www.samajalive.in
Monday, December 8, 2025
13.1 C
Bhubaneswar

ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଅଙ୍କୁଶ : ଉତ୍କଳରେ କମିଲା ୫ ଶହ ଆସନ, ରେଭେନ୍ସାରେ ବନ୍ଦ ହେଲା ୭ ବିଭାଗ

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଚାଲିଥିବା ସେଲ୍ଫ ଫାଇନାନ୍ସିଂ(ନିଜସ୍ବ ଦେୟ) ପାଠ୍ୟକ୍ରମରେ ଲାଗିଛି ଅଙ୍କୁଶ। ବହୁ ବାଦବିବାଦ ପରେ ରାଜଭବନ ପକ୍ଷରୁ ଜାରି ନିୟମାବଳୀକୁ କାର୍ଯ୍ୟକାରୀ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଏହି ପ୍ରସଙ୍ଗକୁ ନେଇ ଅସନ୍ତୋଷ ବଢିବା ପରେ ରାଜଭବନ ପକ୍ଷରୁ ଜାରି ନିୟମାବଳୀକୁ କାର୍ଯ୍ୟକାରୀ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ରାଜଭବନ ପକ୍ଷରୁ ଜାରି ନିୟମାବଳୀ ପ୍ରତ୍ୟାହାର ପାଇଁ କିଛି ନିଷ୍ପତ୍ତି ହୋଇ ନ ଥିବାରୁ ସବୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ସେଲ୍ଫ ଫାଇନ୍ସାନ୍ସିଂ ପାଠ୍ୟକ୍ରମର ବିଭାଗ ବନ୍ଦ କରିବା ସହ ଆସନ କାଟ କରିଛନ୍ତି। ସରକାରୀ ବିଶ୍ବବିଦ୍ୟାଳୟ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ତୁଳନାରେ ଘରୋଇ ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମ ଦେୟ ପ୍ରାୟ ୩ ରୁ ୧୦ ଗୁଣା(ଘରୋଇ ଶିକ୍ଷାନୁଷ୍ଠାନ ମୁତାବକ) ଅଧିକ ରହିଛି। ସରକାରୀ ଶିକ୍ଷାନୁଷ୍ଠାନରେ ପାଠ୍ୟକ୍ରମର ଆସନ ସଂଖ୍ୟା କମିବା ଦ୍ବାରା ଗରିବ ମେଧାବୀ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଶାଶ୍ବତ ମିଶ୍ର ଗତ ମାସ ୧୨ ରେ ସବୁ କୁଳପତିଙ୍କୁ ଚିଠି ଲେଖି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ସମୁଦାୟ ବିଦ୍ୟାର୍ଥୀଙ୍କର ୨୦%ରେ ସୀମିତ ରଖିବା ସହ ବିବିଧ କଟକଣା ସମ୍ବନ୍ଧରେ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ନିର୍ଦେଶ ଦେଇଥିଲେ। ୨୦୨୨-୨୩ ଶିକ୍ଷାବର୍ଷରୁ ଲାଗୁ କରିବାକୁ କୁହାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ ଶିକ୍ଷାନୁଷ୍ଠାନରେ ଚାଲିଥିବା ବିଭିନ୍ନ ପାଠ୍ୟକ୍ରମ ବନ୍ଦ କରିବା ସହ ଆସନ କମାଇଛନ୍ତି।
ନାମଲେଖା ପାଇଁ ବିଶ୍ବବିଦ୍ୟାଳୟ ସାମ୍ସକୁ ଚୂଡ଼ାନ୍ତ ତାଲିକା ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ତାଲିକାରେ ରେଭେନ୍ସା ବିଶ୍ବବିଦ୍ୟାଳୟର ୫ଟି ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ସହ ଦୁଇଟି ସ୍ନାତକ(ୟୁଜି) ପାଠ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ପାଠ୍ୟକ୍ରମ ବନ୍ଦ କରାଯିବ। ରେଭେନ୍ସାରେ ସ୍ନାତକର ଡାଟା ସାଇନ୍ସ ଓ ସାମ୍ବାଦିକତା ଓ ଗଣଯୋଗାଯୋଗ(ବିଏ) ପାଠ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି। ସେହିପରି ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଇଣ୍ଟରପ୍ରିନ୍ୟୁୟସିପ୍‌(ଏମ୍‌କମ୍‌), ବାଓ କେମେଷ୍ଟ୍ରି, ଇଟିସି(ପିଜି), ଜନସ୍ବାସ୍ଥ୍ୟ, ଆନାଲିଟିକ କେମେଷ୍ଟ୍ରି ପାଠ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଆଇଟିଏମ୍‌ ଭଳି ଚାହିଦା ଥିବା ବହୁ ଗୁରୁତ୍ବପୂର୍ଣ୍ଣ ବିଷୟର ଆସନ ସଂଖ୍ୟା ମଧ୍ୟ କମାଯାଇଛି। ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ସମୁଦାୟ ବିଦ୍ୟାର୍ଥୀଙ୍କର ୨୦ %ରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଗତବର୍ଷ ତୁଳନାରେ ଆସନ ସଂଖ୍ୟା ୫୦% ହ୍ରାସ୍‌ କରାଯାଇଛି। ଗତବର୍ଷ ମୋଟ ୯୫୦ ଆସନ ଥିବାବେଳେ ଚଳିତ ବର୍ଷ ଏହାକୁ ୫ ଶହକୁ କମାଯାଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ମାତ୍ର ୫ ଶହ ଆସନରେ ନାମଲେଖା ହେବ। ଯୋଗ, ବିଏସ୍‌ସି ନର୍ସିଂ, ଏମ୍‌ଟେକ୍‌ କମ୍ପ୍ୟୁଟର ସାଇନ୍ସ, ରିମୋଟ ସେନ୍ସିଂ ପାଠ୍ୟକ୍ରମ ସହ ସଂସ୍କୃତ ସାର୍ଟିଫିକେଟ୍‌ ପାଠ୍ୟକ୍ରମକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିୟମିତ ପାଠ୍ୟକ୍ରମକୁ ଗୁରୁତ୍ବ ଦେବାକୁ ରାଜଭବନ ବ୍ୟକ୍ତିଗତ ସଚିବ ନିର୍ଦେଶ ଦେଇଥିଲେ।
ବହୁ ବିଶ୍ବବିଦ୍ୟାଳୟରେ ବିବିଏ, ଏମ୍‌ବିଏ, ଆଇଏମ୍‌ବିଏ, ଆଇଏମ୍‌ସି, ଆଇ ଲ, ଏଗ୍ରି ବିଜନେସ୍, ଏମଟେକ୍‌, ଜିଏଏଚ୍‌ଆଇ, ପର୍ଯ୍ୟଟନ, ସାମ୍ବାଦିକତା ଓ ଗଣଯୋଗାଯୋଗ, ରୁରାଲ ଡେଭଲପମେଣ୍ଟ, ପିଏମ୍‌ଆଇଆର ସମେତ ବିଭିନ୍ନ ବିଷୟରେ ଶତାଧିକ ଆସନ କାଟ କରାଯାଇଛି। ଏନେଇ ଛାତ୍ର ଆନ୍ଦୋଳନ ଦାନା ବାନ୍ଧୁଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗଣମାଧ୍ୟମରେ ମୁହଁ ଖୋଲୁନାହାନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories