କଟକ : ବାରବାଟୀ ଷ୍ଟାଡ଼ିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଲାଗି ଉଷ୍ମତା କ୍ରମେ ବଢିବାରେ ଲାଗିଛି। ନାଗପୁରରେ ଶୃଙ୍ଖଳାର ପ୍ରଥମ ମ୍ୟାଚ ଗୁରୁବାର ଖେଳିବା ପରେ ଶୁକ୍ରବାର ଦୁଇ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାତି ୭ଟା୪୦ରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟ ଦଳର ଖେଳାଳିଙ୍କୁ ସ୍ବତନ୍ତ୍ର ବସ୍ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମେ ଫେୟାର ହୋଟେଲକୁ ଅଣାଯାଇଥିଲା। ତେବେ ଆଜି ପୁରୀ ଯାଇଛନ୍ତି ଭାରତୀୟ କ୍ରିକେଟର। ସକାଳୁ ସକାଳୁ ଭାରତୀୟ ଖେଳାଳୀ ବରଣ ଚକ୍ରବର୍ତ୍ତୀ , ଓ୍ବାଶଂଟନ୍ ସୁନ୍ଦର, ଅକ୍ଷୟ ପଟେଲ ପ୍ରମୁଖ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହି ୩ ଖେଳାଳୀ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ସେମାନେ ଶ୍ରୀମନ୍ଦିର ସିଂହଦ୍ୱାର, ବାଇଶି ପାହାଚ ଦେଇ ବେହରଣ ଦ୍ୱାର ବାଟେ ପ୍ରବେଶ କରି ରତ୍ନସିଂହାସନସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ଦର୍ଶନ ସାରି ଫେରିବା ପରେ ବେଶ ଖୁସି ବ୍ୟକ୍ତ କରିଥିଲେ ତିନି ଖେଳାଳି । ଏଥିଲାଗି ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Popular Categories



