ଅଧା କାମ ଛାଡ଼ି ଠିକା ସଂସ୍ଥା ଛୁ, ଗୋଦାମରେ ଖତ ଖାଉଛି ସ୍ମାର୍ଟ ବୋର୍ଡ ଓ ଟିଭି
ରେଙ୍ଗାଲି: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା ୪୭୩୧୭ ତା.୨୪।୧୧।୨୦୨୪ରେ ସମସ୍ତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କ୍ଲାସ୍ ରୁମରେ ସ୍ମାର୍ଟ ବୋର୍ଡରେ ଶିକ୍ଷାଦାନ କରିବାକୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ପ୍ରତି କଲେଜରେ କାର୍ଯ୍ୟକାରୀ ହେଉଛି କି ନାହିଁ ଅଚାନକ ପରିଦର୍ଶନ କରିବାକୁ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇ ଯେଉଁ କଲେଜ ନିର୍ଦ୍ଦେଶନାମା ଉଲ୍ଲଂଘନ କରୁଥିବାର ଜଣାପଡ଼ିବ ସଂପୃକ୍ତ କଲେଜର ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ତାଗିଦ୍ କରାଯାଇଛି।
ଗୋଟିଏ ପଟେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଏତେ କଡ଼ା ନିର୍ଦ୍ଦେଶ ଦେଇଥିବାବେଳେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲଇଡା ଦୁତିକା ସାହୁ ମହାବିଦ୍ୟାଳୟ ଗୋଦାମରେ ଗତ ବର୍ଷେ ହେଲା ୩ଟି ସ୍ମାର୍ଟ ଟିଭି ଏବଂ ସ୍ମାର୍ଟ ବୋର୍ଡ ଖତ ଖାଉଛି। ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଏହି କଲେଜରେ କିପରି ପାଳନ ହେବ ତାହା ଅନୁମାନ ସାପେକ୍ଷ। ସ୍ମାର୍ଟ କ୍ଲାସ୍ ରୁମ୍ରେ ସ୍ମାର୍ଟ ବୋର୍ଡ, ସ୍ମାର୍ଟ ଟିଭି ଇନ୍ଷ୍ଟଲ୍ କରିବା ଏବଂ ଆବଶ୍ୟକ ଚୌକି ଟେବୁଲ ଯୋଗାଇବା ପାଇଁ ଅନୁବନ୍ଧିତ ଭୁବନେଶ୍ୱର ଏକ ସଂସ୍ଥା ଅଧା କାମ କରି ବର୍ଷେ ହେଲା କୁଆଡ଼େ ଛୁ ହୋଇଯାଇ ଦେଖା ଦର୍ଶନ ଦେଉନାହିଁ। ଫଳରେ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ସୁଯୋଗରୁ ବଞ୍ଚିତ ହେଉଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ସ୍ମାର୍ଟ କ୍ଲାସ ପାଇଁ ଏହି ମହାବିଦ୍ୟାଳୟକୁ ୪ଟି ସ୍ମାର୍ଟ ବୋର୍ଡ ଏବଂ ୪ଟି ସ୍ମାର୍ଟ ଟିଭି ଇନଷ୍ଟଲ୍ କରିବା ପାଇଁ ଆଣି ଠିକା ସଂସ୍ଥାର କର୍ମଚାରୀ ମହାବିଦ୍ୟାଳୟ ଗୋଦାମରେ ରଖିଥିଲେ। ସେଥି ମଧ୍ୟରୁ ମାତ୍ର ଗୋଟିଏ ସ୍ମାର୍ଟ ବୋର୍ଡ ଓ ସ୍ମାର୍ଟ ଟିଭି କାନ୍ଥରେ ଲଗାଇ କୁଆଡେ ଗଲେ ଯେ ଏକ ବର୍ଷ ହେଲା ଆଉ ସେମାନଙ୍କ ଦେଖାନାହିଁ। ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସଂକ୍ରାନ୍ତରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବସନ୍ତ କୁମାର ନାଏକଙ୍କୁ ପଚରା ଯିବାରୁ ସ୍ମାର୍ଟ କ୍ଲାସ ରୁମରେ ଶୀଘ୍ର ସ୍ମାର୍ଟ ବୋର୍ଡ ସ୍ମାର୍ଟ ଟିଭି ଇନଷ୍ଟଲ୍ କରିବା ଏବଂ ଆବଶ୍ୟକ ଚୌକି ଟେବୁଲ ଯୋଗାଇଦେବାକୁ ଅନେକ ଥର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଅନୁରୋଧ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି କହିଛନ୍ତି। ତେବେ ଏ ସଂକ୍ରାନ୍ତରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଆସିଷ୍ଟାଣ୍ଟ ଟେକ୍ନିସିଆନ ସୂର୍ଯ୍ୟକାନ୍ତ ବିଶ୍ବାଳଙ୍କୁ ପଚରା ଯିବାରୁ ଅନୁବନ୍ଧିତ ଠିକା ସଂସ୍ଥା ସହିତ ଯୋଗାଯୋଗ କରି ଖୁବଶୀଘ୍ର ସ୍ମାର୍ଟ କାର୍ଡ ଓ ସ୍ମାର୍ଟ ଟିଭି ଇନଷ୍ଟଲ୍ କରାଯିବ। ଚୌକି ଟେବୁଲ ଯୋଗାଇବା ପାଇଁ ବିଡିଓଙ୍କୁ କୁହାଯିବା ବୋଲି କହିଛନ୍ତି।
Comments are closed.