୭% ଅଭିବୃଦ୍ଧି ହାସଲ ସମ୍ଭବ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଶୁକ୍ରବାର ଭାରତର ଅର୍ଥନୈତିକ ଅଭିବୃଦ୍ଧି ଉପରେ ବିଶ୍ୱାସ ପ୍ରକାଶ କରି କହିଛନ୍ତି ଯେ ୭ ପ୍ରତିଶତ ଅଭିବୃଦ୍ଧି ହାର କିମ୍ବା ତା’ଠାରୁ ଅଧିକ ହାସଲ କରାଯାଇପାରିବ ଏବଂ ଏହା ଏକ ଜାତୀୟ ଆକାଂକ୍ଷା ହେବା ଉଚିତ। ଆର୍‌ବିଆଇ ମୁଦ୍ରା ନୀତି କମିଟି ବୈଠକ ପରେ ଅନୁଷ୍ଠିତ ସମ୍ବାଦଦାତା ସମ୍ମିଳନୀରେ ସେ ଏହା କହିଛନ୍ତି।
ଆର୍‌ବିଆଇ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ଘରୋଇ ଉତ୍ପାଦ (ଜିଡିପି) ୬.୬ ପ୍ରତିଶତ ଏବଂ ୨୦୨୬ ଆର୍ଥିକ ବର୍ଷ ପାଇଁ ୬.୭ ପ୍ରତିଶତ ରହିବ ବୋଲି ଆକଳନ କରିଥିବାବେଳେ ଭାରତ ୭ଧ କିମ୍ବା ତା’ଠାରୁ ଅଧିକ ଅଭିବୃଦ୍ଧି ହାର ହାସଲ କରିବ ବୋଲି ଆମର ଆକାଂକ୍ଷା ରହିବା ଉଚିତ ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ମୁଦ୍ରାସ୍ଫୀତି ଅବନତି ଧାରା ଜାରି ରହିଥିବାରୁ ଆମେ ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଛୁ। ଆରବିଆଇ ନଗଦ ପରିଚାଳନା ଏବଂ ସାମଗ୍ରିକ ଅର୍ଥନୈତିକ ପରିବର୍ତ୍ତନର ପ୍ରତିକ୍ରିୟା ଦେବାରେ ସଜାଗ ଓ ସକ୍ରିୟ ରହିଛି। ସେ ଜୋର ଦେଇ କହିଛନ୍ତି ଯେ ଆରବିଆଇ ମୁଦ୍ରାସ୍ଫୀତିକୁ ୪ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖିବାକୁ ଚେଷ୍ଟା ଜାରି ରଖିଛି। ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୨୦୨୪ ଡିସେମ୍ବରରେ ୫.୨% ଥିବାବେଳେ ପାଇକାରୀ ମୁଦ୍ରାସ୍ଫୀତି ୨.୩୭ଧ ରହିଥିଲା। ବିଶ୍ୱ ଅନିଶ୍ଚିତତା ଏବଂ ଅର୍ଥନୈତିକ ଅସ୍ଥିରତାକୁ ସ୍ୱୀକାର କରି, ମାଲହୋତ୍ରା ଭାରତର ଅଭିବୃଦ୍ଧି ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ଉଲ୍ଲେଖ କରିଛନ୍ତି। ତଥାପି, ସେ ଦୃଢ଼ ଉତ୍ପାଦନ କାର‌୍ୟ୍ୟକଳାପ, ସ୍ଥିର ଚାହିଦା, ସୁସ୍ଥ କୃଷି ଏବଂ ଜଳଭଣ୍ଡାର ସ୍ତର ଭଳି ସକାରାତ୍ମକ ସୂଚକ ଦେଶର ଅର୍ଥନୈତିକ ସମ୍ଭାବନା ପାଇଁ ଆଶା ବୃଦ୍ଧି କରିଥାଏ ବୋଲି କହିଛନ୍ତି।

Comments are closed.