ସମାଜ ଡିଜିଟାଲ ଡେସ୍କ: ଦେଶର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ଆଉ ନାହାଁନ୍ତି। ଏହାକୁ ବିଶ୍ୱାସ କରିବା ସତରେ କଷ୍ଟକର। ସୋମବାର ଦିନ ଅସୁସ୍ଥତା କାରଣରୁ ରତନ ଟାଟା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ସେ ନିଜେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏକ ବିବୃତ୍ତି ଜାରି କରି କହିଥିଲେ। ଏବେ ହଠାତ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ରତନ ଟାଟା କେଉଁ ରୋଗରେ ପୀଡିତ ଥିଲେ ଚାଲନ୍ତୁ ଜାଣିବା। ଅକ୍ଟୋବର ୭ତାରିଖରେ ଅସୁସ୍ଥ କାରଣରୁ ରତନ ଟାଟାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହଠାତ ତାଙ୍କ ର ରକ୍ତଚାପ ବହୁତ କମିଯାଇଥିବା ସୂଚନା ମିଳିଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅଫିସିଆଲ ଭାବେ କୁହାଯାଇଥିଲା ଯେ ସେ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଯାଇଥିଲେ। ଆଇସିୟୁରେ ଭର୍ତ୍ତି ହେବା ଖବରକୁ ନିଜେ ଖଣ୍ଡନ କରିଥିଲେ ରତନ ଟାଟା। କହିଥିଲେ ମୋ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଗୁଜବ ବିଷୟରେ ମୁଁ ଅବଗତ ରହିଛି। ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଚିନ୍ତା କରିବାର କିଛି ନାହିଁ। ଜନସାଧାରଣ ଓ ଗଣମାଧ୍ୟମ ଭୁଲ ତଥ୍ୟ ପ୍ରସାରଣଠାରୁ ଦୂରେଇ ରୁହନ୍ତୁ ବୋଲି ସେ କହିଥିଲେ।
କେଉଁ ରୋଗରେ ପୀଡିତ ଥିଲେ ରତନ ଟାଟା
ମିଳିଥିବା ସୂଚନା ଅନୁଯାୟୀ ରତନ ଟାଟା ରକ୍ତଚାପରେ ପୀଡିତ ଥିଲେ। ହସ୍ପିଟାଲରେ ଆଡମିଟ୍ ହେବା ବେଳେ ତାଙ୍କର ରକ୍ତଚାପ ବହୁତ କମିଯାଇଥିଲା। ଏଥିପାଇଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବହୁତ ଖରାପ ହୋଇଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସାରେ ଲାଗିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ର୍ୟବସ୍ଥାରେ ବିଶେଷ ଉନ୍ନତି ହୋଇନଥିଲା। ବୟସ ବଢିବା ଓ ଡାକ୍ତରଙ୍କ ଉଦ୍ୟମ ସତ୍ୱେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରକ୍ତଚାପ କାରଣରୁ ତାଙ୍କର ଅଙ୍ଗ ଗୁଡିକ କାମ କରିବାରେ ଅଚଳ ହୋଇଥିଲା। ବାର୍ଦ୍ଧକ୍ୟ ହେଲେ ସାଧାରଣ ଏପରି ହୋଇଥାଏ ବୋଲି ଡାକ୍ତର ମତ ରଖିଛନ୍ତି। ଏସବୁ ବ୍ୟତୀତ ସେ ଡିହାଇଡ୍ରେସନ୍ ସମସ୍ୟା ଦେଇ ଗତି କରୁଥିଲେ।



