ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ହେଉଥିବା ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କର୍ମଚାରୀମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାର୍ଯ୍ୟ କରିବା) ବ୍ୟବସ୍ଥା ଆରମ୍ଭ କରାଯାଇଥିବା ବେଳେ ଗ୍ରାହକଙ୍କୁ ସାକ୍ଷାତ କରିବା ଜରୁରୀ ଥିବା ବ୍ୟବସାୟ ଯଥା ହପ୍ପିଟାଲ୍, ରିଟେଲ୍ ଷ୍ଟୋର୍ ଓ ଟେଲିକମ୍ ସେବାକୁ ସର୍ବନିମ୍ନ ଶ୍ରମ ଶକ୍ତି ଜରିଆରେ ପରିଚାଳନା କରାଯାଉଛି।
ନିଜ କର୍ମଚାରୀ ଏବଂ ବ୍ୟବସାୟ ଉପରେ କରୋନା ଭାଇରସ୍ କ’ଣ ପ୍ରଭାବ ରହିଛି ତାହା ଜାଣିବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି ପ୍ରତି ତୃତୀୟ ଦିନରେ ବୈଠକ କରିଥିସେ। ନଭି ମୁମ୍ବାଇରେ ଥିବା ରିଲାଏନ୍ସ କର୍ପୋରେଟ୍ ପାର୍କ ଏବଂ ଜାମନଗରର ବିଶୋଧନାଗାର ଓ ପେଟ୍କେମ୍ ପରିସରରେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପାତାଲଗଙ୍ଗାରେ ଥିବା ଉତ୍ପାଦନ ୟୁନିଟ୍ ଓ ରିଟେଲ୍ ଆଉଟ୍ଲେଟ୍ଗୁଡ଼ିକରେ ପରିମଳ ଓ ପରିସ୍କାର ପରିଚ୍ଛନ୍ନତା ଲାଗି ନିର୍ଧାରିତ କରାଯାଇଥିବା ମାନକଗୁଡ଼ିକୁ ଅନୁସରଣ କରୁଛନ୍ତି। କରୋନା ସଂକ୍ରମଣ ବ୍ୟାପିଥିବାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ତରଫରୁ ଦେଶ ଭିତରେ ଏବଂ ବିଦେଶରେ କାର୍ଯ୍ୟ କରୁଥିବା ଏହାର କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ଅଭିଯାନ ଆରମ୍ଭ କରାଯାଇଛି। ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ। ବ୍ୟବସାୟକୁ ଚାଲୁ ରଖିବା ଲାଗି କମ୍ପାନୀ ତରଫରୁ ସର୍ବନିମ୍ନ ଆବଶ୍ୟକ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ କରାଯାଉଛି।
ରିଲାଏନ୍ ଇଣ୍ଡଷ୍ଟ୍ରିଜ୍ର ପ୍ରବକ୍ତା କହିଛନ୍ତି ଯେ, କମ୍ପାନୀ ଏବେ ୱାର୍କ ଫ୍ରମ୍ ହୋମ୍ ମୋଡ୍ରେ କାର୍ଯ୍ୟ କରୁଛି ଯେଉଁଠାରେ ସମସ୍ତ କର୍ମଚାରୀଙ୍କୁ ଘରୁ କାର୍ଯ୍ୟ କରିବା ଲାଗି ଉତ୍ସାହିତ କରାଯାଉଛି ଏବଂ ଉତ୍ପାଦକତାକୁ ସର୍ବାଧିକ ଲାଗି ସବୁ ପ୍ରକାର ଡିଜିଟାଲ୍ ଉପକରଣ ଓ ବ୍ୟବସ୍ଥାକୁ ବ୍ୟବହାର କରିବା ଲାଗି ସେମାନଙ୍କୁ କୁହାଯାଉଛି। ମାତ୍ର ଏଭଳି ସମୟରେ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାଗରିକମାନଙ୍କୁ ସବୁ ପ୍ରକାର