ଡେସ୍କ: ବୁଧବାର କର୍ଣ୍ଣାଟକର ଏମ ଚିନ୍ନାସ୍ୱାମୀ ଷ୍ଟାଡିଅମରେ ଚଳିତ ବର୍ଷ ଆଇପିଏଲ ଟି-୨୦ କ୍ରିକେଟ ସିରିଜରେ ବିଜୟ ଲାଭ କରିଥିବା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟ ଉତ୍ସବ ପାଳନ କରୁଥିବା ବେଳେ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି।
ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ – ବିସିସିଆଇ ଉପାଧ୍ୟକ୍ଷ ତଥା କଂଗ୍ରେସ ସାଂସଦ ରାଜୀବ ଶୁକ୍ଲା କହିଛନ୍ତି, ଯେକୌଣସି ରାଜ୍ୟରେ ଏଭଳି ଘଟଣା ଘଟିପାରେ ଏବଂ ଏଥିପାଇଁ କର୍ଣ୍ଣାଟକ ରାଜ୍ୟ ସରକାରକୁ ଦାୟୀ କରାଯିବା ଉଚିତ ନୁହେଁ। ଏହାର ରାଜନୀତିକରଣ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଯଦି କୌଣସି ବିଜେପି ଶାସିତ ରାଜ୍ୟରେ ଏଭଳି ଘଟଣା ଘଟିଥାନ୍ତା, ତାହେଲେ କଣ ରାଜନୀତିକରଣ କରାଯାଇଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି।
ଶ୍ରୀ ଶୁକ୍ଲା କହିଛନ୍ତି, ସେ ଆୟୋଜକଙ୍କ ସହ କଥା ହୋଇଛନ୍ତି। ଏତେ ସଂଖ୍ୟାରେ ପ୍ରଶଂସକ ଆସିବେ ବୋଲି ଆୟୋଜକ କଳ୍ପନା କରିନଥିଲେ ଏବଂ ହଠାତ ଏଭଳି ଘଟିବାରୁ ଭିଡ଼ ନିୟନ୍ତ୍ରଣ କରିବା ସମ୍ଭବ ନ ଥିଲା। ମୃତକଙ୍କ ପରିବାରକୁ ଯେଭଳି ଯଥେଷ୍ଠ ଅଧିକ ସହାୟତା ଦିଆଯାଇ ପାରିବ, ସେ ନେଇ ପ୍ରୟାସ କରାଯାଉଥିବା ସେ କହିଛନ୍ତି।



