www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରତ୍ୟାହାର ହେବ ସଂରକ୍ଷଣ ବିଜ୍ଞପ୍ତି

ପୁନଃ ତାଲିକା ପ୍ରକାଶ ପାଇଁ ନିର୍ଦେଶ, ୨୭ ସୁଦ୍ଧା ସାନି ବିଜ୍ଞପ୍ତି
୩ରେ ଅଭିଯୋଗ ଶୁଣାଣି ହେବ, ୭ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ
ମାର୍ଚ୍ଚ ୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ

କଟକ : ଚଳିତ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗ(ଓବିସି) ପାଇଁ ରହିଥିବା ଆସନ ସଂରକ୍ଷଣ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରତ୍ୟାହାର କରାଯିବ। ଏ ନେଇ ସାନି ସଂରକ୍ଷଣ ତାଲିକା ରାଜ୍ୟସରକାର ପ୍ରସ୍ତୁତ କରିବେ। ଚୂଡ଼ାନ୍ତ ତାଲିକା ପ୍ରଦାନ ପରେ ଏ ନେଇ ସାନି ବିଜ୍ଞପ୍ତି ଜାରି କରାଯିବ। ପୂର୍ବରୁ ପ୍ରସ୍ତୁତ ତାଲିକାରେ ତ୍ରୁଟି ଥିବା ଦର୍ଶାଇ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଆବେଦନ କରାଯିବା ପରେ ରାଜ୍ୟସରକାରଙ୍କ ପକ୍ଷରୁ ଏନେଇ ଆଜି ସାନି ସତ୍ୟପାଠ ଦାଖଲ କରାଯାଇଛି। ଯେଉଁଠି ଜିଲାପରିଷଦ, ସରପଞ୍ଚ, ସମିତି ସଭ୍ୟଙ୍କ ପାଇଁ ଆସନ ଓବିସିଙ୍କ ପାଇଁ ସଂରକ୍ଷଣ ହୋଇଛି, ତାହାକୁ ପରିବର୍ତ୍ତନ କରାଯିବ। ଏ ନେଇ ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ରାୟ ଆସିବା ପରେ ସଂରକ୍ଷଣ ତାଲିକାକୁ ପ୍ରତ୍ୟାହାର କରାଯିବ ବୋଲି ସରକାର କହିଛନ୍ତି। ଆସନ୍ତା ୨୭ ତାରିଖରେ ସଂରକ୍ଷଣ ସଂକ୍ରାନ୍ତ ଏକ ପୁନଃ ଚିଠା ତାଲିକା ପ୍ରକାଶ ପାଇବ। ୨୦୨୨ ଜାନୁୟାରୀ ୩ ତାରିଖରେ ସଂରକ୍ଷଣକୁ ନେଇ ବ୍ଲକ ଓ ଜିଲା ସ୍ତରରେ ଆପତ୍ତି ଅଭିଯୋଗ ଶୁଣାଣି କରାଯିବ। ଏହାର ଦୁଇଦିନ ପରେ ଅର୍ଥାତ୍‌ ୫ ତାରିଖରେ ଶୁଣାଣିର ସମାଧାନ କରାଯିବ ଏବଂ ୭ ତାରିଖରେ ଏନେଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଜାନୁୟାରୀ ୮ ତାରିଖରେ ପଞ୍ଚାୟତରାଜ ପକ୍ଷରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଚୂଡାନ୍ତ ତାଲିକା ଦିଆଯିବ। ତେବେ କେବେ ନିର୍ବାଚନ ହେବ ଏ ନେଇ ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିବେ। ତେବେ ମାର୍ଚ୍ଚ ୮ ତାରିଖ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଉଚ୍ଚ ନ୍ୟାୟାଳୟ ଓଡ଼ିଶା ସରକାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି।
ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ଲାଗି ରହିଥିବା ଆସନ ସଂରକ୍ଷଣ ଚିଠା ଓ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦାୟର ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସରକାର ଏହି ସତ୍ୟପାଠ ଦାଖଲ କରିଛନ୍ତି। ପଛୁଆ ବର୍ଗଙ୍କ ଆସନ ସଂରକ୍ଷଣ ନିମନ୍ତେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ରାଜ୍ୟ କ୍ଷେତ୍ରରେ ଚଳିତ ଡିସେମ୍ବରରେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ପ୍ରଦାନ କରିଥିଲେ ସେହି ଆଧାରରେ ଉଚ୍ଚ ନ୍ୟାୟାଳୟ ଓଡ଼ିଶା ସରକାରଙ୍କୁ ଅନୁରୂପ ନିର୍ଦେଶ ଦେଇଛନ୍ତି। ଏଥିସହ ନିକଟରେ ସଂରକ୍ଷଣ ନେଇ ଜାରି ହୋଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ଓ ଖୁବ୍‌ଶୀଘ୍ର ନୂତନ ସଂରକ୍ଷଣ ଚିଠା ତାଲିକା ପ୍ରଦାନ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଅଦାଲତଙ୍କ ନିର୍ଦେଶ ଅନୁଯାୟୀ, ଯଦି କୌଣସି ଅଞ୍ଚଳରେ ପଛୁଆବର୍ଗଙ୍କ ଜନସଂଖ୍ୟାର ନିର୍ଦିଷ୍ଟ ତଥ୍ୟ ଉପଲବ୍ଧ ନଥିବ; ସେ ଅଞ୍ଚଳରେ ପଛୁଆବର୍ଗଙ୍କ ପାଇଁ ଥିବା ସଂରକ୍ଷିତ ଆସନ ଅଣସଂରକ୍ଷିତ ରହିବ ଏବଂ ଏହି ଆଧାରରେ ଆଗାମୀ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷିତ ଆସନ ଅଣସଂରକ୍ଷିତ ରହିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି। ସେହିପରି ସରପଞ୍ଚ, ସମିତି ଅଧ୍ୟକ୍ଷ ଓ ଜିଲା ପରିଷଦ ପଦ ନିମନ୍ତେ ରାଜ୍ୟର ଜନସଂଖ୍ୟା ପ୍ରତିଶତ ଅନୁଯାୟୀ, ଅନୁସୂଚିତ ଜାତି, ଜନଜାତି ପାଇଁ ଆସନଗୁଡିକ ସଂରକ୍ଷିତ କରିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି। ସମସ୍ତ ଜିଲାପାଳ ଏହି ତାଲିକାକୁ ପୁଣି ପ୍ରକାଶନ କରିବାକୁ ନିର୍ଦେଶ ଦେଇଛନ୍ତି ଅଦାଲତ।
ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜ୍ୟ ନିର୍ବାଚନ କମିଶନ ନଭେମ୍ବର ୧୬ ତାରିଖରେ ଏକ ବିଜ୍ଞପ୍ତି ଜାରିକରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ ସଂରକ୍ଷଣ ତାଲିକା ଜାରି କରିଥିଲେ। ତେବେ ନିର୍ବାଚନରେ ସଂରକ୍ଷଣକୁ ଚାଲେଞ୍ଜ କରି ପୃଥକ ଭାବେ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। ଏହି ମାମଲାରେ ଜିଲାପାଳ, ରାଜ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରଯାଇଥିଲା। ପଞ୍ଚାୟତ ରାଜ ସଚିବଙ୍କ ବିଜ୍ଞପ୍ତିକୁ ରଦ୍ଦ କରିବା ସହ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉର୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ। ନିର୍ବାଚନରେ ବିଭିନ୍ନ ବର୍ଗଙ୍କ ପାଇଁ ରହିଥିବା ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ପୂର୍ବରୁ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇଥିଲେ। ଆଜି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର, ଆଇନଜୀବୀ ସୁକାନ୍ତ ଦଳେଇ ମାମଲା ପରିଚାଳନା କରୁଥିଲେ। ଆବେଦନକାରୀ ଦର୍ଶାଇଥିଲେ ଯେ ଯଦି ଅକ୍ଟୋବର ପହିଲାର ନିର୍ଦେଶକୁ କାର୍ଯ୍ୟକାରୀ କରାଯାଏ ତେବେ ଅନୁସୂଚିତ ଜାତି ଓ ଉପଜାତି ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ସମ୍ପୂର୍ଣ୍ଣ ବଞ୍ଚିତ ହେବେ। ସରକାରଙ୍କ ଏହି ବିଜ୍ଞପ୍ତି ୧୯୯୨ର ୭୩ତମ ସମ୍ବିଧାନ ସଂଶୋଧନ ବ୍ୟବସ୍ଥାର ବିରୋଧାଚରଣ କରୁଛି ବୋଲି ଆବେଦନକାରୀ ବୀରେନ୍ଦ୍ର ଦାସ ଦର୍ଶାଇଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories