ସ୍ୱତନ୍ତ୍ର ରାଜ୍ୟ ପାହ୍ୟାକୁ ନେଇ ଓଡିଶାରେ ତାତି : ପ୍ରସଙ୍ଗ ସଂସଦରେ ଉଠିବ
-ମହେଶ ଶର୍ମା
ଭୁବନେଶ୍ୱର : ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ଦାବି ଜୋର ଧରିଛି। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି କି କେନ୍ଦ୍ର ଓଡ଼ିଶା ପ୍ରତି ସାବତ ପୁଅ ଭଳି ବ୍ୟବହାର କରୁଛି। ଏହାକୁ କେବେ ବରଦାସ୍ତ କରାଯିବ ନାହିଁ। ଆନ୍ଧ୍ର ପ୍ରଦେଶ ପ୍ରତି ସହୃଦୟତା ଦେଖାଉଥିବା ବେଳେ ଓଡ଼ିଶାର ଜନତା କ’ଣ କ୍ଷତି ଘଟାଇଛନ୍ତି ଯେ ତାଙ୍କ ପ୍ରତି ଏଭଳି ମନୋଭାବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।
ତେବେ ବିଜୁ ଜନତା ଦଳ ଏବଂ ରାଜ୍ୟ ସରକାର ଓଡ଼ିଶା ପାଇଁ ଉଠାଉଥିବା ଏହି ଦାବି ଏନଡିଏ ସରକାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ବରଂ ୨୦୧୯ ନିର୍ବାଚନରେ ଏହି ଦାବି କେନ୍ଦ୍ର ସରକାରଙ୍କ ପାଇଁ ଅସଙ୍ଗତି ବିରୋଧାଭାସ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି। ୨୦୧୪ରେ ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ରାଜନାଥ ସିଂହ, କେନ୍ଦ୍ରରେ ତାଙ୍କ ସରକାର ଗଠନ ହେବା ପରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯିବ ବୋଲି କହିଥିଲେ। କିନ୍ତୁ ସରକାର ଗଠନ ହେବା ପରେ ଭାଜପା ଏହି ପ୍ରତିଶୁତି ଭୁଲି ଗଲା।
ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି କି ଓଡ଼ିଶା ପାଇଁ ବାରମ୍ବାର ଏହି ଦାବି ଉଠା ଯାଉଛି କିନ୍ତୁ କେନ୍ଦ୍ର ସରକାର ସବୁବେଳେ ଏହାକୁ ଅଣଦେଖା କରୁଛନ୍ତି। ଏବେ ଆଉ ଏହାକୁ ବରଦାସ୍ତ କରାଯିବ ନାହିଁ। କେନ୍ଦ୍ର ଓଡ଼ିଶା ସହିତ ସାବତ ପୁଅ ଭଳି ବ୍ୟବହାର ଏଥିପାଇଁ କରୁଛି କାରଣ ଏଠାରେ ତାଙ୍କ ସରକାର ନାହିଁ। ଶ୍ରୀ ମହତାବ କହିଛନ୍ତି କି ସଂସଦର ଉଭୟ ଗୃହରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାର ଦାବି ଉଠିବ। ବିଜେଡି କେବେ ନିରବ ରହିବ ନାହିଁ। ସେ କହିଛନ୍ତି ଯେ ଚତୁର୍ଦ୍ଦଶ ଅର୍ଥ ଆୟୋଗ ଯୋଗୁଁ ଏହି ଦାବି ଉପରେ ଅଧିକ ଜୋର ଦିଆଯାଉ ନଥିଲା କିନ୍ତୁ ଏବେ ସମୟ ଆସି ଯାଇଛି। ସେ କହିଛନ୍ତି ଯେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଉଥବା ରାଜ୍ୟକୁ କେନ୍ଦ୍ରୀୟ ଯୋଜନା ଗୁଡିକରୁ ୯୦ ପ୍ରତିଶତ ପାଣ୍ଠି ମିଳିଥାଏ। ଯେତେବେଳେ କି ସାଧାରଣ ରାଜ୍ୟକୁ ୬୦ ପ୍ରତିଶତ ମିଳିଥାଏ। ବାକି ଅର୍ଥ ରାଜ୍ୟ ସରକାରଙ୍କୁ ଯୋଗାଇ ଦେବାକୁ ପଡିଥାଏ। ଆନ୍ଧ୍ର ପ୍ରଦେଶ ବାବଦରେ କେନ୍ଦ୍ର ସରକାର ୯୦ ପ୍ରତିଶତ ପାଣ୍ଠି ଦେବାକୁ ପ୍ରସ୍ତୁତ ଅଛନ୍ତି, ଯାହା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଉଥିବା ରାଜ୍ୟକୁ ମିଳିଥାଏ। ତେବେ ଓଡ଼ିଶାକୁ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ବିଜୁ ଜନତା ଦଳ ତରଫରୁ ଏହି