www.samajalive.in
Thursday, December 11, 2025
14.1 C
Bhubaneswar

ରଣଜୀ ଟ୍ରଫି : ଓଡ଼ିଶାର କ୍ରମାଗତ ୨ୟ ବିଜୟ

କଟକ : ଚଳିତ ରଣଜୀ ସିଜିନରେ କ୍ରମାଗତ ୨ୟ ବିଜୟ ହାସଲ କରିଛି ଘରୋଇ ଓଡ଼ିଶା ଦଳ। ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ଚମତ୍କାର ଇନିଂସ ବଳରେ ଦୁର୍ବଳ ତ୍ରିପୁରାକୁ ୫ ୱିକେଟରେ ଓଡ଼ିଶା ପରାସ୍ତ କରିଛି। ଗତ ମ୍ୟାଚରେ ପୂର୍ବାଞ୍ଚଳ ଦଳ ଆସାମକୁ ପରାସ୍ତ କରିଥିବା ଓଡ଼ିଶା ଅନ୍ୟ ପୂର୍ବାଞ୍ଚଳ ଦଳ ତ୍ରିପୁରାକୁ ପରାସ୍ତକରି ୬ ପଏଣ୍ଟ ପାଇଛି। ୨ୟ ଇନିଂସରେ ତ୍ରିପୁରାର ତଳ ଅର୍ଡର ବ୍ୟାଟ୍‍ସମ୍ୟାନ୍‍ ଲଢ଼ୁଆ ବ୍ୟାଟିଂ କରିବା ପରେ ଓଡ଼ିଶାର ୨ୟ ଇନିଂସରେ ତ୍ରିପୁରାର ପେସ୍‍ ବୋଲର ଚମତ୍କାର ବୋଲିଂକରି ଓଡ଼ିଶାକୁ ଚିନ୍ତାରେ ପକାଇ ଦେଇଥିଲେ। ଏକଦା ଓଡ଼ିଶା ପରାଜୟ ଚିନ୍ତାରେ ପଡ଼ି ଯାଇଥିଲା। ୨ୟ ଇନିଂସରେ ୨୧୬ ରନ୍‍ର ପିଛା କରୁଥିବା ଓଡ଼ିଶା ଏକଦା ୭୯ ରନ୍‍ରେ ୫ଟି ୱିକେଟ ହରାଇଥିଲା। ତେବେ ଶୁଭ୍ରାଂଶୁ ଓ ଓଡ଼ିଶା ପାଇଁ ପ୍ରଥମ ରଣଜୀ ଟ୍ରଫି ମ୍ୟାଚ୍‍ ଖେଳିଥିବା ଅଭିଷେକ ରାଉତ ହାର ନ ମାନି ଅବିଭାଜିତ ୬ଷ୍ଠ ୱିକେଟ ପାଇଁ ୧୩୮ ରନ୍‍ର ଭାଗିଦାରୀ କରି ଦଳକୁ ଜିତାଇଥିଲେ। ଶନିବାର ମ୍ୟାଚ୍‍ର ୪ର୍ଥ ତଥା ଅନ୍ତିମ ଦିନ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଏହି ମ୍ୟାଚ୍‍ ସମାପ୍ତ ହୋଇଥିଲା।
ଏହି ବିଜୟରୁ ୬ ପଏଣ୍ଟ ପାଇବା ପରେ ଓଡ଼ିଶା ୪ଟି ମ୍ୟାଚ୍‍ରୁ ମୋଟ ୧୩ ପଏଣ୍ଟ ପାଇଁ ଏଲିଟ୍‍ ଗ୍ରୁପ୍‍ ‘ସି’ରେ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଡିସେମ୍ବର ୬ରୁ ରାଞ୍ଚିରେ ଘରୋଇ ଝାଡ଼ଖଣ୍ଡ ବିପକ୍ଷରେ ଓଡ଼ିଶା ୫ମ ଲିଗ୍‍ ମ୍ୟାଚ୍‍ ଖେଳିବ। ୨ୟ ଇନିଂସରେ ୨୧୬ ରନ୍‍ର ପିଛା କରୁଥିବା ଓଡ଼ିଶା ୭୯ ରନ୍‍ରେ ୫ଟି ୱିକେଟ ହରାଇବା ପରେ ୩ୟ ଦିନ ଖେଳ ଶେଷସୁଦ୍ଧା ୫ ୱିକେଟରେ ୧୧୧ ରନ୍‍ରେ ପହଞ୍ଚି ଯାଇଥିଲା। ଶେଷ ୫ଟି ୱିକେଟ ବାକିଥାଇ ଓଡ଼ିଶା ଆଉ ୧୦୫ ରନ୍‍ ଆବଶ୍ୟକ କରୁଥିଲା। ଏପରି ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ଶନିବାର ୪ର୍ଥ ଦିନର ଖେଳ ଆରମ୍ଭ ହୋଇଥିଲା। ତେବେ ୪ର୍ଥ ଦିନରେ ତ୍ରିପୁରା ବୋଲିଂ ପୂରା ନିଷ୍ପ୍ରଭ ଲାଗିଥିଲେ ଏବଂ ଡ୍ରିମ୍‍ସର ପିଚ୍‍ ବ୍ୟାଟିଂ ସହାୟକ ମନେ ହୋଇଥିଲା। ଶୁଭ୍ରାଂଶୁ ସେନାପତି ଜଗିରଖି ଖେଳିଥିବା ବେଳେ ଅଭିଷେକ ରାଉତ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଫଳରେ ଓଡ଼ିଶା ନିଶ୍ଚିତତାର ସହ ବିଜୟଲକ୍ଷ୍ୟ ଆଡ଼କୁ ବଢ଼ିଥିଲା। ପ୍ରଥମ ଇନିଂସରେ ୪୧ ରନ୍‍ କରିଥିବା ଶୁଭ୍ରାଂଶୁ ସେନାପତି ମ୍ୟାଚ୍‍ରେ କ୍ରମାଗତ ୨ୟ ଅର୍ଦ୍ଧଶତକ ହାସଲକରି ଅପରାଜିତ ଥିଲେ। ଶୁଭ୍ରାଂଶୁ ୧୬୯ ବଲ୍‍ରୁ ୯ଟି ଚୌକା ସହ ୮୪ ରନ୍‍କରି ଅପରାଜିତ ଥିଲେ। ଅଭିଷେକ ୧୦୪ ବଲ୍‍ରୁ ୨ଟି ଛକା ଓ ୯ଟି ଚୌକା ସହ ୮୩ ରନ୍‍କରି ଅପରାଜିତ ରହିଥିଲେ। ପୂର୍ବରୁ ମହାରାଷ୍ଟ୍ର ପାଇଁ ୮ଟି ରଣଜୀ ଟ୍ରଫି ମ୍ୟାଚ୍‍ ଖେଳିଥିବା ଅଭିଷେକ ୯ମ ରଣଜୀ ମ୍ୟାଚ୍‍ରୁ ୨ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରିପୁରାର ମଣିଶଙ୍କର ମୁରାସିଂହ ୪ଟି ୱିକେଟ ନେଇଥିଲେ। ଶୁଭ୍ରାଂଶୁ ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories