www.samajalive.in
Thursday, December 11, 2025
26.1 C
Bhubaneswar

ଦୁର୍ଘଟଣା ଘଟାଇଥିବା ବୋଲେରୋ ଜବତ, ୨ ଗିରଫ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜଇସପାଟଣା ଓ ଶିଉଳା ମଧ୍ୟବର୍ତ୍ତି ସ୍ଥାନରୁ ରାସ୍ତାକଡରୁ ସନ୍ଦେହଜନକ ଅବସ୍ଥାରେ ଡେଲାଙ୍ଗ ଅଞ୍ଚଳର ରତ୍ନାକର ପ୍ରଧାନ(୩୨)ଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିବାରେ ପିପିଲି ପୁଲିସ ସଫଳ ହୋଇଛି । ଏକ ସଡକ ଦୁର୍ଘଟଣା ପରେ ଆହତ ରତ୍ନାକରଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଜାତୀୟ ରାଜପଥ କଡ ଗଛମୂଳରେ ପକାଇଦେଇ ଖସି ପଳାଇଥିବା ଏକ ବୋଲେରୋ ଗାଡିକୁ ପିପିଲି ପୁଲିସ ଜବତ କରିବା ସହ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି । ଦୁର୍ଘଟଣା ପରବର୍ତ୍ତି ସମୟର ଏକ ମୋବାଇଲ୍‍ ଭିଡିଓରୁ ପୁଲିସକୁ ଏହି ସଫଳତା ମିଳିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କଣାସ ଥାନା ଜଳିଆପଡ଼ା ଗ୍ରାମର ପ୍ରଶାନ୍ତ ଦାଶ ଓରଫ ଅଭିରାମ (୪୪) ଓ ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଦେବଦତ୍ତ ମହାପାତ୍ର (୩୯)। ଉଭୟଙ୍କୁ ଶନିବାର ପିପିଲି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁୁ ନିମାପଡ଼ା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ଶନିବାର ପିପିଲି ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲା ଅତିରିକ୍ତ ଏସ୍‍ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ଏହି ଘଟଣା ସଂପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଗତ ୪ ତାରିଖ ଅପରାହ୍ନରେ ଜାତୀୟ ରାଜପଥ କଡରୁ ସନ୍ଦେହଜନକ ଅବସ୍ଥାରେ ଡେଲାଙ୍ଗ ଥାନା ଜେନାପୁର ତନ୍ତିସାହିର ରତ୍ନାକର ପ୍ରଧାନଙ୍କ ମୃତଦେହକୁ ପିପିଲି ପୁଲିସ ଉଦ୍ଧାର କରିଥିଲା। ତାଙ୍କ ପତ୍ନୀ ସେଠାରେ ପହଞ୍ଚି  ମୃତଦେହକୁ ଚିହ୍ନଟ କରିଥିଲେ । କେହି ଦୁର୍ବୁତ୍ତ ରତ୍ନାକରଙ୍କୁ ହତ୍ୟା କରିଥିବା ନେଇ ତାଙ୍କ ଦାଦା ଶିବପ୍ରସାଦ ସ୍ୱାଇଁ ଲିଖିତ ଅଭିଯୋଗ କରିବା ପରେ ପିପିଲି ପୁଲିସରେ ଏନେଇ ଏକ ହତ୍ୟା ମାମଲା ରୁଜୁ ହେବା ସହ ଆଇଆଇସି ଅଭିମନ୍ୟୁ ନାୟକ ନିଜେ ମାମଲାର ତଦନ୍ତଭାର ନେଇଥିଲେ। ଘଟଣାର ଗୁରୁତ୍ତ୍ୱ ଦୃଷ୍ଟିରୁ ପୁରୀ ଏସପି ଡ଼ଃ କନୱାର ବିଶାଲ ସିଂହଙ୍କ ନିର୍ଦ୍ଦେଶରେ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଓ ପିପିଲି ଥାନା ଆଇଆଇସି ଶ୍ରୀନାୟକ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ କରି କଣାସ ଥାନା ଜଳିଆପଡ଼ା ଗାଁର ପ୍ରଶାନ୍ତ ଦାଶ ଓ ତାଙ୍କ ଝିଆରୀ ଜ୍ୱାଇଁ ପୁରୀ କୁମ୍ଭାରପଡ଼ାର ଦେବଦତ୍ତ ମହାପାତ୍ରଙ୍କୁ ଗିରଫ କରିବା ସହ ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡ଼ିକୁ ଜବତ କରିବାରେ ସଫଳ ହୋଇଥିଲେ।