ବୟାନ ସେତିକି ବେଳେ ଆସିଛି ଯେତେବେଳେ ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି ଏନ୍ଡିଏରୁ ସଂପର୍କ ଛିନ୍ନ କରିବା କଥା କହିଛି ଓ ତାହାର ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଭୁବନେଶ୍ୱର ଆସିଥିବା ନୀତି ଆୟୋଗର ଅଧ୍ୟକ୍ଷ ରାଜୀବ କୁମାରଙ୍କ ସହିତ ସଚ୍ଚିବାଳୟରେ ସାକ୍ଷାତ ଆଲୋଚନା ବେଳେ ଏହି କଥା ଉଠାଇ ଥିଲେ। ସେ ଅନେକ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଲେଖୁଛନ୍ତି। ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ରିପୋର୍ଟରେ ଏହି ମାନ୍ୟତା କେବଳ ପାହଡିଆ ଏବଂ ଉତ୍ତର ପୂର୍ବ ରାଜ୍ୟକୁ ହିଁ ସେମାନଙ୍କର ଅନଗ୍ରସରତା ପାଇଁ ଦିଆଯାଇ ପାରିବ।
ବିଜେପି ଓଡ଼ିଶା ଶାଖାର ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି କି ରାଜ୍ୟ ଗୁଡିକୁ ଆର୍ଥôକ ସହାୟତା ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଅନୁସାରେ ଦିଆଯାଉଛି, ଯାହାକି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଲେ ମିଳିବାକୁ ଥିବା ପାଣ୍ଠି ଠାରୁ ଅଧିକ ତେଣୁ ଏହି ଦାବିର କୌଣସି ଔଚିତ୍ୟ ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ର ଓଡ଼ିଶା ସହିତ କେବେ ମଧ୍ୟ ସାବତ ପୁଅ ଭଳି ବ୍ୟବହାର କରି ନାହିଁ। କେନ୍ଦ୍ରୀୟ ଆର୍ଥôକ ଅନୁଦାନରେ ପ୍ରାୟ ଚାରି ଲକ୍ଷ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ରାଜ୍ୟରେ ଚାଲୁ ରହିଛି। ନବୀନ ପଟ୍ଟନାୟକ ସରକାର ଠିକ୍ ଭାବେ ତାହାର ପରିଚାଳନା କରିପାରୁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ସମ୍ବିଧାନରେ ବ୍ୟବସ୍ଥା ନାହିଁ
ବିଶେଷଜ୍ଞ କୁହନ୍ତି କି କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ନେଇ ସମ୍ବିଧାନରେ ବ୍ୟବସ୍ଥା ନାହିଁ। କିନ୍ତୁ ଯଦି ଦେଶର କେତେକ ଭାଗ ଅନ୍ୟ ରାଜ୍ୟ ତୁଳନାରେ ସଂସାଧନ ଆଧାରରେ ପଛୁଆ, ଏଭଳି ରାଜ୍ୟକୁ କେନ୍ଦ୍ର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ନେଇ ନିଷ୍ପତ୍ତି ନେଇପାରେ। ଜାତୀୟ ବିକାଶ ପରିଷଦର କେତେକ ତଥ୍ୟ ଯେପରି ପାହାଡିଆ ଏବଂ ଦୁର୍ଗମ ଅଞ୍ଚଳ, ଘନତ୍ୱ ଅନୁସାରେ କମ୍ ଜନସଂଖ୍ୟର ଥିବା ଅଥବା ବଡ଼ ଆଦିବାସୀ ବହୁଳ ଅଞ୍ଚଳ, ଅନ୍ତରାଷ୍ଟ୍ରୀୟ ସୀମାକୁ ଲାଗି ରହିଥିବା ଅଞ୍ଚଳ ତଥା ଆୟ ଆଧାରରେ ଏହି ମାନ୍ୟତା ଦିଆଯାଇ ପାରିବ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇବାର ସର୍ତ୍ତ
