ସାଇବର ସୁରକ୍ଷାରେ ଅବହେଳା ଯୋଗୁଁ ଇଣ୍ଡିଆନ୍ ବ୍ୟାଙ୍କ ଉପରେ ଏକ କୋଟି ଟଙ୍କାର ଜୋରିମାନା କଲେ ଆରବିଆଇ
ମୁମ୍ବଇ .- ବ୍ୟାକିଙ୍ଗ ସାଇବର ସୁରକ୍ଷା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ନିୟମ ପାଳନ ନ କରିବା , ଏଥିରେ ଅବହେଳା କରିବା ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ବ୍ୟାଙ୍କ ଉପରେ ଏକ କୋଟି ଟଙ୍କାର ଜୋରିମାନା କରିଛନ୍ତି ।
୩୦ ନଭେମ୍ବରରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ଏକ ନିର୍ଦେଶ ଜାରି କରାଯାଇଛି । ବ୍ୟାକିଙ୍ଗ ରେଗୁଲେସନ୍ ଆକ୍ଟ ୧୯୪୯ ଅନ୍ତର୍ଗତ ଆରବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି । ସାଇବର ସୁରକ୍ଷା ପାଇଁ ବ୍ୟାଙ୍କମାନଙ୍କ ପାଇଁ ଆରବିଆଇ ମାର୍ଗ ଦର୍ଶିକା ଜାରି କରିଛି । ଏହି ସବୁ ପଦକ୍ଷେପ ଗ୍ରହଣ କଲେ ବ୍ୟାକିଙ୍ଗ କ୍ଷେତ୍ରରେ ହେଉଥିବା ବିଭିନ୍ନ ଠକାମୀ, ସାଇବର ଠକାମୀ ରୋକି ହେବ ଓ ଗ୍ରାହକଙ୍କ ପାଇଁ ଅର୍ଥ କାରବାର କରିବା ବେଶୀ ସୁରକ୍ଷିତ ହେବ । ମାତ୍ର ଇଣ୍ଡିଆନ୍ ବ୍ୟାଙ୍କ କେତକ ନିର୍ଦେଶକୁ ପାଳନ କରି ନ ଥିବା ପ୍ରମାଣିତ ହେବା ପରେ ଆରବିଆଇ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।