ଭୁବନେଶ୍ବର: ତିନିମୁଣ୍ଡିଆ ଛକରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଅଟକିଛି। ସୂର୍ଯ୍ୟାସ୍ତ ହୋଇଯିବାରୁ ରଥଟଣା ହୋଇନାହିଁ। ଆସନ୍ତାକାଲି ସକାଳେ ନୀତିକାନ୍ତି ପରେ ପୁଣି ଟଣାଯିବ ରୁକୁଣା ରଥ। ଆସନ୍ତାକାଲି ନୀତିକାନ୍ତି ଶେଷ ହେବା ପରେ ପୁଣି ହେବ ରଥଟଣା ବୋଲି ସୂଚନା ଦିଆଯାଇଛି।
ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଛି ରଥଟଣା। ପୂର୍ବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଥିଲା। କିନ୍ତୁ ଆଜି ପ୍ରାୟ ସାଢେ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା। ହରିବୋଲ, ହୁଳହୁଳି ଏବଂ ହରହର ମହାଦେବ ଧ୍ବନୀ ସମେତ ଘଣ୍ଟଘଣ୍ଟା ବାଦ୍ୟରେ ସୃଷ୍ଟି ହୋଇଥିଲା ଅଧ୍ୟାତ୍ମିକ ପରିବେଶ। ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହିତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍ଗ ରୁକୁଣା ରଥ ଟାଣିଥିଲେ। ରୁକୁଣା ରଥ ଟାଣି ଭାବବିହ୍ବଳ ହୋଇଥିଲେ ଭକ୍ତ। ରଥ ଉପରେ ଭକ୍ତଙ୍କୁ ଶ୍ରୀଲିଙ୍ଗରାଜ ଦର୍ଶନ ଦେଉଛନ୍ତି। ଯେଉଁଠାରେ ରଥ ଅଟକୁ ଥିଲା ସେଠାରେ ମଧ୍ୟ ଶ୍ରଦ୍ଧାଳୁମାନେ ନଡ଼ିଆ, କଦଳି, ଧୂପଦୀପ ଦେଇ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା।
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଭକ୍ତଙ୍କ ଗହଣରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ରଥ ପ୍ରତିଷ୍ଠା ପାଇଁ ଶୁକ୍ରବାର ରାତିରେ ମରିଚି କୁଣ୍ଡରୁ ପାଣି ଆସିଥିଲା। ଏହାସହିତ କ୍ଷେତ୍ରବାସୀ ନିଯୋଗ ଉପସ୍ଥିତ ରହି ରାତିରେ ରଥ ପ୍ରତିଷ୍ଠା କରିଥିଲେ। ରଥକାମ ଶେଷ ହେବାପରେ ଭୋର ୫ଟାରୁ ସାଢ଼େ ୫ଟା ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ସାଢ଼େ ୫ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ହେବା ସହ ଭୋର୍ ସାଢ଼େ ୫ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସକାଳ ୬ଟା ୩୦ରୁ ୭ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର ହେବାପରେ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ମହାସ୍ନାନ, ବେଶ, ସୂର୍ଯ୍ୟପୂଜା ଓ ଦ୍ୱାର ପାଳ ପୂଜା କରାଯିବା ପରେ ସକାଳ ୮ଟାରୁ ୮ଟା ୨୦ମିନିଟ୍ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ବଲ୍ଲଭ, ୮ଟା ୨୦ରୁ ୮.୩୦ ମିନିଟ୍ ଶ୍ରୀ ଭୁବନେଶ୍ୱରୀଙ୍କ ବଲ୍ଲଭ ଏବଂ ସାଢ଼େ ୮ଟାରୁ ୯ଟା ୧୫ମିନିଟ୍ ଯାଏଁ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ସମ୍ପନ୍ନ ହୋଇଥିଲା।



