ନୂଆଖାଇ ପୂର୍ବରୁ ଆଶୁ ଆରୋଗ୍ୟର ପର୍ବ ‘ରୁଗି ବଟା’ ସମ୍ପନ୍ନ

ନର୍ଲା: ଆସନ୍ତା ଗୁରୁବାର ପଞ୍ଚମୀ ତିଥି ସେପ୍ଟେମ୍ବର ୧ ତାରିଖ ପବିତ୍ର ନୂଆଖାଇ । କୃଷକର କଷ୍ଟ ଉପାର୍ଜିତ ଅନ୍ନର ପ୍ରଥମ ଭକ୍ଷଣର ଦିନ, ଯାହା ପୂର୍ବରୁ ଇଷ୍ଟଙ୍କୁ ସମର୍ପିତ ହୋଇଥାଏ । ନୂଆଖାଇ ଏକ ସାଧାରଣ ପର୍ବ ନୁହେଁ । ସାମାଜିକ ବନ୍ଧନ, ଇଷ୍ଟ ଉପାସନା, ସ୍ବଚ୍ଛ ଓ ନିରାମୟର ତଥା ଭାଇଚାରାର ଏକ ମହାର୍ଘ୍ୟ ମୁହୂର୍ତ୍ତ । ଏଥିପାଇଁ ଯେଉଁ ପ୍ରସ୍ତୁତି ସବୁ ପୂର୍ବରୁ କରାଯାଏ ତାହା ଯଥାର୍ଥ ମନେହୁଏ । ଯେପରି ଘରଦ୍ଵାର ଲିପାପୋଛା, ଦାଣ୍ଡ ଦୂଆର ସ୍ବଚ୍ଛତା, ଘରର ସମସ୍ତ କପଡା, ଖଟ, ପଲଙ୍କ, ବାସନ କୁସନ ସଫା କରିବା । ତନ୍ମଧ୍ୟରୁ ରୁଗି ବଟା ବା ରୁଗି ବଲା ଏକ ମହତ୍ତ୍ୱପୂର୍ଣ୍ଣ ବିଧି । ଗ୍ରାମର ସମସ୍ତ ଲୋକଙ୍କ ଆଶୁ ଆରୋଗ୍ୟ କାମନା ଏହାର ମୂଳ ଉଦ୍ଦେଶ୍ୟ । ନୂଆଖାଇ ଦିନ କେହିବି ରୋଗାଗ୍ରସ୍ତ ନହେବା ପାଇଁ ଗ୍ରାମରୁ ରୋଗ ରୂପକ କାଳକୁ ବାଟେଇ ଦିଆଯାଏ, ଯାହାକୁ ରୁଗିବଟା କୁହାଯାଏ । ଏଥିପାଇଁ ସ୍ବତନ୍ତ୍ର ବିଧିବିଧାନ ରହିଛି । ସକାଳୁ ପ୍ରତ୍ୟେକ ପରିବାରରୁ ଅରୁଆ ଚାଉଳ, ଫୁଲ ସହ ଝୁଣା, ଧୂପ ନେଇ ଗାଁ ଦାଣ୍ଡରେ ଏକତ୍ର ରଖାଯାଏ । ଏହାପରେ ଗ୍ରାମର ଦିହାରୀ, ପୂଜକ ଓ ଆଦିବାସୀ ଭକ୍ତମାନେ ଏହାକୁ ସାଉଁଟି ଭାର ସମୟରେ ବୋହି ଗାଁ ଦାଣ୍ଡରେ ଖଇ ବିଞ୍ଚି ଗ୍ରାମ ବାହାରକୁ ଏକ ନିର୍ଜନ ସ୍ଥାନକୁ ନେଇଯାଆନ୍ତି । ସେଠାରେ ବଳି, ଭୋଜା ଦେଇ ପୂଜାର୍ଚ୍ଚନା କରିବା ପରେ ଗାଁର ଦୁଃଖ, ରୋଗ, ଶୋକକୁ ବାଟେଇ ଦିଅନ୍ତି । ଏହାପରେ ଗାଁ ସୁସ୍ଥ ଓ ନିରାମୟ ରହେ ବୋଲି ବିଶ୍ବାସ ରହିଛି । ତାପରେ ନୂଆଖାଇ ପର୍ବ ପାଳନ ହୁଏ । ଯେଉଁ ସ୍ବଚ୍ଛତା ଓ ନିରାମୟତାକୁ ନେଇ ଆମ ଦେଶରେ ଯୋଜନା ପ୍ରସ୍ତୁତ ହୋଇ କୋଟି ଅର୍ଥରାଶି ଖର୍ଚ୍ଚ ହେଉଛି ତାହା ନୂଆଖାଇ ପର୍ବରେ ସ୍ବତଃପ୍ରବୃତ୍ତ ଲୋକେ ପାଳନ କରନ୍ତି । ଏଥିପାଇଁ ନୂଆଖାଇ ପର୍ବ ସାରା ଭାରତ ବର୍ଷରେ ସ୍ବତନ୍ତ୍ର ଓ ଅନନ୍ୟ । ଆଜି ଏହି ରୁଗିବଟା କାର୍ଯ୍ୟକ୍ରମ ନର୍ଲା ବ୍ଲକର ସମସ୍ତ ଗ୍ରାମରେ ପାଳିତ ହୋଇଛି ।

Comments are closed.