୧୦୬ଟି ଅଭିଯୋଗ ଶୁଣିଲେ ଜିଲାପାଳ
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ସଭାକକ୍ଷରେ ବରଗଡ଼ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ବିଡିଓ ରିପୁନାଥ ସୁନାଙ୍କ ସଂଯୋଜନାରେ ଜିଲାପାଳ ଆଦିତ୍ୟ ଗୋଏଲ ଉପସ୍ଥିତ ରହି ବିଭିନ୍ନ ବିଭାଗରୁ ଆସିଥିବା ୧୦୬ଟି ଅଭିଯୋଗର ଶୁଣାଣି କରି ସମସ୍ୟାର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲା ଆରକ୍ଷୀ ଅଧିକ୍ଷକ ଏସ ପ୍ରହଲ୍ଲାଦ ମୀନା, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା, ସିଡିଏମଓ ନିରୂପମା ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ମଞ୍ଚାସିନ ଥିଲେ।
ଶିକ୍ଷକ ନିଯୁକ୍ତି, ପ୍ରଦୂଷଣ ନିୟନ୍ତ୍ରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଭଳି ବିଭିନ୍ନ ଅଭିଯୋଗ ଆସିଥିଲା। ଗତ ଅକ୍ଟୋବର ୫ ତାରିଖରେ ଡବଲ ଇଞ୍ଜିନ ସରକାର ନୂତନ ଶିକ୍ଷକ ନିଯୁକ୍ତି ପରେ ମଧ୍ୟ ଶିକ୍ଷକ ଅଭାବ ସାଙ୍ଗକୁ ଶିକ୍ଷକ ଡେପୁଟେସନ୍ କରୁଥିବା ଘଟଣାକୁ କେନ୍ଦ୍ର କରି ଆସିଥିବା ଅଭିଯୋଗ ଭିତ୍ତିରେ ଡେପୁଟେସନ୍ କରାଯାଇଥିବା ଶିକ୍ଷକମାନଙ୍କୁ ଫେରସ୍ତ କରିବା ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କଡାକଡି ନିର୍ଦ୍ଦେଶ ଦେଇଥିଲେ। ଗୋଡ଼ଭଗା ଲହଣ୍ଡା ରାସ୍ତା ଦେଇ ଯାଉଥିବା ବଡ଼ ବଡ଼ ଭାରି ହାଇୱାଗୁଡ଼ିକ ଯୋଗୁଁଁ ଧୂଳି ଉଡ଼ି ବାୟୁକୁ ପ୍ରଦୂଷିତ କରୁଥିବା ଯୋଗୁ ଅଞ୍ଚଳର ଲୋକମାନେ ଶ୍ୱାସ, ଫୁସଫୁସ କର୍କଟ ଭଳି ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଏହି ରାସ୍ତାକୁ ଦଣ୍ଡ ଯୁକ୍ତ ରାସ୍ତା ଘୋଷଣା କରନ୍ତୁ ବୋଲି ଗୋଡଭଗା ଗୋଲକ ନଗରର ସୁଧୀର କୁମାର ପଣ୍ଡା ଅଭିଯୋଗ କରିଥିଲେ। ଜେଇ, ପିଇଓ ଏବଂ ବ୍ଳକ କର୍ମଚାରୀ ଅଭିଯୋଗ ପଞ୍ଜିକରଣ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଅବସରରେ ୬ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ, ହ୍ବିଲ ଚେୟାର ବଣ୍ଟନ ହୋଇଥିଲା। ଜିଲା ତଥା ବ୍ଲକସ୍ତରରେ ଥିବା ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏବିଡିଓ ଗିରୀନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।
Comments are closed.