦମକଳ କେନ୍ଦ୍ର ତରଫରୁ ସଫା କରା ଯାଇଥିଲା। ସାରଙ୍ଗ ଯୋଡ଼ି ପଞ୍ଚାୟତର ପଞ୍ଚାୟତର ରାୟ ଚକ୍ରଧର ପୁର, ମୁଦୁଲି ସାହି ଧ୍ବଜା ମୁଣ୍ଡାଇ ଓ ଭାଲୁ ବଜାର ନିକଟରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଅଛି। ପ୍ରବଳ ବର୍ଷା ଫଳରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ, ନିୟନ୍ତ୍ରିତ ବଜାର କମିଟି ଓ ବଡ଼ ବଜାର ମଧ୍ୟରେ ବର୍ଷା ଜଳ ନିଷ୍କାସିତ ହୋଇ ପାରିନାହିଁ । ଏହି ସ୍ଥାନ ମାନଙ୍କରେ ବର୍ଷା ପାଣି ଜମି ରହିଅଛି। ବିଦ୍ୟୁତ ସରବରାହ ବନ୍ଦ ଥିବାରୁ ଜନସାଧାରଣଙ୍କ ଅକଥନୀୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ସୁଆଣ୍ଡୋ ପ୍ରକଳ୍ପ କ୍ଷତିଗ୍ରସ୍ତ
ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରେ ନିର୍ମିତ ପ୍ରକଳ୍ପ ଏହି କାଳ ବୈଶାଖୀ ଫଳରେ କ୍ଷତିଗ୍ରସ୍ତ ହୋଇଅଛି।୫ ଟି ନଡ଼ିଆ ଗଛ, ୨ଟି ଆମ୍ବ ଗଛ ଭାଙ୍ଗିଯାଇଛି। ଲାଗିଥିବା ସୂଚନା ଫଳକ କ୍ଷତିଗ୍ରସ୍ତ ହୋଇଅଛି। ପ୍ରମୋଦ ଉଦ୍ୟାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
ଶୁକ୍ରବାରଠାରୁ କ୍ଷୟକ୍ଷତି ଆକଳନ କରାଯିବ : ତହସିଲଦାର
ଗୁରୁବାରଏହି କାଳ ବୈଶାଖୀ ଜନିତ କ୍ଷୟକ୍ଷତି ସମ୍ପର୍କରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂହଙ୍କ ସହିତ ଯୋଗାଯୋଗ କରାଯାଇଥିଲା। କାଳ ବୈଶାଖୀ ପ୍ରଭାବରେ କ୍ଷୟକ୍ଷତି ହୋଇଅଛି ବୋଲି ଅଭିଯୋଗ ମିଳିଅଛି। ଶୁକ୍ରବାରଠାରୁ କ୍ଷୟକ୍ଷତି ଆକଳନ କରାଯିବ। ସରକାରଙ୍କ ନିର୍ଦ୍ଦେଶନାମା ଆସିବା ପରେ ସହାୟତା ପ୍ରଦାନ କରାଯିବ।
ବିଡ଼ିଓ ଲୋଚନ ଦାସଙ୍କ ସହିତ ଯୋଗାଯୋଗ କରାଯାଇଥିଲା, କଚ୍ଚା ଘର ଓ ଚାଳ ଛପର ଘରର ଚାଳ ଉଡି ଯାଇଥିବା ସମ୍ପର୍କରେ ଅଭିଯୋଗ ମିଳିଅଛି। ତଥ୍ୟ ସଂଗ୍ରହ କରାଯିବାପରେ ସରକାରୀ ନିୟମ ଅନୁଯାଇ ଆବଶ୍ୟକ ସହାୟତା ପ୍ରଦାନ କରାଯିବବୋଲି ଶ୍ରୀ ଦାସ କହିଛନ୍ତି।
Comments are closed.