କାଶୀପୁର :ରାୟଗଡା ଜିଲା କାଶୀପୁର ବ୍ଲକରେ ଗରିବ ଗୁରବା ପରିବାର ଲୋକଙ୍କ ପାଇଁ ହେଉଥିବା ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ଅର୍ଥ ହିତାଧାରିଙ୍କୁ ପ୍ରଦାନ ନକରାଯାଇ ହଡପ ହୋଇଥିବା ଘଟଣା ଏବେ ପଦାକୁ ଆସିଛି।
ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ବିକାଶ ପାଇଁ ସରକାର ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବହୁଯୋଜନା ପ୍ରଣୟନ କରୁଛନ୍ତି।ହେଲେ ଉପାନ୍ତ ଇଲାକାରେ ଏଗୁଡିକର ସୁଫଳ ପାଇ ପାରୁନାହାନ୍ତି ପ୍ରକୃତ ହିତାଧିକାରି।ଏଭଳି ଏକ ଘଟଣାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କାଶୀପୁର ବ୍ଲକ ଅଧିନ କୋଡିପାରି ପଞ୍ଚାୟତ କାପୁଗୁଡା ଗ୍ରାମରରେ। ଉକ୍ତ ଗ୍ରାମର ବାସିନ୍ଦା ପୁରନ୍ଦର ଝୋଡୀଆ ଏବଂ ଲକ୍ଷ୍ମଣ ଝୋଡୀଆଙ୍କ ମୁଣ୍ଡରେ ସରକାରଙ୍କ ଆବାସ ଯୋଜନା ଥିବା ସତ୍ୱେ କୁଡିଆରେ ଜୀବନ ବିତୁଛି ।
ରଙ୍ଗମାଟି ଲିପା କାନ୍ଥବି ହଟିନାହିଁ। ଭଲଘର ଟିଏ କରିନପାରି ଏମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। କାଗଜ କଲମରେ ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର କାର୍ୟ୍ୟ ସମାପ୍ତ ହୋଇଥିବା ଦର୍ଶାଯାଇଛି।ଘର ବାବଦକୁ ଅନୁମୋଦିତ ଟଙ୍କାରୁ ପ୍ରଥମ ପର୍ୟ୍ୟାୟରେ ୨୦ ହଜାର,ଦ୍ବିତୀୟ ପର୍ୟ୍ୟାୟରେ ୩୫ ହଜାର,ତୃତୀୟ ପର୍ୟ୍ୟାୟରେ ୪୫ ହଜାର ଏପରି ମୋଟ ଏକଲକ୍ଷ ଟଙ୍କା ୨୦୧୯ -୨୦୨୦ ମସିହାରୁ ବାଟମାରଣା ହୋଇଯାଇଛି।
ଆଜିଯାଏଁ ଆବେଦନ କରିଥିବା ପୁରନ୍ଦର ଏବଂ ଲକ୍ଷ୍ମଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଚାହିଁ ରହିଛନ୍ତି। ଅପାଠୁଆ ଗରିବଙ୍କ ସହ ସରକାରି କର୍ମଚାରୀଙ୍କ ଏଭଳି ଛଳନା ଫଳରେ ବ୍ଲକରେ ଆବାସ ଯୋଜନା ବାଟବଣା ହେବାକୁ ଲାଗିଛି।
ବାସହୀନ କେହି ରହିବେ ନାହିଁ।ଏହି ସ୍ଲୋଗାନ ଦେଇ ସରକାର ଦାରିଦ୍ର୍ୟ ସୀମାରେଖା ତଳେଥିବା ଲୋକଙ୍କୁ ଆବାସ ଯୋଜନା ଯୋଗାଇଦେବା ନିମନ୍ତେ ନିଷ୍ପତି ନେଇଛନ୍ତି।
ଏହି ଯୋଜନାକୁ ପଞ୍ଚାୟତରୁ ଆରମ୍ଭକରି ଜିଲା ଅଧିକାରି ପର୍ୟ୍ୟନ୍ତ ଏହାର ତଦାରଖ କରିବା ପାଇଁ ଦାଇତ୍ବ ପ୍ରଦାନ କରାଯାଇଛି।ତଥାପି ଗରିବଙ୍କ ନାମରେ ଅନୁମୋଦିତ ଆବାସ ଯୋଜନା ଅର୍ଥ ଆତ୍ମସାତ ହୋଇଥିବା ଭଳି ଘଟଣା କାଶୀପୁର ବ୍ଲକ କୋଡିପାରି ପଞ୍ଚାୟତ ଅନ୍ତର୍ଗତ କାପୁଗୁଡା ଗ୍ରାମରୁ ଅଭୀଯୋଗ ହୋଇଛି।