ଅତ୍ୟାବଶ୍ୟକ ସେବା ପ୍ରଦାନ କରିବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରତିବଦ୍ଧ ଏବଂ ଏହା ପ୍ରମୁଖ ଖୁଚୁରା ଗ୍ରୋସରି ଷ୍ଟୋର୍, ଟେଲିକମ୍ ସେବା, ହସ୍ପିଟାଲ୍ ଏବଂ ଜନସାଧାରଣ ଦରକାର କରୁଥିବା କିମ୍ବା ବ୍ୟବସାୟ ଜାରି ରଖିବା ଲାଗି ଦରକାର ହେଉଥିବା ଅତ୍ୟାବଶ୍ୟକ ସେବାଗୁଡ଼ିକୁ ପ୍ରଦାନ କରିବା ଜାରି ରଖିବ।
କମ୍ପାନୀର ପ୍ରବକ୍ତା କର୍ମଚାରୀମାନଙ୍କ ନିଜସ୍ୱ ଚିନ୍ତାଧାରାକୁ ପ୍ରଶଂସା କରିବା ସହିତ କହିଛନ୍ତି ଯେ, ବ୍ୟବସାୟ କାର୍ଯ୍ୟକଳାପକୁ ଜାରି ରଖିବା ଲାଗି କିଛି କର୍ମଚାରୀ ଉପସ୍ଥିତ ରହିବାର ଆବଶ୍ୟକତାକୁ ଆମେ ବୁଝୁଛୁ। ଆମେ ସେମାନଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ କର୍ମକ୍ଷେତ୍ରରେ ସେମାନଙ୍କ ସୁରକ୍ଷା ହେଉଛି କମ୍ପାନୀର ସର୍ବୋଚ୍ଚ ପ୍ରାଥମିକତା ଏବଂ ପରିମଳ ଓ ପରିସ୍କାର ପରିଚ୍ଛନ୍ନତା ମାନକକୁ କାର୍ଯ୍ୟକାରୀ କରାଯିବା ସହିତ ଜରୁରୀକାଳୀନ ପ୍ରଶମନ ଭିତିଭୂମିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି।
ସମସ୍ତ କର୍ମଚାରୀମାନଙ୍କୁ ମାର୍ଗଦର୍ଶିକା ପ୍ରଦାନ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର କାର୍ଯ୍ୟନିର୍ବାହୀ ନିର୍ଦେଶକ ହିତଲ ଆର୍ ମେସୱାନି କହିଛନ୍ତି ଯେ, ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ବୁଧବାର ଠାରୁ ଆରମ୍ଭ ହୋଇଛି।, ସମସ୍ତଙ୍କୁ ଘରେ ରହି କାର୍ଯ୍ୟ କରିବା ଲାଗି ଆମେ ଉତ୍ସାହିତ କରାଯାଉଛି। ତେବେ ଯେଉଁମାନଙ୍କ କାମ ଘରେ ରହି କରିହେବ ନାହିଁ ସେମାନଙ୍କୁ କାର୍ଯ୍ୟାଳୟ ଆସିବାକୁ ପଡ଼ିବ। ବ୍ୟବସାୟକୁ ଜାରି ରଖିବା ଲାଗି ସର୍ବନିମ୍ନ ଯେତିକି କର୍ମଚାରୀ ଦରକାର ସେତିକି ରଖାଯିବ ବୋଲି ସେ ଜଣାଇଛନ୍ତି। ଏହି ଅଭାବନୀୟ ପରିସ୍ଥିତିରେ ଆମେ ସମଗ୍ର ରିଲାଏନ୍ସ ପରିବାର ଏକାଠି ରହିଛୁ। ଆମର ବିଶ୍ୱାସ ରହିଛି ଯେ ଆମର ଏକ ଦଳଗତର ମୂଲ୍ୟବୋଧ ଓ ମାଲିକାନା ମାନସିକତା ଆମ ସମସ୍ତଙ୍କୁ ଆମ ପରିପାର୍ଶ୍ବରେ ଥିବା ପ୍ରତିଟି ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ନିଷ୍ପତି ନେବାରେ ସହାୟକ ହେବ। ଆସନ୍ତୁ ସମସ୍ତେ ପରସ୍ପରକୁ ସାହାଯ୍ୟ କରିବା, ଶାନ୍ତ ରହିବା ଏବଂ ଏହି ଆହ୍ୱାନପୂର୍ଣ୍ଣ ସ୍ଥିତିକୁ ଏକଜୁଟ ହୋଇ ମୁକାବିଲା କରିବା।