କିଛି ରାଜ୍ୟ ଭୌଗଳିକ ଏବଂ ସାମାଜିକ-ଆର୍ଥିକ ଅସମାନତାର ଶୀକାର ହୋଇଛନ୍ତି। ଏହି ରାଜ୍ୟରେ ଅଧିକ ପାହାଡିଆ ଏବଂ ଦୁର୍ଗମ ଅଞ୍ଚଳ ରହିବା ଏବଂ ଅନ୍ତରାଷ୍ଟ୍ରୀୟ ସୀମାକୁ ଲାଗି ରହିଥିବା ଅଞ୍ଚଳ କାରଣରୁ ଉଦ୍ୟୋଗ ପ୍ରତିଷ୍ଠା କରିବା କଷ୍ଟକର ହୋଇଥାଏ। କିଛି ରାଜ୍ୟରେ ମୌଳିକ ଭିତ୍ତିଭୂମିର ଘୋର ଅଭାବ ରହିଛି ଆଉ ଆର୍ଥିକ ଦିଗରୁ ବହୁତ ପଛରେ ପଡି ଯାଇଛନ୍ତିି। ଏଭଳି ରାଜ୍ୟରେ ବିକାଶର ଗତି ପଛେଇ ଯାଇଛି। ବିକାଶ ପଥରେ ଏହି ସବୁ ରାଜ୍ୟକୁ ସାଙ୍ଗରେ ନେଇ ଚାଲିବା ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆ ଯାଇଥାଏ। ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆ ଯିବା ପରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ପ୍ୟାକେଜ ସୁବିଧା ସହିତ ସେଠାରେ ଟିକସରେ କେତେ ପ୍ରକାରର ଛାଡ ଦେଇଥାନ୍ତି। ଫଳରେ ଘରୋଇ କ୍ଷେତ୍ର ସେହି ଅଞ୍ଚଳରେ ନିବେଶ କରିବାକୁ ପ୍ରୋତ୍ସାହିତ ହୋଇଥାନ୍ତି। ଫଳରେ ସେଠାକାର ଲୋକଙ୍କୁ ରୋଜଗାର ମିଳିଥାଏ ଏବଂ ସେମାନଙ୍କର ବିକାଶ ସୁନିଶ୍ଚିତ ହୋଇଥାଏ।
ସ୍ୱତନ୍ତ୍ର ରାଜ୍ୟକୁ କେନ୍ଦ୍ରରୁ ମିଳିଥାଏ ପ୍ରଚୁର ସହାୟତା
ଏହି ସବୁ ମାନଦଣ୍ଡକୁ ପୂରଣ କରୁଥିବା ରାଜ୍ୟକୁ କେନ୍ଦ୍ରୀୟ ସହଯୋଗ ଭାବେ ପ୍ରଦାନ କରାଯାଉଥିବା ରାଶିରେ ୯୦ ପ୍ରତିଶତ ଅନୁଦାନ ଏବଂ ୧୦ ପ୍ରତିଶତ ଋଣ ଆକାରରେ ଦିଆଯାଇଥାଏ। ଯେତେବେଳେ କି ଦ୍ୱିତୀୟ ଶ୍ରେଣୀ ରାଜ୍ୟଗୁଡିକୁ କେନ୍ଦ୍ରୀୟ ସହଯୋଗ ଭାବେ ୭୦ ପ୍ରତିଶତ ଋଣ ଆକାରରେ ଏବଂ ୩୦ ପ୍ରତିଶତ ରାଶି ଅନୁଦାନ ଭାବେ ଦିଆଯାଇଥାଏ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଥିବା ରାଜ୍ୟ
ଦେଶର ୧୧ଟି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିଛି। ସେଗୁଡିକ ହେଉଛନ୍ତି, ଅରୁଣାଞ୍ଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଏବଂ ଉତ୍ତରାଖଣ୍ଡ। ୨୦୧୩ରେ ମଧ୍ୟ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ଦାବି କରାଯାଇଥିଲା, କିନ୍ତୁ ତା ଉପରେ ଏ ପର୍ଯ୍ୟନ୍ତ କୌଣସି ସହମତି ହୋଇପାରି ନାହିଁ। ଏବେ ଆନ୍ଧ୍ର ପ୍ରଦେଶ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରୁଛି। ଆନ୍ଧ୍ର ପ୍ରଦେଶର ଯୁକ୍ତି ହେଉଛି କି ହାଇଦରାବାଦକୁ ତେଲଙ୍ଗାନାର ରାଜଧାନୀ କରିବା ପରେ ରାଜ୍ୟର ବହୁତ ରାଜସ୍ୱ ହାନୀ ହେଉଛି।
ଏଭଳି ହୋଇଥିଲା ଯୋଜନା
ଦେଶର ତୃତୀୟ ପଞ୍ଚ ବାର୍ଷିକ ଯୋଜନା ଅର୍ଥାତ ୧୯୬୧-୬୬ ଏବଂ ୧୯୬୬-୬୯ ପର୍ଯ୍ୟନ୍ତ କେନ୍ଦ୍ର ପାଖରେ ରାଜ୍ୟକୁ ଅନୁଦାନ ଦେବାର କୌଣସି ନିଶ୍ଚିତ ଫର୍ମୁଲା ନ ଥିଲା। ସେ ପର୍ଯ୍ୟନ୍ତ କେବଳ ଯୋଜନା ଆଧାରରେ ଅନୁଦାନ ଦିଆଯାଉଥିଲା। ୧୯୬୯ରେ କେନ୍ଦ୍ରୀୟ ସହାୟତାର ଫର୍ମୁଲା ତିଆରି କରିବା ସମୟରେ ପଞ୍ଚମ ଅର୍ଥ ଆୟାଗ ଗାଡଗିଲ ଫର୍ମୁଲା ଅନୁରୂପ ତିନୋଟି ରାଜ୍ୟ ଆସାମ, ନାଗାଲାଣ୍ଡ ଏବଂ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଇଥିଲା। ଏହାର ଆଧାର ଥିଲା ଦୂରୁହ ଭୌଗଳିକ ସ୍ଥିତି, ସେଠାରେ ଥିବା ସାମାଜିକ ସମସ୍ୟା ଏବଂ ଅନଗ୍ରସରତା। ଏହା ପରେ ପୂର୍ବୋତ୍ତରର ବାକି ୫ଟି ରାଜ୍ୟକୁ ମଧ୍ୟ ଏହି ମାନ୍ୟତା ଦିଆଯାଇଥିଲା।