- Advertisement -

ପୁଲିସ ସୂଚନା ଅନୁଯାଇ, ଉଭୟ ପ୍ରଶାନ୍ତ ଓ ଦେବଦତ୍ତ ଗତ ୪ତାରିଖରେ ଏକ ବୋଲେରୋ ଗାଡ଼ିରେ କଣାସରୁ ଭୁବନେଶ୍ୱର ଯାଉଥିବା ବେଳେ ପିପିଲି କେନାଲବନ୍ଧ ରାସ୍ତାରେ ସମ୍ମୁଖରୁ ବାଇକରେ ଆସୁଥିବା ରତ୍ନାକରଙ୍କ ସହ ଧକ୍କା ହୋଇଥିଲା । ରତ୍ନାକର ଅଚେତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ବେଳେ କିଛି ଅଘଟଣ ଘଟିବା ଆଶଙ୍କାରେ ଉଭୟେ ପ୍ରଶାନ୍ତ ଓ ଦେବଦତ୍ତ ଆହତ ରତ୍ନାକରଙ୍କୁ ନିଜ ବୋଲେରୋ ଗାଡ଼ିରେ ଶୁଆଇ ଡାକ୍ତରଖାନା ନେଉଛୁ କହି ଦୁର୍ଘଟଣା ସ୍ଥଳରୁ ପଳାଇ ଆସିଥିଲେ । କିନ୍ତୁ ଆହତ ରତ୍ନାକରଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇବା ପରିବର୍ତ୍ତେ ତାଙ୍କୁ ଅଚେତ ଅବସ୍ଥାରେ ଜାତୀୟ ରାଜପଥର ଶିଉଳା ନିକଟ ରାସ୍ତାକଡ଼ରେ ଥିବା ଏକ ବରଗଛ ମୂଳରେ ପକାଇ ଦେଇ ଚାଲିଯାଇଥିଲେ । ଗୁରୁତର ଆହତ ଅବସ୍ଥାରେ ଥିବା ରତ୍ନାକର ସେଠାରେ ଦୀର୍ଘ ସମୟ ପଡ଼ି ରହି ଚିକିତ୍ସା ନପାଇ ଶେଷରେ ମୃତ୍ୟୁବରଣ କରିଥିଲେ । ତେବେ ଦୁର୍ଘଟଣା ପରବର୍ତ୍ତି ସମୟର ମୋବାଇଲ୍‍ ଭିଡିଓ ଓ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‍କୁ ଆଧାର କରି ପିପିଲି ପୁଲିସ ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଥିଲା । ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡିକୁ ଜବତ କରିଛି । ମୃତ ରତ୍ନାକରଙ୍କ ବାଇକ୍‍ ଓ ହେଲମେଟ୍‍କୁ ପୁଲିସ ପିପିଲି କେନାଲବନ୍ଧ ରାସ୍ତାରୁ ଜବତ କରିଛି । ଏନେଇ  ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୨୭୯,୩୦୪,୨୦୧ ଓ ୩୪ରେ ମାମଲା ରୁଜୁ କରି ପୁଲିସ କୋର୍ଟ ଚାଲାଣ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଅଭିମନ୍ୟୁ ନାୟକ ଉପସ୍ଥିତ ଥିଲେ।

Hot this week

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

Related Articles

Popular Categories