ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶର ମୁଖ୍ୟ ମାସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ରାଷ୍ଟ୍ର ଚାହୁଁଛନ୍ତି। କିନ୍ତୁ ଚୀନ ତାହା ଚାହୁଁନି। ତେଣୁ ଭାରତ ପକ୍ଷରୁ ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପକୁ ଚୀନ ତାହାର ଭିଟୋ କ୍ଷମତା ବଳରେ ବିରୋଧ କରିଆସୁଛି। ଏହାର ମଧ୍ୟ କେତେକ ବିଶେଷ କାରଣ ରହିଛି। ସେଗୁଡ଼ିକ ହେଲା:-
ପାକିସ୍ତାନ ସହ ବନ୍ଧୁତା
ଚୀନ ଏବଂ ପାକିସ୍ତାନ ପରସ୍ପରର ବନ୍ଧୁ, ଏହା ସମସ୍ତେ ଜାଣନ୍ତି। କିନ୍ତୁ ଭାରତ ଚୀନକୁ ସବୁ କ୍ଷେତ୍ରରେ ଟକ୍କର ଦେଉଛି। ଫଳରେ ଭାରତ ସହ ଚୀନ ଅଧିକାଂଶ ସମୟରେ ମୁହାଁମୁହିଁ ହେଉଛି। ତେଣୁ କୌଣସି ପ୍ରକାରେ ଦକ୍ଷିଣ ଏସିଆର ସମସ୍ତ ରାଷ୍ଟ୍ରଗୁଡ଼ିକୁ ଚୀନ ଖୁସିରେ ରଖିବାକୁ ଚାହୁଁଛି ଏବଂ ନିଜ ପ୍ରତି ସମର୍ଥନ ଯୋଗାଡ଼ କରୁଛି।
ପାକିସ୍ତାନଠାରୁ ମିଳୁଛି ସହଯୋଗ
ପାକିସ୍ତାନ ବି ଚୀନକୁ ସହଯୋଗ କରୁଛି। ଇସଲାମିକ ସହଯୋଗ ସଂଗଠନ(ଓଆଇସି) ଏବଂ ନନ୍ ଆଲାଇନ୍ଡ ମୁଭମେଣ୍ଟ(ନାମ) ଭଳି କେତେକ ରାଷ୍ଟ୍ରରେ ଚୀନର ସ୍ଥିତି ଦୁର୍ବଳ ରହିଛି। ଚୀନର ସିନଚିୟାଙ୍ଗରେ ମୁସଲମାନ ସମୁଦାୟ ଉପରେ ଅତ୍ୟାଚାର ଏବଂ ଦକ୍ଷିଣ ଚୀନରେ ସାମୁଦ୍ରିକ ପ୍ରୋଜେକ୍ଟକୁ ବିରୋଧ କରି ଏହି ରାଷ୍ଟ୍ରଗୁଡ଼ିକୁ ଚୀନକୁ ଘେରିଛନ୍ତି। ତେଣୁ ଏଠାରେ ମୁସଲମାନ ରାଷ୍ଟ୍ର ଭାବେ ପାକିସ୍ତାନ ଚୀନକୁ ସହଯୋଗ କରୁଛି।
ଆମେରିକା ସହ ଭାରତର ବନ୍ଧୁତା
ଚୀନ ଆମେରିକାକୁ ନିଜର ଶତ୍ରୁ ବୋଲି ଭାବୁଛି। ମାତ୍ର ଭାରତ ସହ ଆମେରିକାର ବନ୍ଧୁତା ଭଲ ରହିଛି, ଯାହାକୁ ଚୀନ ସହିପାରୁ ନାହିଁ। ଭାରତ ଏବଂ ଆମେରିକା ଚୀନ ବିରୋଧରେ ଯେପରି କୌଣସି ରଣନୀତି ପ୍ରସ୍ତୁତ କରି ନ ପାରନ୍ତି ସେଥିପାଇଁ ଚୀନ ମାସୁଦ ପ୍ରସଙ୍ଗରେ ଭାରତକୁ ସହଯୋଗ କରୁନାହିଁ। କେବଳ ଏତିକି ନୁହେଁ, ଏହା ପୂର୍ବରୁ ଏନଏସଜି ଏବଂ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବି ଚୀନ ସମର୍ଥନ କରୁନାହିଁ।
ଦଲାଇ ଲାମା
ଧର୍ମଗୁରୁ ଦଲାଇଲାମା ୧୯୫୯ରେ ତିବ୍ଦତ ଛାଡ଼ି ଭାରତରେ ଶରଣ ନେଇଥିଲେ। ଚୀନ ଦଲାଇଲାମାଙ୍କୁ ନିଜର ମୁଖ୍ୟ ଶତ୍ରୁ ମାନୁଛି। ଦଲାଇଲାମାଙ୍କୁ ଚୀନ ଲଶ୍କର-ଏ-ତଇବାର ହାଫିଜ ସୟିଦ ସହ ତୁଳନା କରୁଛି। ତେଣୁ ତାଙ୍କୁ ଭାରତ ଆଶ୍ରୟ ଦେଇଥିବାରୁ ଚୀନ ଭାରତ ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରିଆସୁଛି।
ୱାନ ବେଲ୍ଟ ୱାନ ରୋଡ୍
ଚୀନର ମହତ୍ତ୍ବାକାଂକ୍ଷୀ ପ୍ରୋଜେକ୍ଟଗୁଡ଼ିକରେ ପାକିସ୍ତାନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ବିଶ୍ବର ଅନେକ ସ୍ଥାନକୁ ରାସ୍ତା, ରେଳ ଏବଂ ସମୁଦ୍ର ମାର୍ଗରେ ଯୋଡ଼ିବା ଲାଗି ଚୀନର ଏହି ପ୍ରୋଜେକ୍ଟରେ ପାକିସ୍ତାନ ସହଯୋଗ କରୁଛି। ଏଥିପାଇଁ ଚୀନ ପାକିସ୍ତାନରେ ବହୁ ପରିମାଣରେ ନିବେଶ କରୁଛି। ଏସବୁକୁ ଦୃଷ୍ଟିରେ ରଖି ଚୀନ ପାକିସ୍ତାନୀ ଆତଙ୍କବାଦୀ ମାସୁଦକୁ ସମର୍ଥନ କରୁଛି। କାରଣ ମାସୁଦ ଭାରତର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ବିପଦ ଏବଂ ସେ ଭାରତକୁ ଦୁର୍ବଳ କରିବାକୁ ପ୍ରୟାସ କରୁଛି।