୨୦୧୯-୨୦ ମସିହାରେ ଉକ୍ତ ଦୁଇଜଣ ବ୍ୟକ୍ତିଙ୍କ ନାମରେ ଆସିଥିବା ତାଲିକା ଅନୁଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇଦେବା ନିମନ୍ତେ ପଞ୍ଚାୟତ ପକ୍ଷରୁ ସ୍ଥିରୀକୃତ ହୋଇଥିଲା।ବିଭିନ୍ନ ସମୂହରେ ପଞ୍ଚାୟତ କାର୍ୟ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ୟ୍ୟାଳୟ ପଯ୍ୟନ୍ତ ଯାଇ ବୁଝାସୁଝା କରିବାରେ କ୍ରମନ୍ବୟରେ ଦିଆଯିବ ବୋଲି ତାଙ୍କୁ ପ୍ରତିଶୃତି ଦିଆଯାଉଥିଲା।କିନ୍ତୁ ଏବେ ଯେତେବେଳେ ସେମାନେ ଆବାସ ଯୋଜନା ନିମନ୍ତେ ଆବଶ୍ୟକ କାଗଜପତ୍ର ଗୁଡିକ ଧରି କାଶୀପୁର ବ୍ଲକ କାର୍ୟ୍ୟାଳୟକୁ ଆସିଥିଲେ ତାଙ୍କ ନାମରେ ଥିବା ଘର କାର୍ୟ୍ୟ ସମ୍ପନ୍ନ ହୋଇଯାଇଛି। ସେ ବାବଦକୁ ୩ଟି କିସ୍ତିରେ ଏକଲକ୍ଷ ଟଙ୍କା ଲେଖାଏଁ ଚେକ ମାଧ୍ୟମରେ ଦିଆଯାଇଛି ବୋଲି ବ୍ଲକ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଥିବା ପୁରନ୍ଦର ଝୋଡୀଆ ଏବଂ ଲକ୍ଷ୍ମଣ ଝୋଡୀଆ ଅଭିଯୋଗ କରିଛନ୍ତି।ତେବେ କାର୍ୟ୍ୟାଦେଶ ଓ ଟଙ୍କା ଉଠାଇବା ବାବଦରେ ସେମାନେ କିଛି ଜାଣିନଥିବା ପ୍ରକାଶ କରିଛନ୍ତି। ଏବେବି ତାଙ୍କ ଘରୁ ଛପର ଉଠିନାହିଁ।ଅଭାବ ଯୋଗୁଁ ଘରଟିଏ କରିନପାରି ସେହି କୁଡିଆଘରେ ଦିନ କାଟୁଛନ୍ତି।
ତେବେ ପ୍ରଶ୍ନ ଉଠୁଛି ମୂଳଦୁଆ ଠାରୁ ଶେଷ ପର୍ଯ୍ୟନ୍ତ ପଞ୍ଚାୟତ ଅଧିକାରି,କନିଷ୍ଠ ଯନ୍ତ୍ରୀ,ଏପରିକି କାର୍ୟ୍ୟର ତଦାରଖ ବିଡିଓଙ୍କ ଦାଇତ୍ବ ରହିଛି।ଘର ନଥାଇ ମୋଟ ଏକଲକ୍ଷ ଟଙ୍କା ପୁରନ୍ଦର ଏବଂ ଲକ୍ଷ୍ମଣଙ୍କ ଅଜାଣତରେ କିପରି ଦିଆଗଲା ବୋଲି ଅଭିଯୋଗ କରିଛନ୍ତି।ଏନେଇ ଏହି ଦୁଇଜଣ ବ୍ୟକ୍ତି କାଶୀପୁର ବଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ କାଶୀପୁର ବିଡିଓ ସୁଧାକର ରଇତଙ୍କୁ ଯୋଗାଯୋଗ କରିବାରୁ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିବା ସହ କାହାକୁ ଘର ଦିଆଯାଇଛି ଏବଂ କାହା ଏକାଉଣ୍ଟକୁ ଟଙ୍କା ଯାଇଛି ତାହା ତଦନ୍ତ କରିବାପରେ ହିଁ ପ୍ରକୃତ ସତ୍ୟତା ପଦାକୁ ଆସିବ ବୋଲି ପ୍ରକାଶ କରିଛନ୍ତି।



