ଲକ୍ଷ୍ମୀପୁର : ଅବହେଳିତ ରୁମ୍ବେଲି ଗାଁ। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ସଦର ପଞ୍ଚାୟତରେ ଅବସ୍ଥିତ ଏହି ଆଦିବାସୀ ଗ୍ରାମ। ଗ୍ରାମରେ ପରିବାର ସଂଖ୍ୟା ୧୮ ହୋଇଥିବା ବେଳେ ଜନ ସଂଖ୍ୟା ୮୦ ହେବ। ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ଶହ ଶହ କୋଟି ଟଙ୍କା ପ୍ରତିବର୍ଷ ଖର୍ଚ୍ଚ କରୁଥିବା ବେଳେ ବିକାଶ କିନ୍ତୁ ପାହାଡ଼ ମଥାନରେ ଥିବା ଏହି ଗାଁ ଉପରକୁ ଛୁଇଁ ପାରିନାହିଁ। ସ୍ବାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଅପହଞ୍ଚ ହୋଇ ରହିଛି ମୌଳିକ ସୁବିଧା। ଫଳରେ ନାନା ଅସୁବିଧା ଭିତରେ କାଳାତିପାତ କରୁଛନ୍ତି ଏହି ଗ୍ରାମର ଲୋକ ମାନେ।

ସଦର ପଞ୍ଚାୟତରରେ ଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରୁନାହିଁ । ଗାଁ ରେ ପିଇବା ପାଣିର ସୁବିଧା ନାହିଁ, ଏପରିକି ନଳକୂପ ଟିଏ ମଧ୍ୟ ନଥିବା କାରଣରୁ ଲୋକେ ପାଖ ନଦୀ ପାଣି ବ୍ୟବହାର କରୁଛନ୍ତି । ସେହିପରି ରାସ୍ତା ନାହିଁ। ବିଦ୍ୟାଳୟଟିଏ ନଥିବା କାରଣରୁ ସବୁ ପିଲା ଶିକ୍ଷା ଅଧିକାର ପାଇ ପାରୁ ନାହାନ୍ତି । ଯେଉଁ କିଛି ପିଲା ପାଠ ପଢୁଛନ୍ତି ସେମାନଙ୍କୁ ୮ କିଲୋମିଟର ଦୂରରେ ଥିବା ରଞ୍ଜିତ ଗୁଡାକୁ ୩ ଟି ପାହାଡ଼ ଅତିକ୍ରମ କରି ଆସିବାକୁ ପଡୁଛି । ଅଙ୍ଗନୱାଡି କର୍ମୀ ଥିଲେ ମଧ୍ୟ କେନ୍ଦ୍ର ପାଇଁ ଘର ନାହିଁ, ଫଳରେ କର୍ମୀ ତାଙ୍କ ଘରେ ପ୍ରାକ୍ ବିଦ୍ୟାଳୟ ଚଳାଇବା ସହିତ ପିଲାମାନଙ୍କ ପାଇଁ ଖାଦ୍ୟ ରାନ୍ଧୁଛନ୍ତି । ରାସ୍ତା ନଥିବା କାରଣରୁ ବୃଦ୍ଧ ବୃଦ୍ଧା ମାନେ ଦୁର୍ଗମ ପାହାଡ଼ ରାସ୍ତାଦେଇ ଲକ୍ଷ୍ମୀପୁରକୁ ଆସୁଛନ୍ତି । ସେହିପରି ଟଙ୍କିକିଆ ଚାଉଳ ପାଇଁ ମଧ୍ୟ ଏମାନଙ୍କୁ ଶତାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ନାରାୟଣପାଟଣା ବ୍ଲକର ମୁଷଳମୁଣ୍ଡା ଦେଇ ପ୍ରାୟ ୮ କିଲୋମିଟର ଆସିବା ପରେ କମାଣ୍ଡର ଜିପ୍ କିମ୍ବା ଅଟୋ ଭଡା କରି ଏମାନେ ଆସିଥାନ୍ତି । ରାତି ଅଧରେ ଯଦି କିଏ କୌଣସି ରୋଗରେ ଆକ୍ରାନ୍ତ ହେଲା ଅବା ଗର୍ଭବତୀ ମହିଳା ଗର୍ଭ ଯନ୍ତ୍ରଣାର ଛଟପଟ ହୁଏ ସେମାନଙ୍କୁ ଭାରକରି ଘୋଡାଟିକିରି ଯାଏଁ ଆଣିବା ପରେ ଏଠାରୁ ଆମ୍ବୁଲାନ୍ସ ହେଉ କିମ୍ବା ଅଟୋରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ହୁଏ।
ସେହିପରି ଅଳ୍ପ କେତେଜଣଙ୍କୁ ଛାଡ଼ି ଦେଲେ ସମସ୍ତ ପରିବାକୁ ମିଳି ପାରିନାହିଁ ପ୍ରଧାନମନ୍ତ୍ରୀ ଆବାସ। କହିବାକୁ ଗଲେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରୁମ୍ବେଲି ଗ୍ରାମବାସୀ। ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ସରକାରୀ ବାବୁ ମାନଙ୍କ ପାଦ ଏଠାରେ ପଡିନାହିଁ । କିମ୍ବା ସରକାରଙ୍କ ନିକଟରେ ପହଞ୍ଚି ପାରିନାହିଁ ଏମାନଙ୍କ ବିକଳ ଚିତ୍ର।



